ଦେବାଳିଆ ହେବେ ଏକାଧିକ ବ୍ୟାଙ୍କ, ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର

ସରକାରୀ ବ୍ୟାଙ୍କଗୁଡ଼ିକରେ ‘ନନ୍‌ ପରଫର୍ମିଂ ଆସେଟ’ ବା ଅନାଦାୟ ସମ୍ପତ୍ତି (ଏନପିଏ) ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଚିନ୍ତା ପ୍ରକାଶ କରିଛନ୍ତି। କରୋନା ଜନିତ କ୍ଷତି ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିବାବେଳେ କେତେକ ସରକାରୀ ବ୍ୟାଙ୍କର ଏନପିଏ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦେଇଛି। ଆରବିଆଇ ସୂଚନା ଅନୁଯାୟୀ, ୨୦୧୪ ରୁ ୨୦୨୦ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬ ବର୍ଷର କାର୍ୟ୍ୟକାଳ ମଧ୍ୟରେ ଏନପିଏ ୪୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମନମୋହନ ସିଂହ ସରକାରର ଶେଷ ୪ ବର୍ଷ (୨୦୧୧-୧୪) ମଧ୍ୟରେ ଏନପିଏ ବୃଦ୍ଧି ହାର ୧୭୫ ପ୍ରତିଶତ ଥିବାବେଳେ ମୋଦୀ ସରକାରଙ୍କ ପ୍ରଥମ ୪ ବର୍ଷ ଶାସନ (୨୦୧୪-୨୦୧୭)ରେ ଏନପିଏ ବୃଦ୍ଧି ହାର ୧୭୮ ପ୍ରତିଶତ ଥିଲା। ଦେଖିବାକୁ ଗଲେ ପ୍ରତିଶତରେ ଅଧିକ ପାର୍ଥକ୍ୟ ନଥିଲା। ମନମୋହନ ଏନପିଏକୁ ୨ଲକ୍ଷ ୬୪ ହଜାର କୋଟି ଟଙ୍କାରେ ଛାଡ଼ି ଯାଇଥିଲେ।

ଏବେ ମୋଦୀଙ୍କ ଶାସନ କାଳରେ ଏହା ୯ ଲକ୍ଷ କୋଟିରେ ପହଞ୍ଚିଲାଣି। କୌଣସି ବ୍ୟକ୍ତି ବା ସଂସ୍ଥା ଯଦି ବ୍ୟାଙ୍କରୁ ଋଣ ନେଇ ଦୀର୍ଘ ଦିନ ଧରି ପରିଶୋଧ ନକରନ୍ତି ସେତେବେଳେ ଉକ୍ତ ଖାତା ଧାରକଙ୍କ ଆକାଉଣ୍ଟ ବନ୍ଦ କରି ଦିଆଯାଇଥାଏ। ପରେ ନିୟମାନୁଯାୟୀ ଏହି ଅର୍ଥ ଆଦାୟ ପାଇଁ ବ୍ୟାଙ୍କ ତରଫରୁ ଉଦ୍ୟମ କରାଯାଇଥାଏ। ଅଧିକାଂଶ ଘଟଣାରେ ବ୍ୟାଙ୍କ ଋଣ ଅର୍ଥ ଆଦାୟ କରିପାରି ନଥାଏ। ଅର୍ଥ ବୁଡ଼ିଯିବା ଫଳରେ ବ୍ୟାଙ୍କ କ୍ଷତି ସହିଥାଏ। ଏପରି କି ବ୍ୟାଙ୍କ ବନ୍ଦ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୁଏ। ଏପରି କ୍ଷେତ୍ରରେ ସମ୍ପୃକ୍ତ ବ୍ୟାଙ୍କ ଆବଶ୍ୟକ ସମୟରେ ଗ୍ରାହକଙ୍କୁ ଟଙ୍କା ଦେଇ ପାରି ନଥାଏ। ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଥା’ନ୍ତି। ବ୍ୟାଙ୍କ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ଗ୍ରାହକମାନେ ନିଜ ଟଙ୍କା ଉଠାଇ ପାରନ୍ତି ନାହିଁ। ପଞ୍ଜାବ ଓ ମହାରାଷ୍ଟ୍ର ବ୍ୟାଙ୍କ (ପିଏମସି) ଦୁର୍ନୀତି ଏହାର ଜ୍ବଳନ୍ତ ଉଦାହରଣ। ଏଚଡିଆଇଏଲ ନାମକ ଏକ ରିଅଲ ଇଷ୍ଟେଟ କମ୍ପାନୀକୁ ପିଏମସି ୪ ହଜାର କୋଟି ଟଙ୍କା ଋଣ ଯୋଗାଇ ଦେଇଥିଲା। ଆରବିଆଇର ନିର୍ଦେଶନାମାକୁ ଉଲ୍ଲଙ୍ଘନ କରାଯାଇ ଉକ୍ତ ସଂସ୍ଥାକୁ ପିଏମସି ବ୍ୟାଙ୍କ ଋଣ ଯୋଗାଇ ଦେଇଥିଲା। ଉକ୍ତ କମ୍ପାନୀକୁ ଋଣ ଦେଇ ପିଏମସି ବ୍ୟାଙ୍କ ଦେବାଳିଆ ହୋଇ ଯାଇଥିଲା। ଆରବିଆଇ ଏହି ବ୍ୟାଙ୍କ ଉପରେ କଟକଣା ଜାରି କରିଥିଲା। ଏହି ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କର ଆବଶ୍ୟକ ସମୟରେ ଟଙ୍କା ଉଠାଇ ପାରି ନଥିଲେ।

