ମହରଗରୁ ଯାଇ କାନ୍ତାରରେ

ବାକ୍‌-ସ୍ବାଧୀନତା ଓ ମୁକ୍ତ ବିଚାରକୁ କ୍ଷୁଣ୍ଣ କଲାଭଳି ନିୟମକାନୁନ ସୁସ୍ଥ ଗଣତନ୍ତ୍ରର ପରିପନ୍ଥୀ

କେନ୍ଦ୍ର ସରକାର ମଝିରେ ମଝିରେ ଏପରି କେତେକ ନିୟମ ପ୍ରଣୟନ କରୁଛନ୍ତି, ଯାହା ନାଗରିକଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରୁଥିବା ମନେହେଉଛି। ଏସବୁର ଦୀର୍ଘକାଳୀନ ପ୍ରଭାବ ରହିଥିବା ସତ୍ତ୍ବେ ସେଥିପ୍ରତି ଦୃଷ୍ଟି ଦିଆନଯାଇ ଯେପରି ଖାମ୍‌ଖିଆଲିଭାବେ ସର୍କୁଲାର୍‌ ଜାରି କରିଦିଆଯାଉଛି, ତାହାକୁ ବିଡ଼ମ୍ବନା ହିଁ କୁହାଯାଇପାରେ। ନିକଟ ଅତୀତରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର୍‌ ଖୁବ୍‌ ବିବାଦୀୟ ହୋଇଥିଲା, କାରଣ ଏଥିରେ ଦର୍ଶାଯାଇଥିଲା ଯେ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ୱେବିନାର୍‌ ବା ଅନ୍‌ଲାଇନ୍ ସେମିନାର୍‌ ଆୟୋଜନ କରିବା ପୂର୍ବରୁ ଉପରୋକ୍ତ ମନ୍ତ୍ରଣାଳୟର ଅନୁମତି ଆଣିବା ଅନିବାର୍ୟ୍ୟ। କେବଳ ସେତିକି ନୁହେଁ; କେଉଁ ବିଷୟରେ ଏହା ହେଉଛି ଓ କେଉଁମାନେ ଏହି ସେମିନାରରେ ଭାଗ ନେବେ, ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦେଶାବଳୀରେ କୁହାଯାଇଥିଲା। ଏବେ ଏହାଠୁ ମଧ୍ୟ ଏକ ଚିନ୍ତାଜନକ ସର୍କୁଲାର୍‌ ଜାରି ହୋଇଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ। ଏକ ନୂଆ କାର୍ୟ୍ୟକ୍ରମ ପାଇଁ ଦିଆଯାଇଥିବା ନିର୍ଦେଶାବଳୀରେ ନାଗରିକମାନଙ୍କୁ ସ୍ବେଚ୍ଛାସେବୀ ଭାବେ ଆମନ୍ତ୍ରଣ କରାଯାଇ ଅନ୍‌ଲାଇନ୍ ବିଷୟବସ୍ତୁଗୁଡ଼ିକର ନିରୀକ୍ଷଣ କରିବାପାଇଁ କୁହାଯାଇଛି।

