ନାଁ ରାଜନୀତି – ଖେଳାଳିଙ୍କ ନାମରେ ନାମିତ ହେଉ ଷ୍ଟାଡିୟମ

ବିଶ୍ବର ସର୍ବାଧିକ କ୍ରିକେଟ ଷ୍ଟାଡିୟମ ଭାରତରେ ଅଛି। ତେବେ କୌଣସି ଜଣେ କ୍ରିକେଟ ଖେଳାଳିଙ୍କ ନାମରେ ଦେଶରେ ଷ୍ଟାଡିୟମଟିଏ ନାହିଁ। କେବଳ ଦୁଇ ହକି ଖେଳାଳିଙ୍କ ନାମରେ ଦୁଇଟି ଷ୍ଟାଡିୟମ ଅଛି। ଦେଶରେ ଥିବା ୫୩ଟି କ୍ରିକେଟ ଷ୍ଟାଡିୟମ ମଧ୍ୟରୁ ଏବେ ୨୪ଟିରେ ଖେଳ ହୋଇ ଆସୁଛି। ଏଥିରୁ ୧୬ଟି ଷ୍ଟାଡିୟମ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ରହିଛି। ନିକଟରେ ଗୁଜରାଟର ଅହମଦାବାଦରେ ଥିବା ବିଶ୍ବର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଥରର ଖେଳ ଶେଷ ହୋଇଛି। ଫେବୃଆରୀ ୨୪ ପୂର୍ବରୁ ଏହାର ନାମ ମୋଟେରା ସର୍ଦାର ପଟେଲ ଗୁଜରାଟ ଷ୍ଟାଡିୟମ ଥିଲା। ଏବେ ଏହାର ନାମ ବଦଳାଯାଇ ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରାଯାଇଛି। ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବପ୍ନର ପ୍ରକଳ୍ପ, ତେଣୁୁ ତାଙ୍କ ନାମାନୁଯାୟୀ ଏହି ଷ୍ଟାଡିୟମର ନାମକରଣ କରାଯାଇଥିବା ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଶ୍ରୀ ମୋଦୀ ଏହି ଷ୍ଟାଡିୟମର କାଳେ ପରିକଳ୍ପନା କରିଥିଲେ। ସେତେବେଳେ ସେ ଗୁଜରାଟ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲେ।

