ସମ୍ବିଧାନକୁ ସମ୍ମାନ ଦିଅ : ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଆଇନ ଅଦାଲତର କଷଟିରେ ଉତ୍ତୀର୍ଣ୍ଣ ହୋଇନପାରେ

ବିବାହ ପାଇଁ ଧର୍ମ ପରିବର୍ତ୍ତନ ସମ୍ବନ୍ଧୀୟ ‘ଉତ୍ତରପ୍ରଦେଶ ପ୍ରୋହିବିସନ୍‌ ଅଫ୍ ଅନ୍‌ଲଫୁଲ୍‌ କନଭର୍ସନ ଅଫ୍ ରିଲିଜିଅନ୍‌ ଅର୍ଡିନାନ୍ସ ୨୦୨୦’ ଆଇନରେ ପରିଣତ ହେବାର କିଛି ଘଣ୍ଟାପରେ ଏ ସମ୍ପର୍କିତ ପ୍ରଥମ ମାମଲା ବରେଲି ପୁଲିସ ଷ୍ଟେସନରେ ରୁଜୁ ହୋଇଛି। ଶରିଫନଗର ଗାଁର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଯେ ତାଙ୍କ ଝିଅକୁ ତାଙ୍କର ବିନାନୁମତିରେ ବଳପୂର୍ବକ ଜଣେ ଅନ୍ୟ ଧର୍ମାବଲମ୍ବୀ ଯୁବକ ବିବାହ କରିବାକୁ ଚାହୁଁଛି ଏବଂ ସେ ତାକୁ ଧର୍ମ ପରିବର୍ତ୍ତନ କରିବାକୁ ଯାଉଛି। ଉତ୍ତରପ୍ରଦେଶ ପରି କେତେକ ରାଜ୍ୟରେ ହିନ୍ଦୁ ଯୁବତୀମାନଙ୍କୁ ପ୍ରଲୋଭିତ କରି ବା ନିଜର ପ୍ରେମଜାଲରେ ଫସାଇ ସେମାନଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଇ ବିବାହ କରୁଥିବା ଘଟଣାକୁ ‘ଲଭ୍‌ ଜିହାଦ’ ଆଖ୍ୟା ଦିଆଯାଇଆସୁଛି। ଏପରି ବିବାହ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବେ ଉପରୋକ୍ତ ଆଇନ ପ୍ରଣୟନ କରିଛନ୍ତି। କେବଳ ଉତ୍ତର ପ୍ରଦେଶ ନୁହେଁ, ହରିୟାଣା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏଭଳି ଆଇନ ଆଣିବାକୁ ଘୋଷଣା କରିସାରିଛନ୍ତି। ଉତ୍ତରପ୍ରଦେଶ ସରକାର ଆଣିଥିବା ଆଇନ ଅନୁସାରେ ବିବାହ ଉଦ୍ଦେଶ୍ୟରେ ଯଦି ଜଣେ ମହିଳାଙ୍କର ଧର୍ମ ପରିବର୍ତ୍ତନ କରାଯାଇଥିବ, ତେବେ ଉକ୍ତ ବିବାହକୁ ଅସିଦ୍ଧ ଘୋଷଣା କରାଯାଇପାରିବ ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି। ବିବାହ ପରେ ଧର୍ମ ପରିବର୍ତ୍ତନ ନିମନ୍ତେ ଚାହୁଁଥିବା ବ୍ୟକ୍ତିଙ୍କୁ ଜିଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଏହି ଆଇନଟି ହୁଏତ ଏପରି ବିବାଦୀୟ ହୋଇନଥାନ୍ତା, ଯଦି ଏହା ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନଥା’ନ୍ତା କିମ୍ବା ଏହାର ଦୁରୁପଯୋଗର ଆଶଙ୍କା ରହୁନଥା’ନ୍ତା।
