ଗଣତନ୍ତ୍ରର ମାନ ରହୁ

- କୌଣସି ଆତ୍ମବିଶ୍ବାସୀ ଗଣତନ୍ତ୍ର ପାଇଁ ଏପରି ଦୌର୍ବଲ୍ୟ ଶୋଭା ପାଏନା

ଏକ ଗଣତାନ୍ତ୍ରିକ ସରକାର ଯେତେବେଳେ ନିଜର ନାଗରିକ ଓ ବ୍ୟବସ୍ଥା ଉପରେ ସନ୍ଦେହ କରେ, ସେତେବେଳେ ତାହା ଦେଶସ୍ବାର୍ଥର ପରିପନ୍ଥୀ ପାଲଟେ। ଏହା ତାକୁ ପରବର୍ତ୍ତୀ ସମୟରେ ବେଆଇନ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଏ। ଆମେ ଏବେ ଘଟିଥିବା କେତେକ ଘଟନାରେ ଏହାର ପ୍ରତିଫଳନ ଦେଖିପାରୁଛୁ, ଯାହାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇପାରେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଏପରି ଏକ ନିର୍ଦେଶାବଳୀ ଜାରି କରିଛନ୍ତି, ଯେଉଁଥିରେ ‘ଅନ୍‌ଲାଇନ୍‌ ଆନ୍ତର୍ଜାତିକ ସମ୍ମିଳନୀ ଓ ସେମିନାର’ କରିବାକୁ ଚାହୁଁଥିବା ବିଶ୍ବବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତ୍ୟେକ ଥର ସେହି ମନ୍ତ୍ରଣାଳୟଠାରୁ ଅନୁମତି ଆଣିବାକୁ ବାଧ୍ୟ ହେବେ। କେବଳ ସମ୍ମିଳନୀ ଓ ସେମିନାର୍‌ର ଆଲୋଚ୍ୟ ବିଷୟବସ୍ତୁ ନୁହେଁ, ବରଂ ସେଠାରେ କେଉଁମାନେ ଯୋଗ ଦେଇପାରିବେ ବା ଯୋଗ ଦେଇପାରିବେ ନାହିଁ, ସେମାନଙ୍କ ସମ୍ପର୍କରେ ଜଣେ ‘ପ୍ରାଶାସନିକ ସଚିବ’ ତଦାରଖ କରିବା ପରେ ହିଁ ଅନୁମତି ମିଳିବ। ଡର ହେଲା ଭାରତର ନିରାପତ୍ତା, ଉତ୍ତରପୂର୍ବାଞ୍ଚଳ ରାଜ୍ୟ, ଜାମ୍ମୁକାଶ୍ମୀର, ଲଦାଖ ବା ଦେଶର ‘ଅନ୍ୟ କିଛି ଆଭ୍ୟନ୍ତରୀଣ ବିଷୟ’ ନେଇ ୱେବିନାର୍‌ରେ ଆଲୋଚନା ହେଉନାହିଁ ତ! କହିବା ବାହୁଲ୍ୟ ଯେ କୌଣସି ଆତ୍ମବିଶ୍ବାସୀ ଗଣତନ୍ତ୍ର ପାଇଁ ଏପରି ଦୌର୍ବଲ୍ୟ ଆଦୌ ଶୋଭାପାଏ ନାହିଁ। ଭାରତକୁ ‘ଜ୍ଞାନ ଅର୍ଥନୀତି’ରେ ପରିଣତ କରିବାକୁ କହୁଥିବା ଏକ ଦେଶପାଇଁ ଏହାକୁ ଲଜ୍ଜାଜନକ କହିଲେ ଅତ୍ୟୁକ୍ତି ହେବନାହିଁ। ଗତବର୍ଷ ହିଁ ସରକାର ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କଲାବେଳେ ଶିକ୍ଷାର ଆନ୍ତର୍ଜାତିକୀକରଣ ସମ୍ପର୍କରେ ବହୁତ ବଡ଼ବଡ଼ କଥା କହିଥିଲେ। ଆହୁରି ମଧ୍ୟ ସ୍ବପ୍ନ ଦେଖାଇଥିଲେ ଯେ ଏଥର ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ଦେଶରେ କ୍ୟାମ୍ପ୍‌ସ୍‌ ଖୋଲିବାପାଇଁ ଆମନ୍ତ୍ରିତ କରାଯିବ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ବାଧୀନତା ଦିଆଯିବ; କିନ୍ତୁ ଉପରୋକ୍ତ ନିର୍ଦେଶାବଳୀ ତା’ର ସମ୍ପୂର୍ଣ୍ଣ ବିରୋଧୀ। ଏଥିରେ କେବଳ ଶିକ୍ଷାନୁଷ୍ଠାନର ସ୍ବାଧୀନତା ବଳି ପଡ଼ିବନାହିଁ, ବରଂ ସମ୍ମାନହାନି ମଧ୍ୟ ହେବ।

ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂର୍ବରୁ ହିଁ ଅମଲାତାନ୍ତ୍ରିକ ହସ୍ତକ୍ଷେପ ରହିଆସିଛି, ଯାହା ଅବାଞ୍ଛନୀୟ। ଏହି ନିର୍ଦେଶାବଳୀ କହିଦେଉଛି ଯେ ସରକାର ଶିକ୍ଷାବ୍ୟବସ୍ଥାକୁ କିପରି ପରିଚାଳନା କରିବାକୁ ଚାହାନ୍ତି। ଏଥିରେ ବ୍ୟବସ୍ଥା ପ୍ରତି ଏକ ଘୋର ସନ୍ଦେହାଚ୍ଛନ୍ନ ଦୃଷ୍ଟିକୋଣ ନିହିତ, ଯାହା ଆଶା କରାଯାଏନା। ଭାରତ ହେଉ ବା ଅନ୍ୟ କେଉଁ ଦେଶ, ବିଶ୍ବବିଦ୍ୟାଳୟ ଏପରି ଏକ ଅନୁଷ୍ଠାନ ଯାହାର ଜ୍ଞାନର ପରିସର କେବଳ ସେହି ଦେଶ ଭିତରେ ସୀମାବଦ୍ଧ ହେବା ଉଚିତ ବା ଆବଶ୍ୟକ ନୁହେଁ। ଏହାର ସରହଦ ଯେତିକି ବ୍ୟାପକ ହେବ, ତାହା ସେତିକି ଉତ୍ତମ ଗୁଣସଂପନ୍ନ ହୋଇପାରିବ। ଏ କ୍ଷେତ୍ରରେ ଆତ୍ମନିର୍ଭର ହୋଇ ରହିବାକୁ ଚେଷ୍ଟା କରିବା ଅର୍ଥ କୂପମଣ୍ଡୁକତାକୁ ବରଣ କରିବା। ତେଣୁ ୱେବିନାର୍‌ଗୁଡ଼ିକରେ ଭାରତର କୌଣସି ବିଷୟ ଆଲୋଚନା ବା ଚର୍ଚ୍ଚା ହେବ ବା ରାଜନୈତିକ ନେତୃତ୍ବ ପ୍ରତି ପ୍ରଶ୍ନ ଉଠିବ ବୋଲି ଏପରି ଏକଦେଶଦର୍ଶୀ ନିର୍ଦେଶାବଳୀ ପ୍ରଣୟନ କରିବା ସରକାରଙ୍କର ନିଜର ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକରେ ପଢ଼ିବାପାଇଁ ଛାତ୍ରଛାତ୍ରୀଙ୍କୁ ସ୍କଲାର୍‌ଶିପ୍‌ ପ୍ରଦାନର ଯେଉଁ ବ୍ୟବସ୍ଥା ରହିଆସିଛି, ତା’ ମୂଳରେ ଏହି ମନୋଭାବ ହିଁ ରହିଛି ଯେ ଜ୍ଞାନର ପରିସୀମା ବିସ୍ତୃତ, ଅନନ୍ତ। ଭାରତ ଏ କ୍ଷେତ୍ରରେ ସୁନ୍ଦର ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟି କରିଆସିଛି। ଏଥିରେ ଆତ୍ମନିର୍ଭରତା ବା ରାଷ୍ଟ୍ରବାଦ ଆଦିକୁ ପୂରାଇବା କେବଳ ଅପ୍ରାସଙ୍ଗିକ ନୁହେଁ, ନିର୍ବୋଧତା। ତେଣୁ ଏକ ନିତ୍ୟ ପରିବର୍ତ୍ତନଶୀଳ ଏବଂ ଅନ୍ତଃପରସ୍ପର ସମ୍ବନ୍ଧ ରହିଥିବା ପୃଥିବୀରେ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାଧୀନତା ହରଣ ହେବାଭଳି ବୈଦେଶିକ ମନ୍ତ୍ରଣାଳୟର ନିର୍ଦେଶାବଳୀ ଗ୍ରହଣଯୋଗ୍ୟ ନୁହେଁ।