ନାମକୁ ନେଇ ରାଜନୀତି କରିବା ଆମ ଦେଶରେ କୌଣସି ନୂଆ କଥା ନୁହେଁ। କେବଳ ଷ୍ଟାଡିୟମ ନୁହେଁ, କେତେକ ଗୁରୁତ୍ବପୂର୍ଣ୍ଣ ରାସ୍ତା, ବିମାନ ମନ୍ଦିର, ଭବନ, ପାର୍କ ଓ ହସ୍‌ପିଟାଲ ମଧ୍ୟ ନେତାଙ୍କ ନାମରେ ଖୋଲା ଯାଇଛି। ନାମକରଣ ପଛରେ କୌଣସି ରାଜନୈତିକ ଦଳ କେହି କାହାଠାରୁ ପଛରେ ନାହାନ୍ତି। ବିଶ୍ବରେ କ୍ରିକେଟ ଖେଳ ପ୍ରଥମେ ଇଂଲଣ୍ଡରୁ ଆରମ୍ଭ ହୋଇଥିଲା ା ଏବେ ସେଠାରେ ୨୩ଟି କ୍ରିକେଟ ଷ୍ଟାଡିୟମ ରହିଛି। ଏବେ ଭାରତର ୫୩ଟିରୁ ୨୪ଟିରେ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇ ଆସୁଛି। ଦୁଃଖର କଥା, କୌଣସି ଷ୍ଟାଡିୟମ କ୍ରିକେଟ ଖେଳାଳିଙ୍କ ନାମରେ ନାହିଁ। ଅଧିକାଂଶ ଷ୍ଟାଡିୟମ ରାଜନେତା, ଉଦ୍ୟୋଗପତି ଓ ପ୍ରଶାସନିକ ଅଧିକାରୀଙ୍କ ନାମରେ ରହିଛି। ଗ୍ବାଲିଅରର କ୍ୟାପଟେନ୍‌ ରୂପ ସିଂହ ଓ ଲ​‌େ​‌କ୍ଷ୍ନୗର କେଡି ସିଂହ ବାବୁ କ୍ରିକେଟ ଷ୍ଟାଡିୟମ ଦୁଇ ହକି ଖେଳାଳିଙ୍କ ନାମରେ ନାମିତ ହୋଇଛି। ସେହିପରି ମାତ୍ର ଦୁଇଟି ହକି ଷ୍ଟାଡିୟମ ମେଜର ଧ୍ୟାନଚାନ୍ଦ ଓ ମାତ୍ର ଗୋଟିଏ ଫୁଟବଲ ଷ୍ଟାଡିୟମ ଦେଶର ପୂର୍ବତନ ଫୁଟବଲ କ୍ୟାପଟେନ ବାଇଚୁଙ୍ଗ ଭୁତିଆଙ୍କ ନାମରେ ନାମିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ୭ମ ବ୍ୟକ୍ତି ଯାହାଙ୍କ ଜୀବିତାବସ୍ଥାରେ କୌଣସି ଷ୍ଟାଡିୟମ ତାଙ୍କ ନାମରେ ନାମିତ ହୋଇଛି। ତାଙ୍କ ପୂର୍ବରୁ ନବୀ ମୁମ୍ବଇର ପାଟିଲ ଷ୍ଟାଡିୟମ, ବେଙ୍ଗାଲୁରର ଏମ ଚିନ୍ନାସ୍ବମୀ, ଚେନ୍ନଇର ଏମ ଚିଦମ୍ବରମ୍‌, ମୋହାଲିର ଆଇଏସ ବିନ୍ଦ୍ରା, ଇଂରେଜ ଶାସନ ସମୟରେ ବମ୍ବେର ଗଭର୍ଣ୍ଣର ଲର୍ଡ ବ୍ରେବୋର୍ଣ୍ଣ, ମୁମ୍ବଇର ୱାଙ୍ଖଡ଼େ ଷ୍ଟାଡିୟମ ଏମାନଙ୍କ ଜୀବିତ ଅବସ୍ଥାରେ ନାମକରଣ ହୋଇଥିଲା।

ଦେଶରେ କ୍ରିକେଟଠାରୁୁ ଆରମ୍ଭ କରି ଫୁଟବଲ, ହକି ଓ ଟେନିସ୍‌ ଷ୍ଟାଡିୟମ ୧୩୫ଟି ରହିଛି। ଏଗୁଡ଼ିକ ମଧ୍ୟରୁ ୧୬ଟିର ନାମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ରହିଛି। କେବଳ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମରେ ୮ଟି ଷ୍ଟାଡିୟମ ରହିଛି। ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କ ନାମରେ ୩ଟି ଓ ଲାଲବାହାଦୁର ଶାସ୍ତ୍ରୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଗୋଟିଏ ଲେଖାଏଁ ଷ୍ଟାଡିୟମ ରହିଛି। ୨୦୧୯ରେ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହୋଇଥିଲା। କେବଳ ଜାତୀୟ ସ୍ତରର ନେତାଙ୍କ ନାମରେ ଷ୍ଟାଡିୟମର ନାମକରଣ ହୋଇଛି ତାହା ନୁହେଁ, ବିଭିନ୍ନ ରାଜ୍ୟ​‌ରେ ମଧ୍ୟ ଅବସ୍ଥା ତଦ୍ରୂପ। ଯେପରି କ୍ରିକେଟ ଷ୍ଟାଡିୟମ କୌଣସି କ୍ରିକେଟ ଖେଳାଳିଙ୍କ ନାମରେ ନାହିଁ, ସେହିପରି ରାଜ୍ୟ କ୍ରିକେଟ ଆସୋସିଏସନଗୁଡ଼ିକରେ ମଧ୍ୟ କ୍ରିକେଟ ଖେଳାଳିଙ୍କ ଗୁରୁତ୍ବ ନାହିଁ।

