‘ମୁଣ୍ଡପୋତା କେଳା’ ନାଟକ

ମୃତ୍ୟୁଦଣ୍ଡ’କୁ ସବୁଠୁ ବଡ଼ ଦଣ୍ଡ ବୋଲି ଯେମିତି ଗ୍ରହଣ କରାଯାଇଛି, ‘ଆତ୍ମହତ୍ୟା’ ସେମିତି ପ୍ରିୟଜନଙ୍କ ପାଇଁ ସବୁଠୁ ବଡ଼ ଧମକ କି ଅଭିମାନ। ଏ କଥାଟା ତେଲଲୁଣ ସଂସାରିଆଙ୍କ ପାଇଁ ଶତକଡ଼ା ଶହେ ଫାବୁଥିବା ବେଳେ, ଜୀବନ ଓ ମୃତ୍ୟୁକୁ ବୁଝିଥିବା, ମଣିଷପଣିଆର ମଞ୍ଜ ହେଜିଥିବା ସାଧକ, ସନ୍ଥଙ୍କ ପାଇଁ ଜୀବନଟା ପାଣି ଫୋଟକା ପରି ତୁଚ୍ଛ, ଅଳିକ। ‘‘ଜନ୍ତୂନାଂ ମରଣାତ୍ ଭୟଂ’’, କିନ୍ତୁ ଏଙ୍କଠେଇ ନ ଥାଏ। ସାଧନା ପାଇଁ, ଦେଶ ଓ ଦଶ ପାଇଁ ଏମାନେ ଜୀବନଟାକୁ ଉଡ଼େଇ ଦିଅନ୍ତି ଅବଲୀଳା କ୍ରମେ। ଅନ୍ୟମାନେ କିନ୍ତୁ ନିର୍ଲଜ୍ଜ ଭଳି ବଞ୍ଚିଥା’ନ୍ତି, ବଞ୍ଚନ୍ତି। ନିଜେ ବଞ୍ଚିବା ପାଇଁ ଏମାନଙ୍କ ପକ୍ଷେ କିଛି ବି ମୂଲ୍ୟବାନ ନୁହେଁ। କହନ୍ତି କ’ଣ ନା, ‘‘ଆପେ ବଞ୍ଚିଲେ ବାପର ନାଁ।’’ ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’’ ଭାବ ଏଙ୍କ ବହଳ ଚମଡ଼ାକୁ ଭେଦନ୍ତା କେମିତି?

ପୃଥିବୀ ବିଖ୍ୟାତ ପ୍ରାବନ୍ଧିକ ବେକନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାବେଳେ ସେ କେମିତି ବିକଳ ହୋଇ, ଏକଦା ପ୍ରେମିକା ଥିବା ରାଣୀ ଏଲିଜାବେଥଙ୍କ ପାଖେ ଜୀବନ ଭିକ୍ଷା କରି ବଞ୍ଚିଗଲେ, ସେଥିରୁ ତାଙ୍କ କିସମ ଜଣାପଡ଼ିଗଲା। ଅନ୍ୟପକ୍ଷରେ ବିଖ୍ୟାତ ଐତିହାସିକ ସାର୍ ୱାଲ୍ଟର ରାଲେଙ୍କୁ ଦେଖୁନା! ତାଙ୍କ ପ୍ରେମିକା ବି ରାଣୀ ଏଲିଜାବେଥ୍ ଥିଲେ। ସେ କୁ ନଇଁଲେ ନା ଜୀବନ ଭିକ୍ଷା କଲେ? କାଉଁରିଆ କାଠିଟେ, ନଅଁନ୍ତା କେମିତି ଭାଙ୍ଗିଯିବ ସିନା, ସତରେ ଭାଙ୍ଗିଗଲେ ସେ। ତାଙ୍କୁ ଘାତକ କଟୁରିରେ ହାଣୁଥିବା ବେଳେ ସେ ସିଗାରେଟ ପିଉଥିଲେ ଓ କଟୁରି ଉଠଉଥିବା ଘାତକକୁ ଟିକିଏ ଅଟକି ଯିବାକୁ କହିଲେ। ଲୋକେ ଭାବିଲେ ସେ ତାଙ୍କ ଜୀବନରକ୍ଷା ପାଇଁ କନ୍ଦାକଟା କରିବେ। ମାତ୍ର ସେ କହିଲେ, ‘‘ଆରେ ରହ, ମୋ ବେକ ଉପରେ ଓହଳି ପଡ଼ିଥିବା ମୋ ଲମ୍ବା କେଶଗୁଡ଼ା ମୁଁ ଆଡ଼େଇ ଦିଏ। ନହେଲେ ତୋତେ କେତେ ଯେ ଚୋଟ ମାରିବାକୁ କଷ୍ଟ କରିବାକୁ ପଡ଼ିବ। ତାଜୁବ ହୋଇଗଲେ ଘାତକ ଓ ରାଣୀଙ୍କ ଦଳ। ଏତେ ବାଟ କିଆଁ, ଆମ ଦେଶ ସହିଦ ଉଦ୍ଦାମ ସିଂଙ୍କୁ ଦେଖୁନା ! ତାଙ୍କ ପିତାମାତା, ଦେଶବାସୀଙ୍କୁ ପଶୁପକ୍ଷୀ ପରି ମାରିଥିବା ଜେନେରାଲ ଡାୟାରର ପ୍ରତିଶୋଧ ନେବାପାଇଁ ସେ ବିଲାତ ଯାଇ ସେ ଦେଶ ପାର୍ଲାମେଣ୍ଟ ଭିତରେ ଡାୟାରକୁ ଗୁଳିକରି ମଞ୍ଚରୁ ଖସେଇଦେଲେ।

ଫାଶୀ ନେଉଥିବା ପୂର୍ବରୁ ତାଙ୍କ ବୟାନ ଥରେଇଦେଲା, ଡରେଇ ଦେଲା ବ୍ରିଟିଶ୍ ଶାସକଙ୍କୁ। ଧଣ୍ଡ, କାଣ୍ଡନଳିଆ ଦେଖିଥିବା ଫିରିଙ୍ଗିବାଲା ଦେଖିଲେ ‘ନାଗବଚ୍ଚା’ କେତେ ଭିନ୍ନ, ଫରକ୍। ଏକୁ କହନ୍ତି ପ୍ରାଣତ୍ୟାଗ, ଜୀବନଦାନ। ଦଧୀଚିଙ୍କୁ ଦେଖୁ ନାହାନ୍ତି! ଦେବତାମାନଙ୍କ ସୁରକ୍ଷା ପାଇଁ, ଇନ୍ଦ୍ରଙ୍କ ନିବେଦନରେ ସେ ପ୍ରାଣବଳି ଦେଲେ। ତାଙ୍କ ହାଡ଼ରୁ ତିଆରି ‘ବଜ୍ର’ ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ଭାବେ ଦେବତାମାନଙ୍କୁ ଚିର ବିଜୟୀ କରି ରଖିଛି ଏଯାଏ। ଜୀବନ ଯେତେବେଳେ ଅନାବଶ୍ୟକ, ଅଯଥା ଓ ଅମର୍ଯ୍ୟାଦାର ଶିକାର ହେବ, ତା’ ପୂର୍ବରୁ ବିଜ୍ଞମାନେ ଏକୁ ଛାଡ଼ି ଦେଇଥା’ନ୍ତି। ବିଶ୍ବବିଖ୍ୟାତ ଦାର୍ଶନିକ, ଆଲେକ୍ଜାଣ୍ଡରଙ୍କ ଗୁରୁ ତଥା ପ୍ଲାଟୋଙ୍କ ଶିଷ୍ୟ ଆରିଷ୍ଟୋଟଲ ଶେଷରେ ଆତ୍ମହତ୍ୟା ବରଣ କରିଥିଲେ। ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣ କ’ଣ ଝାଡ଼ା ବାନ୍ତି କି କରୋନାରେ ମଲେ? ମଣିଷ ଭାବେ ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ ଶେଷ ହୋଇଯାଇଥିବା ଯେତେବେଳେ ଅନୁଭବ କଲେ ସରଯୁରେ ପ୍ରାଣ ବିସର୍ଜନ କଲେ। ଲେଞ୍ଜେରା, ଲାଳବୁହା ପାଟି ସହ ବଙ୍କୁଲି ବାଡ଼ି ଧରି ଘୋଷାରି କିଆଁ ହୁଅନ୍ତେ?

