ସଂକୀର୍ଣ୍ଣ ରାଜନୀତି

ଆମ ଦେଶରେ ଜାତି-ଧର୍ମ-ସମ୍ପ୍ରଦାୟ ଉପରେ ପର୍ଯ୍ୟବସିତ ରାଜନୀତି ସାମ୍ବିଧାନିକ ଗଣତନ୍ତ୍ରକୁ ଦୁର୍ବଳ କରିବାରେ ଲାଗିଛି।ଭାରତରେ ରାଜନୈତିକ ଦଳଗୁଡ଼ିକ ଜାତିଧର୍ମକୁ ନେଇ ରାଜନୀତି କରନ୍ତି ନାହିଁ ବୋଲି ଉପରେ କହିବୁଲୁଥିଲେ ହେଁ ସେମାନେ ଯେ ଏହି ପରିଚୟ ରାଜନୀତିକୁ ଆପଣାଇ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରନ୍ତି, ତାହା ଆଉ କାହାକୁ ଅଛପା ନାହିଁ। ଏବେ ଯେଉଁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେସବୁରେ ମଧ୍ୟ ଏହା ପୁନଃ ଦେଖିବାକୁ ମିଳିଲାଣି। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) ହିନ୍ଦୁ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ଭୋଟ ଗୋଟାଇବାକୁ ଉଦ୍ୟମ କରୁଛି। ଏଥିପାଇଁ କେବଳ ଜାତି ନୁହେଁ, ବରଂ ଉପଜାତି ସ୍ତରରେ କାର୍ଯ୍ୟ କରାଯିବା ସହ ସମାଜର ଅନଗ୍ରସର ବର୍ଗର ଲୋକଙ୍କୁ ପ୍ରବର୍ତ୍ତାଯାଉଛି। ସେହିପରି ତୃଣମୂଳ କଂଗ୍ରେସ ମୁସଲମାନ ଭୋଟରଙ୍କ ସମର୍ଥନରେ ନିର୍ବାଚନରେ ବିଜୟଲାଭ କରିବ ବୋଲି ଭାବୁଛି। ଏଥିପାଇଁ ବିଭିନ୍ନ ପ୍ରକାରର ଘୋଷଣା କରିବା ସହ ହିନ୍ଦୁଭୋଟରୁ କିଛି ପାଇବ ବୋଲି ହିନ୍ଦୁତ୍ବବାଦୀଙ୍କ ଭଳି କେତେକ ଫନ୍ଦି କରିବାକୁ ମଧ୍ୟ ପଛେଇନାହିଁ। ବିଜେପିର ହିନ୍ଦୁତ୍ବବାଦୀ ନାରାକୁ କାଟିବାପାଇଁ ଠିକ୍‌ ସେହିପରି ନାରା ମଧ୍ୟ ତିଆରି କରାଯାଇଛି। ଆସାମରେ ମଧ୍ୟ ପରିଚୟ ରାଜନୀତି ଖୁବ୍‌ ଜୋର୍‌ରେ ହେଉଛି, ତେବେ କିଛିଟା ଭିନ୍ନ ରୂପରେ। ସେଠାରେ ଭିତର ଲୋକ ଓ ବାହାର ଲୋକର ଏକ ପରିଚୟ ସଙ୍କଟ ତିଆରି କରାଯାଇ ଭୋଟରଙ୍କ ମଧ୍ୟରେ ଏକ ଧ୍ରୁବୀକରଣ କରାଯାଉଛି, ଯାହାର କୁପରିଣାମ ଏବେ ନୁହେଁ ଦୀର୍ଘକାଳ ସ୍ଥାୟୀ ହୋଇ ରହିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ଅପରପକ୍ଷେ ତାମିଲନାଡୁରେ କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ହିନ୍ଦୁ ଭୋଟକୁ ଆପଣାଇ ନିର୍ବାଚନ ବୈତରଣୀ ପାର ହୋଇଯିବ ବୋଲି ଚେଷ୍ଟା କରୁଛି। ଏଥିପାଇଁ ସାମାଜିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଡିଏମ୍‌କେ ନେତୃତ୍ବାଧୀନ ମେଣ୍ଟ ପଛୁଆ ବର୍ଗ, ଦଳିତ ଓ ମୁସଲମାନଙ୍କର ସାମାଜିକ ଗୋଷ୍ଠୀକୁ ଧରି ନିର୍ବାଚନ ଲଢ଼ୁଛି। କେରଳରେ ହିନ୍ଦୁ-ମୁସଲମାନ-ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା ନିର୍ବାଚନ ଫଳକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞଙ୍କ ମତ। ଯେଉଁ ଦଳ ଏହା କରିବାରେ ସମର୍ଥ ହେବ ସେ ହିଁ ନିର୍ବାଚନରେ ବିଜୟୀ ହେବ। ଅତୀତରେ ମଧ୍ୟ ଏହା ଦେଖାଯାଇଛି।

