ଅସ୍ମିତାର ପ୍ରଶ୍ନ

ଓଡ଼ିଶା ମାଟିରେ ପଡ଼ୋଶୀ ରାଜ୍ୟର ପ୍ରଶାସନ ଆସି ନିର୍ବାଚନ ଆୟୋଜନରେ ସଫଳ ହେବା ରାଜ୍ୟର ଅସ୍ମିତା ପ୍ରତି ବଡ଼ ଆହ୍ବାନ

ଓଡ଼ିଶା ମାଟିରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରାଇବାରେ ସଫଳ ହେବା ଓଡ଼ିଶାର ଅସ୍ମିତା ପ୍ରତି ପ୍ରଶ୍ନ ଉଠାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆନ୍ଧ୍ର ୧୩ ଫେବୃଆରୀରେ ନିର୍ବାଚନ କରାଇବ ବୋଲି ଗଣମାଧ୍ୟମରେ ବହୁ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ; କିନ୍ତୁ ସେତେବେଳକୁ ନିଶ୍ଚୟ ବିଳମ୍ବ ହୋଇସାରିଥିଲା ଏବଂ ଅଦାଲତ ନିର୍ବାଚନ ବନ୍ଦ କରିବାପାଇଁ ନିର୍ଦେଶ ଦେଇନଥିଲେ ଓ ସ୍ଥିତାବସ୍ଥା ଘୋଷଣା କରିଥିଲେ। ଯଦି ପୂର୍ବରୁ ରାଜ୍ୟ ସରକାର ଏ ନେଇ ରଣନୀତିପୂର୍ବକ ପ୍ରଶାସନିକ, ରାଜନୈତିକ ଅଥବା ନ୍ୟାୟିକ ପଦକ୍ଷେପ ନେଇଥା’ନ୍ତେ, ହୁଏତ ଏପରି ଅବୈଧ ନିର୍ବାଚନକୁ ରୋକାଯାଇ ପାରିଥାଆନ୍ତା। ଏ ନେଇ ସରକାର ଯେ ଅବହେଳା କରିଛନ୍ତି, ତାହା ନିଃସନ୍ଦେହ। ପୂର୍ବରୁ ମଧ୍ୟ କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲା ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଲୋକେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେଇଆସୁଥିବା ଜଣାଯାଇଛି। ଏ ନେଇ ସରକାର ବା ପ୍ରଶାସନ ନିକଟରେ ତଥ୍ୟ ନଥିବା ପରିତାପର ବିଷୟ।
ସୀମାନ୍ତ ଗ୍ରାମବାସୀମାନେ ଆନ୍ଧ୍ରରେ ଅବସ୍ଥିତ ଭୋଟଗ୍ରହଣ କେନ୍ଦ୍ରରେ କେବଳ ଭୋଟ ଦେଇନାହାନ୍ତି, ଓଡ଼ିଶା ଭିତରେ କୋରାପୁଟ ଜିଲା କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଭୋଟଗ୍ରହଣ କେନ୍ଦ୍ର ପ୍ରତିଷ୍ଠା କରି ଭୋଟଦାନ କରାଇବାରେ ମଧ୍ୟ ସଫଳ ହୋଇଛନ୍ତି। କୋରାପୁଟ ପ୍ରଶାସନ ପକ୍ଷରୁ ଏହା ନକରାଇବା ପାଇଁ ଯେଉଁ ଉଦ୍ୟମ ହୋଇଛି, ତାହା ଯେ ଆଦୌ ଯଥେଷ୍ଟ ନଥିଲା ତାହା ପ୍ରମାଣିତ ହୋଇଛି। ହୁଏତ ମାମଲାଟି ବର୍ତ୍ତମାନ ଅଦାଲତରେ ବିଚାରାଧୀନ ଥିବାରୁ ଶାନ୍ତିଶୃଙ୍ଖଳା ବ୍ୟାହତ ହେବାଭଳି କୌଣସି ପଦକ୍ଷେପ ପ୍ରଶାସନ ନେଇନାହିଁ। ସ୍ଥାନୀୟ ପ୍ରଶାସନର ସୁଚିନ୍ତିତ ପଦକ୍ଷେପ ଫଳରେ ଗଜପତି ଜିଲାର ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଲୋକେ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିନାହାନ୍ତି