ରାଜ୍ୟ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଭାବେ କୌଣସି ରାଜନେତା କିମ୍ବା ବ୍ୟବସାୟୀଙ୍କ ନାମ ଦେଖିବାକୁ ମିଳେ। ରାଜସ୍ଥାନ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ପୁତ୍ର ବୈଭବ, ଜେକେ ସିମେଣ୍ଟର ପରିଚାଳନା ନିର୍ଦେଶକ ଯଦୁପତି ସିଙ୍ଘାନିଆ ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ତାଙ୍କ ନିଧନ ହୋଇଥିଲା । ପଞ୍ଜାବ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରାଜିନ୍ଦର ଗୁପ୍ତା ଖ୍ୟାତନାମା ବ୍ୟବସାୟୀ ତଥା ଟ୍ରାଇଡେଣ୍ଟ ଗ୍ରୁପର ଅଧ୍ୟକ୍ଷ, ବିହାର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରାକେଶ କୁମାର ତିୱାରୀ ବିଜେପିର କୋଷାଧ୍ୟକ୍ଷ ଅଛନ୍ତି। ତାମିଲନାଡ଼ୁ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷା ଖ୍ୟାତନାମା ବ୍ୟବସାୟୀ ଏନ ଶ୍ରୀନିବାସନଙ୍କ ଝିଅ ରୁପା ଗୁରୁନାଥ ଅଛନ୍ତି।

ଭାରତରତ୍ନ ସଚିନ୍‌ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଳ ଦେବ, ରାହୁଲ ଦ୍ରାଭିଡ଼, ସୌରଭ ଗାଙ୍ଗୁଲୀ ଓ ଅନିଲ କୁମ୍ବଲେ ବିଶ୍ବ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ବିଦେଶର କେତେକ ଷ୍ଟାଡିୟମର ଗ୍ୟାଲେରୀ ସଚିନ୍‌ଙ୍କ ନାମରେ ନାମିତ ହୋଇଛି। ସେହିପରି ସୁନୀଲ ଗାଭାସ୍କରଙ୍କ ନାମରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବୋଡ଼ର-ଗାଭାସ୍କର ଟ୍ରଫି ପ୍ରତିବର୍ଷ ଖେଳାଯାଇ ଆସୁଛି। ବିଶ୍ବରେ ଭାରତକୁ ଗୌରବାନ୍ବିତ କରିଥିବା ଏପରି ଖେଳାଳିଙ୍କ ନାମରେ ଷ୍ଟାଡିୟମଟିଏ ନାହିଁ। କେତେକ ଷ୍ଟାଡିୟମର ନାମକୁ ମାତ୍ର ଗ୍ୟାଲେରୀକୁ କିଛି ଖେଳାଳିଙ୍କ ନାମରେ ନାମିତ କରାଯାଇଛି। ରାଜନେତାଙ୍କ ନାମ ରଖିବା ସଉକ ଏମାନଙ୍କୁ ଦର୍ଶକ, ପ୍ରଶଂସକ ତଥା ସାଧାରଣ ଜନତାଙ୍କଠାରୁ ଦୂରେଇ ଦେବାରେ ଲାଗିଛି। ଏପରି ଅବସ୍ଥା ଜାରି ରହିଲେ ଆମର ଭବିଷ୍ୟତ ପିଢ଼ି ଏହି ମହାନ୍‌ ଖେଳାଳିଙ୍କୁ ଭୁୁଲି ଯାଇପାରନ୍ତି, ଅଥଚ ରାଜନେତାଙ୍କ ନାମଥିବା ଷ୍ଟାଡିୟମକୁ ନୁହେଁ।

Comments are closed.