କିଏ ନାଗ କିଏ ନେଉଳ

ପଶ୍ଚିମବଙ୍ଗ ନିର୍ବାଚନରେ ହିଂସାତ୍ମକ କାର୍ଯ୍ୟକଳାପ ରୋକିବାପାଇଁ ନିର୍ବାଚନ ଆୟୋଗ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ

ଦୁଇ ଦିନ ତଳେ ହିନ୍ଦୀ ଓ ବଂଗଳା ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗଦେଇ ନିଜକୁ ଏକ ନାଗସାପ ସହ ତୁଳନା କରି ତାଙ୍କର ଗୋଟିଏ ଚୋଟ ହିଁ ବିରୋଧୀଙ୍କୁ ନିଶ୍ଚିହ୍ନ କରିବା ପାଇଁ ଯଥେଷ୍ଟ ବୋଲି କହିଥିଲେ। ତାଙ୍କ ଅଭିନେତା ସୁଲଭ ଭାଷାରେ ନାଟକୀୟତା ତ ରହିଛି, ତା’ ସହ ରହିଛି ଏକ ହିଂସାତ୍ମକ ବୈର ଭାବ, ଯାହା ପୂର୍ବରୁ ହିଁ ପଶ୍ଚିମବଙ୍ଗର ନିର୍ବାଚନ ରାଜନୀତିକୁ ଅତି ସମ୍ବେଦନଶୀଳ କରିଆସିଛି। ଏକଦା ତୃଣମୂଳ କଂଗ୍ରେସ ପକ୍ଷରୁ ରାଜ୍ୟସଭା ଆସନ ହାତେଇଥିବା ମିଥୁନ ଦା’ କାହିଁକି ଏବେ ବିଜେପିରେ ଯୋଗଦେଲେ, ସେ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ କେହିକେହି ଏକଦା ସେ ଚିଟ୍‌ଫଣ୍ଡ୍‌ରେ ଫସିଥିବା ଘଟନାକୁ ଦର୍ଶାଉଛନ୍ତି। ସେ ଯାହାହେଉ, ରାଜନୀତିରେ ଯଦି ନାଗ ଅଛନ୍ତି, ନେଉଳ ମଧ୍ୟ କମ୍‌ ନାହାନ୍ତି! ତେଣୁ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼େଇ ପ୍ରବଳତର ହେବାରେ ଲାଗିଛି। ଶାସକ ଦଳ ତୃଣମୂଳ କଂଗ୍ରେସ ଓ ତା’ର ନେତ୍ରୀ ମମତା ବାନାର୍ଜୀଙ୍କର ପ୍ରତିଦ୍ବନ୍ଦ୍ବୀ ଭାବେ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବିର୍ଭାବ ସେଠାକାର ନିର୍ବାଚନ ପରିବେଶକୁ ସରଗରମ କରି ରଖିଛି।

