ଉତ୍ସାହହୀନ ଆଶା : ଆମେ କ’ଣ ବାଂଲାଦେଶଠାରୁ ଶିଖିବା?

ଆଶା ଓ ଆକାଙ୍‌କ୍ଷା ସବୁବେଳେ ସକାରାତ୍ମକ ସନ୍ଦେଶର ବାହକ; କିନ୍ତୁ ପ୍ରଚୁର ସମ୍ଭାବନା ଥାଇ ମଧ୍ୟ ଯେଉଁଠାରେ ସାଫଲ୍ୟର ଅନୁମାନ ଅତି ନଗଣ୍ୟ ସେତେବେଳେ ଆଶା ଉତ୍ସାହରହିତ ଓ ଉଦାସୀନଯୁକ୍ତ ହୋଇଯାଏ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଦ୍ୟ ପ୍ରକାଶିତ ଅର୍ଥନୈତିକ ରିପୋର୍ଟରେ ଭାରତୀୟ ଅର୍ଥନୀତିର ଯେଉଁ ଚିତ୍ର ପ୍ରକାଶ ପାଇଛି ତାହା ଉପରୋକ୍ତ ଉତ୍ସାହହୀନ ଆଶା ଭଳି। ଏହି ମତକୁ ବିସ୍ତାର ଭାବେ ବୁଝିବା ଲାଗି ରିପୋର୍ଟ ଉପରେ କିଞ୍ଚିିତ୍‌ ଦୃଷ୍ଟିପାତ କରିବା ଆବଶ୍ୟକ।
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ‘ୱାର୍ଲଡ ଇକନୋମିକ୍ ଆଉଟ୍‌ଲୁକ୍‌’ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମୁଣ୍ଡ ପିଛା ଜିଡିପି(ମୋଟ ଘରୋଇ ଉତ୍ପାଦ) ହିସାବରେ ବାଂଲାଦେଶ ଭାରତକୁ ଟପିଯିବ। ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶର ମୁଣ୍ଡପିଛା ଜିଡିପି ୪% ବୃଦ୍ଧି ପାଇବାକୁ ଥିବାବେଳେ ଭାରତର ମୁଣ୍ଡପିଛା ଜିଡିପି ୧୦.୫% ହ୍ରାସ ପାଇବ। ଏହି ହିସାବରେ ଦେଖିବାକୁ ଗଲେ ଦକ୍ଷିଣ ଏସିଆର ଗରିବ ଦେଶ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିବ। ଶ୍ରୀଲଙ୍କା, ଭୁଟାନ, ବାଂଲାଦେଶ, ମାଲଦ୍ୱୀପ ପରି ରାଷ୍ଟ୍ର ଭାରତଠାରୁ ଉପରେ ରହିବେ। ଏହି ରିପୋର୍ଟ ଆଧାରରେ ଆକଳନ କଲେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ର ହେବା ପାଇଁ ଭାରତ ଲକ୍ଷ୍ୟ କେତେ ଫଳବତୀ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅବଶ୍ୟ ଆସନ୍ତା ଆର୍ଥିକ ବର୍ଷରେ ଭାରତ ମୁଣ୍ଡପିଛା ଜିଡିପି ହିସାବରେ ବାଂଲାଦେଶକୁ ଟପିଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ରିପୋର୍ଟର ଏହି ଦୁଇ ତଥ୍ୟ ହିଁ ଆଲୋଚନାର ଅପେକ୍ଷା ରଖୁଛି। ଭାରତ ସ୍ୱାଧୀନତା ଲାଭ କରିବା ପ୍ରାୟ ୨୪ ବର୍ଷ ପରେ ଜନ୍ମ ନେଇ ଭାରତର ପ୍ରଚ୍ଛନ୍ନ ସହାୟତା ଓ ସହଯୋଗରେ ବାଟ ଚାଲୁଥିବା ବାଂଲାଦେଶ ମୋଟ ବାଣିଜ୍ୟ ଓ ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଭାରତଠାରୁ ଅନେକ ପଛରେ। ଏହା ସତ୍ତ୍ୱେ ମୁଣ୍ଡପିଛା ଆୟରେ ଯଦି ବାଂଲାଦେଶ ଭାରତକୁ ଟପିପାରିଲା ତେବେ ଭାରତର ନୀତି ନିର୍ଦ୍ଧାରକଙ୍କ ପାଇଁ ଏହାଠାରୁ ବଳି ନୈରାଶ୍ୟଜନକ ସ୍ଥିତି ଆଉ କ’ଣ ହୋଇପାରେ। ଆଇଏମ୍ଏଫ୍ ରିପୋର୍ଟ ଅନୁଯାୟୀ ବିଗତ ୫ ବର୍ଷ ତଳେ ଭାରତର ମୁଣ୍ଡପିଛା ଜିଡିପି ବାଂଲାଦେଶ ତୁଳନାରେ ୪୦% ଅଧିକ ଥିଲା। ଏହି ୫ ବର୍ଷ ଭିତରେ ବାଂଲାଦେଶର ମୁଣ୍ଡପିଛା ଜିଡିପି ୯.୧% ହାରରେ ବୃଦ୍ଧି ପାଇଥିବା ବେଳେ ଭାରତର ମୁଣ୍ଡପିଛା ଜିଡିପି ୩.୨% ହାରରେ ବୃଦ୍ଧି ପାଇଛି। ତେବେ କ’ଣ ଅର୍ଥନୀତି ପରିଚାଳନା କୌଶଳ ଭାରତ ବାଂଲାଦେଶଠାରୁ ଶିଖିବା ଉଚିତ? ଏହି ପ୍ରଶ୍ନ ସ୍ୱତଃ ଉଠୁଛି। ଏଠାରେ ଯୁକ୍ତି କରାଯାଇପାରେ ଯେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଓ ବିବିଧତାପୂର୍ଣ୍ଣ ଭାରତବର୍ଷରେ ବିତ୍ତୀୟ ପରିଚାଳନା ବାଂଲାଦେଶ ପରି ଏକ କ୍ଷୁଦ୍ର ଦେଶ ତୁଳନାରେ ବହୁ ଜଟିଳ ଓ ସଦା ପରିବର୍ତ୍ତନଶୀଳ। ତେଣୁ ବାଂଲାଦେଶ ସହିତ ତୁଳନା କରି ଭାରତବାସୀ ଅଧିକ ନିରାଶ ହେବା ଅନୁଚିତ; କିନ୍ତୁ ଏହି ଯୁକ୍ତି ପୁନରାୟ ଦୁର୍ବଳ ହୋଇପଡ଼ୁଛି ଯେତେବେଳେ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍ ସହିତ ଭାରତୀୟ ଅର୍ଥନୀତିର ତୁଳନାତ୍ମକ ଚିତ୍ର ସାମ୍ନାକୁ ଆସୁଛି। ଭାରତଠାରୁ ଦୁଇ ବର୍ଷ ପରେ ସ୍ୱାଧୀନ ଭାବେ ରାଷ୍ଟ୍ରଗଠନ କରିଥିବା ଚୀନ୍ ଜଗତୀକରଣକୁ ଭାରତଠାରୁ ପ୍ରାୟ ଏକ ଦଶନ୍ଧି ପରେ ଆପଣେଇଥିଲା; କିନ୍ତୁ ଏବେ ଚୀନ୍ ବିଶ୍ୱର ଦ୍ୱିତୀୟ ଅର୍ଥନୀତି ରୂପେ ମାନ୍ୟତା ହାସଲ କରିପାରିଛି। ଚୀନର ଏହି ସଫଳତା କେବଳ ତା’ର କର୍ମ ସଂସ୍କୃତି ଓ ରପ୍ତାନି ବାଣିଜ୍ୟ ନୀତି ଜରିଆରେ ହାସଲ ହୋଇପାରିଛି। ତେଣୁ କେଉଁଠି ନା କେଉଁଠି ଭାରତର ଅର୍ଥନୀତି ଓ ବାଣିଜ୍ୟ ନୀତିରେ ଦୁର୍ବଳତା ରହିଥିବା ଧାରଣା ସୃଷ୍ଟି ହେଉଛି।
