ବୃହଦାକାଂକ୍ଷୀ ବଜେଟ

ମହାମାରୀଜନିତ ସଙ୍କଟର ମୁକାବିଲା ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ଭାରସାମ୍ୟ ରକ୍ଷା ପାଇଁ ସରକାର ଚେଷ୍ଟା କରିଛନ୍ତି। ସୋମବାର ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିଥିବା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟଟି କେତେକ କ୍ଷେତ୍ରରେ ମହତ୍ୱାକାଂକ୍ଷୀ ରଖିଥିବା ବେଳେ ମୋଟାମୋଟି ଭାବେ ଏହାକୁ ବୃହଦାକାଂକ୍ଷୀ କହିଲେ ଭୁଲ୍‌ ହେବ ନାହିଁ; କାରଣ ଏହା ଚୁନା ଯେତିକି ତା’ଠୁ ବେଶି ପିଠା ଆଶା ରଖୁଥିବା ପରି ମନେହେଉଛି। ଏକ ମହାମାରୀଗ୍ରସ୍ତ ବିଯୁକ୍ତାତ୍ମକ ଅର୍ଥବ୍ୟବସ୍ଥାକୁ ଧରି ଏପରି ଉଚ୍ଚାକାଂକ୍ଷା କେତେ ପୂରଣ ହେବ ଓ ବାସ୍ତବ ରୂପ ନେବ, ତାହା ଭବିଷ୍ୟତ କହିବ।

ଗତ ୨୦୨୦-୨୧ ଆର୍ଥିକବର୍ଷର ବଜେଟ୍‌ଠାରୁ ଏହି ବଜେଟର ଆକାର (୧ ଲକ୍ଷ ୭୦ ହଜାର କୋଟି) ୧୩.୩୩ ଶତାଂଶ ବଡ଼; କିନ୍ତୁ ଉଲ୍ଲେଖନୀୟ ବିଷୟ ହେଲା ଏଥର କୌଣସି ଅଭିନବ ଯୋଜନା ସରକାର ଘୋଷଣା କରିନାହାନ୍ତି କି ସେଥିପାଇଁ ବ୍ୟୟବରାଦ କରିନାହାନ୍ତି। ଅବଶ୍ୟ ପୂର୍ବରୁ ଘୋଷିତ ଅନେକ ଯୋଜନାରେ ଏଥର ଅଧିକ ଅର୍ଥ ଖର୍ଚ୍ଚ କରିବାପାଇଁ ପ୍ରସ୍ତାବ ରଖାଯାଇଛି, ଯାହା ଜରୁରୀ ମନେହୁଏ। ଇ-ବିଧାନସଭା ବ୍ୟବସ୍ଥା ହେବାପରେ କାଗଜବିହୀନ ବଜେଟ୍‌ ପ୍ରସ୍ତୁତ କରି ଓଡ଼ିଶା ଦେଶ ପାଇଁ ଉଦାହରଣ ପ୍ରସ୍ତୁତ କରିଥିବାବେଳେ ଏ ଦିଗରେ କେତେକ ନୂତନ ପଦକ୍ଷେପ ସ୍ବାଗତଯୋଗ୍ୟ। ବିଶେଷତଃ ବଜେଟର ବିଶ୍ବସନୀୟତା ବୃଦ୍ଧି ନିମନ୍ତେ ଷ୍ଟ୍ରାଟେଜିକ୍‌ ବଜେଟିଂ ବା କୌଶଳଯୁକ୍ତ ବଜେଟ ପ୍ରକ୍ରିୟାର ପ୍ରଚଳନ, ପ୍ରଥମ ଥର ଲାଗି ବିତ୍ତୀୟ କୌଶଳ ରିପୋର୍ଟ ଓ ସରକାରୀ ଋଣର ବିବରଣୀ ପ୍ରକାଶନ, ସରକାରୀ ଅର୍ଥ ପରିଚାଳନାରେ ସଂସ୍କାର ଆଣିବା ଲାଗି ବିତ୍ତୀୟ ବିପଦ ବିବରଣୀ (ଫିସ୍‌କାଲ୍‌ ରିସ୍କ ଷ୍ଟେଟ୍‌ମେଣ୍ଟ) ଆଦି ସର୍ବସାଧାରଣରେ ଉପଲବ୍ଧ କରାଇବା ସରକାରଙ୍କ କାର୍ଯ୍ୟକୁ ଅଧିକ ବିଶ୍ବସନୀୟ କରିବାରେ ସାହାଯ୍ୟ କରିବା ଆଶା କରାଯାଏ। ଅନ୍ତତଃ କେନ୍ଦ୍ର ବଜେଟ୍‌ ପରି ଏହା ସେତେଟା ଗୋଳମାଳିଆ ଜଣାପଡ଼ୁନାହିଁ।