ଇତିମଧ୍ୟରେ ଶ୍ରୀ ମୋଦୀ ସେଠାରେ ଏକ ବଡ଼ ରାଲି କରି ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି। ତୃଣମୂଳ କଂଗ୍ରେସର ଅସନ୍ତୁଷ୍ଟ ଏବଂ ବହିଷ୍କୃତମାନଙ୍କୁ ମଧ୍ୟ ନିଜ ଦଳରେ ବିଜେପି ସାମିଲ୍‌ କରି ନିଜର ନୂଆ ରଣନୀତି ପ୍ରସ୍ତୁତ କରିଛି। ୨୦୧୯ ନିର୍ବାଚନରେ ତା’ର ନାଟକୀୟ ଉତ୍‌ଥାନ ବିଜେପିକୁ ଉଚ୍ଚାକାଙ୍‌କ୍ଷୀ ହେବାକୁ ସାହସ ଯୋଗାଇଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଏହା ମଧ୍ୟ ସତ୍ୟ ଯେ ବାମଦଳ, କଂଗ୍ରେସ ଓ ଆଇଏସ୍‌ଏଫ୍‌ ଗଢ଼ିଥିବା ସଂଯୁକ୍ତ ମୋର୍ଚ୍ଚାର ସମକକ୍ଷ ମଧ୍ୟ ବିଜେପି ହୋଇନଥିବା କୁହାଯାଉଛି। ତେଣୁ ତୃଣମୂଳ କଂଗ୍ରେସ ବିଜେପି ଅପେକ୍ଷା ଏବେ ବି ଅଧିକ ଶକ୍ତିଶାଳୀ ମନେହେଉଛି। ଅବଶ୍ୟ ପଶ୍ଚିମବଙ୍ଗରେ ବିଜେପିର ତ୍ବରିତ୍‌ ଉତ୍‌ଥାନ ଏବଂ ନିଜର ଶକ୍ତିଶାଳୀ ପ୍ରଚାରତନ୍ତ୍ର ମାଧ୍ୟମରେ ଧ୍ରୁବୀକରଣ ତାକୁ ନିର୍ବାଚନ ମଇଦାନର ଜଣେ ଆଗଧାଡ଼ିର ଖେଳୁଆଡ଼ ଭାବେ ଉପସ୍ଥାପିତ କରିଛି, ଯିଏ ବିଜୟୀ ହେବାର ସବୁ ସାମର୍ଥ୍ୟ ରଖେ। ପୁଣି ଶ୍ରୀ ମୋଦୀ ନିଜେ ସେଠାରେ ସେନାପତି ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଅବଶ୍ୟ ୨୦୧୯ ନିର୍ବାଚନ ପରେ ପଶ୍ଚିମବଙ୍ଗ ରାଜନୀତି ଇତିମଧ୍ୟରେ ବହୁତ ବଦଳିସାରିଛି; ତେଣୁ ସେହି ଅନୁସାରେ ଯିଏ ରଣନୀତି ତିଆରି କରିବ ସେ ହିଁ ଏହି ଲଢ଼େଇରେ ସଫଳ ହେବାର ବେଶି ସମ୍ଭାବନା ରହିବ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଟଙ୍କିଆ ଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରତିଦ୍ବନ୍ଦ୍ବୀ ଦଳ ଆଡ଼କୁ ଢଳୁଥିବା ଭୋଟଦାତାଙ୍କ ପାଇଁ ନୂଆ ଜନମଙ୍ଗଳ ଯୋଜନାସବୁ କାର୍ଯ୍ୟକାରୀ କରିଚାଲିଛନ୍ତି। ଏହା ତାଙ୍କପାଇଁ ନିର୍ବାଚନରେ କିଛିଟା ଲାଭଦାୟକ ହୋଇପାରେ, କିନ୍ତୁ ବିଜୟୀ ହେବାପାଇଁ ଯଥେଷ୍ଟ ହୋଇନପାରେ। ନିଜ ଦଳର ନେତୃବର୍ଗଙ୍କ ଉପରେ ରହିଥିବା ଦୁର୍ନୀତି ଓ ହିଂସା ଅଭିଯୋଗ ତାଙ୍କ ଦୁର୍ନୀତିମୁକ୍ତ ଭାବମୂର୍ତ୍ତିକୁ ମଧ୍ୟ କଳଙ୍କିତ କରିଛି, ଯାହାକୁ ବିଜେପି ତାଙ୍କ ବିରୋଧରେ ଏକ ବଡ଼ ଅସ୍ତ୍ରଭାବେ ବ୍ୟବହାର କରୁଛି। ଏହି ଅସ୍ତ୍ରକୁ କାଟିବା ତାଙ୍କ ପାଇଁ ସହଜ ହେବନାହିଁ ନିଶ୍ଚୟ। ଅନ୍ୟପକ୍ଷରେ ଦୃଢ଼ମନା ମମତା ସାଂପ୍ରଦାୟିକ ଧ୍ରୁବୀକରଣ ଦ୍ବାରା ସମାଜକୁ ଭାଗଭାଗ କରିଦେଉଥିବା ଅଭିଯୋଗ ଆଣି ନିଜ ଆଡ଼କୁ ଜନମତ ଆକର୍ଷିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହା ନିର୍ବିବାଦରେ କହିହେବ ଯେ ସେ ପଶ୍ଚିମବଙ୍ଗର ଏପରି ଜଣେ ଲୋକପ୍ରିୟ ନେତ୍ରୀ ଯାହାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଏତେ ସହଜ ନୁହେଁ। ଶ୍ରୀ ମୋଦୀ ରବିବାର ଜନସଭାରେ ପଶ୍ଚିମବଙ୍ଗରେ ଶାସନ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ। ଏହାର ପ୍ରଭାବ ଭୋଟରଙ୍କ ଉପରେ କେତେ ପଡ଼ୁଛି, ତାହା ଆଗାମୀ ସମୟରେ ଜଣାପଡ଼ିବ। ତେବେ ଭୋଟଗଣିତ ସେଠାରେ କେତେବେଳେ ବିଗିଡ଼ିଯିବ, ତାହା ଏବେଠୁ କହିବା ସମ୍ଭବ ନୁହେଁ।

ବାମଦଳ ବିଜେପି ଓ ତୃଣମୂଳ କଂଗ୍ରେସ ଉଭୟକୁ ସାଂପ୍ରଦାୟିକ ଧ୍ରୁବୀକରଣ ରାଜନୀତି କରୁଥିବା ଦଳ ବୋଲି କହୁଥିବାବେଳେ ତା’ର ନୂଆ ରଣନୀତି ନିର୍ବାଚନ ଫଳକୁ ମଧ୍ୟ ପ୍ରଭାବିତ କରିପାରେ। ଯଦି ସଂଯୁକ୍ତ ମୋର୍ଚ୍ଚାକୁ ଶାସନ-ବିରୋଧୀ ଅର୍ଥାତ୍‌ ତୃଣମୂଳ କଂଗ୍ରେସ ବିରୋଧୀ ଭୋଟ ମିଳେ, ତେବେ ଏହା ବିଜେପି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ। ଯଦି ଏହି ମେଣ୍ଟ ତୃଣମୂଳର ଭୋଟ କାଟିବ, ତେବେ ବିଜେପି ଲାଭରେ ରହିବ। ଆଉ ଗୋଟିଏ ସମ୍ଭାବନାକୁ ବି ଏଡ଼ାଇ ଦେଇ ହେବନାହିଁ ଯେ ଯଦି ତୃଣମୂଳ କଂଗ୍ରେସ ବା ବିଜେପି, ଯେଉଁ ଦଳର ସାଂପ୍ରଦାୟିକ ଧ୍ରୁବୀକରଣ ରାଜନୀତି ସଫଳ ହେବ, ସେଇ ଦଳ ଅନ୍ୟକୁ ପରାଜିତ କରିବ। ସେ ଯାହାହେଉ, ପଶ୍ଚିମବଙ୍ଗର ଅତୀତ ନିର୍ବାଚନଗୁଡ଼ିକ ଯେପରି ହିଂସାପ୍ରବଣ ହୋଇଥିଲା, ଏବେ ସେପରି ନ ଘଟିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଜରୁରୀ। ନାଗ-ନେଉଳ ମୁହାଁମୁହିଁ ହେଲେ କଥା ସରିଲା! ନିର୍ବାଚନ ଆୟୋଗ ତା’ ଉପରେ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ।

Comments are closed.