ଏପରି ଅଧ୍ୟାଦେଶ ବା ଆଇନ ନାଗରିକର କେତେକ ସାମ୍ବିଧାନିକ ଅଧିକାରକୁ ସମ୍ପୂର୍ଣ୍ଣ ରୂପେ କ୍ଷୁଣ୍ଣ କରୁଥିବାରୁ ମଧ୍ୟ ଏ ନେଇ ପ୍ରଶ୍ନ ଉଠିଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ରେ ଧାର୍ମିକ ସ୍ବାଧୀନତାର ଅଧିକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ପ୍ରଦାନ କରାଯାଇଛି। ସେହିପରି ଜଣେ ପ୍ରାପ୍ତବୟସ୍କ ନାଗରିକ କାହାକୁ ବିବାହ କରିବ ଏବଂ କେମିତି ବସବାସ କରିବ ତଥା ନିଜ ପସନ୍ଦର ବିଶ୍ବାସ, ଆସ୍ଥା ବା ଧର୍ମକୁ ଗ୍ରହଣ କରିବ, ସେଥିପାଇଁ ସମ୍ବିଧାନ ଅନୁଚ୍ଛେଦ ୨୧ରେ ସ୍ବାଧୀନତା ଦେଇଛି। ଉତ୍ତରପ୍ରଦେଶ ସରକାର ଆଣିଥିବା ଆଇନ ଏହାର ବିରୋଧାଚରଣ କରୁଛି; କାରଣ ଏହି ଆଇନ ଅନୁସାରେ ସରକାର ବା ପୁଲିସ ମହିଳାଙ୍କ ଧର୍ମ ପରିବର୍ତ୍ତନ ପଛର କାରଣକୁ ଯାଞ୍ଚ କରିପାରିବ ଏବଂ ‘ଧର୍ମ ପରିବର୍ତ୍ତନ ପାଇଁ ବିବାହ’ ହୋଇଥିଲେ ଆନ୍ତଃଧାର୍ମିକ ବିବାହକୁ ଅସିଦ୍ଧ ଘୋଷଣା କରିପାରିବ। ଏହାର ଅର୍ଥ ହେଲା, ନାଗରିକର ବ୍ୟକ୍ତିଗତ ଜୀବନ ଉପରେ ସିଧାସଳଖ ହସ୍ତକ୍ଷେପ। ଏହା କେବଳ ଅସାମ୍ବିଧାନିକ ନୁହେଁ, ଅଗଣତାନ୍ତ୍ରିକ ମଧ୍ୟ। ବିବିଧ ମତ, ପନ୍ଥ, ଧର୍ମ ସହାବସ୍ଥାନ କରୁଥିବା ଭାରତବର୍ଷରେ ଏପରି ଆଇନ ପ୍ରଣୟନ ଦୁର୍ଭାଗ୍ୟଜନକ। ଉତ୍ତରପ୍ରଦେଶ ଓ ହରିୟାଣାରେ ‘ଖାପ୍‌ ପଞ୍ଚାୟତ’ ଏପରି କାରଣରୁ ହିଁ କୁଖ୍ୟାତି ଅର୍ଜିଛି। ଦେଶ ଓ ରାଜ୍ୟରେ ଆଇନ ଅଦାଲତ ରହିଥିଲେ ହେଁ ଏହି ‘ପଞ୍ଚାୟତ’ ନାଗରିକର ବ୍ୟକ୍ତିଗତ ସ୍ବାଧୀନତା ଓ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କଲାଭଳି କାର୍ଯ୍ୟ କରିଆସିଛି। ‘ଅନର୍‌ କିଲିଂ’ ବା ‘ସମ୍ମାନ ପାଇଁ ହତ୍ୟା’ ମଧ୍ୟ ଏହାର ଏକ ସାମାଜିକ କୁପରିଣତି। ତେ​‌େ​‌ବ ସର୍ବୋଚ୍ଚ ଅଦାଲତର ତାଗିଦ୍‌ ପରେ ମଧ୍ୟ ଏହା ବନ୍ଦ ହେଉନାହିଁ। ଏବେ ଏକ ଗଣତାନ୍ତ୍ରିକ ସରକାର ସେହି ଧରଣର ଆଇନ ପ୍ରଣୟନ କରିବାକୁ ଅଦାଲତ କେଉଁ ଦୃଷ୍ଟିରେ ଦେଖୁଛନ୍ତି, ତାହା ଦେଖିବା କଥା।