ପରୀକ୍ଷାମୂଳକ ଭାବେ ଜାମ୍ମୁକାଶ୍ମୀର ଓ ତ୍ରିପୁରାରେ ଆରମ୍ଭ ହେବାକୁ ଥିବା ଏହି କାର୍ୟ୍ୟକ୍ରମ ବା ଯୋଜନା ଅନୁସାରେ ସ୍ବେଚ୍ଛାସେବୀଙ୍କୁ ଶିଶୁ ଯୌନ ଉତ୍ପୀଡ଼ନ, ବଳାତ୍କାର, ଆତଙ୍କବାଦ, ‘ଅତିବାଦୀ’ ଓ ‘ଦେଶଦ୍ରୋହୀ’ କାର୍ୟ୍ୟର ସୁରାକ୍‌ ପାଇଲେ ତାକୁ ଚିହ୍ନଟ କରିବା ଓ ତା’ ବିଷୟରେ ରିପୋର୍ଟ କରିବାକୁ କୁହାଯାଇଛି। ପ୍ରଥମ ତିନିଟି କଥା ତ ବୁଝିହେଉଛି, କିନ୍ତୁ ଅତିବାଦୀ ଓ ଦେଶଦ୍ରୋହୀ (ଦେଶବିରୋଧୀ) କିଏ ଓ ସେମାନଙ୍କୁ ଚିହ୍ନଟ କରିବାର ମାପଦଣ୍ଡ କ’ଣ, ତାହା କିଏ କହିପାରିବ? ଏହାର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ରହିଛି କି? ସରକାର ଏହାକୁ ସଂଜ୍ଞାୟିତ କରିଛନ୍ତି ବା କରିପାରିବେ କି? ଏହାର ଆଇନଗତ ଦିଗଟି କ’ଣ? ଏପରି ଅନେକ ପ୍ରଶ୍ନ ଉଠୁଥିବାବେଳେ ଏହାର ଏକଦେଶଦର୍ଶିତା ସହଜେ ଅନୁଭବ୍ୟ। ସାଧାରଣ ନାଗରିକକୁ ସ୍ବେଚ୍ଛାସେବୀ କହି ଉପରୋକ୍ତ ନାମରେ କାହାକୁ ନାମିତ କରିବାର ଲାଇସେନ୍ସ ପ୍ରଦାନ କରିବା କେତେ ଯୁକ୍ତିଯୁକ୍ତ? ଏହାଦ୍ବାରା ସଂପୃକ୍ତ ସ୍ବେଚ୍ଛାସେବୀଜଣକ ଏହାର ଅପବ୍ୟବହାର କରି ଅନ୍ୟମାନଙ୍କୁ ଶୋଷଣ, ଅପମାନିତ କିମ୍ବା ହଇରାଣ ହରକତ କରିବ ନାହିଁ ତ? ଏପରି ଆଶଙ୍କା କରିବାର କାରଣ ହେଲା ଏଥିରେ ସ୍ବେଚ୍ଛାସେବୀଙ୍କ ପାଇଁ ସେପରି କୌଣସି ସ୍ଥାୟୀ ନିୟମ ନାହିଁ ବା ସେ କିପରି ଏହାକୁ ପ୍ରମାଣ କରିବ ସେ ସମ୍ପର୍କରେ କିଛି ଧାରଣା ଦିଆଯାଇନାହିଁ।

ସରକାର ସାଇବର୍‌ ଅପରାଧକୁ ରୋକିବା ପାଇଁ ଚାହୁଁଛନ୍ତି, ଏହା ଭଲ କଥା; କିନ୍ତୁ ଏପରି ଏକ ଅଦୂରଦର୍ଶୀ ନିୟମ ଥିବା କାର୍ୟ୍ୟକ୍ରମ ଦ୍ବାରା ଜନସାଧାରଣ ଗୋଟିଏ ସମସ୍ୟାରୁ ଯାଇ ଅଧିକ ସଙ୍କଟ ଭିତରେ ଅର୍ଥାତ୍‌ ମହରଗରୁ ଯାଇ କାନ୍ତାରରେ ପଡ଼ିବାର ସମ୍ଭାବନା ବେଶି ଦେଖାଯାଉଛି। ଆମେ ଏ ସମ୍ପର୍କରେ ଗତକାଲି ଏ ସ୍ତମ୍ଭରେ ଉଲ୍ଲେଖ କରିଥିଲୁ ଯେ ଏଥିପାଇଁ ଭାରତ ନିଜସ୍ବ ଏକ ସୁରକ୍ଷା ବଳୟ ନିର୍ମାଣ କରିବା ଜରୁରୀ, ଯାହାକୁ ବିଦେଶୀ ଶକ୍ତିମାନେ ଭେଦ କରି ତଥ୍ୟଚୋରି କରିପାରିବେ ନାହିଁ। ସାଇବର୍‌ ସୁରକ୍ଷାର ଅର୍ଥ ନୁହେଁ ଯେ ସାଧାରଣ ଲୋକଙ୍କ ବାକ୍‌ ସ୍ବାଧୀନତାକୁ ଅପହରଣ କରିବାର ପ୍ରପଞ୍ଚ କରିବା। ପୁଣି ଏ କ୍ଷେତ୍ରରେ ସରକାର ଆପଣାର ମୌଳିକ ଦାୟିତ୍ବକୁ ଭୁଲି ଜନସାଧାରଣଙ୍କୁ ହିଁ ପର୍ୟ୍ୟବେକ୍ଷକ ଓ ନିରୀକ୍ଷକର ଭୂମିକା ତୁଲାଇବାକୁ କହିବା ବିଚିତ୍ର ବୋଧହେଉଛି ଏବଂ ଏକ ଗୁରୁତର ସଙ୍କଟ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି। ଏହା କ୍ରମେ ବ୍ୟକ୍ତିଗତ ଓ ରାଜନୈତିକ ଷଡ଼ଯନ୍ତ୍ରର ଅମୋଘ ଅସ୍ତ୍ର ପାଲଟିଯିବାର ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ। ସୋସିଆଲ୍‌ ମିଡିଆରେ ନାଗରିକଙ୍କ ବିରୋଧରେ ନାଗରିକଙ୍କୁ ଲଗାଇ ମନ୍ତ୍ରଣାଳୟ କେଉଁ ଉଦ୍ଦେଶ୍ୟ ସାଧନ କରିବାକୁ ଚାହୁଁଛି? ଏହାଦ୍ବାରା ସମାଜରେ ପାରସ୍ପରିକ ବିଶ୍ବାସବୋଧ, ସଂପ୍ରୀତି ଓ ସଂହତି ବାଧାପ୍ରାପ୍ତ ହେବାର ସମ୍ଭାବନା ମଧ୍ୟ ରହିଛି।

ସର୍ବୋପରି ସବୁଠୁ ମହତ୍ତ୍ବପୂର୍ଣ୍ଣ କଥା ହେଲା, ସାଧାରଣ ଲୋକଙ୍କ ଉପରେ ଏପରି ଅଣଆଧିକାରିକ ପହରା ଓ ପର୍ୟ୍ୟବେକ୍ଷଣ ଦ୍ବାରା ବାକ୍‌-ସ୍ବାଧୀନତା ଓ ବ୍ୟକ୍ତିଗତ ଗୋପନୀୟତା ଭଳି ମୌଳିକ ଅଧିକାରର ଉଲ୍ଲଙ୍ଘନ ହେବ। ଭୁଲିଯିବା ଉଚିତ ନୁହେଁ ଯେ ସୂଚନା ପ୍ରଯୁକ୍ତି ଆଇନ ୨୦୦୦ର ଧାରା ୬୬(କ)କୁ ଅକାମୀ କରିବାକୁ ଆଦେଶ ଦେବା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟଭାବେ କହିଥିଲେ, ବିବୃତି ବା ଭାଷଣ ଭିତରେ ପାର୍ଥକ୍ୟକୁ ଚିହ୍ନଟ କରିବା ଜରୁରୀ ଯେ କେଉଁଟି କେବଳ ‘ଅପମାନଜନକ ବା ବିରକ୍ତିକର’ ଏବଂ କେଉଁଟି ଆଇନଶୃ୍‌ଙ୍ଖଳା ଭଙ୍ଗକାରୀ ବା ହିଂସା ଉଦ୍ରେକକାରୀ।

କେବଳ କେନ୍ଦ୍ର ନୁହେଁ; କେତେକ ରାଜ୍ୟ ସରକାର ମଧ୍ୟ ନିକଟରେ ଅନଲାଇନ୍‌ରେ ବାକ୍‌-ସ୍ବାଧୀନତା ଓ ମୁକ୍ତ ବିଚାରର ହନନ କରିବା ଭଳି ନିୟମମାନ ପ୍ରଣୟନ କରିଛନ୍ତି। ବିହାରରେ ଅନଲାଇନରେ ସରକାରଙ୍କୁ ସମାଲୋଚନା କରାଯାଇପାରିବ ନାହିଁ। ସେହିପରି ଉତ୍ତରାଖଣ୍ଡ ପୁଲିସ୍‌ ‘ଦେଶବିରୋଧୀ’ ପୋଷ୍ଟ୍‌ଗୁଡ଼ିକୁ ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇଛି। ନିକଟ ଅତୀତରେ କେରଳ ସରକାର ‘ମାନହାନିସୂଚକ’ ପୋଷ୍ଟ୍‌ ପାଇଁ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା କରିଥିଲେ; ଅବଶ୍ୟ ସମାଲୋଚନା ପରେ ଏ ସମ୍ପର୍କିତ ଅଧ୍ୟାଦେଶକୁ ରଦ୍ଦ କରିଥିଲେ। ସୋସିଆଲ୍‌ ମିଡିଆର ଉଭୟ ଭଲ ଓ ମନ୍ଦ ଦିଗ ରହିଛି; କିନ୍ତୁ ଭଲ ଓ ମନ୍ଦର ମଧ୍ୟ ସଂଜ୍ଞା ସମସ୍ତଙ୍କ ପାଇଁ ଭିନ୍ନଭିନ୍ନ। ତେଣୁ ଏହାକୁ ଗୋଟିଏ ଚଷମାରେ ଦେଖିବା ଠିକ୍‌ ନୁହେଁ। ତେଣୁ ଅଗଣତାନ୍ତ୍ରିକ ଉପାଦାନ ରହିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏହି ନିୟମକୁ ଯଥାଶୀଘ୍ର ପ୍ରତ୍ୟାହାର କରାଯିବା ଉଚିତ।

Comments are closed.