ଇଭିଏମ୍‌ ଭୂତ

0

କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ବିରୋଧୀ ଦଳଗୁଡ଼ିକ ସମଗ୍ର ଦେଶରେ ଏକାଠି ହେବାକୁ ପ୍ରୟାସରତ। ଏହି ଦୃଷ୍ଟିରୁ ନିକଟରେ ୧୭ଟି ରାଜନୈତିକ ଦଳ ଇଭିଏମ୍ ବଦଳରେ ବାଲାଟ୍ ପେପରରେ ନିର୍ବାଚନ କରାଇବାକୁ କରିଥିବା ଦାବି ବେଶ୍ ଗୁରୁତ୍ବପୂର୍ଣ୍ଣ। ନିକଟ ଅତୀତ ପର୍ଯ୍ୟନ୍ତ ବିଜେପିର ସହଯୋଗୀ ଥିବା ଶିବସେନା ମଧ୍ୟ ବିରୋଧୀଙ୍କ ଏହି ଦାବିକୁ ସମର୍ଥନ ଜଣାଇଛି। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ସ୍ବର ତୀବ୍ର ହୋଇଛି। ଯାହା ଜଣାପଡ଼ୁଛି, ସବୁଥର ପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଇଭିଏମ୍‌ ଭୂତ ରାଜନୈତିକ ଦଳଗୁଡ଼ିକୁ ଡରାଇବା ଆରମ୍ଭ କଲାଣି।
ମଜାକଥା ହେଉଛି ଯେତେବେଳେ ଯେଉଁ ଦଳ ନିର୍ବାଚନରେ ପରାଜୟ ବରଣ କରିଥାଏ, ତାକୁ ପ୍ରଥମେ ଏହି ଭୂତ କଥା ମନେପଡ଼େ। ଗତବର୍ଷ ଉତ୍ତରପ୍ରଦେଶରେ ବିଜେପିର ଅଭୂତପୂର୍ବ, ପ୍ରଚଣ୍ଡ ବିଜୟ ପରେ ବିରୋଧୀଙ୍କ ପକ୍ଷରୁ ଇଭିଏମ୍‌ ଭୂତକୁ ଡକାଯାଇଥିଲା। ପ୍ରତି ନିର୍ବାଚନରେ କୌଣସି ନା କୌଣସି ଦଳ ଏହାକୁ ଧରି ଅନ୍ୟକୁ ଡରାଇବାକୁ ଚେଷ୍ଟା କରିଥାନ୍ତି। ତେବେ ଏହାର ଇତିହାସ ଆଜିର ନୁହେଁ, ପୁରୁଣା; ମାନେ, ଜନ୍ମରୁ ହିଁ ଇଭିଏମ୍‌ ଭୂତ ଭାରତର ରାଜନୈତିକ ଦଳଙ୍କୁ ଡରାଇ ଆସୁଛି। ୧୯୮୨ରେ ପ୍ରଥମ ଥର ପାଇଁ ଏର୍ଣ୍ଣାକୁଲମରେ ପାରାବୁରର ୫୦ଟି ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ୍‌ ବ୍ୟବହାର ହୋଇଥିଲା। ଫଳ ଆସିବା ପରେ କଂଗ୍ରେସ ପ୍ରାର୍ଥୀ ଏ.ସି. ଜୋସ୍ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀଙ୍କଠାରୁ ହାରିଗଲେ। ଖୁବ୍ ହଟ୍ଟଗୋଳ ହେଲା ଓ କଥା ଯାଇ ପହଞ୍ଚିଲା ନ୍ୟାୟାଳୟରେ। ଇଭିଏମ୍‌ରେ ଭୋଟଗ୍ରହଣ ହୋଇଥିବା କେନ୍ଦ୍ରଗୁଡ଼ିକରେ ପୁନଃମତଦାନ ହେଲା ଓ କଂଗ୍ରେସର ବିଜୟ ହେଲା। ଆଶ୍ଚର୍ଯ୍ୟର କଥା ଯେ ଉଭୟ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ପ୍ରାୟ ପାଖାପାଖି ରହିଲା; କିନ୍ତୁ ଫଳ ଓଲଟି ଯାଇଥିଲା। ଆରମ୍ଭରୁ ଯେଉଁ ସନ୍ଦେହଟିଏ ସୃଷ୍ଟି ହେଲା, ଏ ପର୍ଯ୍ୟନ୍ତ ତାହାର ମୋଚନ କରାଯାଇନଥିବାରୁ ବାରମ୍ବାର ତାହା ଭୂତ ହେଇ ଡରାଇବାରେ ଲାଗିଛି।
