ବନାଗ୍ନି ବିପତ୍ତି

- ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ବହୀନତା ଏବଂ ବ୍ୟବସ୍ଥାଗତ ଦୁର୍ବଳତା ବିପତ୍ତି ବଢ଼ାଉଛି

ଗୁରୁବାର ଏସିଆର ଦ୍ବିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ସମେତ ଓଡ଼ିଶାର ୯୦ଟି ଜଙ୍ଗଲରେ ନିଆଁ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ତାଜା ତଥ୍ୟ କହୁଛି, ଯାହା ଦେଶରେ ସର୍ବାଧିକ। ୧ ମାର୍ଚ୍ଚରୁ ୩ ମାର୍ଚ୍ଚ, ତିନିଦିନର ତଥ୍ୟକୁ ଦେଖି​‌େ​‌ଲ ଦେଶର ୧୧୭୦ଟି ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୯୫। ସାଟେଲାଇଟ୍‌ ଇମେଜ୍‌କୁ ଆଧାର କରି ‘ମଡେରେଟ୍‌ ରିଜୋଲ୍ୟୁସନ ଇମେଜିଂ -ରେଡିଓମିଟର’ ସେନ୍ସର ଦ୍ବାରା ଏହି ରିଅଲ୍‌-ଟାଇମ୍‌ ତଥ୍ୟ ସଂଗ୍ରହ କରାଯାଉଥିବାରୁ ଏହା ଅଧିକ ବିଶ୍ବସନୀୟ; ତେଣୁ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ୱେବ୍‌ସାଇଟ୍‌ରେ ଏହି ରିଅଲ୍‌ ଟାଇମ୍‌ ତଥ୍ୟ ସର୍ବଦା ଉପଲବ୍ଧ।

ଏହା ସତ୍ତ୍ବେ ଶିମିଳିପାଳ ପରି ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ ଜୈବମଣ୍ଡଳୀୟ ଅଭୟାରଣ୍ୟରେ ନିଆଁ ଲାଗିବାର ଏକ ସପ୍ତାହରୁ ଅଧିକ ବିତିଯାଇଥିଲେ ହେଁ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ କିପରି ହେଲା ନାହିଁ ଏବଂ ସମଗ୍ର ଦେଶର ପରିବେଶବିତ୍‌ଙ୍କ ଉଦ୍‌ବେଗ ପ୍ରକାଶ ଓ କେନ୍ଦ୍ରର ନିର୍ଦେଶ ପରେ ହିଁ ଓଡ଼ିଶା ଜଙ୍ଗଲ ବିଭାଗର ଚେତା ପଶିଲା, ତାହା ବାସ୍ତବିକ ପରିତାପର ବିଷୟ। ଏଥିପାଇଁ ନିର୍ଦିଷ୍ଟ ବିଭାଗ, ମନ୍ତ୍ରୀ ଓ ସେଥିରେ ମାଳମାଳ ଅଧିକାରୀ, କର୍ମଚାରୀ ରହିଥିବା ସତ୍ତ୍ବେ ସେମାନେ କରୁଥିଲେ କ’ଣ, ତାହା ଏକ ବଡ଼ ପ୍ରଶ୍ନ। ବୁଧବାର ମୁଖ୍ୟମନ୍ତ୍ରୀ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଉଚ୍ଚସ୍ତରୀୟ ବୈଠକ ଡାକି ସମୀକ୍ଷା କରିଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବାପାଇଁ ନିର୍ଦେଶାବଳୀ ଜାରି କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଉଚ୍ଚାଧିକାରୀ ସେଠାରେ ନିଆଁ ନିୟନ୍ତ୍ରଣାଧୀନ ରହିଥିବା ସୂଚନା ଦେଇଛନ୍ତି। ପ୍ରତ୍ୟହ ବନାଗ୍ନି ସମ୍ପର୍କରେ ରିପୋର୍ଟ ଦେବାକୁ ଡିଏଫ୍‌ଓଙ୍କୁ ନିର୍ଦେଶ ଦିଆଯାଇଛି; କିନ୍ତୁ ସମଗ୍ର ପ୍ରକରଣକୁ ଦେଖିଲେ ଏ କ୍ଷେତ୍ରରେ ବନାଧିକାରୀମାନଙ୍କ ଅବହେଳା ଓ ଦାୟିତ୍ବହୀନତା ସ୍ପଷ୍ଟ ଜଣାପଡ଼ୁଛି।

