ଅଦୃଶ୍ୟ ଋତୁୁ

ବିଶ୍ବ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ

ବିଶ୍ୱ ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ମାନବ ଜାତି ପାଇଁ ଏବେ ମୁଖ୍ୟ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଏବେଠାରୁ ଯଦି ରୋକା ନଯାଏ ତେବେ ୨୧୦୦ ମସିହା ବେଳକୁ ଉତ୍ତର ଗୋଲାର୍ଦ୍ଧରେ ୬ମାସ ଅଧିକ ଗ୍ରୀଷ୍ମ ଋତୁ ଅନୁଭୂତ ହେବ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଗ୍ରୀଷ୍ମ, ବର୍ଷା, ଶୀତ ଓ ବସନ୍ତ ଏହି ୪ଟି ଋତୁ ଆମଦେଶରେ ସ୍ପଷ୍ଟ ଅନୁଭୂତ ହୋଇଥାଏ। ୧୯୫୦ ପର୍ଯ୍ୟନ୍ତ ଏହି ଋତୁଗୁଡ଼ିକର ଆଗମନ ସମୟ ଆମେ ପୂର୍ବରୁୁ ଜାଣି ପାରୁଥିଲେ। ଏବେ କିନ୍ତୁୁ ତାହା ଜଣାପଡ଼ୁ ନାହିଁ। ଜଳବାୟୁ ପରିବର୍ତ୍ତନ ଯୋଗୁଁ କୌଣସି ଋତୁ ଆଉ ୪ମାସ ମଧ୍ୟରେ ସୀମିତ ହୋଇ ରହି ନାହିଁ। ମାଘ ମାସରେ ହାଡ଼ ଥରା ଶୀତ ହେଉଥିବା ଆମ ପୂର୍ବ ପୁରୁଷ କହି ଯାଇଛନ୍ତି। ତେବେ ଏବେକାର ମାଘ ମାସର ତାପ ମାତ୍ରା ୩୫ରୁ ୪୦ଂ ସେଲସିୟସ୍ ମଧ୍ୟରେ ରହୁଛି। ଆଗକୁ ଜଳବାୟୁ କେଉଁ ରୂପ ନେବ ତାହା ଏଥିରୁ ସ୍ପଷ୍ଟ। ୧୯୫୨ରେ ଗ୍ରୀଷ୍ମ ଋତୁ ୭୮ ଦିନ ଥିବାବେଳେ ୨୦୧୧ରେ ଏହା ୯୫ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ସେହିପରି ଏହି ସମୟ ମଧ୍ୟରେ ଶୀତଋତୁ ୭୬ରୁ ହ୍ରାସ ପାଇ ୭୩ ଦିନରେ ପହଞ୍ଚିଥିଲା। ଏପରି ଜଳବାୟୁ ପରିବର୍ତ୍ତନ ମନୁୁଷ୍ୟ ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଉଛି।

କେବଳ ଜଳବାୟୁ ପରିବର୍ତ୍ତନ ନୁହେଁ, ବିଶ୍ବ ତାପମାତ୍ରାରେ ବୃଦ୍ଧି ଯୋଗୁଁ ବିଭିନ୍ନ ସ୍ଥାନରେ ଥିବା ବିଶାଳକାୟ ବରଫ ଖଣ୍ଡ ତରଳିବାରେ ଲାଗିଛି। ବରଫର ବିରାଟ ଖଣ୍ଡକୁ ଗ୍ଲେସିୟର ଅଥବା ହିମଖଣ୍ଡ କୁହାଯାଏ। କିଛିଦିନ ତଳେ ଉତ୍ତରାଖଣ୍ଡର ନନ୍ଦା ଦେବୀ ଗ୍ଲେସିଆରର ଏକ ଅଂଶ ଧସିଯିବାରୁ ଚମୋଲି ଜିଲାରେ ଭୂସ୍ଖଳନ ଘଟି ଧୌଳି ଗଙ୍ଗା, ଋଷି ଗଙ୍ଗା ଓ ଅଳକାନନ୍ଦା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଏଥିରେ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୧୭୧ ନିଖୋଜ ଥିଲେ। ସେହିପରି ୨୦୧୬ରେ ତିବ୍ବତର ଅରୁ ପର୍ବତରେ ହିମସ୍ଖଳନ ଘଟି ୯ ଜଣ ବ୍ୟକ୍ତି ଓ ଶହଶହ ପଶୁଙ୍କ ମୃତ୍ୟୁ ଘଟିଥିଲା। ୨୦୧୨ରେ ପାକ୍ ଅଧିକୃତ କାଶ୍ମୀରରେ ଭୂସ୍ଖଳନ ଘଟି ୧୪୦ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ହିମାଳୟ ଶୃଙ୍ଖଳାରେ ଏପରି ଭୂସ୍ଖଳନ ଆଗକୁ ଅଣାୟତ୍ତ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