ଏକୁ ଆତ୍ମହତ୍ୟା କୁହାଯାଇ ପାରିବନି। ଭୀଷ୍ମ ପିତାମହ ତ ଇଚ୍ଛାମୃତ୍ୟୁ ବର ପାଇଥିଲେ। ଅର୍ଜୁନଙ୍କ ଦ୍ବାରା ଶରାସୀନ ହେବା ପରେ ଏ ପରାସ୍ତ ଯୋଦ୍ଧା ତ ଆଉ କଷ୍ଟ ନ ସହି ମରିପାରିଥା’ନ୍ତେ। ମାତ୍ର ସେ ମହାଭାରତ ସମାପ୍ତି ଓ ଦୁଷ୍କୃତିର କ୍ଷୟ ଦେଖିବାକୁ ଚାହିଁଲେ ଓ ବିଶ୍ବବାସୀଙ୍କ ପାଇଁ ତାଙ୍କ ମହାର୍ହ ଅନ୍ତିମ ଉପଦେଶ ଦେଇଗଲେ। ମହାଭାରତର ଶାନ୍ତିପର୍ବରେ ତା’ ଦେଖିବାକୁ ମିଳେ। ମୁକ୍ତି ଓ ମୋକ୍ଷର କାଳ ଉତ୍ତରାୟଣକୁ ଅପେକ୍ଷା କରିଥିଲେ। ୟେ ହେଲା ଆତ୍ମତ୍ୟାଗ। ସନ୍ଥ ବିନୋବାଙ୍କ କଥା ଦେଖାଯାଉ, ଲମ୍ବା ଜୀବନ ତାଙ୍କୁ ମିଳିଲା। ଭୂଦାନ ଆନ୍ଦୋଳନକୁ ଆହୁରି ଆହୁରି ବଢ଼ାଇବାକୁ ତାଙ୍କ ଦିହ ଯେତେବେଳେ ଅମଙ୍ଗ, ଅପାରଗ ହେଲା, ସେ ଏକୁ ଛାଡ଼ିବାକୁ ଚାହିଁଲେ। ଆରେ, କ’ଣ ଗଛରେ ଦଉଡ଼ି କି ଗାମୁଛା ବାନ୍ଧି ଟାଙ୍ଗିହେଲେ କି ଫଲିଡଲ ପିଇଲେ? ନା, ଇନ୍ଦ୍ରିୟମାନଙ୍କୁ, ଏ ଦିହକୁ ପୁଷ୍ଟ ଓ ସତେଜ କରୁଥିବା ଖାଦ୍ୟ ଗ୍ରହଣ କଲେ ନାହିଁ। କାହା ପରାମର୍ଶ ଶୁଣିଲେ ନାହିଁ। ଓଷୁଅ ତ ଦୂରର କଥା। ୟେ ହେଲା ଗାନ୍ଧୀ ଶିଷ୍ୟ ଜଣେ କର୍ମଯୋଗୀର ଜୀବନ ଦର୍ଶନ, ଅନ୍ତିମ ମେଲାଣିର କଥା କି ବାର୍ତ୍ତା। ସେମିତି ଦ୍ବିତୀୟ ମହାଯୁଦ୍ଧର ଖଳନାୟକ ହିଟଲର ପରାଜିତ ହେବାପରେ, ବନ୍ଧାହୋଇ ଘୋଷରା ହେବା କି ଶତ୍ରୁପକ୍ଷଙ୍କ ଦ୍ବାରା ଅପମାନିତ ହେବାକୁ ଚାହିଁଲେନି, ଲଢ଼ୁଆ ସୈନିକ କି ସେନାପତି ଶରଣାଗତ କିସମର ନୁହଁ। ତାଙ୍କୁ ବାନ୍ଧିବା ପୂର୍ବରୁ, ଘୋଷାରିବା ପୂର୍ବରୁ ପଟାସିୟମ ସାଇନାଇଟ ଖାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ସହ ନେଇଯାଇଥିଲେ ପ୍ରିୟ କୁକୁର ଓ ଆଜୀବନ ତାଙ୍କ ସହକର୍ମୀ ଥିବା ମହିଳାଙ୍କୁ ଯାହାକୁ ସେ ଜୀବନର ଏ ଅନ୍ତିମ ମୁହୂର୍ତ୍ତରେ ସ୍ତ୍ରୀ ଭାବେ ଘୋଷଣା କରି ଶେଷ ଓ ପ୍ରଥମ ଚୁମ୍ବନରେ ଜୀବନ ଶେଷ କରିଥିଲେ। ୟେ ଢେର ସ୍ବାଭିମାନର କଥା। ଏଥିରେ ଦୈନ୍ୟ ଓ ଅସହାୟତାର ଭାବ କାଇଁ? ୟେ ଶିର ଦେଙ୍ଗେ ସର ନେହିଁ ଦେଙ୍ଗେର ଭାବ।