ଉଲ୍ଲେଖଯୋଗ୍ୟ ଯେ ନିକଟରେ ଆହ୍ଲାବାଦ ହାଇକୋର୍ଟ ‘କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ’ ନେଇ ପ୍ରଶ୍ନ ଉଠାଇଥିବା ନିଜର ପୂର୍ବ ପ୍ରଦତ୍ତ ରାୟରେ ସଂଶୋଧନ କରିଛନ୍ତି, ଯାହାକୁ ଉଦାହରଣ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଉପରୋକ୍ତ ଆଇନଟିକୁ ପ୍ରଣୟନ କରିଛନ୍ତି। ଅଦାଲତ ସ୍ପଷ୍ଟଭାବେ କହିଛନ୍ତି ଯେ, ଆଇନ ଦୃଷ୍ଟିରେ ଜଣେ ମହିଳା ଓ ଜଣେ ପୁରୁଷ କେବଳ କୌଣସି ଧାର୍ମିକ ଗୋଷ୍ଠୀର ସଦସ୍ୟ ନୁହନ୍ତି, ସେମାନେ ‘ସ୍ବାଧୀନ ଇଚ୍ଛା ଓ ପସନ୍ଦ’ ରହିଥିବା ବ୍ୟକ୍ତି ମଧ୍ୟ। ସେହି ସ୍ବାଧୀନ ଇଚ୍ଛା ଓ ପସନ୍ଦ ରହିଥିବା ନାଗରିକଙ୍କ ପାଇଁ ପ୍ରଣୀତ ଏହି ଆଇନଟି ଅଦାଲତର କଷଟିରେ ଉତ୍ତୀର୍ଣ୍ଣ ହେବାପରି ମନେହେଉ ନାହିଁ। ବହୁଚର୍ଚ୍ଚିତ ହଦିୟା ମାମଲାରେ ସର୍ବୋଚ୍ଚ ଅଦାଲତ ୨୦୧୮ରେ ସମ୍ବିଧାନର ଅନୁଚ୍ଛେଦ ୨୧କୁ ଆଧାର କରି ବୈବାହିକ ସ୍ବାଧୀନତା ଅକ୍ଷୁଣ୍ଣ ରଖିବାକୁ ଆଦେଶ ଦେଇଥିଲେ।
କେବଳ ଉତ୍ତରପ୍ରଦେଶ ସରକାର ନୁହନ୍ତି, ଅନ୍ୟ ରାଜ୍ୟ ସରକାର ଓ ଜାତୀୟ ସରକାର ମଧ୍ୟ ବେଳେବେଳେ ଏପରି ଆଇନ ପ୍ରଣୟନ କରୁଛନ୍ତି, ଯାହା ବ୍ୟକ୍ତି ସ୍ବାଧୀନତା ଓ ନାଗରିକର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିଛି। କୋର୍ଟକଚେରି ନଥିଲେ ଗଣତାନ୍ତ୍ରିକ ସରକାରଗୁଡ଼ିକ କେତେ ଅଲୋକତାନ୍ତ୍ରିକ କାର୍ଯ୍ୟ କରନ୍ତେ, ଏସବୁ ତା’ର ଗୋଟିଏଗୋଟିଏ ପ୍ରମାଣ। ଗଣତନ୍ତ୍ରରେ ନାଗରିକ ହିଁ ସର୍ବୋପରି ଏବଂ ତା’ର ସାମ୍ବିଧାନିକ ଅଧିକାରର ସୁରକ୍ଷା ସରକାରଙ୍କର ଏକ ବଡ଼ କର୍ତ୍ତବ୍ୟ, ତାହା ଭୁଲିଯିବା ଅନୁଚିତ।

Comments are closed.