ବିଶ୍ବ ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତରାଖଣ୍ଡର ଗ୍ଲେସିୟର ତରଳି ହିମସ୍ଖଳନର ରୂପ ନେଇଥିଲା। ଏପରି ବରଫ ଖଣ୍ଡ ବା ଗ୍ଲେସିୟର ସୃଷ୍ଟି ହେବାକୁ ବର୍ଷବର୍ଷ ସମୟ ଲାଗିଥାଏ। ଗୋଟେଗୋଟେ ବରଫ ଖଣ୍ଡ ପ୍ରାୟ ୧୨ କି.ମି ଆୟତନ ବିଶିଷ୍ଟ ହୋଇଥାଏ। ଆମେରିକାସ୍ଥିତ ‘ନ୍ୟାସନାଲ ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର’ ଅନୁଯାୟୀ ବିଶ୍ବରେ ଏବେ ଯେତେ ଭୂଭାଗ ଅଛି ତନ୍ମଧ୍ୟରୁ ୧୦ ପ୍ରତିଶତ ଅଂଶରେ ଗ୍ଲେସିୟର ଜମି ରହିଛି। ହିମ ବର୍ଷର ଶେଷ ଭାଗ ବେଳକୁ ସମୁଦାୟ ଭୂଭାଗର ୩୨ ପ୍ରତିଶତ ଓ ସମୁଦ୍ରର ୩୦ ପ୍ରତିଶତ ଅଂଶ ବରଫ ଖଣ୍ଡ ଥିଲା। ଅଚାନକ ବରଫର ନିମ୍ନ ଭାଗ ତରଳିଗଲେ ଭୂସ୍ଖଳନ ହୋଇଥାଏ। ପ୍ରବଳ ବରଫ ବୃଷ୍ଟି, ଜଙ୍ଗଲରୁ ଗଛ କଟାଯିବା ଫଳରେ ପାହାଡ଼ ଦୁର୍ବଳ ହୋଇଯିବା ଓ ବରଫ ଉପରେ ବରଫ ଜମାଟ ବାନ୍ଧିଲେ ନିମ୍ନଭାଗ ତରଳିବା ଆରମ୍ଭ କରେ। ପରେ ଏହା ଭୂସ୍ଖଳନର ରୂପ ନେଇଥାଏ। ବର୍ଷକୁ ବର୍ଷ ବିଶ୍ବରେ ତାପମାତ୍ରା ବୃଦ୍ଧି ଯୋଗୁଁ କୋଟିକୋଟି ଟନ ବରଫ ତରଳି ସମୁଦ୍ରରେ ମିଶୁଛି। ଫଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହିମ ସ୍ଖଳନକୁ ଆମେ ସେତେଟା ଗୁରୁତ୍ବ ଦେଉନାହୁଁ। ଏହାର କାରଣ ଓ ନିରାକରଣ ସଂକ୍ରାନ୍ତରେ ଆମ ନିକଟରେ ଜ୍ଞାନର ଅଭାବ ରହିଛି। ଯେତେବେଳେ ଉତ୍ତରାଖଣ୍ଡ ପରି ଘଟଣା କୌଣସି ସ୍ଥାନରେ ଘଟୁଛି ଆମେ ସେତେବେଳେ ସଜାଗ ହୋଇ ଉଠୁଛୁ।

ଏହାକୁ କିପରି ରୋକାଯାଇ ପାରିବ ଅଥବା ଏ ସଂକ୍ରାନ୍ତରେ ପୂର୍ବାନୁମାନ କରାଯାଇ ପାରିବ ସେନେଇ ଆମ ନିକଟରେ କୌଣସି ଜ୍ଞାନ ନାହିଁ। ହିମାଳୟରେ ଦୁର୍ବଳ ଗ୍ଲେସିୟର ସମୂହକୁ ଚିହ୍ନଟ କରିବା ମଧ୍ୟ ସମ୍ଭବ ନୁହେଁ। ଆଜିକାର ଦିନରେ ବିଶ୍ବରେ ଏପରି କୌଣସି ଜିନିଷ ଉଦ୍ଭାବନ ହୋଇ ନାହିଁ ଯାହା ଗ୍ଲେସିଅରର ସ୍ଥିତିକୁ ପରୀକ୍ଷା କରିପାରିବ। ହିମାଳୟ ପର୍ବତ ଶୃଙ୍ଖଳାରେ ପ୍ରାୟ ୫୦ ହଜାର ଗ୍ଲେସିୟର ରହିଛି। ଏଥି ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୩୦ଟିର ପରୀକ୍ଷଣ ଚାଲିଛି। ୨୦୦୯ରୁ ୨୦୧୮ ମଧ୍ୟରେ ହିମାଳୟ ପର୍ବତ ଶୃଙ୍ଖଳାରେ ୧୨୭ଟି ଭୂସ୍ଖଳନ ହୋଇଥିବା ଚୀନ୍ର ବୈଜ୍ଞାନିମାନେ କହିଛନ୍ତି। ଏବେ ବିଶ୍ବରେ ପ୍ରାୟ ୧,୯୮,୦୦୦ଟି ଗ୍ଲେସିୟର ରହିଛି। ଏସବୁ ପୃଥିବୀ ପୃଷ୍ଠର ୭,୨୬,୦୦୦ ବର୍ଗ କି.ମି ପରିସୀମା ମଧ୍ୟରେ ଅବସ୍ଥିତ। ବର୍ଷକୁ ବର୍ଷ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏଗୁଡ଼ିକ ତରଳି ଭୂସ୍ଖଳନର ରୂପ ନେଉଛି।