ତେବେ ତେଲଲୁଣ ସଂସାରିଆ ଉତ୍ପୀଡ଼ନରେ ନିଜକୁ ଅସହାୟ, ଦୀନ ମନେକରି, ଅବସୋସ ଅନଳରେ ହା-ହୁତାଶରେ ଜଳି ଜଳି ଶେଷକୁ ବ୍ୟର୍ଥତାର ମହା ସମାଧିରେ ହଜିଯିବାକୁ ଜୀବନ ହାରିଥିବା ମାନବଙ୍କୁ ଆତ୍ମଘାତୀ ବା ଆତ୍ମହତ୍ୟା କରିଥିବା କୁହାଯିବ। ଆର ଗାଁର ଫକୀର ମିଶ୍ରଙ୍କ ପୁଅ ପ୍ରକାଶ ଜୀବନସାରା ପାଠରେ ପ୍ରଥମ। ସ୍ବର୍ଣ୍ଣପଦକ ତାକୁ ପୁଞ୍ଜାପୁଞ୍ଜା ମିଳିଛି। ମେଧାବୀ ପିଲାଟେ। ଉଜ୍ଜ୍ବଳ ଭବିଷ୍ୟତ। ମାତ୍ର ୟେ କ’ଣ କଲା ମ! ବିନ କଅଁର ଝିଅ କେତକୀ ପ୍ରେମରେ ପଡ଼ିଗଲା। ଆରେ ଦି’ ବାପ ନଛୋଡ଼ବନ୍ଦା। ଏ ବିବାହ ହୋଇପାରିବନି। ଦି’ଜଣଯାକ ଲୁଚିଛପି ଘରୁ ପଳେଇ ଗାଁ ଆମ୍ବତୋଟାରେ କୁଆଁର ପୂନେଇଁ ଜହ୍ନ ରାତିରେ ଟାଙ୍ଗି ହୋଇଗଲେ। ତୋଟାରେ କି ଥାଟପଟର ଲୋକ ଲୋ ବୋପା! କିଏ ‘ଛି ଛି’ କରୁଥା’ନ୍ତି ତ କିଏ ‘ଆହା ଆହା’ କହୁଥା’ନ୍ତି। ଭାଲେଣ୍ଟାଇନ ଲଭ, କି କେଦାର-ଗୌରୀ କି ସୋନୀ-ମହିୱାଲର ପୁନରାବୃତ୍ତି ବୋଲି କହୁଥା’ନ୍ତି କେତେକେ। ମାତ୍ର ଯାହା କୁହ ପଛେ, ୟେ ଆତ୍ମବଳି, ଆତ୍ମତ୍ୟାଗ କିସମର କେବେ ବି ନୁହଁ। ୟେ ଆତ୍ମହତ୍ୟା। ପାପ ଭିତରେ ମହାପାପ। ସ୍ବାର୍ଥ, ମୋହର କଥା।

ଜୀବନକୁ କଲବଲ କରି ସାଧନା କରିବା ସିଦ୍ଧି ଲଭିବାକୁ ନାପସନ୍ଦ କରାଯାଇଛି। ମାତ୍ର ଦେଶ ଦଶ ପାଇଁ ଜୀବନକୁ ବାଜି ଲଗେଇଦେବା ଏକ ଭିନ୍ନ କଥା। ଗାନ୍ଧୀଙ୍କ ଅନଶନ କଥା କ’ଣ? ୟେ ତାଙ୍କ ପରିପାର୍ଶ୍ବସ୍ଥ ପ୍ରିୟଜନ ନୀତିବାଦୀଙ୍କ ପାଇଁ ଏକ ଆହ୍ବାନ ଥିଲା। ବ୍ରିଟିଶ ସରକାର ତାଙ୍କ ଅନଶନ ଧମକରେ, ଅନଶନରେ ଡରିଯାଇଥିଲେ। ପ୍ରିୟ ମଣିଷ ନେହେରୁ, ପଟେଲ ତ ତାଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ ଅନଶନ ଭାଙ୍ଗିବାକୁ। ଏ ଦିହ, ଏ ଲୋକର ଅପରିହାର୍ଯ୍ୟତା ‘ମରଣ’କୁ ଅନ୍ୟଙ୍କ ପାଇଁ ଆତଙ୍କିତ କରେ। ଗାନ୍ଧୀଙ୍କ ଅନଶନ ନୈତିକତା ପ୍ରତି ଆହ୍ବାନ ଥିଲା।

