ତ୍ରୁଟିପୂର୍ଣ୍ଣ ରାୟର ସୁଧୁରାଣ

ବମ୍ବେ ହାଇକୋର୍ଟଙ୍କ ବିବାଦୀୟ ରାୟକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ ସ୍ବାଗତଯୋଗ୍ୟ

ଏକ ନାବାଳିକା ଯୌନ ଉତ୍ପୀଡ଼ନ ମାମଲାରେ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ପ୍ରଦାନ ଅଧିନିୟମ (ପୋକ୍ସୋ) ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନୁସାରେ ଦୋଷୀସାବ୍ୟସ୍ତ ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟର ନାଗପୁର ପୀଠ ଖଲାସ କରିଦେବାପାଇଁ ଦେଇଥିବା ନିର୍ଦେଶକୁ ବୁଧବାର ସୁପ୍ରିମକୋର୍ଟ ସ୍ଥଗିତ କରିବା କେବଳ ଯୁକ୍ତିସଂଗତ ନୁହେଁ, ଏହା ଏକ ତ୍ରୁଟିପୂର୍ଣ୍ଣ ରାୟର ସୁଧୁରାଣ ବୋଲି କହିଲେ ଭୁଲ୍‌ ହେବନାହିଁ। ପ୍ରକୃତରେ ଜାନୁଆରୀ ୧୯ରେ ଏକ ବିବାଦୀୟ ଫଇସଲାରେ ହାଇକୋର୍ଟ କହିଥିଲେ ଯେ ତ୍ବଚା ସହ ତ୍ବଚାର ସମ୍ପର୍କ ସ୍ଥାପନ ବିନା ଅର୍ଥାତ୍‌ ବସ୍ତ୍ର ଉପରେ ନାବାଳିକା ପୀଡ଼ିତାର ବକ୍ଷୋଜକୁ ସ୍ପର୍ଶ କରିବା ପୋକ୍ସୋ ଅନୁଯାୟୀ ଯୌନ ଆକ୍ରମଣ ବୋଲି କୁହାଯାଇପାରିବ ନାହିଁ। ନ୍ୟାୟମୂର୍ତ୍ତି ପୁଷ୍ପା ଗନେଡିୱାଲା ନିଜ ରାୟରେ ଆହୁରି ମଧ୍ୟ କହିଥିଲେ ଯେ ଯୌନ ଇଚ୍ଛା ସହ ତ୍ବଚା-ତ୍ବଚାର ସମ୍ପର୍କ ହେଲେ ହିଁ ତାକୁ ଯୌନ ଆକ୍ରମଣ ବୋଲି ଧରାଯିବ। ଅନେକ ସାମାଜିକ ଓ ଶିଶୁ ଅଧିକାର କର୍ମୀ ଏପରି ରାୟର ତୀବ୍ର ସମାଲୋଚନା କରିବା ସହ ଏହା ନିହାତି ଅସ୍ବୀକାର୍ଯ୍ୟ, ଅପମାନଜନକ ଓ ଘୃଣ୍ୟ ହୋଇଥିବାରୁ ରାୟକୁ ପ୍ରତ୍ୟାହାର କରିବା ଉଚିତ ବୋଲି କହିଥିଲେ। ସୂଚନାଯୋଗ୍ୟ ​‌େ​‌ଯ ତଳକୋର୍ଟ ଅଭିଯୁକ୍ତକୁ ପୋକ୍ସୋ ଅଧୀନରେ ହିଁ ଦୋଷୀସାବ୍ୟସ୍ତ କରିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରି ଦୋଷୀକୁ ଦୋଷମୁକ୍ତ କରିଥିଲେ। ବମ୍ବେ ହାଇକୋର୍ଟର ରାୟ ନିଶ୍ଚିତଭାବେ ଅତି ଉଦ୍‌ବେଗଜନକ, କାରଣ ଏହା ଯୌନ ଉତ୍ପୀଡ଼ନ ଅଭିଯୋଗରୁ ମୁକ୍ତ କରିବାପାଇଁ ଏକ ନୂଆ ହେତୁ ଦର୍ଶାଇଛି, ଯାହା ପୋକ୍ସୋରେ ନାହିଁ। ଯେତେବେଳେ ଶିଶୁଟି ବସ୍ତ୍ରାବୃତ ଅବସ୍ଥାରେ ଯୌନ ଆକ୍ରମଣର ଶିକାର ହେବ, ସେପରି ମାମଲାରେ ଏହାକୁ ନଜିର୍‌ ଭାବେ ଉପସ୍ଥାପନ କରିବାର ଆଶଙ୍କା ମଧ୍ୟ ରହିଥିଲା। ଭଲ କଥା ଯେ ସୁପ୍ରିମକୋର୍ଟ ଠିକ୍‌ ସମୟ​‌େ​‌ର ଉଚିତ ପଦକ୍ଷେପ ନେଇ ଉକ୍ତ ବିବାଦୀୟ ରାୟଟି ଉପରେ ରୋକ୍‌ ଲଗାଇଛନ୍ତି ଏବଂ ଅଭିଯୁକ୍ତ ତଥା ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ତଲବ କରିଛନ୍ତି।
ବମ୍ବେ ହାଇକୋର୍ଟ ନିଜ ଫଇସଲାରେ ଯୁକ୍ତି ଦର୍ଶାଇଥିଲେ ଯେ ପୋକ୍ସୋ ଆଇନ ଅଧୀନରେ ଅପରାଧ ପାଇଁ ଅନ୍ୟୂନ ତିନି ବର୍ଷ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି ଏବଂ ଦୋଷସିଦ୍ଧି ପାଇଁ ‘ନିଶ୍ଚିତ ପ୍ରମାଣ ଓ ଗୁରୁତର ଆରୋପ’ ଆବଶ୍ୟକ; କିନ୍ତୁ ପରିତାପର ବିଷୟ ଯେ ଶିଶୁଙ୍କ ଉପରେ ଯୌନହିଂସା ପାଇଁ ଯେତେ କଠୋର ଆଇନ ରହିଛି, ସେହି ପରିମାଣରେ ଦଣ୍ଡାଦେଶ ନ୍ୟୂନ। ଶିଶୁ ଅଧିକାରର ସୁରକ୍ଷା ନିମନ୍ତେ ଲଢ଼େଇ କରୁଥିବା ସଂଗଠନଗୁଡ଼ିକର ଚାପ ଫଳରେ ୨୦୧୨ରେ ପୋକ୍ସୋ ଆଇନ ପ୍ରଣୀତ ହୋଇଥିଲା। ଏହା ଅଧୀନରେ ବହୁ ମାମଲା ରୁଜୁ ହେଉଛି ସତ; କିନ୍ତୁ ଏଥିରେ ଦଣ୍ଡିତଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି। ଏହାର ଅବଶ୍ୟ କେତେକ କାରଣ ଅଳ୍ପବହୁତେ ସଭିଙ୍କୁ ଜଣା। ନାବାଳିକା ପୀଡ଼ିତା ସହ କିପରି ସମ୍ବେଦନଶୀଳତାର ସହ ବ୍ୟବହାର କରାଯିବ ତାହା ପୁଲିସ ଓ ଆଇନ ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତିମାନଙ୍କ ଅଜ୍ଞତା ପ୍ରମୁଖ କାରଣ। ଏହା ବ୍ୟତୀତ ଏପରି ମାମଲାରେ ପୀଡ଼ିତାର ସମ୍ପର୍କୀୟମାନେ ସଂପୃକ୍ତ ରହୁଥିବାରୁ ଅଭିଯୁକ୍ତର ଦୋଷ ପ୍ରମାଣ ହେବା କଷ୍ଟସାଧ୍ୟ। ନାବାଳିକା ଯୌନ ଉତ୍ପୀଡ଼ନ ମାମଲାକୁ ଠିକ୍‌ଭାବେ ପରିଚାଳନା କରିବାପାଇଁ ଉପଯୁକ୍ତ ଭିତ୍ତିଭୂମିର ଅଭାବ ମଧ୍ୟ ଦୋଷୀକୁ ଦଣ୍ଡିତ ନ କରାଯାଇପାରିବାର ଏକ ବଡ଼ କାରଣ। ଦେଶର ବିଭିନ୍ନ ରାଜ୍ୟରେ ନେସନାଲ୍‌ ଲ’ ସ୍କୁଲ୍‌ ଅଫ୍ ଇଣ୍ଡିଆ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ବାଧ୍ୟତାମୂଳକ ସର୍ବାଧିକ ଦଣ୍ଡବିଧାନର ଗୁରୁତ୍ବ ପ୍ରତି ରେଖାଙ୍କିତ କରିଥାଏ। ପୋ​‌କ୍ସୋ ଅନୁଯାୟୀ ଆଇନରେ ଯେତିକି ଦଣ୍ଡ ଉଲ୍ଲେଖ ରହିଛି, ବିଚାରପତି ତା’ଠାରୁ କମ୍‌ ଦଣ୍ଡବିଧାନ କରିପାରିବେ ନାହିଁ; ମାତ୍ର ଅନେକ ମାମଲାରେ ଦେଖାଯାଉଛି ଯେ ଅପରାଧ ତୁଳନାରେ ଯେଉଁଠି ଦଣ୍ଡ ଅଧିକ ମନେହେଉଛି, ସେଠାରେ ସେମାନେ ଅଭିଯୁକ୍ତକୁ ସଂପୂର୍ଣ୍ଣ ଦୋଷମୁକ୍ତ ଘୋଷଣା କରୁଛନ୍ତି। ୧୨ ବର୍ଷରୁ କମ୍‌ ବୟସର ବାଳିକାମାନଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞ ଯୁକ୍ତି ବାଢ଼ୁଥିବାବେଳେ ଏହାକୁ ଅନେକ ନାପସନ୍ଦ ମଧ୍ୟ କରନ୍ତି; କିନ୍ତୁ ଏପରି ନୃଶଂସ କୁକାର୍ଯ୍ୟରେ ଲିପ୍ତ ଅପରାଧୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ନକଲେ ତାହାଦ୍ବାରା ନ୍ୟାୟର ଅସଲ ଉଦ୍ଦେଶ୍ୟ ହିଁ ସାଧିତ ହୋଇପାରିବ ନାହିଁ, ଏହା ବୁଝିବା ଆବଶ୍ୟକ।
ଆମ ସମାଜରେ ଏପରି ମାନସିକ ବିକୃତି କାହିଁକି ଘଟୁଛି, ଯେଉଁଠି ନିଜର ଜ୍ଞାତିପରିଜନ ମଧ୍ୟ ଛୋଟ ଝିଅଟିକୁ ଲାଳସାଗ୍ରସ୍ତ ଚକ୍ଷୁରେ ଦେଖୁଛନ୍ତି ତାହା ଚିନ୍ତା କରିବା କଥା। ନୈତିକ ସ୍ଖଳନ ଏହାର ଏକ ବଡ଼ କାରଣ। ଆମ ଶିକ୍ଷାଦୀକ୍ଷା ହୁଏତ ଏପରି ହୋଇଛି ବା ହେଉଛି, ଯେଉଁଠି କେବଳ ବ୍ୟାବସାୟିକତା ରହିଛି, ନୈତିକତା କି ମାନବିକତା ଆଦୌ ନାହିଁ। ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସେ ଯାହାହେଉ, ବମ୍ବେ ହାଇକୋର୍ଟଙ୍କ ସମ୍ବେଦନଶୂନ୍ୟ ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି, ତାହା ପୋକ୍ସୋର ମୂଳ ଉଦ୍ଦେଶ୍ୟ ‘ଶିଶୁ ସୁରକ୍ଷା’କୁ ଚରିତାର୍ଥ କରିବାରେ ସହାୟତା କରିବ, ସେଥିରେ ସନ୍ଦେହ ନାହିଁ।

Comments are closed.