କରୋନାଠାରୁ ବି ଭୟଙ୍କର ସଡ଼କ ଦୁର୍ଘଟଣା

- ସଚେତନତା ଓ ସତର୍କତା ହିଁ ସୁରକ୍ଷା କବଚ

ଆମ ଦେଶରେ ସଡ଼କ ଦୁର୍ଘଟଣାରେ ଦୈନିକ ହାରାହାରି ୪୧୫ ଜଣଙ୍କ ମୃତ୍ୟୁ ଘଟିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ୨୦୩୦ ସୁଦ୍ଧା ଯେପରି ଏହା ୫୦ ପ୍ରତିଶତ ହ୍ରାସପାଏ ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁୁ ଭାରତ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। କ୍ରମବର୍ଦ୍ଧିଷ୍ଣୁ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଭାରତ ସରକାର ନୂତନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟ ଓ କେନ୍ଦ୍ର ପ୍ରଶାସିତ ଅଞ୍ଚଳଗୁଡ଼ିକ ଠାରୁ ଏ ନେଇ କେତେକ ପରାମର୍ଶ ଲୋଡ଼ା ଯାଇଛି। ଦେଶରେ ଦେଖା ଦେଇଥିବା କରୋନା ମହାମାରୀରେ ମୋଟ ୧.୪୯ ଲକ୍ଷ ଜନସାଧାରଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ, ୨୦୧୯ ମସିହାରେ ସଡ଼କ ଦୁର୍ଘଟଣାରେ ୧.୫୪ ଲକ୍ଷଙ୍କ ଜୀବନ ହାନି ଘଟିଥିଲା। ତେଣୁ ଭାରତୀୟ ସଡ଼କ ଉପରେ ଚାଲିବା କରୋନା ସଂକ୍ରମଣଠାରୁ ବି ଭୟଙ୍କର ବୋଲି କୁହାଯାଇପାରେ।

ଗତବର୍ଷ କରୋନା ମହାମାରୀ ଠାରୁ ଅଧିକ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହୋଇଥିବା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସ୍ବୀକାର କରିଛନ୍ତି। ଭାରତରେ ଦୈନିକ ପ୍ରାୟ ୪୧୫ ଜଣଙ୍କ ମୃତ୍ୟୂ କେବଳ ସଡ଼କ ଦୁର୍ଘଟଣାରେ ହୋଇଥାଏ। ୨୦୩୦ ସୁଦ୍ଧା ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଅଧା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ୨୦୨୫ ସୁଦ୍ଧା ବିଶ୍ବ ବ୍ୟାଙ୍କ ଧାର୍ଯ୍ୟ କରିଥିବା ଲକ୍ଷ୍ୟରେ ଭାରତ ପହଞ୍ଚିଯିବ ବୋଲି ଗଡ଼କରୀ ଆଶାବାଦୀ ଅଛନ୍ତି। ଦେଶରେ ବାର୍ଷିକ ୪ ଲକ୍ଷ ୫୦ହଜାର ସଡ଼କ ଦୁର୍ଘଟଣା ହୋଇଥାଏ। ଏଥିରେ ଦେଢଲକ୍ଷ ଲୋକଙ୍କ ମୃତ୍ୟୃୁ ଘଟିଥାଏ ଓ ସାଢେ ୪ଲକ୍ଷ ଆହତ ହୋଇଥା’ନ୍ତି। ଏଥିପାଇଁ ତାମିଲନାଡ଼ୁ ରାଜ୍ୟ ପ୍ରଶାସନର ଟ୍ରାଫିକ୍ ନିୟମ ଅନୁକରଣ କରିବାକୁ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଥିବା ଗଡକରୀ ସୂଚନା ଦେଇଛନ୍ତି।

ତାମିଲନାଡ଼ୁରେ ସଡ଼କ ଦୁର୍ଘଟଣା ବାର୍ଷିକ ୩୮ ଓ ମୃତକଙ୍କ ସଂଖ୍ୟା ୫୪ ପ୍ରତିଶତ ହ୍ରାସ ପାଇଛି। ସରକାରୀଠାରୁ ବେସରକାରୀ ମୃତ୍ୟୁ ଢେର ଅଧିକ ବୋଲି କେତେକ ସାମାଜିକ ସଂଗଠନ ଦାବି କରନ୍ତି। କାରଣ ଦେଶର ଉପାନ୍ତ ଅଞ୍ଚଳରେ ଘଟୁଥିବା ସଡ଼କ ଦୁର୍ଘଟଣାର ରିପୋର୍ଟ ସରକାରଙ୍କ ନିକଟକୁ ଆସି ନଥାଏ। ତେଣୁ ବାର୍ଷିକ ସରକାରଙ୍କ ଧାର୍ଯ୍ୟଠାରୁ ବହୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁୁ ସଡ଼କ ଦୁର୍ଘଟଣାରେ ହୋଇଥାଏ।

