ବୋଝ ନୁହେଁ-କର୍ତ୍ତବ୍ୟ

0

ରୁଷୀୟ ସାହିତ୍ୟରେ ମାକସିମ୍‌ ଗର୍କି ସର୍ବୋଚ୍ଚ ଆସନର ଅଧିକାରୀ। ସମଗ୍ର ବିଶ୍ବରେ ସୁପରିଚିତ ଗର୍କି ପ୍ରାରମ୍ଭିକ ସମୟରେ ଯେ ଅତି ଦୁର୍ଦିନ ଭିତରେ କାଳାତିପାତ କରିଥିଲେ ଏହା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। କର୍ତ୍ତବ୍ୟପରାୟଣତା, ଏକାଗ୍ରତା, ସାଧନା, ନିଷ୍ଠା ବଳରେ ଅସାଧ୍ୟ ସାଧନ କରିହୁଏ। ଅଭାବ ଅନଟନ, ଦାରିଦ୍ର୍ୟର କଷାଘାତରେ ଅହରହ ଜର୍ଜରିତ ହୋଇ ମଧ୍ୟ ଯେଉଁମାନେ ଦୁନିଆ ସମ୍ମୁଖରେ ଆଦର୍ଶ ସ୍ଥାନୀୟ ମଣିଷଭାବରେ ନିଜ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି ସେମାନଙ୍କ ମଧ୍ୟରୁ ଗର୍କି ଥିଲେ ଅନ୍ୟତମ।
ଘୋର ଆର୍ଥିକ ଦୁରବସ୍ଥା କାରଣରୁ ଅନେକ ବର୍ଷ ପର୍ଯ୍ୟନ୍ତ ଗର୍କିଙ୍କୁ ସେବାକାରୀ ଭାବରେ କାର୍ଯ୍ୟ କରିବାକୁ ହୋଇଥିଲା। ପରିବାର ପ୍ରତିପୋଷଣ ପାଇଁ ଆଉ ବିକଳ୍ପ ଉପାୟ ନଥିଲା। ସଂଘର୍ଷମୟ ଜୀବନ ଆଗକୁ ଗଡ଼ି ଚାଲିଥିଲା। ବାଲ୍ୟାବସ୍ଥାରୁ ସାହିତ୍ୟ ପ୍ରତି ଥିଲା ଅତୁଟ ଶ୍ରଦ୍ଧା। ସମୟ ଓ ସୁବିଧା ପାଇଲେ ସାହିତ୍ୟ ପଢ଼ିବାରେ ମଜ୍ଜି ଯାଉଥିଲେ। ଏଭଳି ନିମଗ୍ନ ହୋଇଯାଉଥିଲେଯେ ଏହି କାରଣରୁ ଅନେକବାର ମାଲିକର ଦୁର୍ବ୍ୟବହାର ସହ୍ୟ କରିବାକୁ ପଡ଼ୁଥିଲା।
ଉତ୍କଟ ଦାରିଦ୍ର୍ୟ ସହିତ ଯୁଝିବା ଭିତରେ ଏଇ ଦୁର୍ବ୍ୟବହାର ତାଙ୍କୁ ଦିନେ ଖୁବ୍‌ ହତୋତ୍ସାହ କରିଦେଇଥିଲା। ଜୀବନ ଲାଗିଥିଲା ଦୁର୍ବିସହ। ନିଜ ଉପରୁ ଆସ୍ଥା ହରାଇଥିଲେ ଓ ଆତ୍ମହତ୍ୟା କରିବାକୁ ପଦ‌‌‌େ​‌​‌​‌କ୍ଷପ ନେଇଥିଲେ। ହେଲେ ଈଶ୍ବରଙ୍କ ଇଚ୍ଛା ଥିଲା ଭିନ୍ନ ପ୍ରକାର। ଯାହାଙ୍କୁ ଯୁଗଯୁଗ ଧରି ଲୋକେ ମନେ ରଖିବେ, ଯାହାଙ୍କ ସାରସ୍ବତ ସମ୍ଭାର ଏକ ରାଷ୍ଟ୍ରର ସାହିତ୍ୟକୁ ସମୃଦ୍ଧ କରିବ, ଯିଏ ବିଶ୍ବସାହିତ୍ୟରେ ଏକ ଅଦ୍ବିତୀୟ ସ୍ଥାନର ଅଧିକାରୀ ହେବେ ତାଙ୍କର ଏତେ ସହଜରେ ମୃତ୍ୟୁହେବ କିପରି?
ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ଓ ଏହାପରେ ଭାବିନେଲେ ଈଶ୍ବର ତାଙ୍କଦ୍ବାରା କିଛି ମହାନ୍‌ ଉଦ୍ଦେଶ୍ୟ ସିଦ୍ଧି କରାଇବାକୁ ବଞ୍ଚାଇ ରଖିଦେଲେ। ଏହା ପରଠାରୁ ସେ ଆଉ ହତାଶ ନହୋଇ ନୂତନ ଉତ୍ସାହରେ ଆଗକୁ ଆଗେଇ ଥିଲେ। ଏହାପରେ ସେ ପୁସ୍ତକ ରଚନାରେ ମନୋନିବେଶ କରିଥିଲେ ଯାହା ତାଙ୍କୁ ଜଣେ ପ୍ରତିଷ୍ଠିତ ସାହିତ୍ୟିକର ମର୍ଯ୍ୟାଦା ଦେଇଥିଲା। ନିଜର ସଂଘର୍ଷମୟ ଜୀବନରୁ ସେ ଯାହା ଶିକ୍ଷାଲାଭ କରିଥିଲେ ତାହା ପ୍ରକାଶ କରିଥିଲେ ନିଜ ରଚନାରେ।
ନିଜର ଦୁର୍ଦିନ କଥା ମନେ ପକାଇ ଏକ ଅବସରରେ ସେ କହିଥିଲେ- ଯେ ପର୍ଯ୍ୟନ୍ତ ବ୍ୟକ୍ତି କୌଣସି କାମକୁ ବୋଝ ମନେ କରି କର୍ତ୍ତବ୍ୟ ନିର୍ବାହ କରୁଥିବ ସେ ପର୍ଯ୍ୟନ୍ତ ଗୋଲାମ(ଦାସ) ହୋଇ ରହିଥିବ। ଏଥିରୁ ମୁକ୍ତି ପାଇପାରିବ ନାହିଁ କେବେ। ଯେଉଁଦିନ କାମକୁ ଆପଣାର ମନେ କରି କର୍ତ୍ତବ୍ୟ ନିର୍ବାହ ଭାବି ଏଥିରେ ମଗ୍ନ ରହିବ, ସେଦିନ ତା’ର ଜୀବନରେ ନୂତନ ଅଧ୍ୟାୟ ଉନ୍ମୋଚନ ହେବ, ସୁଖ ଓ ଆନନ୍ଦର ଦିନ ଆରମ୍ଭ ହେବ।

Leave A Reply