ଇଭିଏମ୍‌ ବ୍ୟବସ୍ଥାକୁ ଆରମ୍ଭ କରାଇଥିବା କଂଗ୍ରେସ ଏବେ ଏହାରି ବିରୋଧରେ ଥିବାବେଳେ ଅତୀତରେ ବର୍ତ୍ତମାନର ଶାସକ ବିଜେପି ମଧ୍ୟ ଏହାକୁ ଘୋର ବିରୋଧ କରୁଥିଲା। ଇଭିଏମ୍‌କୁ ବିରୋଧ କରୁଥିବା ପ୍ରଥମ ରାଜନୈତିକ ଦଳ ହେଲା ବିଜେପି। ୨୦୦୯ରେ ସାଧାରଣ ନିର୍ବାଚନରେ ପରାଜୟ ପରେ ଲାଲକୃଷ୍ଣ ଆଡ଼ୱାଣି ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତା’ପରବର୍ଷ ବିଜେପି ନେତା ଓ ଏବେ ବିଜେପିର ମୁଖପାତ୍ର ଥିବା ଜିଭିଏଲ୍ ନରସିଂହ ରାଓ ତ ଏହାରି ଉପରେ ଏକ ପୁସ୍ତକ ମଧ୍ୟ ଲେଖିପକାଇଲେ ‘ଡେମୋକ୍ରେସି ଏଟ୍ ରିସ୍କ: କ୍ୟାନ ୱି ଟ୍ରଷ୍ଟ୍ ଓଭର୍ ଇଲେକ୍‌ଟ୍ରୋନିକ ମେସିନ’। ସେହିପରି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଇଭିଏମ ଦ୍ବାରା ‘ହୋଲ୍‌ସେଲ୍ ଫ୍ରଡ’ ହେଉଥିବା ଆଶଙ୍କା କରିଥିଲେ।
ପରାଜିତ ରାଜନୈତିକ ଦଳଙ୍କ ବିରୋଧ ସତ୍ତ୍ବେ ଇଭିଏମ୍‌ ଯେ ତ୍ରୁଟିମୁକ୍ତ ତାହା ନିର୍ବାଚନ ଆୟୋଗ ବାରମ୍ବାର କହିଆସିଛନ୍ତି। ଏହା ସତ୍ୟ ଯେ ଏ ପର୍ଯ୍ୟନ୍ତ ଏଥିରେ ଭୋଟ ଗଡ଼ବଡ଼ ହେବା ଭଳି ଘଟନା ପ୍ରମାଣିତ ହୋଇପାରିନାହିଁ। ତେବେ ଅନେକ ସମୟରେ ତ୍ରୁଟିବିଚ୍ୟୁତି ଦେଖାଯାଇଛି, ଯାହା ଆଦୌ ବାଞ୍ଛନୀୟ ନୁହେଁ। ଏପରିକି ‘ଭୋଟର ଭେରିଫିଏବଲ ପେପର୍ ଅଡିଟ୍ ଟ୍ରାଏଲ୍’ ବା ଭିଭିପାଟ୍‌ଯୁକ୍ତ ଇଭିଏମ୍‌ଗୁଡ଼ିକରେ ମଧ୍ୟ ବ୍ୟାପକ ତ୍ରୁଟିବିଚ୍ୟୁତି ହେବା ଏହାକୁ ସଂଶୟପୂର୍ଣ୍ଣ କରିଛି। ଏହାର ଉଦାହରଣ ଚଳିତବର୍ଷ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଅନୁଷ୍ଠିତ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା। ଅନେକ ମତଦାନ କେନ୍ଦ୍ରରେ ଭିଭିପାଟ୍ ବ୍ୟବସ୍ଥା କାର୍ଯ୍ୟ କରୁନଥିବା ଦେଖାଯାଇଥିଲା। ଅତ୍ୟଧିକ ଗରମ ହେତୁ ସେପରି ହେଉଥିବା କର୍ତ୍ତୃପକ୍ଷ ସଫେଇ ଦେଇଥିଲେ; କିନ୍ତୁ ତାହା ଭୁଲ୍ ବୋଲି ଜଣାପଡ଼ିଥିଲା। ପ୍ରତ୍ୟେକ ପ୍ରକାରର ପ୍ରତିକୂଳ ପାଣିପାଗରେ ମଧ୍ୟ ଭିଭିପାଟ୍‌ ଯେଭଳି ସୂଚାରୁରୂପେ କାର୍ଯ୍ୟ କରିବ, ଠିକ୍ ସେହିଭଳି ଭାବେ ତାକୁ ନିର୍ମାଣ କରାଯାଇଛି ବୋଲି ବିଶେଷଜ୍ଞମାନେ କହିଥିଲେ। ଅତଏବ ଏ ନେଇ ନିର୍ବାଚନ ଆୟୋଗ ସୁନିଶ୍ଚିତ କରିବା ଆବଶ୍ୟକ ଯେ ମତଦାନ କେନ୍ଦ୍ରରେ ରଖାଯାଉଥିବା ପ୍ରତ୍ୟେକଟି ଇଭିଏମ ତ୍ରୁଟିଶୂନ୍ୟ ହେବ।
ଭାରତ ଭଳି ଏକ ବିରାଟ ଦେଶରେ ବର୍ତ୍ତମାନ ବାଲାଟ୍ ପେପର୍ ଭଳି ପୁରୁଣା ବ୍ୟୟବହୁଳ ବ୍ୟବସ୍ଥାକୁ ପୁଣିଥରେ କାର୍ଯ୍ୟକାରୀ କରିବା ଅନେକ ଦୃଷ୍ଟିରୁ ଉଚିତ ମନେହେଉ ନାହିଁ; ବରଂ ଇଭିଏମ୍ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ହିଁ ଶ୍ରେୟସ୍କର। ଅବଶ୍ୟ ଏହା ବେଶି ଗୁରୁତ୍ବପୂର୍ଣ୍ଣ ଯେ ଗଣତନ୍ତ୍ରର ଶୁଚିତା ଓ ଭବିଷ୍ୟ ଏହାଦ୍ବାରା ଯେପରି ଅସୁରକ୍ଷିତ ହୋଇନପଡ଼େ। କେଉଁ କାରଣରୁ ଇଭିଏମ୍‌ର ସୃଷ୍ଟିକର୍ତ୍ତା ଆମେରିକା ସମେତ ବିକଶିତ ଦେଶଗୁଡ଼ିକ ଏହାକୁ ଏଯାଏଁ ନିର୍ବାଚନରେ ବ୍ୟବହାର କରୁନାହାନ୍ତି, ତାହା ଜାଣିବା ଜରୁରୀ।

Leave A Reply