ବର୍ଷ ୨୦୨୦ରେ ଦେଶର ସମସ୍ତ ବ୍ୟାଙ୍କର ଯେତେ ଟଙ୍କା ବୁଡ଼ିଥିଲା ସେଥିରୁ ସରକାରୀ ବ୍ୟାଙ୍କର କେବଳ ୮୮ ପ୍ରତିଶତ। ସରକାରୀ ବ୍ୟାଙ୍କର ଅର୍ଥ ବୁଡ଼ିଗଲେ ଉକ୍ତ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ଆରବିଆଇ କିମ୍ବା କେନ୍ଦ୍ର ସରକାର ଉଦ୍ୟମ କରିଥା’ନ୍ତି। ଦେବାଳିଆ ହୋଇଥିବା ବ୍ୟାଙ୍କର ଉଦ୍ଧାର ପାଇଁ ଆରବିଆଇ ବିଭିନ୍ନ କଟକଣା ଲାଗୁ କରିଥାଏ। ଋଣ ନେଇ ନିରବ ମୋଦୀ ଓ ବିଜୟ ମାଲ୍ୟା ପରି ବ୍ୟକ୍ତି ବିଦେଶ ପଳାଇ ମଉଜ କରୁଛନ୍ତି। ସେମାନଙ୍କ ପାଇଁ ସମ୍ପୃକ୍ତ ବ୍ୟାଙ୍କର ଗ୍ରାହକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୫-୧୬ରେ ଏନପିଏ ରିକଭରି ୮୦ ହଜାର ୩ ଶହ କୋଟି ହୋଇଥିଲା। ମନମୋହନ ସରକାର ଶେଷ ୪ ବର୍ଷ କାର୍ୟ୍ୟକାଳରେ ଯାହା କରିପାରି ନଥିଲେ ମୋଦୀ ସରକାର ଆସିବାର ପ୍ରଥମ ବର୍ଷରେ ହିଁ କରିଦେଲେ। ୨୦୧୦-୧୧ରୁ ୨୦୧୩-୧୪ ମଧ୍ୟରେ ୪ ବର୍ଷରେ ମନମୋହନ ସରକାର ୪୪ ହଜାର ୫ଶହ କୋଟି ଟଙ୍କାର ଋଣକୁ ରାଇଟ-ଅଫ କରିଥିଲେ। ତେବେ ମୋଦୀ କ୍ଷମତାକୁ ଆସିବା ପରେ ପ୍ରଥମ ବର୍ଷ ଅର୍ଥାତ୍‌ ୨୦୧୪-୧୫ରେ ୬୦ ହଜାର କୋଟି ଟଙ୍କାର ଋଣ ରାଇଟ-ଅଫ ହୋଇ ଯାଇଥିଲା। ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ , ଅର୍ଥାତ୍‌ ୩ ବର୍ଷ ମଧ୍ୟରେ ୬ଲକ୍ଷ ୩୫ ହଜାର କୋଟି ଟଙ୍କାରୁ ଅଧିକ ଋଣ ରାଇଟ-ଅଫ ହୋଇଥିଲା।

ଯେତେବେଳେ ବ୍ୟାଙ୍କ ଅନୁଭବ କରେ ଋଣ ତ ଦିଆଯାଇ ସାରିଛି, ହେଲେ ଏହାକୁ ଆଦାୟ କରିବା କଷ୍ଟକର କିମ୍ବା ଋଣ ଟଙ୍କା ଆଦାୟ କରାଯାଇ ପାରିବ ନାହିଁ ସେତେବେଳେ ଯେଉଁ ପଦକ୍ଷେପ ଗ୍ରହଣ କରେ ତାକୁ ରାଇଟ-ଅଫ କୁୁହାଯାଏ। ଅନାଦାୟ ଋଣକୁ ବ୍ୟାଙ୍କ ରାଇଟ-ଅଫ କରିଦିଏ, ଅର୍ଥାତ୍‌ ଋଣ ଅର୍ଥକୁ ବାଲାନ୍ସ ସିଟ୍‌ରୁ ହଟାଇ ଦିଆଯାଇଥାଏ। ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ ବର୍ଷ ୨୦୧୦ରେ ସରକାରୀ ବ୍ୟାଙ୍କଗୁଡ଼ିକ ୬.୬୭ ଲକ୍ଷ କୋଟି ଟଙ୍କା ରାଇଟ-ଅଫ କରିଦେଇଥିଲେ। ଏହି ସମୟ ମଧ୍ୟରେ ସମସ୍ତ ବେସରକାରୀ ବ୍ୟାଙ୍କ ୧.୯୩ ଲକ୍ଷ କୋଟି ଋଣକୁ ରାଇଟ-ଅଫ ଘୋଷଣା କରିଥିଲେ।

ଗୋଟିଏ ପଟେ କେନ୍ଦ୍ର ସରକାର ୫ ଟ୍ରିଲିଅନ ଅର୍ଥନୀତି ପାଇଁ ସ୍ବପ୍ନ ଦେଖୁଥିବାବେଳେ ଅନ୍ୟପଟେ ଅନାଦାୟ ଋଣ ପରିମାଣ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏନପିଏ ଆଦାୟ ମଧ୍ୟ ଠିକ୍‌ ଭାବେ କରାଯାଉ ନାହିଁ। ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ପରି ଋଣ ଖିଲାପକାରୀଙ୍କୁ ଏ ପର୍ୟ୍ୟନ୍ତ ଦଣ୍ଡ ମିଳି ନାହିଁ। ଭାରତ ପରି ଆର୍ଥିକ ଅନଗ୍ରସର ଦେଶର ଏନପିଏ ୯ଲକ୍ଷ କୋଟିରେ ପହଞ୍ଚିବା ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ ବୋଲି କେତେକ ଅର୍ଥନୀତିଜ୍ଞ ମତ ଦିଅନ୍ତି।

Comments are closed.