ଭାରତରେ ଗଣତାନ୍ତ୍ରିକ ସ୍ଥାନଗୁଡ଼ିକୁ ଧୀରେଧୀରେ ସରକାର ଯେପରି ସଙ୍କୁଚିତ କରିଦେଉଛନ୍ତି, ତାହା କୌଣସି ଦୃଷ୍ଟିରୁ ଶୁଭଙ୍କର ନୁହେଁ। ଏବେ ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀ କୃଷକଙ୍କୁ ଦିଲ୍ଲୀକୁ ପଶିବାକୁ ନଦେବାପାଇଁ ଯେଉଁ ବିଚିତ୍ର ଓ ଅଭୂତପୂର୍ବ ପଦକ୍ଷେପମାନ ନେଉଛନ୍ତି, ସେଥିରୁ ମନେହେବ ଯେ ସରକାର ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଆନ୍ଦୋଳନସ୍ଥଳରୁ ପାଣି, ବିଦ୍ୟୁତ୍‌ ଓ ଇଣ୍ଟର୍‌ନେଟ୍‌ ସଂଯୋଗ କାଟିବା ପରେ ରାଜପଥକୁ ଖୋଳି ଖାଇ ନିର୍ମାଣ କରିବା, ରାସ୍ତା ଉପରେ କଣ୍ଟା ବିଛାଇବା, କଣ୍ଟା ତାରବାଡ଼ ଦେବା ଆଦି ମଧ୍ୟ କୌଣସି ଗଣତାନ୍ତ୍ରିକ ସରକାର ପାଇଁ ଶୋଭା ପାଏନାହିଁ। ଏଥିରୁ ସରକାରଙ୍କ ଭିତରେ ଭୟ ରହିଥିବା ସ୍ବତଃ ଜଣାପଡ଼ୁଛି। ଏଥିରେ ସନ୍ଦେହ ନାହିଁ ଯେ ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ପରେଡ଼ବେଳେ ଯେଉଁ ବିଶୃଙ୍ଖଳା ସୃଷ୍ଟି ହେଲା, ତାହା ଖୁବ୍‌ ନିନ୍ଦନୀୟ; କିନ୍ତୁ ଏହାରି ମୂଳରେ ଥିବା ଅଭିଯୁକ୍ତକୁ ସରକାର ଏ ପର୍ଯ୍ୟନ୍ତ କାହିଁକି ଗିରଫ କରିନାହାନ୍ତି, ତାହା ଏକ ବଡ଼ ପ୍ରଶ୍ନ। କୌଣସି ସମସ୍ୟାର ସମାଧାନ କରିବାକୁ ହେଲେ କ୍ଷମତାସୀନଙ୍କୁ ପ୍ରଥମେ ବିଶ୍ବସ୍ତ ହେବାକୁ ପଡ଼େ। ସରକାର କେବଳ ସନ୍ଦେହ ଚକ୍ଷୁରେ ନଦେଖି କୃଷକଙ୍କୁ ବିଶ୍ବାସକୁ ନେବା ଆବଶ୍ୟକ; ତା’ହେଲେ ହିଁ ସମାଧାନର ରାସ୍ତା ଖୋଲିବ। ଗଣତନ୍ତ୍ରର ମାନ ରହିବ।

Comments are closed.