ମାତ୍ର ଏବେ ଦେଖୁନା, ଗାନ୍ଧୀଙ୍କ ଅନଶନର କେମିତି ବିକୃତିକରଣ ହୋଇଛି, ‘ରିଲେ ଅନଶନ’। ଆରେ ୟେ କି ଅନଶନ? ଦିନଟେ ଉପାସ ରହିପାରୁନଥିବା ଭାଣ୍ଡଦଳେ ଘଣ୍ଟିକିଆ କି ଓଳିକିଅା ଉପାସ ରହି କମ୍ପି ଯାଆନ୍ତି ଓ ଅନ୍ୟକୁ କମ୍ପେଇବାକୁ, ଜନତାର ଦୃଷ୍ଟି ଆକର୍ଷଣ ପାଇଁ ଦିନତମାମ ସାତ ଆଠଜଣ ଘଣ୍ଟିକିଆ ଉପାସ ରହି ଆକାଶ ଭାଙ୍ଗିପକାନ୍ତି। କି ତ୍ୟାଗ ମ ସତେ! ଭଣ୍ଡାମି, ଭାଣ୍ଡାମି ଛଡ଼ା ୟେ ଆଉ କ’ଣ? ଏବେ ସେମିତି ଆମ ବିଧାନସଭାରେ ଏକ ‘ଆତ୍ମତ୍ୟାଗ’ର ନାଟକ ଆମ ବିଧାୟକ ଶ୍ରୀ ସୁବାସ ବାବୁ ରଚିଲେ। କରୋନା ସାନିଟାଇଜର (ଭୂତାଣୁ ନାଶକ ପାଣି) ନେଇ ବିଧାନସଭାକୁ ଗଲେ। ଚାଷୀଙ୍କ ନିର୍ଯାତନାରେ ସେ କୁଆଡ଼େ ମ୍ରିୟମାଣ ହୋଇପଡ଼ିଥିଲେ। ଆଉ ‘ସହିଦ’ ହେବାର ଗୋଟେ ଉଦାହରଣ ସୃଷ୍ଟି ପାଇଁ ଏକୁ ପିଇବାକୁ ଉଦ୍ୟମ କଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ଆଉ ଦି’ଜଣ ସାଙ୍ଗ ତାଙ୍କୁ ମାଡ଼ିବସିଲେ। ବିଧାନସଭା ତଳଉପର ହେଲା। କି କଥା ୟେ! ଆରେ, ସାନିଟାଇଜର ପିଇଥିଲେ କୋଉ ମୃତ୍ୟୁ ହୋଇଥା’ନ୍ତା? ଅତି ବଡ଼ରେ ଗୋଟେ ଯୋଡ଼େ ଝାଡ଼ା ହୋଇଯାଇ ଥାଆନ୍ତା।

ଏମିତି ତଲବ ବିଧାନସଭା ଭିତରେ ହୋଇଥିଲେ, ବାଟହଗାର ସ୍ମୃତି ପରି ତାଙ୍କ ସ୍ମୃତି କାହିଁ କେତେକାଳକୁ ରହିଥା’ନ୍ତା। ‘ମୁଣ୍ଡପୋତା’ କେଳା ବେପାର କଥା ମନେପଡ଼ୁଛି। ହାତେ ଗହୀରା ଗାଡ଼ ଖୋଳି ତା’ ଭିତରେ ମୁଣ୍ଡକୁ ପୂରେଇ ମାଟି ଭରିଦିଏ। ଆଉ ଗୋଡ଼ ସହ ସାରା ଦିହ ସାଡ଼େଙ୍ଗା କରି ଉପରକୁ ଉଠାଇ ଦିଏ। ଏ ମା’, ମରିଯିବ ନା କ’ଣ? ଛାନିଆ ଓ ବିଗଳିତ ଜନତା ପଇସା ଫୋପାଡ଼ନ୍ତି। ତା’ ପରେ କେଳା ସେଥିରୁ ମୁଣ୍ଡ କାଢ଼େ। ଏମିତି ଗାଁ ଗାଁ କରି ସେ ପେଟ ପୋଷେ। ୟେ ଆତ୍ମହତ୍ୟା ଧମକ। ଆତ୍ମହତ୍ୟା ଉଦ୍ୟମ ବି ନୁହଁ। ଆତ୍ମହତ୍ୟା ଅପେରା। ସେମିତି ଗୋଟାଏ ‘ମୁଣ୍ଡପୋତା କେଳା’ ନାଟକ ମାନ୍ୟବର ସୁବାସଜୀ କଲେ। ପବିତ୍ର ବିଧାନସଭା ତ ଏମିତି ମୁଣ୍ଡପୋତା କେଳାଙ୍କ ଗାତ ଖୋଳାରେ ଖାଲଖମା, ଅପବିତ୍ର ହୋଇଗଲାଣି।

ସତରେ ଅନ୍ୟ ଭଣ୍ଡାମି ଓ ଭାଣ୍ଡାମିର ଏ ପବିତ୍ର ପୀଠ ଖୁଆଡ଼ ବନିଯାଇଛି। କେଡ଼େ ଲଜ୍ଜାକର କଥା ୟେ। ଏକୁ ବର୍ତ୍ତମାନ ଉଖୁରା ଚାଲିଛି। ଚାଲୁଣୀ ଛୁଞ୍ଚିଙ୍କ ‘କଣା’ ଅଭିଯୋଗ ଓ ହୋ ହଲ୍ଲା ଇୟେ, ବିଷ୍ଠା ଘାଣ୍ଟିବା କଥା। ଚାଷୀଙ୍କ ପାଇଁ ସତରେ ୟେ କ’ଣ ମରିବାକୁ ଚାହିଁଥିଲେ? ଘରେ ଗଣ୍ଡଗୋଳ କରି ରାଗରେ ଆତ୍ମହତ୍ୟା ଧମକ ଦେଇ ସନା ବାହାରିଗଲା, ଅନ୍ଧାର, ବର୍ଷଣମୁଖୀ ରାତ୍ରି। ଘରେ ସମସ୍ତେ ମ୍ରିୟମାଣ। ଦୁଆର ବନ୍ଧ ଡେଇଁଚି କି ନାହିଁ ଫେରିଆସି ଡାକପକେଇଲା ପୁଅକୁ। ‘‘ଆରେ ମୋ ବାଡ଼ିଟା ଓ ଟର୍ଚ୍ଚ ଲାଇଟଟା ଦବୁ, ବାଟରେ ସାପସୁପା କାଳେ ଥିବ।’’ ଟିକିଏ ଡରିନଥିବା ତାକୁ ହାଡ଼େ ହାଡ଼େ ଚିହ୍ନିଥିବା ମାଇପ କହିଲା, ‘‘ଆରେ ମରିବାକୁ ତ ଯାଉଛୁ, ସାପକୁ ଡର କିଆଁ?’’ ସେମିତି ସୁବାସଙ୍କ ଆତ୍ମହତ୍ୟା କଥା। ଘରେ ତାଙ୍କର ଟିକିଏ ବି ବିଚଳିତ ହୋଇ ନ ଥିବେ। ଜାଣିଥିବେ, ନେତାଙ୍କ ନାଟକବାଜି କଥା। ଏବେ ଦଳେ ବିଧାନସଭାରେ ହୋ ହଲ୍ଲା ଏଥିପାଇଁ କରୁଛନ୍ତି ତ ଦଳେ ରାଜ୍ୟପାଳଙ୍କ ପାଖୁ ଗଲେଣି ଏଥିପାଇଁ। କେମିତି ଏଙ୍କ ମୁହଁରୁ ସବୁ ଲାଜ ସରିଗଲା ମ! ୟେ ଭାଣ୍ଡଲୀଳା ଯାହା। କଥା ତ ଅଛି ‘‘ନିର୍ଲଜ୍ଜ ଲାଉ, ଟେକିଟାକି ଦେଲେ ପିଢ଼ାକୁ ଯାଉ, ଡଙ୍କଥିଲେ ମେଲିଥାଉ।’’ ଧନ୍ୟରେ ନେତା, ଧନ୍ୟ ଗଣତନ୍ତ୍ର। ‘‘ଜୟ ହୋ ଜୟ ହୋ।’’

Comments are closed.