ମହାମାରୀଜନିତ ସଙ୍କଟରୁ ଜନସାଧାରଣଙ୍କ ଜୀବନଜୀବିକାକୁ ବଞ୍ଚାଇବା, ଜନସ୍ବାସ୍ଥ୍ୟର ସୁରକ୍ଷା, କୃଷିସଙ୍କଟର ମୁକାବିଲା ଆଦି ସହ ଆର୍ଥିକ ବିକାଶ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ଥିଲା ଏବଂ ରହିଛି। ଏହି ଦୁଇଟି ଭିତରେ ଭାରସାମ୍ୟ ରକ୍ଷା କରାଯିବାକୁ ବଜେଟରେ ପ୍ରଚେଷ୍ଟା ହୋଇଛି। ଏଥିରେ କୃଷିକ୍ଷେତ୍ର, ଜଳସେଚନ, ପାନୀୟ ଜଳ ଯୋଗାଣ, ଭିତ୍ତିଭୂମିର ଉନ୍ନତି, ଦକ୍ଷତା ବିକାଶ ଏବଂ କ୍ରୀଡ଼ାକ୍ଷେତ୍ରକୁ ବିଶେଷଭାବେ ଦୃଷ୍ଟି ଦିଆଯାଇଛି। ପୂର୍ବବର୍ଷଗୁଡ଼ିକ ପରି ସରକାର ଏଥର ମଧ୍ୟ କୃଷି ପାଇଁ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରିଛନ୍ତି; ତେବେ ଏଥର ଗତବର୍ଷ ତୁଳନାରେ ୧୯୪୦ କୋଟି ଟଙ୍କା କମ୍‌ ଦିଆଯାଇଛି। ‘କୃଷକ ଆସିଷ୍ଟାନ୍ସ ଫର୍‌ ଲାଇଭ୍‌ଲିହୁଡ଼ ଆଣ୍ଡ୍‌ ଇନ୍‌କମ୍‌ ଅଗ୍‌ମେଣ୍ଟସନ’ ବା ଅଳ୍ପରେ ଲୋକପ୍ରିୟ ନାମ ‘କାଳିଆ’ ପାଇଁ ବି କମ୍‌ ଅର୍ଥ ବରାଦ ହୋଇଛି। ତେବେ ଜଳସେଚନ ଉପରେ ଏଥର ଗୁରୁତ୍ବ ଦିଆଯିବା ଉଲ୍ଲେଖନୀୟ। ଏହି ଅର୍ଥର ସଦୁପଯୋଗ ହେଲେ କୃଷି ଓ କୃଷକର ବିକାଶ ଦିଗରେ ଏହା ସାହାଯ୍ୟ କରିବ। ଜୈବିକ କୃଷିକୁ ଅଗ୍ରାଧିକାର ଦିଆଯିବା ଭଲ କଥା। ୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ ଆୟ ଦୁଇଗୁଣ ହୋଇଥିବା କୁହାଯାଇଛି। ଜାତୀୟ ହେଉ କି ରାଜ୍ୟ ସ୍ତରରେ, ଚାଷୀଙ୍କ ଆୟ ଅନ୍ୟ ବୃତ୍ତି ତୁଳନାରେ କେତେ ନ୍ୟୂନ, ତା’ର ବର୍ଣ୍ଣନା ଅନାବଶ୍ୟକ।