ବୋଲି ଖବର ପ୍ରକାଶ ପାଇଛି; କିନ୍ତୁ ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ କେତୋଟି ଗ୍ରାମର ଲୋକେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ଭୋରରୁ ଆନ୍ଧ୍ରରେ ଅବସ୍ଥିତ ଭୋଟଗ୍ରହଣ କେନ୍ଦ୍ରକୁ ଯାଇ ମତଦାନ କରିଥିଲେ। କେତେକ ଲୁଚିଛପି ଯାଇ ମଧ୍ୟ ଭୋଟ ଦେଇଥିବା କୁହାଯାଉଛି। ଏହା ନିଶ୍ଚୟ ଏକ ବିଡ଼ମ୍ବନାପୂର୍ଣ୍ଣ ସ୍ଥିତି ଯେ ଓଡ଼ିଶାର ଲୋକେ ଅନ୍ୟ ରାଜ୍ୟକୁ ଯାଇ ଭୋଟ ଦେଉଛନ୍ତି ଓ ଓଡ଼ିଶା ଭିତରେ ଅନ୍ୟ ରାଜ୍ୟର ପ୍ରଶାସନ ପୁଲିସ୍‌ ବଳ ସହ ଆସି ଭୋଟଗ୍ରହଣ କରିପାରୁଛି। ଏହା ଆମର ସ୍ବାଭିମାନର ପ୍ରଶ୍ନ ମଧ୍ୟ।
ପ୍ରଥମତଃ, ଆନ୍ଧ୍ରପ୍ରଦେଶ ସରକାରଙ୍କ ହିତାଧିକାରୀ ହେବାପାଇଁ ଲୋକେ କାହିଁକି ଚାହିଁଲେ ଏବଂ ଯେତେବେଳେ ଏଥିପାଇଁ ଭତ୍ତାଠୁ ଭୋଟର କାର୍ଡ ବଣ୍ଟନ ପର୍ଯ୍ୟନ୍ତ ପ୍ରକ୍ରିୟା ଚାଲିଥିଲା, ସେତେବେଳେ ସ୍ଥାନୀୟ ପ୍ରଶାସନ କ’ଣ କରୁଥିଲା? ଆର୍ଥିକ ଅସଂପନ୍ନ ଓ ଲୋଭୀ ଲୋକେ ଉଭୟ ରାଜ୍ୟର ସରକାରୀ ସହାୟତା ପାଇବାକୁ ଓଡ଼ିଶା ଓ ଆନ୍ଧ୍ରର ସରକାରୀ ଦସ୍ତାବିଜ୍‌ରେ ନିଜର ନାମ ପଞ୍ଜୀକରଣ କରିବାକୁ ଉଦ୍ୟମ କରିଥାଇପାରନ୍ତି। ଆନ୍ଧ୍ର ଏଥିପାଇଁ ଅନେକ ପ୍ରଲୋଭନ ଦେଖାଇଥିବାର ପ୍ରମାଣ ମଧ୍ୟ ରହିଛି, ଯାହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ଏବଂ ବେଆଇନ। ​‌େ​‌ତବେ ଏଥି ନିମନ୍ତେ କେବଳ ଆନ୍ଧ୍ରକୁ ଦୋଷ ଦେଲେ ହେବନାହିଁ। ଓଡ଼ିଶା ସରକାର ଯେଉଁ ଭାବଗତ ସମ୍ବନ୍ଧ ସ୍ଥାପନ ସହ ସେମାନଙ୍କୁ ନିଜର ପ୍ରଶାସନ ସହ ଯୋଡ଼ିବା କଥା, ତାହା କରିବାରେ ବିଫଳ ହୋଇଥିବା ସ୍ପଷ୍ଟ। ଶନିବାର ପଞ୍ଚାୟତ ଭୋଟରେ ଅଂଶଗ୍ରହଣ କରିଥିବା କେତେକ ଲୋକ ଗଣମାଧ୍ୟମକୁ ଖୋଲାଖୋଲି କହିଛନ୍ତି ଯେ ଓଡ଼ିଶାର ପ୍ରଶାସନ ସେମାନଙ୍କ କଥା ବୁଝିଲା ନାହିଁ ଏବଂ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ ଯୋଗାଇ ଦିଆଯାଉଛି; ତେଣୁ ସେମାନେ ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଚାହାନ୍ତି। ଏହାର ସତ୍ୟତା କେତେ, ତାହା ତ ଅନୁସନ୍ଧାନସାପେକ୍ଷ; କିନ୍ତୁ ଏ ଓଡ଼ିଶାର ପ୍ରଶାସନିକ ବିଫଳତାକୁ ଆମେ ସ୍ବୀକାର କରିବାକୁ ବାଧ୍ୟ। ଘୋର ଉଦ୍‌ବେଗର ବିଷୟ ଯେ ଏ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ରଭାବେ ପ୍ରଶାସକ ନିଯୁକ୍ତ ହୋଇଥିଲେ ହେଁ ସେମାନଙ୍କ ଆନ୍ତରିକତା ଅଭାବରୁ ସୀମାସଙ୍କଟର ସମାଧାନ ତ ହୋଇପାରିନାହିଁ, ଏବେ ସାମଗ୍ରିକ ଓଡ଼ିଶାର ଅସ୍ମିତାର ସଙ୍କଟ ଦେଖାଦେଇଛି। ଅତଏବ ଏସବୁ ଅନୁନ୍ନତ ଅଞ୍ଚଳର ଲୋକେ କିପରି ଉତ୍ତମ ସରକାରୀ ସେବା ପାଇପାରିବେ, ସେଥିପ୍ରତି ଓଡ଼ିଶା ସରକାର ସର୍ବାଦୌ ଯତ୍ନବାନ ହେବା ଆବଶ୍ୟକ। ଅତୀତରେ ଉତ୍କଳ ପ୍ରଦେଶ ଗଠନ ହେବା ସମୟରେ ଷଢ଼େଇକଳା ଓ ଖରସୁଆଁ ସମେତ ଅନେକ ଅଞ୍ଚଳ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଅନ୍ୟ ପ୍ରଦେଶରେ ରହିଗଲା। ସେସବୁ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଲୋକେ ଏବେ ବି ଓଡ଼ିଶାବାସୀ ହେବାର ସ୍ବପ୍ନ ଦେଖୁଥିବାବେଳେ ଓଡ଼ିଆ ଲୋକେ ପଡ଼ୋଶୀ ରାଜ୍ୟର ସହାୟତାକୁ ଆଶା କରିବାଠୁ ଲଜ୍ଜାଜନକ କଥା କିଛିନାହିଁ। ରାଜ୍ୟ ସରକାର ଅବିଳମ୍ବେ ଏହି ସମସ୍ୟାର ସମାଧାନ ନିମନ୍ତେ ସବୁସ୍ତରରେ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ। ଆମର ଆଶା ଯେ ସୁପ୍ରିମକୋର୍ଟ ଓଡ଼ିଶା ସପକ୍ଷରେ ରାୟ ଦେବେ ଓ ଭବିଷ୍ୟତରେ ଆନ୍ଧ୍ରର ଅବୈଧ କାର୍ଯ୍ୟକୁ ବାରଣ କରିବେ। କେବଳ ଆନ୍ଧ୍ର ନୁହେଁ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ପଡ଼ୋଶୀ ରାଜ୍ୟ ସହ ରହିଥିବା ସୀମା ବିବାଦ ତୁଟାଇବା ପାଇଁ ମଧ୍ୟ ସରକାର ଅବିଳମ୍ବେ ପଦକ୍ଷେପ ନିଅନ୍ତୁ। ଳ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଅନ୍ୟ ପ୍ରଦେଶରେ ରହିଗଲା। ସେସବୁ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଲୋକେ ଏବେ ବି ଓଡ଼ିଶାବାସୀ ହେବାର ସ୍ବପ୍ନ ଦେଖୁଥିବାବେଳେ ଓଡ଼ିଆ ଲୋକେ ପଡ଼ୋଶୀ ରାଜ୍ୟର ସହାୟତାକୁ ଆଶା କରିବାଠୁ ଲଜ୍ଜାଜନକ କଥା କିଛିନାହିଁ। ରାଜ୍ୟ ସରକାର ଅବିଳମ୍ବେ ଏହି ସମସ୍ୟାର ସମାଧାନ ନିମନ୍ତେ ସବୁସ୍ତରରେ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ। ଆମର ଆଶା ଯେ ସୁପ୍ରିମକୋର୍ଟ ଓଡ଼ିଶା ସପକ୍ଷରେ ରାୟ ଦେବେ ଓ ଭବିଷ୍ୟତରେ ଆନ୍ଧ୍ରର ଅବୈଧ କାର୍ଯ୍ୟକୁ ବାରଣ କରିବେ। କେବଳ ଆନ୍ଧ୍ର ନୁହେଁ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ପଡ଼ୋଶୀ ରାଜ୍ୟ ସହ ରହିଥିବା ସୀମା ବିବାଦ ତୁଟାଇବା ପାଇଁ ମଧ୍ୟ ସରକାର ଅବିଳମ୍ବେ ପଦକ୍ଷେପ ନିଅନ୍ତୁ।

Comments are closed.