ଆରେ ଯେତେବେଳେ ଯିଏ

ନିଷ୍ଠା, ସମର୍ପଣ ଭାବବିହୀନ ଆଳସ୍ୟ ପରାୟଣ ଲୋକଗୁଡ଼ା ସାଧାରଣତଃ ଦୀର୍ଘସୂତ୍ରୀ। ଗୀତାରେ ଏମାନଙ୍କୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି। ଏମାନେ ଭଲକାମ ଯେମିତି କରିପାରନ୍ତିନି ମନ୍ଦ ବି କରିପାରନ୍ତିନି। ତେବେ ଭଲକାମ କରିବା ଅପେକ୍ଷା, ମନ୍ଦକାମ ଅଧିକ ସହଜ ହୋଇଥିବାରୁ ଏ ଶ୍ରେଣୀୟ ଅଧିକାଂଶ ମନ୍ଦକାମରେ ଫସିଥାନ୍ତି। ବ୍ରାହ୍ମ ମୁହୂର୍ତ୍ତରୁ ଉଠିଲେ ବି, ‘ଉଠିବି ଉଠିବି’ ଭାବରେ ସୂ​‌େ​‌ର୍ଯ୍ୟାଦୟ ହୋଇଯାଏ ସିନା, ସେମାନେ କନ୍ଥାଘୋଡ଼ିହୋଇ ପଡ଼ିଥା’ନ୍ତି। ଆଉ ଏ କନ୍ଥାଘୋଡ଼ା ଭିତରେ ଯାବତୀୟ ଦୁର୍ଭାବନାରେ ଜଡ଼ି ହୋଇଯାଆନ୍ତି। ଦିବ୍ୟଭାବ, ଚେତନାର ଉନ୍ମେଷ ଏ ମୁହୂର୍ତ୍ତ କରଛଡ଼ା ହୋଇଯାଏ। ଦେଖୁନାହାନ୍ତି ସ୍ବର୍ଣ୍ଣଲଙ୍କାପତି ରାବଣଙ୍କୁ। ଦଶମୁଣ୍ଡ, କୋଡ଼ିଏ ହାତ, ଛପନ ଗଣ୍ଡା ଯୁଗର ଆୟୁଷ। ପରମ ଶିବଭକ୍ତ, ମହାଜ୍ଞାନୀ, ଶିବ ତାଣ୍ଡବ ଓ ଅର୍କ ଦୀପିକାର ରଚୟିତା। ପୁଷ୍ପକ ବିମାନରେ ସ୍ବର୍ଗ ମର୍ତ୍ତ୍ୟ ପାତାଳ ତିନିପୁର ଖେଦିବା କ୍ଷମତାର ଏଇ ଲୋକ ସ୍ବର୍ଗକୁ ନିଶୁଣି କରି ସ୍ବର୍ଗଲୋକ ଓ ମର୍ତ୍ତ୍ୟଲୋକ ମଧ୍ୟରେ ଥିବା ଦୂରତ୍ବ ଓ ଅର୍ଗଳକୁ ଉଠେଇ ଦେଇ ପାରିଥା’ନ୍ତେ। ଦେବତାମାନଙ୍କର, ରାକ୍ଷସମାନଙ୍କ ପ୍ରତି ଘୃଣା ଓ ଅବଜ୍ଞାରେ ଅତିଷ୍ଠ ରାକ୍ଷସ-ପ୍ରଜା, ରାବଣଙ୍କୁ ଦେବତାମାନଙ୍କ ଏ ଔଦ୍ଧତ୍ୟ ବିଷୟରେ ଯେତେବେଳେ ଆପତ୍ତି ଉଠାଇଲେ, ସ୍ବର୍ଗବାସୀର ଅହଙ୍କାରରେ ସେମାନେ ଫାଟି ପଡ଼ୁଥିବା କଥା କହିଲେ, ହାଃ ହାଃ ହସି ବିଚରା ପ୍ରଜାମାନଙ୍କୁ ରାବଣ କହିଥିଲେ, ‘‘ଆରେ ବ୍ୟସ୍ତ ହୁଅନି, କାଲି ସ୍ବର୍ଗକୁ ‘ନିଶୁଣି’ ବନାଇ ଦିଆଯିବ। ତମେ ସମସ୍ତେ ବି ସ୍ବର୍ଗକୁ ଯାଇପାରିବ।’’ ଏ କଥା ବି ସତଥିଲା। ବୃଥା ଆସ୍ଫାଳନ ନ ଥିଲା। ମାତ୍ର ଅହଙ୍କାରରେ ଫାଟିପଡ଼ୁଥିବା ରାବଣଙ୍କ ପାଇଁ ‘କାଲି’ ଆଉ ଆସି ନ ଥିଲା। ଆଜିର ‘ସୀତାଚୋରି’ ମାମଲାରେ ‘କାଲି’ ହଜିଯାଇଥିଲା। ତାଙ୍କୁ ଏ ପ୍ରତିଶ୍ରୁତି ସ୍ମରଣ ବି କରାଯାଇଥିଲା। ମାତ୍ର ‘ୟେ କି ଗୋଟେ କଥା ଯେ ଏତେ ବ୍ୟସ୍ତ’ର ଆଶ୍ବାସନା ହିଁ କେବଳ ପ୍ରଜାଙ୍କୁ ଦେଇଚାଲିଥିଲେ। ବନବାସୀ ଶ୍ରୀରାମ, ମହାସମୁଦ୍ରରେ ମାଙ୍କଡ଼, ଭାଲୁଙ୍କ ସହାୟତାରେ ସେତୁବନ୍ଧ ସିନା କରିପାରିଲେ, ମହାଶକ୍ତିମାନ ରାବଣଙ୍କ ଜୀବନ ଦର୍ପାହତ ହୋଇ ସୀତାଚୋରିରେ ସରିଗଲା। କୁହାଗଲା, ‘‘ଅତିଦର୍ପେ ହତାଲଙ୍କା, ଅତିମାନେ ଚ କୌରବାଃ, ଅତିଦାନେ ବଳିର୍ବଦ୍ଧଃ, ସର୍ବମତ୍ୟନ୍ତଂ ଗର୍ହିତମ୍‌।’’

ପ୍ରାରବ୍ଧ ଓ ସଂସ୍କାରାଧୀନ ମନର ଏ ରୂପ ଓ ରୂପାନ୍ତର ଜୀବକୁ ନଚଉଥାଏ। ଚେତନା ବା ଚୈତନ୍ୟ ମନ ସହ କେତେ ଲଢ଼ିବ ଯେ! ପ୍ରାରବ୍ଧଠୁ ଖସିବାକୁ ମନର ଜୁ କାଇଁ? ଲେଡ଼ିଟା କ’ଣ ଗୋଟେ ପାତ୍ର? ସେଥିରେ ଥୁଆ ଗୁଡ଼କୁ ଚାଟ ବା ହକାଳି ସାଇତ। ତା’ ନ କରି ତାକୁ ସେଥିରେ ରଖିଥିଲେ, ରଖୁଥା। ୟେ ବୋହିଯାଏ ଚଟ୍‌କିନା ତା’ ବାଟରେ କହୁଣିକି। ‘‘ହାଁ, ହାଁ’’ କହି ତାକୁ ଚାଟିଦେବାକୁ କହୁଣିକି ବିକଳରେ ଟେକି ପକାଅ। ମାତ୍ର ଏ ଜିଭକୁ ଯେଡ଼େ ଓଟାରି ଲମ୍ବେଇଲେ ବି ସେ କୋଉ କହୁଣିକି ପାଏ ନା କହୁଣି ପାଟିକୁ ଛୁଇଁପାରେ? ଯୋଗାସନ କରି ହାତ ଗୋଡ଼କୁ ରବର ଭଳି କରିପାରୁଥିବା ଯୋଗୀ କି ରାମଦେବ ଏ କଥା କଲେ କରିପାରନ୍ତି। ମାତ୍ର ତା’ର ଉଦାହରଣ କାଇଁ? ତେବେ ସେ ଆଡ଼େ ଗୁଡ଼ ଲୋଭାଗୁଡ଼ା କୁଆଡ଼େ ଯାଆନ୍ତି ଯେ ସେ ଉଦାହରଣ ଖୋଜିବା। ଉପଦେଶ, ପରାମର୍ଶ ସତ୍‌କଥା ଝାଡ଼ ସଂସାରୀଙ୍କ ଠେଇ କୋଉ ଭେଦିବ? ଭେଦିଲେ ବି ଏ ଖେଳ ଭାଙ୍ଗିଯିବ। ଭାଗବତର ପ୍ରଭାବ ବାଳୁତ ପୁଅ ଉପରେ ପଡ଼ିବ ଓ ନାନା ସମସ୍ୟା ତା’ପରେ ସୃଷ୍ଟି ହେବା ଆଶଙ୍କାରେ ବାପ ଅଝଟ ପୁଅକୁ ଭାଗବତ ଶୁଣିବାକୁ ନେଉ ନ ଥାଏ। ସ୍ତ୍ରୀଙ୍କ ଚାପରେ ସେଦିନ ନେଲା। କିଛି ଗୋଳମାଳ କରିବନି ମନଧ୍ୟାନ ଦେଇ ଶୁଣିବାର ପ୍ରତିଶ୍ରୁତି ବି ପୁଅ ଦେଲା। ସତରେ ସେଦିନ ଢେର ଧୀରସ୍ଥିର ହୋଇ ସେ ପଣ୍ଡିତଙ୍କ ବ୍ୟାଖ୍ୟାନ ଶୁଣୁଥିଲା। ପଣ୍ଡିତେ ସେଦିନ କହିଲେ, ‘‘ଜୀବ ଦୟା ହିଁ ମଣିଷପଣିଆ। ଯାହାର ଜୀବ ପ୍ରତି ଦୟା ନାହିଁ, ସେ ହିଁ ଚାଣ୍ଡାଳ।’’ ଭାଗବତ ତ କହିଲେ, ‘‘ଜୀବରେ ଯେବେ ଦୟା ନାହିଁ, ଉଦ୍ଧବ ଚାଣ୍ଡାଳଟି ସେହି।’’ କଥାଗୁଡ଼ା ବାଳକଠି ଭେଦି ଯାଉଥିଲା। ପରଦିନ, ନଈ ଆରପାରି ଭଉଣୀ ଘରକୁ ଖୁଦୁରୁକୁଣୀ ଡାଲା ଦେଇ ପୁଅକୁ ପଠାଗଲା। କିଛି ସମୟ ପରେ ପୁଅ ଡାଲା ସହ ଫେରି ଆସିବାରେ ବିସ୍ମିତ ବାପାକୁ ପୁଅ କହିଲା, ‘‘ବା’ ଡାଲା ଥୋଇ ଏକ ବସିଥିବା ବେଳେ, ଗୋଟେ ବୁଢ଼ୀଗାଈଟେ ଉଖୁଡ଼ା ଓ କଦଳୀ ଖାଇବାକୁ ଲାଗିଲା ଓ ସବୁତକ ଖାଇଦେଲା।’’ ବାପ ଗର୍ଜି ଉଠିଲେ, ‘‘ଆରେ ମୂର୍ଖ, ଗାଈକୁ ମାଇଲୁନି?’’ ପୁଅ କହିଲା, ‘‘ହଁ ବା’, ବାଡ଼ିଟେ ଗୋଟାଇଲି ପାହାରେ ପକେଇବି ବୋଲି, ମାତ୍ର କାଲି ପରା ଭାଗବତ ଗୋସେଇଁ ଏତେ ବୁଝେଇ କହିଥିଲେ, ‘ଜୀବରେ ଯାର ଦୟା ନାହିଁ, ଉଦ୍ଧବ ଚାଣ୍ଡାଳଟି ସେହି।’ ମୁଁ କ’ଣ ଚାଣ୍ଡାଳ ଯେ ଭୋକିଲା ଗାଈଟାକୁ ମାରିଥାନ୍ତି?’’ ଚୁପ ହୋଇଗଲେ ବାପ। ଡାକ ପକେଇଲେ ସ୍ତ୍ରୀଙ୍କୁ। କହିଲେ, ‘‘ହେଇ ଶୁଣ ପୁଅଙ୍କ ଜ୍ଞାନ, ମୁଁ ମନା କରୁଥିଲି ‘ଭାଗବତ’ ଶୁଣିବାକୁ ତାକୁ ନେବିନି। ତମେ ଜିଦ୍‌ କଲ। ଏବେ ଫଳ ପା’। କେବଳ ସେତିକି ନୁହଁ, ଆଉ ବି ଭବିଷ୍ୟତକୁ ଅଘଟଣ ଘଟିବ। ଗୌତମ ବୁଦ୍ଧ ହୋଇ ବାଆଜି ହୋଇଗଲା ପରି ୟେ ବି ଚିତାକାଟି ‘ଭାଗବତିଆ’ ହୋଇଯିବ। ବଉଁଶ ବୁଡ଼ିଯିବ, ବୁଝିଲ।’’ ‘‘ହେ ମା’ଲୋ ମୁଁ କ’ଣ କରିବି’’ କହି ପୁଅ ବାଆଜି ହୋଇଯିବାର ଅଜଣା ଭୟରେ ଛାତିକୁ କୁଟୁଥିବା ସ୍ତ୍ରୀକୁ ବୁଝାଇ ସ୍ବାମୀ ପୁଅକୁ କହିଲେ, ‘‘ଆରେ ମୂର୍ଖ ସେଗୁଡ଼ା ଭାଗବତ ପୋଥି କଥା। ପୂଜା ପାଠ ଭିତରେ, ସେଇଠି ସେ ରହିବ। ତାକୁ ଘରକୁ ଆଣିଲେ ନାନା ବିଘ୍ନ। ଭଉଣୀ ଉଖୁଡ଼ା ନ ଖାଇ ଗାଈ ଉଖୁଡ଼ା ଖାଇଯିବ, ତେଣୁ ସେ ପାଠକୁ ସେଇଠି ରଖି ଆସିବୁ।’’ ଏଇ କଥାଟା କ’ଣ ଖାଲି ଗପ? କାହା ଅନୁଭବର ୟେ ନୁହେଁ ଯେ! ଅନୁଭବ ଓ ଚାକ୍ଷୁଷ ଦର୍ଶନ ଭିନ୍ନ କଥା। ମାତ୍ର ୟେ ଦିହ ନୁହଁ, ପ୍ରାଣକୁ, ଚେତନାକୁ ଭେଦିବା କଥା। ସେଇଥିପାଇଁ ତ ଶ୍ଳୋକ କହିଲା, ‘‘ପୁରାଣାନ୍ତେ ମୈଥୁନାନ୍ତେ, ଶ୍ମଶାନାନ୍ତେ ଚ ଯା ମତି, ସା ଯଦି ଶୁଚିରଚେତ୍‌ସ୍ୟାତ୍‌ କୋନୋମୁଚ୍ୟତେ ବନ୍ଧନାତ୍‌।’’ ପୁରାଣ ଶୁଣିବାପରେ, ମୈଥୁନ ପର ଓ ଶ୍ମଶାନରେ ମନରେ ଯେଉଁ ଅନାସକ୍ତ ଭାବ ଜାଗେ, ତା’ ଯଦି ସ୍ଥାୟୀ ହୁଅନ୍ତା କିଏ ବନ୍ଧନରୁ ମୁକ୍ତି ନ ପାଆନ୍ତା। ମାତ୍ର ସେଇ ଭାବ ସେଇ ଘଡ଼ିକ, ପୁଣି ଯୋଉଆକୁ ସେଇଆ। ‘‘ଆରେ ଢାମଣା ବୁଲିବୁଲିକି ସେଇ ଅଗଣା।’’

ଆମ ମାମୁଘର ଗାଁ ବୀରରସିକପୁର। ସେଠା ମନ୍ଦିର ପୂଜକ ଢେର ନିଷ୍ଠାପର। ତାଙ୍କ ଦିହରେ କିଏ ବାଜିଗଲା ତ କଥା ସଇଲା। ହାତରେ ସଦାବେଳେ ତମ୍ବା ଗଡ଼ୁରେ ଗଡ଼ୁଏ ପାଣି। ସେଇ ପାଣି ଗଡ଼ୁକ ସେଇଠି ସିଏ ନିଜ ଉପରେ ଓଜାଡ଼ି ପକେଇ, ମାରାମୁକ୍ତ ହୋଇଯାଆନ୍ତି। ସମସ୍ତଙ୍କର ତାଙ୍କୁ ଡର ଯେମିତି ଭକ୍ତି ବି ସେମିତି। ମାତ୍ର ଲୋକଟା ମତେ ଅଖାଡ଼ୁଆ ଲାଗନ୍ତି। ଚନ୍ଦନ, ସିନ୍ଦୂର, ତୁଳସୀ, ଧୋବ ଫରଫର ପଇତା, ସର୍ବଦା ମଠାଲୁଗାର ଏଇ ପଣ୍ଡିତ କୁଳ ପଣ୍ଡିତଙ୍କୁ ଦେଖିଲେ ମନରେ ଭକ୍ତି କାଇଁ ଆସେନି। ସେଦିନ ସେ ମାମୁ ଘରକୁ ଆସିଗଲେ। ମାଈଁ, ଭାଇ ଭଉଣୀ ସମସ୍ତେ ପାଦ ନ ଛୁଇଁ, ଭୂଇଁରେ ମୁଣ୍ଡ ଲଗାଇ ପ୍ରଣାମ କଲେ। ମୁଁ ଖାଲି ହାତଟେକି ନମସ୍କାରଟେ କରିଦେଲି ବୋଲି ମାମୁ ଚାପୁଡ଼େ ପକେଇଲେ। କହିଲେ, ମାର ମୁଣ୍ଡିଆ, ମାର ମୂର୍ଖ।’’ ଆରେ ଜୋର ଜବରଦସ୍ତିରେ କୋଉ ଭକ୍ତି କି ପ୍ରେମ ଆଦାୟ କରିହୁଏ। ଇଂରାଜୀରେ ତ କୁହାଯାଇଛି ‘‘Respect is not demanded, but commanded.’’ ଛାଡ଼ନ୍ତୁ ସେକଥା। ଏବକୁ ତିନିଚାରି ବର୍ଷ ହେବ କୁଳ ପଣ୍ଡିତେ ପୂଜା ପାଇଁ ତାଙ୍କର ଗୋଟେ ବଟକରା ରଖିଛନ୍ତି। ଟୋକାଳିଆ ବ୍ରାହ୍ମଣ ପିଲାଟେ। ଏବେ ସେ ପ୍ରାୟ ପୂଜା ବୁଝା କରୁଛି। ବଡ଼ବଡ଼ିଆ କିଏ ଦର୍ଶନ ବା ମାଜେଣା ପାଇଁ ଆସିଲେ କୁଳ ପଣ୍ଡିତେ ଆସନ୍ତି। ସେଦିନ ତାଙ୍କ ତେଜ ତାଙ୍କ କଣ୍ଠଫଟା ଶ୍ଳୋକ ଶୁଣିବ କ’ଣ! କିଏ ସୁନା ଆଖି ଦିଏ ତ କିଏ ରୁପା ମୁକୁଟ ଦିଏ। ଦକ୍ଷିଣା ପାଁଶ ହଜାରେ ବି ମିଳେ। ସାନ ପଣ୍ଡିତଙ୍କର ଏଥିରେ ବି ଭାଗ ଥାଏ। ମଝିରେ ମଝିରେ ମନ୍ଦିରରୁ ଚୋରି ହେଲା। କଥାଟା ଗାଁ ଲୋକ ଚାପିଦେଲେ। କଥା ପୁଲିସକୁ ଗଲେ, ଝମେଲା ସିନା ଅଧିକ, ଚୋର କୁ ଧରା ପଡ଼ିବ? ସାରା ଗାଁ ଲୋକ ନିୟମ ପ୍ରମାଣ କଲେ। ମାତ୍ର କୁଳ ପଣ୍ଡିତେ ସାନ ପଣ୍ଡିତଙ୍କୁ ନିୟମ କରିବାକୁ କେହି କହି ପାରିଲେନି। ମାତ୍ର ଏଥର ଦେବୀଙ୍କ ସୁନାହାରଟା ଗାଏବ। ଲକ୍ଷେ ଟଙ୍କା ସରି ହେବ। କଥାଟା ପୁଲିସକି ଗଲା। ଆରେ ୟେ କି