ସରକାରୀ ଖେଳ ପିଲାଙ୍କୁ କାଳ

-ଛାତ୍ରଛାତ୍ରୀଙ୍କୁ ଅଧିକ ଭାରାକ୍ରାନ୍ତ କରାନଯାଉ

ଶିକ୍ଷାବର୍ଷ ଆରମ୍ଭ ହୋଇ ଡିସେମ୍ବରରେ ଷାଣ୍ମାସିକ ପରୀକ୍ଷା ଦେବା କଥା; କିନ୍ତୁ ଏ ଯାବତ୍‌ ଯୁକ୍ତ ୨ ଓ ୩ ପାଇଁ ନାମଲେଖା ପ୍ରକ୍ରିୟା ଶେଷ ହୋଇନାହିଁ। କରୋନା ଯୋଗୁଁ ସବୁ କ୍ଷେତ୍ର ପରି ଶିକ୍ଷାକ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ହେଉଛି ସରକାର ଓ ଶିକ୍ଷା ବିଭାଗ ମଧ୍ୟରେ କୌଣସି ତାଳମେଳ ରହୁନାହିଁ। ସୁତରାଂ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି।

ରାଜ୍ୟରେ ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଚଳିତ ମାସ ୪ ତାରିଖରେ ଉଚ୍ଚଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ କରୋନାର ଦ୍ୱିତୀୟ ଲହଡ଼ି ଆଶଙ୍କାରେ ଘୋଷଣାର ୨୪ ଘଣ୍ଟା ପରେ ନିଷ୍ପତ୍ତି ବଦଳାଇଥିଲେ ସରକାର। ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। କେବେ ଶିକ୍ଷାନୁଷ୍ଠାନ ଖୋଲିବ ଓ ପରୀକ୍ଷା ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ପରୀକ୍ଷା ଦିବସ ଘୋଷଣା ନେଇ ମଧ୍ୟ ମନ୍ତ୍ରୀ ଗୋଟିଏ ତାରିଖ କହିଥିବାବେଳେ ବିଭାଗ ପକ୍ଷରୁ ଏକାଧିକ ବାର ଏହାର ପରିବର୍ତ୍ତନ କରାଯାଇଛି।

କରୋନା ଯୋଗୁ ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ହେବନି ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିଲେ। ପରୀକ୍ଷା ହେବ କି ହେବନାହିଁ ତାକୁ ନେଇ ବାରମ୍ବାର ଦ୍ୱନ୍ଦ୍ୱ ଦେଖାଯାଇଥିଲା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ବିନା ପରାମର୍ଶରେ ସରକାର ପରୀକ୍ଷା ବାତିଲ ନିଷ୍ପତ୍ତି ନେଇଥିଲେ। ପୁନର୍ବାର ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ଓ ୟୁଜିସି ନିର୍ଦେଶ ଦେବା ପରେ ନିଷ୍ପତ୍ତି ବଦଳିଥିଲା। ସେହିପରି ମାଟ୍ରିକ ପାଠପଢା ଚଳିତବର୍ଷ ସ୍ବାଭାବିକଭାବେ ଆରମ୍ଭ ହୋଇ ନଥିବାବେଳେ ବିଭାଗ ଓ ମନ୍ତ୍ରୀଙ୍କ ଅଗୋଚରରେ ଫର୍ମ ପୂରଣ ପାଇଁ ବିଜ୍ଞପ୍ତିି ପ୍ରକାଶ ପାଇଥିଲା। ସବୁ ଆଡୁ ବିରୋଧ ହେବା ପରେ ବିଭାଗୀୟ ମନ୍ତ୍ରୀ ବିଜ୍ଞପ୍ତି ରଦ୍ଦ ପାଇଁ ଘୋଷଣା କରିଥିଲେ।