ରିପୋର୍ଟର ଦ୍ୱିତୀୟ ତଥ୍ୟାନୁଯାୟୀ ଆସନ୍ତା ଆର୍ଥିକ ବର୍ଷରେ ଭାରତର ମୁଣ୍ଡପିଛା ଜିଡିପି ୮.୨% ବୃଦ୍ଧି ପାଇ ବାଂଲାଦେଶକୁ ଟପିଯିବ। ଏଥିରେ ଯଦିଓ କିଛିଟା ଆଶା ସଞ୍ଚାର ହେଉଛି, ବାଂଲାଦେଶ ସହିତ ତୁଳନାତ୍ମକ ଚିତ୍ର ସେହି ଆଶାକୁ ଉତ୍ସାହହୀନ କରିଦେଉଛି। ସ୍ୱାଧୀନତାର ପ୍ଲାଟିନମ୍ ଜୁବିଲି ପାଳନ କରିବାକୁ ଯାଉଥିବା ଏବଂ ମହାକାଶ ଗବେଷଣା ଓ ସୂଚନା ପ୍ରଯୁକ୍ତିରେ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିପାରିଥିବା ଭାରତର ଅର୍ଥନୈତିକ-ସାମାଜିକ କ୍ଷେତ୍ରରେ ବିକାଶର ତୁଳନା ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ରମାନଙ୍କଠାରୁ ମୁକୁଳି କେବେ ବିଶ୍ୱସ୍ତରୀୟ ହୋଇପାରିବ? ଯେତେବେଳେ ଏହି ପ୍ରଶ୍ନ ଉଠୁଛି ସେତେବେଳେ ଯତ୍‌କିଞ୍ଚିତ୍‌ ଆଶା ଉତ୍ସାହରହିତ ହେବା ସ୍ୱାଭାବିକ।
ନିଷ୍ଠୁର ସତ୍ୟ ହେଉଛି ‘ମେକ୍ ଇନ୍ ଇଣ୍ଡିଆ’, ‘ଡିଜିଟାଲ୍ ଇଣ୍ଡିଆ’ ପରି ଚମକପ୍ରଦ ଆକର୍ଷଣୀୟ ଘୋଷଣା ସତ୍ତ୍ୱେ ଭାରତର ଘରୋଇ ନିବେଶ ଓ ରପ୍ତାନି ବାଣିଜ୍ୟ ନୀତି ସମୟୋପଯୋଗୀ ହୋଇପାରିନି। ଅପରପକ୍ଷରେ ବାଂଲାଦେଶ ଏହି କ୍ଷେତ୍ରରେ ଭାରତଠାରୁ ଅନେକ ଆଗରେ ରହିଛି। ତେଣୁ ପଡ଼ୋଶୀ ଦେଶ ସହିତ ତୁଳନାରେ ଆତ୍ମସନ୍ତୁଷ୍ଟି ଲାଭ ନ କରି ଭାରତକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଦୌଡ଼ରେ ସାମିଲ୍ ହେବାକୁ ପଡ଼ିବ। ଏଥିପାଇଁ ଘରୋଇ ନିବେଶ, ଜମା ଅନୁପାତ ଓ ରପ୍ତାନି ବାଣିଜ୍ୟ ପାଇଁ କୋହଳ ନୀତି ଅନୁସରଣ କଲେ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତି ସୁଦୂର ପରାହତ ହେବ ନାହିଁ।

Comments are closed.