ନୂଆ ପର୍ଯ୍ୟଟନ ନୀତି

- କ୍ଷତି ଭରଣା ପାଇଁ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ

କରୋନା ବେଳର କ୍ଷତିକୁ ଭରଣା ପାଇଁ ସରକାର ବିଭିନ୍ନ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଗତ ୯ ମାସ ହେଲା ଦେଶରେ ପର୍ୟ୍ୟଟନ ଶିଳ୍ପ ରୁଗ୍‌ଣ ହୋଇ ପଡ଼ିଛି। ଏଥିରୁ ମିଳୁଥିବା ଏକ ବୃହତ୍‌ ଭାଗ ରାଜସ୍ବ ସରକାର ହରାଇଛନ୍ତି। ଏହି କ୍ଷତିର ପୂରଣ ପାଇଁ ନୂତନ ପର୍ୟ୍ୟଟନ ନୀତି ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ‘ୱର୍ଲ୍ଡ ଟ୍ରାଭେଲ ଓ ଟୁୁରିଜିମ୍‌ କାଉନସିଲ’ (ଡବ୍ଲ୍ୟୁଟିଟିସି) ସୂଚନା ଅନୁଯାୟୀ ପର୍ୟ୍ୟଟନ କ୍ଷେତ୍ରରୁ ରାଜସ୍ବ ଅର୍ଜନ କରିବାରେ ବିଶ୍ବର ୧୮୫ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦ମ। ଦେଶର ମୋଟ ଘରୋଇ ଉତ୍ପାଦର ୬.୮ ପ୍ରତିଶତ ରାଜସ୍ବ କେବଳ ପର୍ୟ୍ୟଟନ କ୍ଷେତ୍ରରୁ ଆଦାୟ ହୋଇଥାଏ। ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର କ୍ଷତି ସହିଛନ୍ତି। ନୂତନ ନୀତି ଅନୁଯାୟୀ ବିଶ୍ବସ୍ତରୀୟ ସୁବିଧା ସହିତ ୨୦ଟି ଅତି ବିଶିଷ୍ଟ ପର୍ୟ୍ୟଟନ ସ୍ଥଳଗୁଡ଼ିକର (ଆଇକନିକ୍‌ ସାଇଟ୍‌)ବିକାଶ କରାଯିବ। ଏହା ବ୍ୟତୀତ ଦେଶୀ ଓ ବିଦେଶୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୦୦ଟି ସ୍ମାର୍ଟ ପର୍ୟ୍ୟଟନ ସ୍ଥଳ ଚିହ୍ନଟ କରାଯିବ। ଏହି ନୀତି ଖୁବ୍‌ ଶୀଘ୍ର କ୍ୟାବିନେଟ ସମ୍ମୁଖରେ ରଖାଯିବ।

ନୂତନ ନୀତି ଅନୁଯାୟୀ ପର୍ୟ୍ୟଟନ ସ୍ଥଳଗୁଡ଼ିକର ସଡ଼କ, ଭିତ୍ତିଭୂମି, ରହଣି ପାଇଁ ହୋଟେଲ, ଲଜ୍‌ ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢିକରଣ ହେବ। ଉଭୟ ଘରୋଇ ଓ ବିଦେଶୀ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସ୍ମାର୍ଟ ପର୍ୟ୍ୟଟନସ୍ଥଳଗୁଡ଼ିକୁ ନୂତନ ରୂପରେଖ ଦିଆଯିବ। ରାଜ୍ୟ ସରକାର ଓ ଅନ୍ୟ ସଂସ୍ଥାଗୁଡ଼ିକଠାରୁ ଗ୍ରହଣ କରାଯାଇଥିବା ପରାମର୍ଶ ଏହି ନୀତିରେ ସ୍ଥାନ ପାଇଛି। ୨୦୦୨ରେ ପ୍ରଥମ ଥର ପାଇଁ ଦେଶରେ ପର୍ୟ୍ୟଟନ ନୀତି ପ୍ରଣୟନ ହୋଇଥିଲା। ଦେଶର ସମୁଦାୟ ରାଜସ୍ବର ବୃହତ୍‌ ଭାଗ ପର୍ୟ୍ୟଟନ ଶିଳ୍ପରୁ ଆଦାୟ ହୋଇଥାଏ। ପର୍ୟ୍ୟଟନର ବିକାଶ ଘଟିଲେ ସରକାରଙ୍କୁ ବିପୁଳ ରାଜସ୍ବ ମିଳିବ। ଏହା ଉପଲବ୍ଧି କରି କେନ୍ଦ୍ର ସରକାର ନୂତନ ପର୍ୟ୍ୟଟନ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦-୨୧ ବଜେଟରେ ୨୦ଟି ଆଇକନିକ୍‌ ସାଇଟ୍‌ର ବିକାଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି। ନିକଟରେ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଇକନିକ୍‌ ପର୍ୟ୍ୟଟନ ସ୍ଥଳଗୁଡ଼ିକର ସମୀକ୍ଷା କରିଥିଲେ। ରାଜ୍ୟ ସରକାର, ପର୍ୟ୍ୟଟନ ସହ ଜଡ଼ିତ ବେସରକାରୀ ସଂସ୍ଥା ଓ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ପରାମର୍ଶକ୍ରମେ ଏହି ନୀତି ପ୍ରସ୍ତୁତ କରାଯାଇଛି।

ଏହି ନୀତି ଅନୁଯାୟୀ ଜାତୀୟ ରାଜପଥର ପ୍ରତି ୭୫ କି.ମି ବ୍ୟବଧାନରେ ପର୍ୟ୍ୟଟକଙ୍କ ସୁବିଧା ପାଇଁ ଗୃହ ନିର୍ମାଣ କରାଯିବ। ଦେଶର ୭୫ଟି ନୂଆ ପର୍ୟ୍ୟଟନ ସ୍ଥଳକୁ ବିମାନ ସଂଯୋଗ କରାଯିବ ା ବିଦେଶୀ ଓ ଘରୋଇ ନିବେଶକଙ୍କ ପାଇଁ ପ୍ରୋତ୍ସାହନ ପ୍ରକୋଷ୍ଠ ନିର୍ମାଣ କରାଯିବ ା କରୋନା ମହାମାରୀ ଯୋଗୁଁ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ପର୍ୟ୍ୟଟନ କ୍ଷେତ୍ରକୁ ଗତି ପ୍ରଦାନ ପାଇଁ ସରକାର ଏହି ନୀତି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ନୂତନ ନୀତି ମାଧ୍ୟମରେ କ୍ଷତିକୁ ଭରଣା କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ପର୍ୟ୍ୟଟନ କ୍ଷେତ୍ରରେ କିପରି ଅଧିକରୁ ଅଧିକ ପୁଞ୍ଜି ନିବେଶ ହୋଇ ପାରିବ ସରକାର ସେଥିପ୍ରତି ଗୁରୁତ୍ବ ଦେଉଛନ୍ତି। ସଡ଼କ, ହୋଟେଲ ସମେତ ପର୍ୟ୍ୟଟନ ସ୍ଥଳଗୁଡ଼ିକ ସଂକ୍ରାନ୍ତରେ ସମସ୍ତ ସୂଚନା ପାଇଁ କେନ୍ଦ୍ର ସରକାର ଏକ ଆପ୍‌ ବିକଶିତ କରୁଛନ୍ତି। ଏହା ଦ୍ବାରା ଦେଶର ପ୍ରମୁଖ ପର୍ୟ୍ୟଟନ ସ୍ଥଳ ସଂକ୍ରାନ୍ତ ସମସ୍ତ ସୂଚନା ଜାଣି ହେବ। ଜଳବାୟୁ ଓ ପାଣିପାଗ ସଂକ୍ରାନ୍ତରେ ଅପଡେଟ ମଧ୍ୟ ଉପଲବ୍ଧ ହେବ ା ଏହା ବ୍ୟତୀତ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରଣାଳୟ ‘ଅତୁଲ୍ୟ ଭାରତ ପର୍ୟ୍ୟଟକ ସୁବିଧା’ ନାମକ ଅନଲାଇନ କାର୍ୟ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପର୍ୟ୍ୟଟନ କ୍ଷେତ୍ରର ଗାଇଡମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ପର୍ୟ୍ୟଟନ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତୀୟ ଉପ ମହାଦେଶ ଅନ୍ୟ ଦେଶଗୁଡ଼ିକଠାରୁ କୌଣସି ଗୁଣରେ କମ୍‌ ନୁହେଁ। ସୁବିସ୍ତୀର୍ଣ୍ଣ ବେଳାଭୂମି, ଆଣ୍ଡାମାନ ପରି ଦ୍ବୀପପୁଞ୍ଜ, ରାଜସ୍ଥାନର ମରୁ ଅଞ୍ଚଳ, ପଶ୍ଚିମ ଘାଟ ପର୍ବତମାଳା, ପୂର୍ବରେ ଦେଓମାଳି ଓ ଉତ୍ତରରେ ହିମାଳୟ ପରି ବିଶ୍ବର ସର୍ବ ବୃହତ୍‌ ପର୍ବତ ଶୃଙ୍ଖଳା ରହିଛି। ଏ ସବୁ ସତ୍ତ୍ବେ ଆମେ ଦେଶର ଥିବା ସମସ୍ତ ପର୍ୟ୍ୟଟନ ସ୍ଥଳର ବିକାଶ କରିପାରି ନାହାନ୍ତି। କେତେକ ପର୍ୟ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ। ଏଥିପାଇଁ ବିଦେଶୀ ପର୍ୟ୍ୟଟକ ଉକ୍ତ କ୍ଷେତ୍ରକୁ ଯାଉ ନାହାନ୍ତି। ଫିଜି, ମାଲେସିଆ, ଥାଇଲାଣ୍ଡ ଓ ମାଲଦ୍ବୀପ ପରି ଛୋଟଛୋଟ ଦେଶର ଅର୍ଥନୀତି ପର୍ୟ୍ୟଟନ ଉପରେ ନିର୍ଭରଶୀଳ। ତେବେ ଭାରତ ପରି ବିଶାଳ ଦେଶରେ ପର୍ୟ୍ୟଟନ କ୍ଷେତ୍ରରୁ ଯେତିକି ରାଜସ୍ବ ସଂଗ୍ରହ ହେବା କଥା ତାହା ହୋଇ ପାରୁ ନାହିଁ। ବିଶ୍ବର ସର୍ବପୁରାତନ ସିନ୍ଧୁ ସଭ୍ୟତାର ଦେଶ ହେଉଛି ଭାରତ। ଏବେ ବି ପୌରାଣିକ ଯୁଗର କେତେକ ମଠ ମନ୍ଦିର ଅଛି, ଯାହା ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତା।