ଦେଶରେ ଲକ୍ଡାଉନ ସମୟରେ କମ୍ ସଡ଼କ ଦୁର୍ଘଟଣା ହୋଇଥିଲା। ଯେତେବେଳେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲା ଧୀରେଧୀରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଲା। ଲକଡାଉନ୍ ଯୋଗୁଁ ୨୦ ହଜାର ଲୋକଙ୍କ ଜୀବନ ରକ୍ଷା ହୋଇପାରିଥିବା ଗଡ଼କରୀ ସୂଚନା ଦେଇଛନ୍ତି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନସିଆରବି) ଅନୁଯାୟୀ ୨୦୧୮ରେ ୧.୫୨ ଲକ୍ଷଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହୋଇଥିଲା। ୨୦୧୭ରେ ଏହା ୧.୫୦ ଲକ୍ଷରେ ସୀମିତ ଥିଲା। ମୋଟ ସଡ଼କ ଦୁର୍ଘଟଣାର ୫୨ ପ୍ରତିଶତ ଦୁଇ ଚକିଆ ଯାନ ଚାଳକ ତଥା ଏଥିରେ ଯାଉଥିବା ଯାତ୍ରୀ ଓ ପଥଚାରୀ ଥିଲେ। ୨୦୧୭ ପରେ ଟ୍ରାଫିକ ନିୟମରେ ବ୍ୟାପକ ସଂସ୍କାର ଅଣାଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ ପାଇବା ଅପେକ୍ଷା ବୃଦ୍ଧି ପାଇଚାଲିଛି। ଅର୍ଥାତ୍ କଠୋର ସରକାରୀ ନୀତିନିୟମ ମଧ୍ୟ ସଡ଼କ ଦୁର୍ଘଟଣାକୁ ହ୍ରାସ କରିପାରି ନାହିଁ।

ଅନ୍ତଃରାଷ୍ଟ୍ରୀୟ ସଡ଼କ ସଂଘ (ଇଣ୍ଟରନ୍ୟାସନାଲ ରୋଡ଼ ଫେଡେରେସନ) ରିପୋର୍ଟ ଅନୁଯାୟୀ, ବିଶ୍ବରେ ବାର୍ଷିକ ହାରାହାରି ୧୨.୫ ପ୍ରତିଶତ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥାଏ। ବିଶ୍ବରେ ଯେତେ ସଂଖ୍ୟକ ବାହନ ଅଛି ତାହାର ମାତ୍ର ୩ ପ୍ରତିଶତ ଭାରତରେ ଅଛି। ତେବେ ବିଶ୍ବରେ ବାର୍ଷିକ ସଡ଼କ ଦୁର୍ଘଟଣାରେ ଯେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟୁଛି ସେଥିରୁ ୧୨.୬ ପ୍ରତିଶତ କେବଳ ଭାରତର ବୋଲି ଜଣାପଡ଼ିଛି।

ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଉଇଙ୍ଗର ରିପୋର୍ଟ ଅନୁଯାୟୀ ଦେଶର ୬୭ ପ୍ରତିଶତ ସଡ଼କ ଦୁର୍ଘଟଣା ନିର୍ଦ୍ଧାରିତଠାରୁ ଅଧିକ ଗତିରେ ଗାଡ଼ି ଚାଳନାରୁ ହୋଇଥାଏ। ସେହିପରି ୧୫ ପ୍ରତିଶତ ଦୁର୍ଘଟଣା ବିନା ଲାଇସେନ୍ସରେ ଗାଡ଼ି ଚାଳନାରୁ ହୋଇଥାଏ। ପ୍ରାୟ ୧୦ ପ୍ରତିଶତ ଦୁର୍ଘଟଣା ଓଭରଲୋଡ଼ ଗାଡ଼ି ଚାଳନାରୁୁ ହୋଇଥାଏ। ୧୫.୫ ପ୍ରତିଶତ ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ ହୋଇଥାଏ। ଟ୍ରାଫିକ ସ୍ଥାନଗୁଡ଼ିକରେ ବୈଷୟିକ ତ୍ରୁଟି ଓ ଯୋଗାଯୋଗ ଅଭାବ ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଥିବା ରିପୋର୍ଟରେ କୁହାଯାଇଛି। ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ୧୪ ହଜାର କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ଦେଶର ଜାତୀୟ ରାଜପଥରେ ୫୬ ହଜାର ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଚାଳକଙ୍କ ମଧ୍ୟରେ ସଚେତନାତା ବୃଦ୍ଧି, ଅଧିକ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ, ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ, ଦ୍ରୁତ ଗତି ଓ ଓଭରଲୋଡିଂ ରୋକିବା, ଜାତୀୟ ରାଜପଥରେ ପୁଲିସ୍ ପାଟ୍ରୋଲିଂ ବଢାଇବା ଓ ସାଇକଲ ଚାଳକଙ୍କୁ ପ୍ରୋତ୍ସାହିତ କରାଯାଇ ପାରିଲେ ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ ପାଇପାରିବ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

Comments are closed.