ରାଜନୈତିକ ଦଳଗୁଡ଼ିକ ଜାଣନ୍ତି ଯେ ଜାତି, ଧର୍ମ, ସମ୍ପ୍ରଦାୟର ରାଜନୀତି ନକଲେ ଆଧିପତ୍ୟ ଓ କର୍ତ୍ତୃତ୍ବ ପ୍ରତିଷ୍ଠା ଅସମ୍ଭବ। ଏହି ହେତୁରୁ ସେମାନେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ମଧ୍ୟ ଅପ୍ରସଙ୍ଗ ଭାବେ ଉପସ୍ଥାପିତ କରିବାକୁ ଚାହାନ୍ତି ଓ ସେଥିରେ ସେମାନେ ଅନେକ ସମୟରେ ସଫଳ ମଧ୍ୟ ହେଉଛନ୍ତି। ସବୁଠୁ ବଡ଼କଥା ହେଲା, ପରିଚୟ ରାଜନୀତି ବ୍ୟତୀତ ନିର୍ବାଚନରେ ବିଜୟ ପାଇଁ ମଧ୍ୟ ଅନେକ ପ୍ରସଙ୍ଗ ଦାୟୀ, ଯାହାକୁ ସହଜରେ ଉପେକ୍ଷା କରାଯାଇନପାରେ। ବିଶେଷତଃ ସଂପୃକ୍ତ ରାଜ୍ୟ ସରକାରଙ୍କ କାର୍ଯ୍ୟ, ଜାତି-ଧର୍ମ-ସଂପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ଆଶା ଆକାଙ୍‌କ୍ଷାର ପୂରଣ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୂମିକା, ସ୍ଥାନୀୟ ପ୍ରାର୍ଥୀମାନଙ୍କ ଭାବମୂର୍ତ୍ତି ଓ ସର୍ବୋପରି ଦଳର ସାଂଗଠନିକ ଶକ୍ତି ଏଥିରେ ପ୍ରମୁଖ ଭୂମିକା ତୁଲାଇଥାଏ; ତଥାପି ରାଜନୈତିକ ଦଳଗୁଡ଼ିକ ଜାତିଧର୍ମର ରାଜନୀତିକୁ ପରିତ୍ୟାଗ କରିପାରୁନାହାନ୍ତି। ଏଥିପାଇଁ ଅବଶ୍ୟ କେବଳ ସେମାନଙ୍କୁ ଦାୟୀ କଲେ ହେବନାହିଁ, ନାଗରିକମାନେ ମଧ୍ୟ ସମ ପରିମାଣରେ ଦାୟୀ। ସେମାନେ ମଧ୍ୟ ଜାତି, ଧର୍ମ, ସଂପ୍ରଦାୟର ରାଜନୀତିକୁ ସର୍ବଦା ପ୍ରଶ୍ରୟ ଓ ପ୍ରୋତ୍ସାହନ ଦେଇଆସିଛନ୍ତି।

କହିବା ବାହୁଲ୍ୟ ଯେ ଏହ ପରିଚୟସର୍ବସ୍ବ ରାଜନୀତି ହିଁ ଅନେକ ସମୟରେ ଘୋର ସାମାଜିକ ବିଭେଦର କାରଣ ହୋଇଆସିଛି। ସମାଜର ଗୋଟିଏ ଗୋଷ୍ଠୀ ବିରୋଧରେ ଆଉ ଗୋଟିଏ ଗୋଷ୍ଠୀକୁ ମତାଇ ପରସ୍ପର ଭିତରେ ଲଢ଼ାଇ କରି ଫାଇଦା ଉଠାଇବାର ନ୍ୟସ୍ତସ୍ବାର୍ଥ ରାଜନୀତି ଆମ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ଧ୍ବଂସ କରିଚାଲିଛି। ଜାତି-ଧର୍ମ-ସଂପ୍ରଦାୟ ଉପରେ ପର୍ଯ୍ୟବସିତ ଏହି ରାଜନୀତି ବାସ୍ତବରେ କେବଳ ସମାଜ ନୁହେଁ, ସମଗ୍ର ରାଷ୍ଟ୍ରର କ୍ଷତିସାଧନ କରୁଛି। ଏହା ଏପରି ଏକ ଦୁଶ୍ଚକ୍ର ପାଲଟିସାରିଛି ଯେ ସେଥିରୁ ନା ରାଜନୈତିକ ଦଳ ନା ଭୋଟର କେହି ବି ବାହାରିବା ସହଜ ନୁହେଁ। ପ୍ରତ୍ୟେକ ଭୋଟର ଯେ ଜଣେ ସ୍ବତନ୍ତ୍ର ନାଗରିକ, ଏହି ପ୍ରକାରର ରାଜନୀତି ଏହାକୁ ଗ୍ରହଣ କରେ ନାହିଁ; ତେଣୁ ତାହା ସଂକୀର୍ଣ୍ଣ ରାଜନୀତି ଭିତରେ ସମସ୍ତଙ୍କୁ ସୀମାବଦ୍ଧ କରିବାରେ ଚେଷ୍ଟା କରେ। ବାସ୍ତବରେ ଏକ ସମ୍ବିଧାନଚାଳିତ ସ୍ବାଧୀନ ଗଣତନ୍ତ୍ରର ସ୍ବାଦ ପାଇବାକୁ ହେଲେ ଆମକୁ ଏହି ସଂକୀର୍ଣ୍ଣ ରାଜନୀତିକୁ ତ୍ୟାଗ କରିବାକୁ ହିଁ ପଡ଼ିବ।

Comments are closed.