ଟ୍ରମ୍ପଙ୍କ ତାମସା

ଗଣତାନ୍ତ୍ରିକ ମୂଲ୍ୟବୋଧ ପାଳନ ହେବା ଜରୁରୀ

ଜଣେ ଆତ୍ମମୁଗ୍ଧ ପୁଞ୍ଜିବାଦୀ ଯେତେବେଳେ ସର୍ବୋଚ୍ଚ ଆସନରେ ବସିଯାଏ ସେତେବେଳେ ସେ ଏକଛତ୍ରବାଦୀ ପାଲଟିଯାଏ। ସର୍ବପୁରାତନ ଗଣତନ୍ତ୍ର ରାଷ୍ଟ୍ରର ଆଖ୍ୟା ପାଇଥିବା ଆମେରିକା ଯେ ଏପରି ଦଶା ଭୋଗିବ ତାହା କେହି କଳ୍ପନା କରିପାରି ନଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ପରି ଜଣେ ଏକଜିଦିଆ ରାଷ୍ଟ୍ରପତିଙ୍କ ପାଇଁ ସମଗ୍ର ଆମେରିକାବାସୀ ଏବେ ନିନ୍ଦିତ। ସେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ କହିଥିଲେ,- ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା ଓ ଲୋକମାନଙ୍କ ପାଇଁ। ଆମେରିକା ପରି ଗୌରବଶାଳୀ ଦେଶର ଗଣତନ୍ତ୍ର ଆଜି ସଙ୍କଟରେ। ଗଣତନ୍ତ୍ର କ’ଣ ? ତାହା ବିଶ୍ବବାସୀଙ୍କୁ ଆମେରିକା ଶିଖାଇଛି। ସେଠାକାର ‘ଡେମୋକ୍ରାଟିକ ପାର୍ଟି’ ହେଉଛି ବିଶ୍ବର ସର୍ବପୁରାତନ ରାଜନୈତିକ ଦଳ। ଆମେରିକାକୁ ଅନୁକରଣ କରି ବ୍ରିଟେନରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା। ପରେପରେ ଭାରତ ସମେତ ବିଶ୍ବର ଅଧିକାଂଶ ଦେଶ ଗଣତନ୍ତ୍ର ବ୍ୟବସ୍ଥାକୁ ଆପଣାଇ ନେଇଥିଲେ। ଗଣତନ୍ତ୍ର ଶାସକ ଏକଛତ୍ରବାଦୀ ପାଲଟିବା ଇତିହାସରେ ନଜିର ନାହିଁ। ତେବେ ଟ୍ରମ୍ପଙ୍କ ପ୍ରରୋଚନାରେ ତାଙ୍କ ସମର୍ଥକ ଦେଶରେ ଯେଉଁ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି ତାହା କେବଳ ଆମେରିକାବାସୀଙ୍କୁ ନୁହେଁ; ଅନ୍ୟ ଗଣତନ୍ତ୍ର ରାଷ୍ଟ୍ରଗୁଡ଼ିକୁ ବ୍ୟଥିତ କରିଛି। ହିଂସାକାଣ୍ଡ ଭିଆଉଥିବା ଟ୍ରମ୍ପଙ୍କ ସମର୍ଥକଙ୍କୁ ଦେଶପ୍ରେମୀ ଆଖ୍ୟା ଦେଇଛନ୍ତି ତାଙ୍କ ଝିଅ ଇଭାଙ୍କା। ହିଂସାକାଣ୍ଡକୁ ସେ ଆଇନ ସମ୍ମତ ବୋଲି ଯୁକ୍ତି ବାଢୁଛନ୍ତି। ଆମେରିକାର ଏପରି ଦୁର୍ଦଶାରେ ଉତ୍‌ଫୁଲ୍ଲିତ ହୋଇ ପଡ଼ିଛନ୍ତି କମ୍ୟୁନିଷ୍ଟ ଚୀନ୍‌ର ଶାସକ ଓ ଜନସାଧାରଣ। କାରଣ ଆମେରିକା ଓ ଚୀନ୍‌ ମଧ୍ୟରେ ଆଦର୍ଶଗତ ମତପାର୍ଥକ୍ୟ ରହିଛି। ଆମେରିକା ଗଣତନ୍ତ୍ର ତଥା ପୁଞ୍ଜିବାଦରେ ବିଶ୍ବାସ ରଖୁଥିବାବେଳେ ଚୀନ୍‌ ହେଉଛି କମ୍ୟୁନିଷ୍ଟ ଦେଶ। ଏବେ ଚୀନ୍‌ବାସୀ ଆମେରିକା ଉପରେ ଦାନ୍ତ ନିକୁଟି ହସୁଛନ୍ତି। ସାମାଜିକ ଗଣମାଧ୍ୟମଗୁଡ଼ିକରେ ଆମେରିକାକୁ କଟାକ୍ଷ କରି ଚୀନ୍‌ର ଯୁବଗୋଷ୍ଠୀ ବିଭିନ୍ନ ବାର୍ତ୍ତା ପ୍ରସାର କରିବାରେ ଲାଗିଛନ୍ତି। ଗଣତନ୍ତ୍ର ପରମ୍ପରାକୁ ସମ୍ମାନ ଦେବା ପାଇଁ ପାକିସ୍ତାନ ଓ ଚୀନ୍‌ ପରି ରାଷ୍ଟ୍ର ଆମେରିକାକୁ ପରାମର୍ଶ ଦେଉଛନ୍ତି। ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରି ଆମେରିକାବାସୀ ଏବେ ଅନୁତପ୍ତ।
ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ କ୍ଷମତାସୀନ ରାଷ୍ଟ୍ରପତି ଯଦି ଦେଶର ସାଧାରଣ ନିର୍ବାଚନରେ ପରାଜୟ ବରଣ କରନ୍ତି ତେବେ ସେ ସଂଖ୍ୟାଗରିଷ୍ଠ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କ୍ଷମତା ହସ୍ତାନ୍ତର କରିବା କଥା। ଗତ ନଭେମ୍ବର ମାସରେ ଆମେରିକାରେ ହୋଇଥିବା ସାଧାରଣ ନିର୍ବାଚନରେ ଟ୍ରମ୍ପଙ୍କ ଦଳ ‘ରିପବ୍ଲିକାନ୍‌ ପାର୍ଟି’ ପରାଜୟ ବରଣ କରିଥିଲା। ତେଣୁ ସେ ସଂଖ୍ୟାଗରିଷ୍ଠ ଦଳ ‘ଡେମୋକ୍ରାଟିକ୍‌ ପାର୍ଟି’ର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ବିନା ରକ୍ତପାତରେ କ୍ଷମତା ହସ୍ତାନ୍ତର କରିବା କଥା। ତେବେ ନିର୍ବାଚନ ପରଠାରୁ ଟ୍ରମ୍ପ ଜନମତକୁୁ ସମ୍ମାନ ନ ଜଣାଇ ବିଭିନ୍ନ ଆଳ ଦେଖାଇ କ୍ଷମତାରେ ରହିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ଏଥରର ଆମେରିକା ନିର୍ବାଚନ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଭିନ୍ନ ଥିଲା। କରୋନା ପାଇଁ ନିର୍ବାଚନ ନିୟମରେ କେତୋଟି ପରିବର୍ତ୍ତନ କରାଯାଇଥିଲା। ଆମେରିକାରେ ସଂଘୀୟ ବ୍ୟବସ୍ଥା ପ୍ରଚଳିତ ଥିବାରୁ ସମୁଦାୟ ୫୦ଟି ରାଜ୍ୟ ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରିଥା’ନ୍ତି। ଆମ ଦେଶ ପରି ଅର୍ଦ୍ଧ ସଂଘୀୟ ରାଷ୍ଟ୍ର​‌େ​‌ର ଯେପରି ଗୋଟିଏ ଆଇନ ସମସ୍ତ ରାଜ୍ୟରେ ଲାଗୁ ହୁଏ ଆମେରିକାରେ ସେପରି ହୁଏ ନାହିଁ। ସେଠାରେ ୫୦ଟି ରାଜ୍ୟର ଶାସକ ନିଜନିଜ ରାଜ୍ୟ ପାଇଁ ପୃଥକ୍‌ ପୃଥକ୍‌ ଆଇନ ପ୍ରଣୟନ କରିପାରିବେ ା ଏହି କ୍ଷମତା ଆମେରିକାର ସମ୍ବିଧାନ ସେମାନଙ୍କୁ ଦେଇଛି। କରୋନା ଯୋଗୁଁ କେତୋଟି ରାଜ୍ୟ ମତଦାନ ସମୟରେ ପରିବର୍ତ୍ତନ କରିଥିଲେ ତ ଆଉ କେତୋଟି ରାଜ୍ୟ ଇ-ମେଲ୍‌ ମାଧ୍ୟମରେ ଆଗୁଆ ମତଦାନ କରିଥିଲେ। ଏହି ପ୍ରକ୍ରିୟାକୁ ଟ୍ରମ୍ପ ବିରୋଧ କରି ଆସୁଥିଲେ। ବାଲଟ ପେପରରେ ନିର୍ବାଚନ କରାଇବା ପାଇଁ ଟ୍ରମ୍ପ ପ୍ରଥମରୁ ଦାବି