ମଳିନ ଜାତିସଙ୍ଘ – ସଂସ୍କାର ଏକାନ୍ତ ଅପରିହାର୍ୟ୍ୟ

ଯେଉଁ ଶାସନରେ ମଣିଷର ଅଧିକାର ସୁରକ୍ଷିତ ନୁହେଁ ତାହା ନିଃସନ୍ଦେହରେ କୁଶାସନ। ଗଣତାନ୍ତ୍ରିକ ମାନବବାଦୀ ଶାସନ ବ୍ୟବସ୍ଥାରେ ଦୁଃଶାସକମାନଙ୍କର ସ୍ଥାନ ନାହିଁ। ଏବେ ସାରା ବିଶ୍ବରେ ଗଣତନ୍ତ୍ର ଓ ମାନବାଧିକାରର ଜୟଗାନ ସତ୍ତ୍ବେ କେତେକ ଦେଶରେ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ରହିଛି ଯେଉଁଠି ମାନବାଧିକାରର ସୁରକ୍ଷା ଏକ ସ୍ବପ୍ନ। ସେ ସବୁ ଦେଶର ଶାସନ ବ୍ୟବସ୍ଥା ଓ ଆଦର୍ଶରେ ରାଷ୍ଟ୍ର ପ୍ରଥମ ଏବଂ ବ୍ୟକ୍ତି ଗୌଣ। ଚୀନ, ରୁଷିଆ, ପାକିସ୍ତାନ, କ୍ୟୁବା, ସାଉଦି ଆରବ, ଉଜ୍ବେକିସ୍ଥାନ ଓ କେତେକ ଆଫ୍ରିକୀୟ ରାଷ୍ଟ୍ର ଏହି ତାଲିକାରେ ସର୍ବାଗ୍ରେ।

ଆଧୁନିକ ବିଶ୍ବ ଓ ଏହାର ବ୍ୟବସ୍ଥା ମାନବାଧିକାରକୁ ଅଗ୍ରାଧିକାର ଦେଇ ଏହାର ସୁରକ୍ଷାକୁ ନିଶ୍ଚିତ କରିବାକୁ ଉଦ୍ୟମ କରି ଆସୁଛି। ସେଥିପାଇଁ ମିଳିତ ଜାତିସଙ୍ଘରେ ଏକ ମାନବାଧିକାର ପରିଷଦ ରହିଛି ଯାହା ଏହି ବ୍ୟାପାର ସଂକ୍ରାନ୍ତ ବିଶ୍ବର ସର୍ବୋଚ୍ଚ ସଂସ୍ଥା। ପରିତାପର ବିଷୟ ହେଲା ଜାତିସଙ୍ଘ ସାଧାରଣ ପରିଷଦର ସଦସ୍ୟଙ୍କ ଭୋଟ ଆଧାରରେ ଏହି ପରିଷଦକୁ ଏଥର ଯେଉଁସବୁ ରାଷ୍ଟ୍ର ନିର୍ବାଚିତ ହୋଇଛନ୍ତି ସେମାନଙ୍କର ଜାତୀୟ ମାନବାଧିକାର ସୁରକ୍ଷା ରେକର୍ଡ ଅତ୍ୟନ୍ତ ଖରାପ ଏବଂ ଆପତ୍ତିଜନକ। ଏହି ନବନିର୍ବାଚିତ ରାଷ୍ଟ୍ରମାନେ ହେଲେ ଚୀନ, ପାକିସ୍ତାନ, ରୁଷିଆ, କ୍ୟୁବା ଓ ଉଜ୍ବେକିସ୍ଥାନ। କେବଳ ନେପାଳକୁ ଛାଡ଼ିଦେଲେ ଅନ୍ୟ ସବୁ ନବନିର୍ବାଚିତ ଦେଶ ବିରୋଧରେ ମାବାଧିକାର ଉଲ୍ଲଙ୍ଘନର ଗୁରୁତର ଅଭିଯୋଗ ରହିଛି?

ଜାତିସଙ୍ଘର ୧୯୩ ସଦସ୍ୟ ବିଶିଷ୍ଟ ସାଧାରଣ ପରିଷଦରେ ଗୁପ୍ତ ମତଦାନ ବ୍ୟବସ୍ଥାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ସର୍ବାଧିକ ୧୬୯, ଉଜ୍ବେକିସ୍ଥାନ ୧୬୪, ନେପାଳ ୧୫୦, ଚୀନ ୧୩୯ ଓ କ୍ୟୁବା ଶତାଧିକ ଭୋଟ ପାଇଁ ନିର୍ବାଚିତ ହୋଇଥିବା ବେଳେ ମାତ୍ର ୯୦ ଭୋଟ ପାଇ ସାଉଦିଆରବ ହାରି ଯାଇଛି। ନେପାଳକୁ ଛାଡ଼ିଦେଲେ ମାନବାଧିକାର ପରିଷଦକୁ ଏଥର ନିର୍ବାଚିତ ହୋଇଥିବା ରାଷ୍ଟ୍ରଗୁଡ଼ିକର ମାନବାଧିକାର ସୁରକ୍ଷା ରେକର୍ଡ଼ ଅତ୍ୟନ୍ତ ଖରାପ। ବିଡ଼ମ୍ବନା ହେଉଛି ୟୁରୋପ ଓ ଆମେରିକୀୟ ରାଷ୍ଟ୍ର, ଯେଉଁମାନେ ମାନବାଧିକାର ସୁରକ୍ଷାର ଦୃଢ଼ ସମର୍ଥକ, ସେମାନଙ୍କ ବିରୋଧ ଓ ପ୍ରତ୍ୟକ୍ଷ ପ୍ରଚାର ସତ୍ତ୍ବେ ଏସବୁ ରାଷ୍ଟ୍ର ନିର୍ବାଚିତ ହୋଇଛନ୍ତି। ଏହି ଫଳାଫଳକୁ ତାଚ୍ଛଲ୍ୟ କରି ଆମେରିକା କହିଛି ଯେ ଯେଉଁମାନେ ମାନବାଧିକାରର ପ୍ରମୁଖ ଉଲ୍ଲଙ୍ଘନକାରୀ ସେମାନେ ଏବେ ଏହାର ସୁରକ୍ଷା କଥା ବିଶ୍ବବ୍ୟାପୀ ବୁଝିବେ। ଗୁପ୍ତଭୋଟ, ଆଞ୍ଚଳିକ ଲବି ଓ ଅନୈତିକ ମେଣ୍ଟ ଯୋଗୁଁ ଏହା ସମ୍ଭବ ହେଉଥିବା ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ଯେ ତାଙ୍କ ଦେଶ ୨୦୧୮ରୁ ଏହି ପରିଷଦର ସଭ୍ୟପଦରୁ ଇସ୍ତଫା ଦେଇ ଉଚିତ ପଦକ୍ଷେପ ନେଇଛି। ତାଙ୍କର ଏହି ବିବୃତି ବିଶ୍ବ ମାନବାଧିକାର ସୁରକ୍ଷା ପାଇଁ ବିଶେଷ ସହାୟକ ହେବନାହିଁ। ଆମେରିକା ତାହାର ୟୁରୋପୀୟ ମିତ୍ରମାନଙ୍କୁ ନେଇ ଏସବୁ ଦେଶଙ୍କ ବିରୋଧରେ ଅଧିକ ପ୍ରକାର କରିଥିଲେ ସେମାନଙ୍କ ବିଜୟ ସହଜ ହୋଇନ’ଥାନ୍ତା।

ଏହି ଘଟଣାରେ ଆନ୍ତର୍ଜାତିକ ମାନବାଧିକାର ସୁରକ୍ଷା କର୍ମକର୍ତ୍ତା ଓ ସଦସ୍ୟମାନେ କ୍ଷୁବ୍ଧ ହେବା ସ୍ବାଭାବିକ। ସେହିଭଳି ବାସ୍ତବ ଗଣତାନ୍ତ୍ରିକ ଚେତନା ପ୍ରତି ଗୁରୁତ୍ବ ଦେଉଥିବା ଦେଶମାନେ ମଧ୍ୟ ଏହି ଘଟଣାରେ ଅସୁଖୀ ହେବା ସ୍ବାଭାବିକ। ନିୟମ ଉଲ୍ଲଙ୍ଘନକାରୀ ଓ ଦୁଷ୍ଟଙ୍କ ହାତରେ ଆଇନର ସୁରକ୍ଷା ଓ ପରିପାଳନ ହୋଇନ’ଥାଏ। ଏବେ ବିଶ୍ବରେ ମାନବାଧିକାରର ସୁରକ୍ଷା ସ୍ଥିତି କ’ଣ ହେବ ତାହା ଅନୁମାନ କରିବା କଷ୍ଟ ନୁହେଁ। ଜାତିସଙ୍ଘର ବିଭିନ୍ନ ସ୍ତରରେ ସଂସ୍କାରର ଜରୁରୀ ଆବଶ୍ୟକତା ରହିଛି।

ଭାରତ ଏଥିପାଇଁ ଦୀର୍ଘଦିନରୁ ଦାବି କରିଆସୁଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଭିଟୋ କ୍ଷମତାପ୍ରାପ୍ତ ଜାତିସଙ୍ଘ ନିରାପତ୍ତା ପରିଷଦର ସ୍ଥାୟୀ ପାଞ୍ଚ ସଦସ୍ୟଙ୍କ ମଧ୍ୟରୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଗୋଟିଏ ପଟରେ ଥିବାବେଳେ ଚୀନ ଓ ରୁଷିଆ ଅନ୍ୟ ପଟରେ। ଏହି ଦୁଇ ଦେଶ ନିଜର ସୁବିଧା ଅନୁସାରେ ଏହି ବିଶ୍ବ ସଂଗଠନରେ ମୂଲଚାଲ କରନ୍ତି ଏବଂ ବଳ କଷନ୍ତି। ତେଣୁ ସେମାନେ ଖରାପ ରେକର୍ଡ ସତ୍ତ୍ବେ ମାନବାଧିକାର ପରିଷଦକୁ ନିଜର ସମର୍ଥକଙ୍କ ସହ ନିର୍ବାଚିତ ହେବା ‘ବାସ୍ତବ ରାଜନୀତି’। ଏଭଳି ଚାଲିଲେ ଜାତିସଙ୍ଘର ଭବିଷ୍ୟତ ଆଗକୁ କ’ଣ ହେବ ତାହା ଜଳଜଳ ଦିଶୁଛି। ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନରେ ବିଫଳ ମିଳିତ ଜାତିସଙ୍ଘରେ ସଂସ୍କାର ଯେ ଅପରିହାର୍ୟ୍ୟ ଏହି ଘଟଣା ତାହାକୁ ପ୍ରମାଣିତ କରୁଛି। ଆମେରିକା ଓ ତାହାର ମିତ୍ରମାନେ ଏ କ୍ଷେତ୍ରରେ ନିଜର ଦାୟିତ୍ବ ଖସାଇ ପାରିବେ ନାହିଁ।

Comments are closed.