କଥା ପୁଲିସ ଆମ ସାନ ପଣ୍ଡିତଙ୍କୁ ବାନ୍ଧିଲା। କୁଳ ପଣ୍ଡିତେ ତୁନି ରହିଲେ। ପୁଲିସଙ୍କର ପାହାର ବଳ, ମାଡ଼ରେ ସାନ ପଣ୍ଡିତଙ୍କର ଝାଡ଼ା ପରିସ୍ରା ହୋଇଗଲା। ହାରଟା କୁଳ ପଣ୍ଡିତେ ନେଇଛନ୍ତି। କାନ ଫୁଲ ହଳକରୁ ଗୋଟେ ତାକୁ ଦେଇଛନ୍ତି ବୋଲି ଥରିଥରି ସାନ ପଣ୍ଡିତେ କହିଲା। ପୁଲିସକୁ କୋଉ ଲଗା ନା ପଘା। ରାତି ଅଧରେ କୁଳ ପଣ୍ଡିତଙ୍କୁ ଥାନାକୁ ଉଠେଇ ଆଣିଲେ। ଭୋରୁଭୋରୁ ଗାଁସାରା ଚହଳ ଆତଙ୍କ। ଏମେଲେଙ୍କଠୁ, ମନ୍ତ୍ରୀଙ୍କଠୁ ଫୋନ, ‘‘ସେ ଆମ ଲୋକ, ଛାଡ଼ ତାଙ୍କୁ। ଗହଣା ତ ମିଳିଗଲା। ଆଉ ଛେନାରୁ ଚୋପା କିଆଁ ଛଡ଼ଉଛ। ଏ ବେପାରପତ୍ରିଆଙ୍କ କଥା ବୁଝିଦିଅ ଓ ଟୋକାଟାକୁ ଫରୱାର୍ଡ଼ କରିଦିଅ। ୧୦/୧୫ ଦିନ ପରେ ବୁଝିବା ତା’ ଖଲାସି କଥା।’’ କୁଳ ପଣ୍ଡିତଙ୍କ ଗୋଟାକଯାକ ଏ ଯାଏଁ ଥିଲା ସାନ ପଣ୍ଡିତ। ଆଜି ତା’ ଉପରେ କି ବିଷ ବର୍ଷଣ ଓ ଅଭିଶାପ ଲୋ ମା’। ହାତକଡ଼ାରେ ଜିଅଲ ଯାଉଥିବା ସାନ ପଣ୍ଡିତଙ୍କୁ ବେପାରପତ୍ର ଭାଇମାନେ ଘେରିଯାଇ ନାନା ପ୍ରଶ୍ନ ପଚାରୁଥା’ନ୍ତି। କୁଳ ପଣ୍ଡିତଙ୍କ କଥା, କୋଉ ମନ୍ତ୍ରୀ ଏମେଲେ ମନ୍ଦିରକୁ ଆସନ୍ତି, କିଏ କେତେ ଗହଣା ଗାଣ୍ଠି ଓ ଦକ୍ଷିଣା ଦିଏ ଆଦି କେତେ କଥା। ମାତ୍ର ଓଠରେ ଆଙ୍ଗୁଠି ଇସାରା ଦେଇ ନାଲି ଆଖିରେ ପୁଲିସ ତାକୁ ତୁନି ରହିବାକୁ କହୁଥା’ନ୍ତି। ମନ୍ଦିରରୁ ତ ଚୋରି ଫି ବରଷ ହେଉଥିଲା। କାଇଁ ଥାନାକୁ କୁ ଏସବୁ ଯାଉଥିଲା। ଏଥର କିଏ କିଆଁ ଥାନାକୁ ଏ କଥା ନେଲା। ସେଠୁ ଭାଗବଣ୍ଟାର ଚେର ଖୋଳା ଚାଲିଲା।