କରି ଆସୁଥିଲେ। ତେବେ ଦେଶର ନିର୍ବାଚନ କମିସନ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ୨ୟ ଥର ପାଇଁ କ୍ଷମତାରେ ରହିବା ପାଇଁ ଟ୍ରମ୍ପ ବହୁ ପୂର୍ବରୁ ଯୋଜନା ଚଳାଇଥିଲେ। କୌଣସି ପ୍ରକାରେ ସେ କ୍ଷମତା ଛାଡ଼ିବେ ନାହିଁ ବୋଲି ବାରମ୍ବାର ମନ୍ତବ୍ୟ ଦେଇ ଆସୁଥିଲେ। ଯେ କୌଣସି ପ୍ରକାରେ ନିର୍ବାଚନକୁ ପ୍ରଭାବିତ କରି ମାମଲା ସୁପ୍ରିମ୍‌କୋର୍ଟକୁୁ ନେବାକୁ ସେ ଚାହୁଁଥିଲେ। କାରଣ ନିର୍ବାଚନର ଏକ ମାସ ପୂର୍ବରୁ ସେ ନିଜ ପସନ୍ଦ ମୁତାବକ ୩ ଜଣ ବିଚାରପତିଙ୍କୁୁ ସୁପ୍ରିମ୍‌କୋର୍ଟରେ ନିଯୁକ୍ତ କରିଥିଲେ। ଫଳାଫଳରେ ଅସନ୍ତୁଷ୍ଟ ହୋଇ ପୁନର୍ବାର କେତେଟି ରାଜ୍ୟରେ ନିର୍ବାଚନ କରାଇବାକୁ ସେ ସୁପ୍ରିମ୍‌କୋର୍ଟରେ ମାମଲା ଦାୟର କରିଥିଲେ। ଭାବିଥିଲେ ବିଚାରପତି ନିଯୁକ୍ତ କରିଥିବା ତାଙ୍କ ସମର୍ଥକ ଟ୍ରମ୍ପଙ୍କ ସପକ୍ଷରେ ରାୟ ପ୍ରଦାନ କରିବେ ା ତେବେ ଆମେରିକା ସୁପ୍ରିମ୍‌କୋର୍ଟ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଟ୍ରମ୍ପଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଫଳରେ ଟ୍ରମ୍ପଙ୍କ କ୍ଷମତାରେ ରହିବାର ଆଶା ଧୂଳିସାତ୍‌ ହୋଇଯାଇଥିଲା।

ସବୁରି କ୍ଷେତ୍ରରେ ବିଫଳ ହେବା ପରେ ଟ୍ରମ୍ପ ନିଜ ସମର୍ଥକଙ୍କୁ ହିଂସା ପାଇଁ ଉସୁକାଇବାରେ ଲାଗିଲେ। ଫଳରେ ଆମେରିକାର ‘କ୍ୟାପିଟାଲ ହିଲ’ ସହର ସମେତ ଅନେକ ସ୍ଥାନରେ ଟ୍ରମ୍ପଙ୍କ ସମର୍ଥକ ପରାଜୟ ସ୍ବୀକାର କରି ନପାରି ହିଂସାକାଣ୍ଡ ଘଟାଇବାରେ ଲାଗିଛନ୍ତି। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏହି ହିଂସାକାଣ୍ଡ ପାଇଁ ଆମେରିକାବାସୀ ବ୍ୟଥିତ ଓ ଘୋର ମର୍ମାହତ ା ବିଶ୍ବରେ ଆମେରିକାର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ଯେଉଁ ଆମେରିକା ଅନ୍ୟ ଦେଶଗୁଡ଼ିକୁ ଗଣତନ୍ତ୍ରର ପାଠ ପଢାଉଥିଲା ସିଏ ଆଜି ହିଂସା ପୀଡ଼ିତ। ଦେଶ ଭିତରେ ଓ ବାହାରେ ସମାଲୋଚିତ ହେବା ପରେ କ୍ଷମତା ହସ୍ତାନ୍ତର କରିବାକୁ ଟ୍ରମ୍ପ ରାଜି ହୋଇଛନ୍ତି। ତେବେ ଆମେରିକା ଗଣତନ୍ତ୍ର ଇତିହାସରେ ସେ ଯେଉଁ କଳାଦାଗ ସୃଷ୍ଟି କରିଗଲେ ତାହା ଧୋଇହେବା ସମ୍ଭବ ନୁହେଁ। ଗଣତନ୍ତ୍ରରେ ଜନମତ ହିଁ ସର୍ବାଗ୍ରେ-ଏ କଥା ଟ୍ରମ୍ପ ଭୁଲିଯିବା ଉଚିତ୍‌ ନୁହେଁ।

Comments are closed.