ସ୍ବତନ୍ତ୍ର ଦୀପାବଳି: ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ନିୟମ ମାନିବା

ଆଜି ଦୀପାବଳି। ଏ ପର୍ବର ମହତ୍ତ୍ବ ବିଷୟରେ ବୁଝାଇ କହିବାର ଆବଶ୍ୟକତା ନାହିଁ। ଏଥିସହ ସଂପୃକ୍ତ ପୌରାଣିକ ଗାଥା ଆମେ ସମସ୍ତେ ପ୍ରାୟ ଜାଣିଛୁ। ମୁଖ୍ୟତଃ ଏହା ଦୀପର ପର୍ବ। ପ୍ରତ୍ୟେକ ପର୍ବପର୍ବାଣିର ମୂଳ ଉଦ୍ଦେଶ୍ୟ ହେଉଛି ପରିବାରଠୁ ଆରମ୍ଭ କରି ସମ୍ପ୍ରଦାୟ, ଗାଁ, ରାଜ୍ୟ ଓ ଦେଶ ପର୍ୟ୍ୟନ୍ତ, ପାରସ୍ପରିକ ସଂପ୍ରୀତି ବୃଦ୍ଧି; କିନ୍ତୁ ଚଳିତବର୍ଷ ଦୀପାବଳି ଏପରି ସମୟରେ ଆସିଛି, ଯେତେବେଳେ କି ଆମେ ‘ସାମାଜିକ ଦୂରତା’ ଅବଲମ୍ବନ କରିବାକୁ ବାଧ୍ୟ ହେଉଛୁ। କୋଭିଡ-୧୯ ମହାମାରୀ କେବଳ ଆମ ଦୈନନ୍ଦିନ ଜୀବନଚର୍ୟ୍ୟା ନୁହେଁ, ସଂପର୍କର ମାଧ୍ୟମକୁ ବି ବଦଳାଇ ଦେଇ ତା’ର ସୀମାରେଖା ଟାଣିଦେଇଛି। ଆମେ ନିଜକୁ ଏବଂ ଅନ୍ୟମାନଙ୍କୁ ନିରାପଦ ଓ ରୋଗମୁକ୍ତ ରଖିବାପାଇଁ ଏହା ଜରୁରୀ।

ଓଡ଼ିଶାରେ ଏବେ ପାର୍ବଣ ଋତୁ ଚାଲିଥିଲେ ହେଁ ସେପରି ହର୍ଷୋଲ୍ଲାସ ନାହିଁ, ଯାହା ସ୍ବାଭାବିକ। ମହାମାରୀର ପ୍ରକୋପ ନଯିବା ପର୍ୟ୍ୟନ୍ତ ଆମକୁ ନିୟମ ମାନି ଚଳିବାକୁ ହିଁ ହେବ। ଦୀପାବଳିରେ ଦୀପ ତ ଜଳାଯାଏ; କିନ୍ତୁ ବାଣ, ଫଟ୍‌କା ଆଦି ଫୁଟାଇ ଲୋକେ ଖୁସି ମନାଇଥାନ୍ତି। ତେବେ ଚଳିତବର୍ଷ ସରକାର ଦୀପାବଳିରେ ବାଣ ଫୁଟାଇବାକୁ ନିଷେଧ କରିଛନ୍ତି। କେବଳ ଓଡ଼ିଶା ସରକାର ନୁହନ୍ତି; ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ସିକ୍କିମ, ଚଣ୍ଡିଗଡ଼ ଓ ହରିୟାଣା ଆଦି ରାଜ୍ୟ ମଧ୍ୟ ଏହି ସମାନ ନିୟମ ପ୍ରଣୟନ କରିଛନ୍ତି। ବାଣ, ଫଟ୍‌କା ଆଦି କିଣାବିକା ଓ ବ୍ୟବହାରକୁ ଦଣ୍ଡନୀୟ କରାଯାଇଛି। ଏହା ଏଇଥିପାଇଁ ଯେ ବାଣ ଫୁଟାଇବା ଦ୍ବାରା ବାୟୁ ଅଧିକ ପ୍ରଦୂଷିତ ହୁଏ। ଦୀପାବଳି ପରଦିନ ସକାଳେ ବାୟୁମଣ୍ଡଳରେ କୁହୁଡ଼ି ଭଳି ଏକ ଆସ୍ତରଣ ଆମେ ଦେଖିବାକୁ ପାଉ। ନିଶ୍ବାସପ୍ରଶ୍ବାସ ନେବାରେ ମଧ୍ୟ କଷ୍ଟ ହୁଏ। ଦିଲ୍ଲୀ ଭଳି ବଡ଼ବଡ଼ ନଗରୀରେ ଏହା ଅତି ବିପଜ୍ଜନକ ସ୍ତରରେ ପହଞ୍ଚିଯାଏ। ଏଥିରୁ ଆମେ ଜାଣୁଥିବା ଯେ ଏହି ସମୟରେ ବାୟୁ କେତେ ପ୍ରଦୂଷିତ ହୋଇଥାଏ। ଏହି କାରଣରୁ କେବଳ ରାଜ୍ୟ ସରକାର ନୁହନ୍ତି; ‘ନେସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌’ ମଧ୍ୟ ନିମ୍ନମାନର ବାୟୁ ଥିବା ଅର୍ଥାତ୍‌ ପ୍ରଦୂଷଣଯୁକ୍ତ ସହରଗୁଡ଼ିକରେ ଚଳିତମାସରେ ବାଣ ବିକ୍ରିକୁ ନିଷିଦ୍ଧ ଘୋଷଣା କରିଛନ୍ତି।

ଏସବୁ ନିୟମାବଳୀ ଓ ନିର୍ଦେଶକୁ ଜନସାଧାରଣ ପାଳନ କରିବା ସର୍ବାଦୌ ଆବଶ୍ୟକ। ଇତିମଧ୍ୟରେ ଲକ୍ଷଲକ୍ଷ ଟଙ୍କାର ବାଣ ଜବତ ହୋଇଛି। ସରକାର ଏହାକୁ ନିଷେଧ କରିଥିଲେ ମଧ୍ୟ ବ୍ୟବସାୟୀ ଓ ଲୋକେ ସେଥିପ୍ରତି ଭ୍ରୂକ୍ଷେପ କରୁନାହାନ୍ତି। ଲୋକଙ୍କର ସ୍ବାସ୍ଥ୍ୟ ସଙ୍କଟକୁ ଦୃଷ୍ଟି ନଦେଇ ଏପରି ବେନିୟମ କାର୍ୟ୍ୟ କରିବା ଆଦୌ ସ୍ପୃହଣୀୟ ନୁହେଁ। ଆମେ ସମସ୍ତେ ସଚେତନ ହୋଇ ଚଳିତବର୍ଷ ବାଣ, ଫଟ୍‌କା ଆଦି ଫୁଟାଇବାରୁ ନିବୃତ୍ତ ହେବା। ଚଳିତବର୍ଷର ଦୀପାବଳିକୁ ଆମେ ନିଜ ଘରେ ସ୍ବତନ୍ତ୍ର ଭାବେ ପାଳନ କରିବା। ତାହା ହିଁ ସମସ୍ତଙ୍କ ପାଇଁ କଲ୍ୟାଣକର ହେବ।

Comments are closed.