ଐତିହାସିକ କୀର୍ତ୍ତିରାଜିଗୁଡ଼ିକ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି। କେବଳ ମଠ, ମନ୍ଦିର ନୁହେଁ, କାଶ୍ମୀର, ହିମାଚଳ ପ୍ରଦେଶ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକ ପ୍ରକୃତିଦତ୍ତ ସୌନ୍ଦର୍ୟ୍ୟ ଅନେକ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା। ଯଦି ଏପରି କ୍ଷେତ୍ର ୟୁରୋପରେ ହୋଇଥା’ନ୍ତା ସେଠାକୁ ଆମ ଦେଶର ଲୋକଙ୍କ ସୁଅ ଛୁଟନ୍ତା। ସ୍ବଦେଶୀ ପର୍ୟ୍ୟଟକ ନିଜ ଦେଶରେ ଥିବା ପର୍ୟ୍ୟଟନ ସ୍ଥଳକୁ ଛାଡ଼ି ଅନ୍ୟ ଦେଶକୁ ଛୁଟି ମନାଇବାକୁ ଯାଉଛନ୍ତି। ଭ୍ରମଣ ପାଇଁ ବିଦେଶ ଯିବା ଏବେ ସମ୍ଭ୍ରାନ୍ତ ଓ ଆଭିଜାତ୍ୟର ମାପକାଠି ପାଲଟିଛି। ବିଦେଶୀ ପର୍ୟ୍ୟଟକଙ୍କ ପାଇଁ ଆମ ଦେଶରେ ଯେଉଁ ନିୟମ ରହିଛି ସେଥିରେ ପରିବର୍ତ୍ତନ ଆଣିବା ଜରୁରୀ। ଭିସା ପ୍ରଦାନରେ ବିଳମ୍ବଠାରୁ ଆରମ୍ଭ କରି ପର୍ୟ୍ୟଟକଙ୍କ ସୁରକ୍ଷା ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ସଂସ୍କାର ଲୋଡ଼ା। ଏପରି ହୋଇ ପାରିଲେ ସରକାରଙ୍କ ନୂତନ ପର୍ୟ୍ୟଟନ ନୀତି ଜନାଦୃତ ହୋଇ ପାରିବ।

Comments are closed.