ଉପେକ୍ଷିତ ଓଡ଼ିଆ ଭାଷା

ଓଡ଼ିଆ ଆମର ମାତୃଭାଷା ହୋଇଥିଲେ ହେଁ ସେଥିରେ ତ୍ରୁଟିଶୂନ୍ୟ ଦି’ପଦ ଲେଖି ନପାରିବା ଲଜ୍ଜାଜନକ ନୁହେଁ କି?

ଆମ ମାତୃଭାଷା ଓଡ଼ିଆ ଶାସ୍ତ୍ରୀୟ ମର୍ୟ୍ୟାଦା ପାଇଲା। ଆମେ ସମସ୍ତେ ଖୁସି ହେଲୁ। ତାକୁ ନେଇ କିଛି ଲୋକ ବହୁତ ବଡ଼ବଡ଼ ସ୍ବପ୍ନ ବି ଦେଖି ପକାଇଲେ; କିନ୍ତୁ ସେସବୁ ଯେ ନିରର୍ଥକ ଥିଲା ତାହା ପ୍ରମାଣିତ ହୋଇସାରିଛି। ପ୍ରକୃତରେ ଦେଖିବାକୁ ଗଲେ ଓଡ଼ିଆ ଭାଷା କଥା କହି କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଥିପାଇଁ ଆମ ସରକାରୀ ବ୍ୟବସ୍ଥା ତ ସର୍ବାଗ୍ରେ ଦାୟୀ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ; କିନ୍ତୁ ଜନସାଧାରଣ ମଧ୍ୟ କମ୍‌ ଦାୟୀ ନୁହନ୍ତି। ଆମେ ଓଡ଼ିଆ ଭାଷାକୁ କିପରି ଉପେକ୍ଷା କରିଚାଲିଛୁ, ଆମ ଜୀବନଜୀବିକାର ସବୁଠି ତା’ର ପ୍ରମାଣ ଅବଶ୍ୟ ମିଳିଯିବ। ସରକାରୀ ବେସରକାରୀ କାର୍ୟ୍ୟାଳୟରେ, ଘରେ କାର୍ୟ୍ୟାଳୟରେ, ସ୍କୁଲ୍‌କଲେଜ ଆଦିରେ ସବୁଠି ଓଡ଼ିଆ ଭାଷା ପ୍ରତି ନିଷ୍ପୃହ ଓ ବୀତସ୍ପୃହ ଭାବ ସହଜରେ ଅନୁମାନ କରିହେବ।