ସେମିତି ଏବେ ବେପାରପତ୍ର ଭାଇମାନେ ‘ଭିଜିଲାନ୍‌ସ ଚଢ଼ଉ’ କଥାମାନ ଛାପୁଛନ୍ତି। ପ୍ରତିଦିନ କେତେ ଅମଲା ଲାଞ୍ଚ ନେଇ ସମ୍ପତ୍ତି ଅଧିକ ଅଭିଯୋଗରେ ଜିଅଲ ଯାଉଛନ୍ତି। କାନ ତାବଦା ଓ ଆଖି ଜଳକା ହୋଇଯାଉଛି ଏକୁ ଶୁଣି, ପଢ଼ି। ସେଥିରେ ଆଉ ଗୋଟେ ନୂଆ ଚଢ଼ଉ ବାହାରିଛି, ‘‘ବାଧ୍ୟତାମୂଳକ ଅବସର’’। ଆରେ ଜୀବନସାରା ଟଙ୍କା ଲୁଟିନି କେବଳ ପ୍ରସାଦ ବାଣ୍ଟିଲା ଭଳି ବାଣ୍ଟିଛି। ବିପୁଳ ସମ୍ପତ୍ତି କରିଥିବା ଏ ଫରେଷ୍ଟବାଲା, ଅମଲାଙ୍କ କଥା କ’ଣ ଉପର ହାକିମେ ଜାଣି ପାରୁନଥିଲେ। ଗୋଟାଏ କୋଠାରୁ ଜାଣି ହେଲାନି, ତିନିଟା କୋଠାଯାଏ କଥାଗଲା। ଯେମିତି ଜବରଦଖଲ ଭଙ୍ଗା। ଆରେ ତହସିଲଦାର ବାବୁ, ଆର୍‌ଆଇ ବାବୁ ତମ ଇଲାକାରେ ଏତେ ବଡ଼ ଦେଉଳ କି କୋଠା ସରକାରୀ ଜାଗାରେ କେମିତି ବର୍ଷବର୍ଷ ହେଲା ତିଆରି ହେଲା ଓ ରହିଛି? ସେତେବେଳୁ ଏକୁ ନ ରୋକି କୋଟିଏ ଟଙ୍କାର ଏ ସମ୍ପତ୍ତିକୁ ଏବେ ଭାଙ୍ଗୁଛ କିଆଁ? ତା’ର ଚେର ବି ଗହୀରା। ଝିଙ୍କିଲେ ମାଟି ଫଟେଇବ। ସେମିତି ସରକାରଙ୍କ ଏ ବାଧ୍ୟତାମୂଳକ ଅବସର ଓ ଚଢ଼ଉ ଗାଥା, ଗାନା। ଏଥିରୁ ମପାଯାଉ କେତେ ଚୋର ଡକାୟତ ଧରିଲ ନୁହଁ, ପୋଷିଛ କି ପୋଷିଥିଲ?

କୁଳ ପଣ୍ଡିତେଙ୍କୁ ଗାଁର ତେଢ଼ିଲା ଟୋକା ଗୋବିନ୍ଦା ପଚାରିଲା, ‘‘ଦଦେଇ, କାଲିଯାଏ ତ ସାନପଣ୍ଡିତଙ୍କୁ ତମ ପୂର୍ବଜନ୍ମର ପୁଅ କହୁଥିଲ, ମୁଣ୍ଡ ଉପରେ ବସଉଥିଲ, ଆଜି ତା’ ଉପରେ ଏତିକି ଛେପ ପକଉଛ କିଆଁ? ଢୋକୁନ ହେଲେ ଟିକିଏ।’’ ଗୋବିନ୍ଦା ତ ବାନାଟେ। ତାକୁ ସଭିଙ୍କ ଡର। ରୋକ୍‌ଠୋକ୍‌ ବି କହେ। ତା’ ପିଠିରେ ହାତ ମାରି କୁଳ ପଣ୍ଡିତେ କହିଲେ, ଆରେ ତତେ କ’ଣ ମୁଁ ବୁଝେଇବି? ଶାସ୍ତ୍ର ତ କହିଲା, ‘‘ଆରେ ହେ ଯେତେବେଳେ ଯିଏ।’’ ଏ ସରକାର, ଏ ନେତା ଓ ଧରପଗଡ଼ିଆ ସମସ୍ତଙ୍କର ସେଇ ନିରାପଦ ବାଟ। ତେଣିକି ଯାହା ଭାଗ୍ୟରେ ଯାହା।

Comments are closed.