ଜନାଦେଶର ସନ୍ଦେଶ , ବହୁ ଆକଳନ ଓ ଅପବାଦ ଭୁଲ୍‌ ପ୍ରମାଣିତ

ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳ ଉପରେ ସମଗ୍ର ଦେଶର ଦୃଷ୍ଟି ନିବଦ୍ଧ ରହିଥିବାବେଳେ ଫଳ ଘୋଷଣା ବିଳମ୍ବ ହୋଇଛି। ବିଶେଷତଃ କରୋନା ମହାମାରୀଜନିତ ସମସ୍ୟା ଯୋଗୁଁ ବିହାର ନିର୍ବାଚନ ଫଳ ଠିକ୍‌ ସମୟରେ ପ୍ରକାଶ ପାଇପାରିନାହିଁ। ତେବେ ୮୦ ଶତାଂଶ ଭୋଟ ଗଣନା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ବୁଥ୍‌ବାହୁଡ଼ା ମତକୁ ନେଇ କରାଯାଇଥିବା ଆକଳନର ବିପରୀତ କୁହାଯାଇପାରେ; କାରଣ ଗୋଟିଏକୁ ଛାଡ଼ି ସମସ୍ତ ପୂର୍ବାନୁମାନରେ ଆର୍‌ଜେଡି ନେତୃତ୍ବାଧୀନ ମହାମେଣ୍ଟ ବିଜୟୀ ହେବ ଏବଂ ଏନ୍‌ଡିଏ ପଛରେ ପଡ଼ିଯିବ ବୋଲି କୁହାଯାଇଥିଲା। କିନ୍ତୁ ଯାହା ଜଣାପଡ଼ୁଛି ୨୪୩ଟି ଆସନ ଭିତରୁ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ୍‌ ପାଇଁ ଆବଶ୍ୟକ ସଂଖ୍ୟା ୧୨୨କୁ ଟପିଯିବ କିମ୍ବା ଅଳ୍ପ କେତୋଟି ଆସନରେ ପଛରେ ପଡ଼ିପାରେ। ଅନ୍ୟପକ୍ଷରେ ମହାମେଣ୍ଟ ଏନ୍‌ଡିଏର କଡ଼ା ମୁକାବିଲା କରିବା ସହ ତା’ର ପାଖାପାଖି ଆସନ ହାସଲ କରିଛି। ବହୁ ଆସନରେ ଉଭୟ ମେଣ୍ଟ ଭିତରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ସେ ଯାହାହେଉ, ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳକୁ ବିଶ୍ଳେଷଣ କଲେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷ ପ୍ରତିଭାତ ହୁଏ।

ପ୍ରଥମ: ବିଜେପିର ଚମତ୍କାର ପ୍ରଦର୍ଶନ ସର୍ବାଦୌ ଉଲ୍ଲେଖନୀୟ। ବିଧାନସଭା ନିର୍ବାଚନଗୁଡ଼ିକରେ ‘ମୋଦି ଫ୍ୟାକ୍ଟର’ କାମ କରୁନାହିଁ ବୋଲି ଯେଉଁ ଅପବାଦ ଥିଲା, ତାକୁ ଭୁଲ୍‌ ପ୍ରମାଣିତ କରିଛି ବିହାର। ନଭେମ୍ବର-ଡିସେମ୍ବର ୨୦୧୮ରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବା ସେହିବର୍ଷ ମେ’ରେ କର୍ଣ୍ଣାଟକ ନିର୍ବାଚନରେ ବିଜେପିର ନିମ୍ନ ପ୍ରଦର୍ଶନ ପରେ ମୋଦିଙ୍କ ଲୋକପ୍ରିୟତାକୁ ନେଇ ପ୍ରଶ୍ନ ଉଠିଥିଲା। ଏଥର ହୁଏତ ମୋଦିଙ୍କ ବ୍ୟକ୍ତିତ୍ବ ବିହାରରେ କାମ କରିଛି। ତେବେ ବିଜେପିର ଏହି ବିଜୟ ପଛରେ ବିଜେପିର ମୁଖ୍ୟ ରଣନୀତିକାର ଅମିତ ଶାହଙ୍କ ଗୋଟିଚାଳନା ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସେ ଏହି ନିର୍ବାଚନରେ ଅଦୃଶ୍ୟ ଚାଣକ୍ୟ ଭାବେ କାମ କରୁଥିବା ଦେଖାଯାଇଥିଲା, ଯିଏ ନୀତୀଶ କୁମାରଙ୍କୁ ବିଭିନ୍ନ ପ୍ରକାରର ପରାମର୍ଶ ଦେଉଥିଲେ। ଜେଡିୟୁର ଅନେକ ନେତା ଏଥିରେ ସନ୍ଦେହ ପ୍ରକଟ କରିଥିଲେ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଯେ ବିଜେପି ଜେଡିୟୁକୁ ପଛକୁ ଠେଲି ଅଧିକ ଆସନ ହାସଲ କରିବ ଏବଂ ମେଣ୍ଟରେ ବଡ଼ଭାଇପଣିଆ ଜାହିର୍‌ କରିବା ପାଇଁ ରାସ୍ତା ଖୋଲିଯିବ। ଏହା ନୀତୀଶଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ନିଶ୍ଚିତ।