କରୋନା କାଳରେ ରାଜ୍ୟ ନିଜ ସ୍ଥିତି ଅନୁସାରେ ନିଷ୍ପତ୍ତି ନେଇପାରିବେ; କିନ୍ତୁ ବହୁ କ୍ଷେତ୍ରରେ ଦେଖାଯାଉଛି ବିଭାଗ ଓ ମନ୍ତ୍ରୀଙ୍କ ମଧ୍ୟରେ କୌଣସି ତାଳମେଳ ରହୁନାହିଁ। ଏହାର ସିଧାସଳଖ ଚାପ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି। କରୋନା ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହେବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଏକପ୍ରକାର ମନସ୍ତାପରେ ରହୁଛନ୍ତି। ତା’ ଉପରେ ସରକାରଙ୍କ ଏଭଳି ଭେଳିକି ସେମାନଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଆଜିର ଦିନରେ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା କେବେ ହେବ ତାହା କେହି କହିପାରିବେ ନାହିଁ; କିନ୍ତୁ ବିଭାଗୀୟ ମନ୍ତ୍ରୀ ବାରମ୍ବାର ଭିନ୍ନଭିନ୍ନ ମନ୍ତବ୍ୟ ଦେଇ ଛାତ୍ରଛାତ୍ରୀଙ୍କ ମାନସିକ ଚାପକୁ ଆହୁରି ବଢ଼ାଉଛନ୍ତି। ଦିନକ ତଳେ ମନ୍ତ୍ରୀ ପୁନର୍ବାର କହୁକହୁ କହିଛନ୍ତି, ବିଭାଗ ପକ୍ଷରୁ ନୂତନ ଶିକ୍ଷା କ୍ୟାଲେଣ୍ଡର ଶୀଘ୍ର ପ୍ରକାଶ ପାଇବ। ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଶିକ୍ଷାନୁଷ୍ଠାନରେ ୩ ମାସ ପାଠ ପଢ଼ାଯିବା ପରେ ବାର୍ଷିକ ପରୀକ୍ଷା କରାଯିବ। ଏଠାରେ ଅଭିଭାବକ ମନ୍ତ୍ରୀଙ୍କ ଏହି ଘୋଷଣାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି; କାରଣ ଏହି ନିଷ୍ପତ୍ତି ମଧ୍ୟ ବଦଳିପାରେ। କୌଣସି ବିଷୟରେ ନିଶ୍ଚିତ ନିଷ୍ପତ୍ତି ନନେଇ ଏହିପରି ବାରମ୍ବାର ଘୋଷଣା କରାଯିବା ଦ୍ବାରା କୋମଳମତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମାନସିକ ଚାପ ବଢ଼ିଚାଲିଛି। ଏଭଳି ଅଯଥା ବୟାନରୁ ରାଜନୈତିକ ବ୍ୟକ୍ତି ନିବୃତ୍ତ ରହିବା ଆବଶ୍ୟକ। ରାଜ୍ୟ ଓ କେନ୍ଦ୍ର ବିବାଦ ମଧ୍ୟ ଏହି ପ୍ରସଙ୍ଗରୁ ବାଦ୍‌ ପଡିନାହିଁ। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ପରସ୍ପରକୁ ଦାୟୀ କରୁଥିବା ଦେଖାଯାଇଛି। ତେବେ ଏ ସଂପର୍କରେ ଅଭିଭାବକ ସଂଘ ଯେଉଁ ପ୍ରସ୍ତାବମାନ ଦେଇଛନ୍ତି, ତାହା ବିଚାରଣୀୟ। ସଂଘ ମତାନୁଯାୟୀ, ୨୦୨୧ ଜାନୁଆରୀ ପ୍ରଥମ ସପ୍ତାହରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ କରାଯାଉ; ଜୁଲାଇରେ ପରୀକ୍ଷା ଓ ଅଗଷ୍ଟରେ ପରୀକ୍ଷା ଫଳ ପ୍ରକାଶ ପାଉ; ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ପ୍ରମୋସନ୍ ଦିଆଯାଉ ଏବଂ ସେପ୍ଟେମ୍ବରରୁ ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ହେଉ।

ଅପରପକ୍ଷେ, ମହାମାରୀ ସମୟରେ ଗୋଟିଏ ପଟେ ଅଭିଭାବକ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି ଓ ଅନ୍ୟପଟେ ପିଲାଙ୍କ ଭବିଷ୍ୟତ ନେଇ ସରକାରୀ ଖେଳରେ ସେମାନେ ଅଧିକ ଚାପଗ୍ରସ୍ତ ହେଉଛନ୍ତି। ଆଉ ଏକ ଦିଗ ହେଉଛି ଅନ୍‌ଲାଇନ ପାଠପଢ଼ା। ରାଜ୍ୟର ୬୦ ପ୍ରତିଶତ ଛାତ୍ରଛାତ୍ରୀ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସ୍ମାର୍ଟଫୋନ ପରି ଡିଜିଟାଲ ଉପକରଣର ଅଭାବ ଏବଂ ଶିକ୍ଷକମାନଙ୍କ ଅନ୍‌ଲାଇନ ଶିକ୍ଷା ସମ୍ପର୍କରେ ଅଜ୍ଞତା ସମସ୍ୟାକୁ ବହୁଗୁଣିତ କରିଛି। ଅନେକ ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା କାମ କରୁନାହିଁ। ଯେଉଁଠି କାମ କରୁଛି, ଅଭିଭାବକଙ୍କୁ ଇଣ୍ଟରନେଟ୍‌ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଯାହାର ଦୁଇଟି ପିଲା ପାଠ ପଢ଼ୁଛନ୍ତି, ସେମାନଙ୍କର ଦୁଇଗୁଣ ଖର୍ଚ୍ଚ, ପୂର୍ବରୁ ଯାହା କରିବାକୁ ପଡ଼ୁନଥିଲା। ଏପରି ସ୍ଥିତିରେ ସରକାରୀ ସ୍ତରର ବିଭ୍ରାନ୍ତି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଅଧିକ ମାନସିକ ଦୁଶ୍ଚିନ୍ତା ମଧ୍ୟକୁ ଠେଲି ଦେଇଛି। ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏଭଳି ପରିସ୍ଥିତି ଦେଖାଯାଉ ନାହିଁ। ତେଣୁ ସରକାର ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଅଧିକ ବିଭ୍ରାନ୍ତ ନ କରି ସମସ୍ୟାର କିପରି ସହଜ ସମାଧାନ ହେବ ଏ ନେଇ ଚିନ୍ତା କରିବା ଉଚିତ। ସର୍ବୋପରି ଲକ୍ଷଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଏହା ଜଡ଼ିତ ଥିବାରୁ ଆଗପଛ ଓ ହାନିଲାଭ ବିଚାର କରି ଯେ କୌଣସି ନିଷ୍ପତ୍ତି ନେବା ବାଞ୍ଛନୀୟ।

Comments are closed.