ଓଡ଼ିଶାର ଜଙ୍ଗଲଗୁଡ଼ିକ ଅଗ୍ନିପ୍ରବଣ, ଏହା ସର୍ଭେ ଅଫ୍‌ ଇଣ୍ଡିଆର ତଥ୍ୟ ସୂଚାଇ ଦେଉଛି। ୨୦୧୯ରେ ଏହି ସଂସ୍ଥା ଦ୍ବାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଦେଶର ୨୧.୪୦ ଶତାଂଶ ଅର୍ଥାତ୍‌ ଏକ ପଞ୍ଚମାଂଶ ଜଙ୍ଗଲ ଅଗ୍ନିପ୍ରବଣ ଓ ସେଥିମଧ୍ୟରୁ ଉତ୍ତର-ପୂର୍ବାଞ୍ଚଳ ଓ କେନ୍ଦ୍ର ଭାରତର ଜଙ୍ଗଲ ସର୍ବାଧିକ। ୧୩ ବର୍ଷର ତଥ୍ୟକୁ ଅନୁଧ୍ୟାନ କରି ସଂସ୍ଥା କହିଥିଲା ଯେ ମିଜୋରାମ୍‌ ପରେ ଯେଉଁ ଚାରିଟି ରାଜ୍ୟକୁ ସର୍ବାଧିକ ବନାଗ୍ନି ସତର୍କଘଣ୍ଟି (ଫରେଷ୍ଟ୍‌ ଫାୟାର୍‌ ଆଲର୍ଟ) ଦିଆଯାଇଛି, ତନ୍ମଧ୍ୟରେ ଓଡ଼ିଶା ଅନ୍ୟତମ। ଅନ୍ୟ ତିନିଟି ରାଜ୍ୟ ହେଲା ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼। ଏହି ରିପୋର୍ଟରେ ବନାଗ୍ନିର ଯେଉଁ କେତେକ କାରଣ ସମ୍ପର୍କରେ ଦର୍ଶାଯାଇଛି, ତନ୍ମଧ୍ୟରୁ ପ୍ରମୁଖ ତିନିଟି ହେଲା: ବିଜୁଳି ମାରିବା ଭଳି ପ୍ରାକୃତିକ କାରଣ; ଲୋକଙ୍କ ବିଡି, ସିଗାରେଟ୍‌ ଓ ଅନ୍ୟ ଦହନଶୀଳ ପଦାର୍ଥର ବ୍ୟବହାର କରି ଏବେତେଣେ ପକାଇଦେବା ଦ୍ବାରା ଅର୍ଥାତ ମାନବକୃତ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ‘ଝୁମ୍‌ ଚାଷ’ ଦ୍ବାରା, ଯାହା ଆମ ରାଜ୍ୟର ଆଦିବାସୀ ଅଞ୍ଚଳଗୁଡ଼ିକର ପୋଡୁଚାଷ ସହ ସମାନ।

କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ ଆଦି ଜିଲାଗୁଡ଼ିକର ବନାଞ୍ଚଳରେ ସାଧାରଣତଃ ପୋଡୁଚାଷ କରିବାର ପରମ୍ପରା ବହୁତ ପୁରୁଣା, ଯାହା ଅବଶ୍ୟ ଏବେ ହ୍ରାସ ପାଇଛି। ତଥାପି ପ୍ରତିବର୍ଷ ଓଡ଼ିଶାରେ ଯେପରି ହେକ୍ଟରହେକ୍ଟର ଜଙ୍ଗଲ ଜଳିପୋଡ଼ି ଧ୍ବଂସ ହେଉଛି ଏବଂ ବହୁ ପଶୁପକ୍ଷୀ ସରୀସୃପ ବାସହରା ହେଉଛନ୍ତି ଓ ଅନେକଙ୍କର ମୃତ୍ୟୁ ମଧ୍ୟ ଘଟୁଛି, ତାହା କ୍ରମେ ବିପଜ୍ଜନକ ପାଲଟିଲାଣି। ସରକାରୀ ସ୍ତରରେ ଏହାର ପ୍ରତିଷେଧକ ଓ ପ୍ରତିରୋଧକ ରୂପେ ଯେଉଁ ପଦକ୍ଷେପମାନ ନିଆଯିବା କଥା, ତାହା ନିଆଯାଉନାହିଁ। ଫେବୃଆରୀରୁ ଜୁନ୍ ମାସ ଭିତରେ ଜଙ୍ଗଲରେ ପ୍ରାୟତଃ ନିଆଁ ଲାଗିଥାଏ, ତେଣୁ ଏଥିପାଇଁ ପୂର୍ବରୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ। ବନାଗ୍ନି ପ୍ରଶମନ ପାଇଁ ବନ ବିଭାଗ ଅଗ୍ନିନିର୍ବାପକ ଯନ୍ତ୍ରର ସାହାଯ୍ୟ ନେବାକଥା କହୁଥିବାବେଳେ ବିଶେଷଜ୍ଞଙ୍କ ମତରେ ଏହା ସେତେଟା ପ୍ରଭାବଶାଳୀ ହେବନାହିଁ ଏବଂ ଏଥିପାଇଁ ବ୍ଲୋୟର୍‌ର ଆବଶ୍ୟକତା ରହିଛି। ସେହିପରି ବନାଞ୍ଚଳରେ ରହୁଥିବା ବନ ସୁରକ୍ଷା କର୍ମୀ ଏବଂ ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରାଇବା ଦରକାର। ସେମାନଙ୍କର ସହଯୋଗ ଏହି ବିପତ୍ତିକୁ ଅନେକ ପରିମାଣରେ ଟାଳିପାରିବ, ବିଶେଷକରି ମାନବକୃତ ବନଦହନକୁ ଟାଳିହେବ।

ଏହି ପରିପ୍ରେକ୍ଷୀରେ ଗତବର୍ଷ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଅଷ୍ଟ୍ରେଲିଆରେ ଘଟିଥିବା ବନାଗ୍ନି ଉଲ୍ଲେଖଯୋଗ୍ୟ, ଯାହାକୁ ଆଧୁନିକ ଇତିହାସର ସବୁଠୁ ଭୟଙ୍କର ବନାଗ୍ନି ବିପତ୍ତି ବୋଲି ଆଖ୍ୟା ଦିଆଯାଇଥିଲା। ଏଥିରେ ୪୬ ନିୟୁତ ଏକରରୁ ଅଧିକ ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ପ୍ରାୟ ୧୨୫ କୋଟି ଜୀବଜନ୍ତୁ ପ୍ରଭାବିତ ହୋଇଥିଲେ। ଏହା ଆମ ପୌରାଣିକ ଖାଣ୍ଡବ ବନ ଦହନର ଭୟାନକ ଚିତ୍ରକୁ ମନେ ପକାଇଦିଏ। ବେଳହୁଁ ପଦକ୍ଷେପ ନନେଲେ ଏହା କେବଳ ପ୍ରକୃତି ଓ ପରିବେଶ ନୁହେଁ, ସମଗ୍ର ଜୀବଜଗତର ଅଶେଷ କ୍ଷତିସାଧନ କରିବ। ତେଣୁ ଏଥିପ୍ରତି ଅବହେଳା କ୍ଷମଣୀୟ ନୁହେଁ।

Comments are closed.