ଏହାର ଗୋଟିଏ ଉଦାହରଣ ନିକଟରେ ଦେଖିବାକୁ ମିଳିଥିଲା ସମ୍ବଲପୁର ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ମହାବିଦ୍ୟାଳୟସ୍ତରୀୟ ଯୁକ୍ତ ତିନି ଓଡ଼ିଆ ପଞ୍ଚମ ସେମିଷ୍ଟର୍‌ ଦ୍ବାଦଶ ପତ୍ର ପରୀକ୍ଷାରେ। ଏଥିପାଇଁ ଯେଉଁ ୮୦ ନମ୍ବର ବିଶିଷ୍ଟ ପ୍ରଶ୍ନପତ୍ର ବଣ୍ଟାଯାଇଥିଲା, ସେଥିରେ ପ୍ରାୟ ୫୦ଟି ତ୍ରୁଟି ରହିଥିବା ଦେଖାଯାଇଥିଲା। ଏହା କେବଳ ସେହି ବିଶ୍ବବିଦ୍ୟାଳୟ ନୁହେଁ, ଆମ ସମଗ୍ର ଉଚ୍ଚଶିକ୍ଷା ବ୍ୟବସ୍ଥାର ଦୁର୍ବଳ ଦିଗ ପ୍ରତି ସଚେତନ କରାଇଥାଏ। ଯେଉଁ ଅଧ୍ୟାପକମାନେ ଉକ୍ତ ପ୍ରଶ୍ନପତ୍ରକୁ ତିଆରି କରିଛନ୍ତି ଓ ଯିଏ ଏହାକୁ ଅନୁମୋଦନ କରିଛନ୍ତି, ସେମାନେ କେବଳ ସେମାନଙ୍କ କାର୍ୟ୍ୟରେ ଅବହେଳା କରିନାହାନ୍ତି କି ବେପରୁଆ ମନୋଭାବ ଦେଖାଇନାହାନ୍ତି, ବରଂ ଏଥିପାଇଁ ଯଥାସମ୍ଭବ ସେମାନଙ୍କ ଅଜ୍ଞତା ମଧ୍ୟ ଥାଇପାରେ, ଯାହା ଅକ୍ଷମଣୀୟ। ଇତିମଧ୍ୟରେ ଏହି ପ୍ରଶ୍ନପତ୍ର ତିଆରି କରିଥିବା ଅଧ୍ୟାପକ ଏବଂ ମୋଡରେଟର୍‌ ଭାବେ ତାକୁ ଯାଞ୍ଚ କରିଥିବା ବରିଷ୍ଠ ଅଧ୍ୟାପକଙ୍କୁ ଏହି କାର୍ୟ୍ୟରୁ ଆଜୀବନ ବାସନ୍ଦ କରାଯାଇଥିବା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ତ୍ରୁଟି ଉପରେ ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି ଓ ସେହି ରିପୋର୍ଟ ଅନୁଯାୟୀ କୁଳପତି ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ନେବେ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ତେବେ ଏପରି ଘଟନା ପ୍ରଥମ ଘଟୁନାହିଁ। ସ୍କୁଲକଲେଜସ୍ତରୀୟ ଓଡ଼ିଆ ପ୍ରଶ୍ନପତ୍ରରେ ଅନେକ ସମୟରେ ତ୍ରୁଟିବିଚ୍ୟୁତି ରହୁଥିବା ଲକ୍ଷ୍ୟ କରାଯାଏ। ଏହା କେବଳ ପ୍ରଶ୍ନପତ୍ର ପ୍ରସ୍ତୁତକାରୀଙ୍କ ଅସାବଧାନତା ଓ ଅଜ୍ଞତା ହେତୁ ନୁହେଁ, ବରଂ ବେଳେବେଳେ ମୁଦ୍ରଣ ବ୍ୟବସ୍ଥା ଅର୍ଥାତ୍‌ ଓଡ଼ିଆ ଟାଇପ୍‌ କରୁଥିବା ବ୍ୟକ୍ତିଙ୍କ ଅଜ୍ଞାନତା ଯୋଗୁଁ ମଧ୍ୟ ଘଟେ, ଯାହାକୁ ପରବର୍ତ୍ତୀ ସମୟରେ ସୁଧାରିବାର ଆବଶ୍ୟକତା ରହିଥାଏ। ମୋଟକଥା ହେଲା, ଓଡ଼ିଆ ଆମର ମାତୃଭାଷା ହେଲେ ହେଁ ଆମେ ସେଥିରେ ପାରଙ୍ଗମ ହେବା କଥା ଛାଡ଼, ସାଧାରଣ ଶବ୍ଦ ଲେଖିବାରେ ମଧ୍ୟ ଦକ୍ଷତା ଅର୍ଜନ କରିପାରୁନାହୁଁ। ଇଂରେଜୀ ମାଧ୍ୟମ ପଢ଼ାଲେଖା କରୁଥିବା ଲୋକଙ୍କ କଥା ଦୂରେ ଥାଉ, ଆମେ ଯେଉଁମାନେ ଓଡ଼ିଆ ମାଧ୍ୟମ ଶିକ୍ଷିତ, ସେମାନେ ମଧ୍ୟ ଅନେକ ଓଡ଼ିଆ ଶବ୍ଦ ଲେଖିବାରେ ଭୁଲ୍‌ କରୁ। ଏହା ଲଜ୍ଜାକର ବିଷୟ ହେଲେ ହେଁ ସତ୍ୟ। ଏହାର କାରଣ ଆମ ସ୍କୁଲ୍‌କଲେଜର ଦୁର୍ବଳ ଓଡ଼ିଆ ଭାଷା ଶିକ୍ଷା। ଆମର ଓଡ଼ିଆ ଶିକ୍ଷକ-ଅଧ୍ୟାପକମାନଙ୍କ ଭିତରେ ମଧ୍ୟ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କୁ ତ୍ରୁଟିଶୂନ୍ୟ ଓଡ଼ିଆ ଲେଖିଆସେ ନାହିଁ। ଆମ ଶିକ୍ଷାବ୍ୟବସ୍ଥା ଏପରି ଯେ ଓଡ଼ିଆରେ ପିଏଚ୍‌ଡି କରି ଅଧ୍ୟାପନା କରୁଥିବା ବ୍ୟକ୍ତିଟିକୁ ମଧ୍ୟ ବେତନଭୋଗୀ ହେଲାପରେ ଆଉ ବହି ପଢ଼ିବା ବା ଲେଖାଲେଖି କରିବାର ଆବଶ୍ୟକତା ରହେନାହିଁ। ସବୁ ଗବେଷଣା ଚୁଲିକି ଯାଏ। ଏପରି ସ୍ଥିତିରେ ସେମାନଙ୍କଠାରୁ ତ୍ରୁଟିଶୂନ୍ୟ ଓଡ଼ିଆ ଶିକ୍ଷା ଆଶା କରିପାରିବା କେମିତି!

ଆମ ସାଧାରଣ ଜୀବନଜୀବିକାରେ ମଧ୍ୟ ଓଡ଼ିଆ ପ୍ରତି ଉପେକ୍ଷା ଅତି ଚିନ୍ତାଜନକ। ଦୋକାନ ସମ୍ମୁଖରେ ଟଙ୍ଗାଯାଇଥିବା ନାମଫଳକ ହେଉ ବା ଉତ୍ସବାଦି ପାଇଁ ପ୍ରସ୍ତୁତ ହେଉଥିବା ନିମନ୍ତ୍ରଣପତ୍ର ହେଉ, ଅଧିକାଂଶରେ କିଛିନାକିଛି ବନାନଗତ ତ୍ରୁଟି ଦେଖିବାକୁ ମିଳିଥାଏ। ଡାକ୍ତରଖାନା, ରେଳ ପ୍ଲାଟଫର୍ମ, ବସ୍‌ରହଣି ସ୍ଥାନ, କାର୍ୟ୍ୟାଳୟ ଆଦି ସରକାରୀ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଲଗାଯାଇଥିବା ଫଳକରେ ମଧ୍ୟ ଅସଂଖ୍ୟ ଭୁଲ୍‌ ରହିଥାଏ। ଏପରି ତ୍ରୁଟି ଅରୁଚିକର ଓ ଅକ୍ଷମଣୀୟ ହୋଇଥିବା ସତ୍ତ୍ବେ ଦୀର୍ଘଦିନ ଧରି ତାହା କାହାର ଦୃଷ୍ଟିଗୋଚର ହୁଏ ନାହିଁ କିମ୍ବା ତାକୁ ଠିକ୍‌ କରିବାପାଇଁ ଚେଷ୍ଟା କରାଯାଏ ନାହିଁ। ଓଡ଼ିଆ ଭାଷା ପ୍ରତି ଆମର କେତେ ମମତା, ତାହା ଏଥିରୁ ଜାଣି ହୁଏ। ସରକାର ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ୟ୍ୟାଳୟଗୁଡ଼ିକର ନାମ ଓଡ଼ିଆରେ ଲେଖିବାପାଇଁ ବାଧ୍ୟତାମୂଳକ ନିୟମ କରିଥିଲେ ହେଁ ତାହା ଏ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇପାରିଲା ନାହିଁ। ଶାସନ-ପ୍ରଶାସନର ଭାଷାକୁ ଓଡ଼ିଆ କରିବା କଥା ତ ଏବେ ମନ୍ତ୍ରୀ-ଅମଲାଙ୍କ ସହ ଆମେ ସମସ୍ତେ ଭୁଲିଗଲୁଣି। ଇଂରେଜୀର ଆଧିପତ୍ୟ ଏବେ ବି ଅକ୍ଷୁଣ୍ଣ। ଇଂରେଜୀ ଭାଷା ଶିଖିବା ମନ୍ଦ ନୁହେଁ, ବରଂ ଏହା ବର୍ତ୍ତମାନ ଯୁଗରେ ଆବଶ୍ୟକ; କିନ୍ତୁ ତା’ଠୁ ବେଶି ଜରୁରୀ ମାତୃଭାଷା ଓଡ଼ିଆ ଶିକ୍ଷା, ଏହା ଆମେ ମନେରଖିବା ଉଚିତ। ସ୍କୁଲ୍‌କଲେଜରେ ମୂଳରୁ ନିର୍ଭୁଲ୍‌ ଓଡ଼ିଆ ଭାଷା ଶିକ୍ଷା ନହେବା ପର୍ୟ୍ୟନ୍ତ ଏ ସଙ୍କଟ ଦୂର ହେବନାହିଁ। ସର୍ବୋପରି ଦୈନନ୍ଦିନ ଜୀବନରେ ଯେପରି ନିର୍ଭୁଲ୍‌ ଓଡ଼ିଆ ବ୍ୟବହାର ହୁଏ, ଆମକୁ ସେଥିପ୍ରତି ସଚେତନ ରହିବାକୁ ହେବ। ସରକାର ଓ ଆମେ ସମସ୍ତେ ଏ ନେଇ ଚିନ୍ତା କରିବା ଦରକାର।

Comments are closed.