କେବଳ ବିଶ୍ବ ତାପମାତ୍ରାରେ ବୃଦ୍ଧି ନୁହେଁ, ଜଳବାୟୁ ପରିବର୍ତ୍ତନ ମଧ୍ୟ ସମଗ୍ର ମାନବ ଜାତି ପାଇଁ ଆହ୍ବାନ ସୃଷ୍ଟି କରିଛି। ବିଶ୍ବର ସର୍ବବୃହତ୍ ଆମାଜନ ଜଙ୍ଗଲ ନଷ୍ଟ ହେବା ପରିବେଶବିତଙ୍କ ପାଇଁ ଉଦବେଗର କାରଣ ପାଲଟିଛି। ପ୍ରତିବର୍ଷ ଏହି ଜଙ୍ଗଲରୁ ବ୍ୟାପକ ଭାବେ ଗଛ କଟା ଚାଲିଛି। ବିଶେଷକରି ଏସିଆର ଜନସାଧାରଣ କଂକ୍ରିଟ ଓ ସିମେଣ୍ଟରେ ଘର କରିଥା’ନ୍ତି। ତେବେ ଉତ୍ତର ଓ ଦକ୍ଷିଣ ଆମେରିକୀୟ କାଠରେ ଘର କରିବାକୁ ପସନ୍ଦ କରନ୍ତି। ଏଥିଯୋଗୁଁ ଆମାଜନ ଅବବାହିକାରେ ବ୍ୟାପକ ଜଙ୍ଗଲ ଉଜୁଡ଼ିବାରେ ଲାଗିଛି। ଏହା ବ୍ୟତୀତ ବ୍ରାଜିଲ, ଅଷ୍ଟ୍ରେଲିଆ ଓ ଆମାଜନ ଜଙ୍ଗଲରେ ପ୍ରତିବର୍ଷ ନିଆଁ ଲାଗି ବ୍ୟାପକ ବନ୍ୟ ସମ୍ପଦ ନଷ୍ଟ ହେଉଛି। ‘ସ୍ଲୋ ପଏଜନ’ ପରି ବିଶ୍ବ ତାପମାତ୍ରା ସମଗ୍ର ମାନବ ଓ ପଶୁପକ୍ଷୀଙ୍କ ଉପରେ ଧୀରେଧୀରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରଜାତିର ପଶୁପକ୍ଷୀ ଲୋପ ପାଇଗଲେଣି। ଏଥିପାଇଁ ଶିଳ୍ପର ବିସ୍ତାର ମୁଖ୍ୟତଃ ଦାୟୀ।

ବିଶ୍ବର ୩୦ ସବୁଠାରୁ ଦୂଷିତ ସହର ମଧ୍ୟରେ କେବଳ ଭାରତର ୨୨ଟି ସହର ସ୍ଥାନ ପାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀ ବିଶ୍ବର ସର୍ବାଧିକ ଦୂଷିତ ସହରଗୁଡ଼ିକ ମଧ୍ୟରେ ୧୦ମ ସ୍ଥାନରେ ରହିଛି। ବିଶ୍ବ ତାପମାନ ହ୍ରାସ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଏ ପର୍ଯ୍ୟନ୍ତ ଆମେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିପାରି ନାହାନ୍ତି। ପ୍ରତିଟି ଦେଶ ପରସ୍ପର ଉପରେ ଦୋଷ ନଲଦି ଏପରି ଆହ୍ବାନକୁ କିପରି ମିଳିତ ଭାବେ ମୁକାବିଲା କରିହେବ ସେଥିନେଇ ଉପଯୁକ୍ତ ମାର୍ଗ ପ୍ରସ୍ତୁତ କରିବା ଜରୁରୀ ହୋଇ ପଡ଼ିଛି।

Comments are closed.