ଦ୍ବିତୀୟ: ବିହାରରେ ୨୦୦୫ ପୂର୍ବର ‘ଜଙ୍ଗଲରାଜ’କୁ କ୍ରମଶଃ ‘ସୁଶାସନ’ରେ ପରିଣତ କରି ‘ସୁଶାସନ କୁମାର’ ବୋଲାଉଥିବା ନୀତୀଶ କୁମାର ପଛରେ ପଡ଼ିଯାଇଛନ୍ତି ସତ୍ୟ, କିନ୍ତୁ ତାଙ୍କ ଉପରୁ ଏପର୍ଯ୍ୟନ୍ତ ଲୋକଙ୍କର ଭରସା ସମ୍ପୂର୍ଣ୍ଣ ତୁଟିନାହିଁ। ବିଶେଷକରି ମହିଳା, ଅତି ପଛୁଆ ବର୍ଗ, ଦଳିତ ଏବଂ ଅଣ-ପାଶ୍ବାନ ଅନୁସୂଚିତ ଜାତିର ଲୋକେ ଏଥର ମଧ୍ୟ ନୀତୀଶଙ୍କୁ ଭୋଟ ଦେଇଛନ୍ତି। ତେବେ ଲୋକ ଜନଶକ୍ତି ପାର୍ଟି (ଲୋଜପା) ଏ ନିର୍ବାଚନରେ ଭୋଟ କାଟିଥିବାରୁ ତାଙ୍କର ଅନେକ କ୍ଷତି ହୋଇଥିବା ଜଣାପଡ଼ୁଛି। ଏହା ମଧ୍ୟ ବିଜେପିର ଏକ ରଣନୀତିର ଅଂଶବିଶେଷ; କାରଣ ମୋଦୀ ଲୋଜପା ଅଧ୍ୟକ୍ଷ ଚିରାଗ ପାଶୱାନଙ୍କ ଉପରେ ନିର୍ବାଚନ ପ୍ରଚାରବେଳେ ଆକ୍ରମଣ କରିନଥିଲେ ଏବଂ ବିଜେପିର ଅନେକ ବିଦ୍ରୋହୀ ନେତା ଲୋଜପାରେ ମିଶିଥିଲେ। ଚିରାଗ ମଧ୍ୟ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଛିଡ଼ା କରାଇଥିଲେ। ବିଜେପିକୁ ଏହାର ଲାଭ ମିଳିଛି ଏବଂ ଜେଡିୟୁ କ୍ଷତିଗ୍ରସ୍ତ ହୋଇଛି।