କହିବା ବାହୁଲ୍ୟ ଯେ ସରକାରଙ୍କୁ ଏ ଦିଗରେ ଆହୁରି ବହୁତ କିଛି କରିବାକୁ ହେବ। ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଧ୍ୟାନ ଦିଆଯାଇଥିଲେ ହେଁ ପ୍ରାଥମିକ ଶିକ୍ଷା ପାଇଁ ନୂତନ ଯୋଜନା ସହ ଅଧିକ ଅର୍ଥବରାଦର ଆବଶ୍ୟକତା ରହିଥିଲା, ଯାହା ଏହି ବଜେଟରେ ଦେଖାଯାଇନାହିଁ। ରାଜ୍ୟରେ ବହୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ବନ୍ଦ ପଡ଼ିଥିବାବେଳେ ସେଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ। ଏସବୁ ଭିତରେ ସ୍ବାସ୍ଥ୍ୟକ୍ଷେତ୍ରକୁ ସରକାର ସର୍ବାଧିକ ଗୁରୁତ୍ବ ଦେଇଥିବା ମନେହୁଏ, ଯାହାର ଆବଶ୍ୟକତା ଅନସ୍ବୀକାର୍ଯ୍ୟ।
ଅପରପକ୍ଷେ ସରକାର ରାଜକୋଷ ଉପରେ ପଡ଼ିଥିବା ଚାପକୁ କିପରି ସମ୍ଭାଳିବେ, ସେନେଇ ଚିନ୍ତା କରିଛନ୍ତି ସତ; କିନ୍ତୁ ସେଥିପାଇଁ କେନ୍ଦ୍ରୀୟ ଟିକସ ଓ ସହାୟତା ହ୍ରାସ ପାଇଚାଲିଥିଲେ ହେଁ ତା’ ଉପରେ ଏବଂ କରଜ ଉପରେ ବେଶି ନିର୍ଭରଶୀଳ ହୋଇଥିବା ଲକ୍ଷଣୀୟ। ଅବଶ୍ୟ କେନ୍ଦ୍ରୀୟ ସହାୟତା ରାଜ୍ୟର ପ୍ରାପ୍ୟ ଏବଂ ତାହାକୁ ନେଇ ଆୟବ୍ୟୟର ହିସାବ ଅସମୀଚୀନ ନୁହେଁ; କିନ୍ତୁ ଋଣ ଟଙ୍କା ଉପରେ ଅଧିକ ନିର୍ଭରଶୀଳତାକୁ ଉଚିତ ବୋଲି କୁହାଯାଇନପାରେ।

ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରାଜ୍ୟର ନିଜସ୍ବ ରାଜସ୍ବ ୧୦ ଶତାଂଶ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି, ଯାହା ଆର୍ଥିକ ଅଭିବୃଦ୍ଧି ହାର ବଜାୟ ରଖିବା ଦିଗରେ ସାହାଯ୍ୟ କରିବ; କିନ୍ତୁ ସବୁ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ହେଲେ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ଆହୁରି ୪୪ ହଜାର କୋଟିରୁ ଅଧିକ ଟଙ୍କା ଆଣିବାକୁ ହେବ। ସରକାର ଖୋଲା ବଜାରରୁ ୧୮ ହଜାର କୋଟି ଟଙ୍କାର ଋଣ ଆଣିବାକୁ ସ୍ଥିର କରିଛନ୍ତି। ଏହାକୁ ମିଶାଇ ୨୦୨୧-୨୨ ଆର୍ଥିକ ବର୍ଷ ଶେଷବେଳକୁ ରାଜ୍ୟର ମୋଟ ଋଣ ପରିମାଣ ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଆଉ ଗୋଟିଏ ତଥ୍ୟ ହେଲା, ଋଣ ସୁଧ ପରିଶୋଧର ପରିମାଣ ହେଉଛି ୩୧ ହଜାର କୋଟି ଟଙ୍କା। ଏଥିରୁ ସ୍ଥିତି କ’ଣ ତାହା ବୁଝିବା କଷ୍ଟକର ନୁହେଁ। ଚୁନାକୁ ଦେଖି ପିଠାର ଆଶା ରଖିଲେ ଆମକୁ ନିରାଶ ହେବାକୁ ପଡ଼ିବ ନାହିଁ। ଅର୍ଥନୀତିରେ ଏହାର ମହତ୍ତ୍ବ ଅଧିକ।

Comments are closed.