ତୃତୀୟ: ବିହାର ନିର୍ବାଚନ ଫଳରୁ ଯେଉଁ ଅତି ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷ ଆସିଛି, ସେଥିରୁ ଅନ୍ୟତମ ହେଲା ତେଜସ୍ବୀ ଯାଦବଙ୍କ ତେଜ ପ୍ରକାଶ। ସେ ଯଥାର୍ଥରେ ନିଜ ପିତା ଲାଲୁପ୍ରସାଦଙ୍କଠାରୁ ବି ଅଧିକ କୁଶଳୀ ରଣନୀତିକାର ସାବ୍ୟସ୍ତ ହୋଇପାରିଛନ୍ତି। ଏହା ଅବଶ୍ୟ ପୂର୍ବରୁ ଜଣାପଡ଼ୁଥିଲା ଯେ ସେ ଖୁବ୍‌ ଦୃଢ଼ ଭାବେ ନିଜର ପ୍ରତିପକ୍ଷର ସମ୍ମୁଖୀନ ହୋଇପାରନ୍ତି। ବାମ ଦଳଗୁଡ଼ିକୁ ମହାମେଣ୍ଟରେ ସାମିଲ୍‌ କରିବାଠାରୁ ଆରମ୍ଭ କରି କ୍ଷମତାସୀନ ଏନ୍‌ଡିଏର ବିଭିନ୍ନ ଅପାରଗତାକୁ ପଦାରେ ପକାଇ ଲୋକଙ୍କର ଶ୍ରଦ୍ଧାଭାଜନ ହେବା ତାଙ୍କ ସଫଳ ରଣନୀତିର ଅଂଶବିଶେଷ। ଏପରିକି ସେ ପ୍ରଚାରପତ୍ରରେ ପିତା ଲାଲୁପ୍ରସାଦଙ୍କ ଫଟୋ ଲଗାଇନଥିଲେ, କାରଣ ସେ ଜାଣିଥିଲେ ଯେ ସେପରି କଲେ ତାଙ୍କ ପ୍ରତିପକ୍ଷକୁ ‘ଜଙ୍ଗଲରାଜ’ କହିବାର ସୁଯୋଗ ମିଳିଯିବ! ସେ ଦୁଇବର୍ଷ ନୀତୀଶଙ୍କ ସହ ଶାସନକ୍ଷେତ୍ରରେ ରହିବା ମଧ୍ୟ ତାଙ୍କପାଇଁ ଏକ ଚମତ୍କାର ଅଭିଜ୍ଞତା, ଯାହାକୁ ନେଇ ବିହାରର ଆଗଧାଡ଼ିର ନେତା ହେବାପାଇଁ ନିଜକୁ ଯୋଗ୍ୟ କରିପାରିଛନ୍ତି। ବିହାର ନିର୍ବାଚନରେ ବାମ ଦଳଗୁଡ଼ିକର ଆଖିଦୃଶିଆ ସଫଳତା ମଧ୍ୟ ଉଲ୍ଲେଖନୀୟ।

ଅପରପକ୍ଷେ, ବିଭିନ୍ନ ରାଜ୍ୟର ଉପନିର୍ବାଚନଗୁଡ଼ିକରେ ଓଡ଼ିଶାକୁ ଛାଡ଼ିଦେଲେ ବିଜେପି ଏଥର ଚମତ୍କାର ସଫଳତା ହାସଲ କରିବା ସହ ପୂର୍ବରୁ ଥିବା ଅପବାଦଗୁଡ଼ିକୁ ଦୂରେଇପାରିଛି। ବିଶେଷତଃ ଗୁଜରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟର ଉପନର୍ବାଚନରେ ଆଶାନୁରୂପ ଫଳ ହାସଲ କରିଛି। ଅବଶ୍ୟ ଓଡ଼ିଶାରେ ହୋଇଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ବାଲେଶ୍ବର ଓ ତିର୍ତ୍ତୋଲ୍‌ ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଶାସକ ଦଳ ବିଜେଡିଠାରୁ ବିଜେପିକୁ ପରାଜିତ ହେବାକୁ ପଡ଼ିଛି। ଏହା ନିଶ୍ଚିତଭାବେ ବିଜେପି ପାଇଁ ଓଡ଼ିଶାରେ ଏକ ବଡ଼ ଶିକ୍ଷା। ଅନ୍ୟପକ୍ଷରେ ବିଜେଡି ପୁଣିଥରେ ତା’ର ପ୍ରତିପତ୍ତି ସାବ୍ୟସ୍ତ କରି ଦର୍ଶାଇଦେଇଛି ଯେ ତାହା ଏବେ ବି ଅପରାଜେୟ।

Comments are closed.