ଆଗକୁ ଅସଲ ପରୀକ୍ଷା

- ଏବେ ଆଶ୍ବସ୍ତି କିମ୍ବା ବିଶ୍ରାମର ସମୟ ନୁହେଁ

ଦୀର୍ଘ ୬ ମାସ ଧରି ଦେଶବାସୀଙ୍କୁ ଆକ୍ତାମାକ୍ତା କରିବା ପରେ କୋଭିଡ୍‌-୧୯ ସଂକ୍ରମଣରେ ହ୍ରାସର ଧାରା ଦେଖାଯାଇଛି। ଗତ ଏପ୍ରିଲ୍ ମାସରୁ ଭାରତରେ ସଂକ୍ରମଣ କ୍ରମଶଃ ଊର୍ଦ୍ଧ୍ବମୁଖୀ ହେବା ପରେ ପ୍ରଥମ ଥର ପାଇଁ ଗତ ତିନି ସପ୍ତାହ ମଧ୍ୟରେ ଏଥିରେ ହ୍ରାସ ଘଟିବା ଜନସାଧାରଣଙ୍କ ମନରେ ସାମାନ୍ୟ ଆଶ୍ୱସ୍ତି ଆଣିଛି। ତଥ୍ୟ ଅନୁସାରେ ଗତ ୨୧ ଦିନରେ ନୂତନ ସଂକ୍ରମଣ ହାର ଶିଖରସ୍ତରରୁ ୨୦ପ୍ରତିଶତ ହ୍ରାସ ପାଇଥିବାବେଳେ ଦୈନିକ ମୃତ୍ୟୁ ହାର ଶିଖରସ୍ତରରୁ ୧୬ପ୍ରତିଶତ ହ୍ରାସ ପାଇଛି। ଏହି ସମୟରେ ଅନ୍ୟ ଦେଶଗୁଡ଼ିକରେ ସଂକ୍ରମଣ ହାର ବୃଦ୍ଧି ସହିତ ନିୟନ୍ତ୍ରଣରେ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି। ଉଦାହରଣ ସ୍ୱରୂପ ଆମେରିକାରେ କୋଭିଡ୍ ୧୯ ମହାମାରୀ ସଂକ୍ରମଣ ଏହାର ତୃତୀୟ ସୋପାନରେ ପହଞ୍ଚିଯାଇଛି। ଏହି ତୁଳନାତ୍ମକ ପରିସଂଖ୍ୟାନ ଭାରତ ପାଇଁ କିଛିଟା ଆଶ୍ୱସ୍ତି ଆଣିଥିଲେ ହେଁ ଆଶଙ୍କା ଟଳି ନାହିଁଁ।

ଦେଶର ସମସ୍ତ ଅଞ୍ଚଳରୁ ହାରାହାରି ପରିସଂଖ୍ୟାନ ଆଧାରରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ହ୍ରାସ ପାଇଥିବା ପ୍ରମାଣିତ ହୋଇଛି; କିନ୍ତୁ ଦେଶର ଅନେକ ଅଞ୍ଚଳ ଏ ପର୍ୟ୍ୟନ୍ତ ଅଧିକ ସମ୍ବେଦନଶୀଳ ରହିଛି। ଅନେକ ସ୍ଥାନରେ ସଂକ୍ରମଣ କିଛି ସମୟ ପାଇଁ ହ୍ରାସ ପାଇ ପୁଣି ଊର୍ଦ୍ଧ୍ବମୁଖୀ ହୋଇଛି। ଓଡ଼ିଶାର ଉଦାହରଣ ନିଆଯାଇପାରେ। କିଛି ଦିନ ଧରି ସଂକ୍ରମଣ ହାର ନିୟନ୍ତ୍ରଣ ମଧ୍ୟରେ ରହିବା ଏବଂ ସୁସ୍ଥ ହାର ବଢ଼ିବା ପରେ ଏବେ ଦୈନିକ ସଂକ୍ରମଣ ହାର ୩ ହଜାର ଉପରକୁ ଉଠିଛି। ଏଥିସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି। ଏଥିପାଇଁ ଜନସାଧାରଣଙ୍କ ଅସାବଧାନତା ଅପେକ୍ଷା ଦାୟିତ୍ୱହୀନତା ମନୋଭାବ ଅଧିକ ଦାୟୀ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂକ୍ରମଣ ସାମାନ୍ୟ ଖସୁଥିବା ସୂଚନା ଗଣମାଧ୍ୟମରୁ ପ୍ରକାଶ ପାଇବା ପରେ ଲୋକମାନେ ଅଧିକ ବେପରୁଆ ହୋଇଯାଉଛନ୍ତି, ଯାହା ଫଳରେ ଭୂତାଣୁକୁ ବ୍ୟାପିବା ପାଇଁ ବଳ ମିଳିଯାଉଛି।

କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ନିୟନ୍ତ୍ରଣରେ ଆଶାନୁରୂପ ସଫଳତା ମିଳୁନାହିଁ ଏହା ସତ; କିନ୍ତୁ ଅଧିକାଂଶ ସଚେତନ ନାଗରିକଙ୍କ ନିଷ୍ଠା ଓ ସତର୍କତା ଯୋଗୁଁ ସଂକ୍ରମଣ ଯେଉଁ ରୂପ ଧାରଣ କରିବ ବୋଲି ଆଶଙ୍କା କରାଯାଉଥିଲା ସେଥିରୁ ମୁକ୍ତି ମିଳିଛି। ଜନସାଧାରଣ ସାମ୍ପ୍ରତିକ ପରିସ୍ଥିତିର ନିୟମ ଅନୁସାରେ ସଂକ୍ରମଣର ମୁକାବିଲା କରିବା ତଥା ସଚେତନତା ଏ କ୍ଷେତ୍ରରେ ସଫଳତା ଆଣିପାରିଛି ବୋଲି କୁହାଯାଇପାରେ। ଡାକ୍ତର ଓ ବୈଜ୍ଞାନିକମାନେ ପ୍ରତ୍ୟକ ଦିନ ଏହି ରୋଗ ବିଷୟରେ ଅଧିକ ଶିଖୁଛନ୍ତି ଓ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି – କେଉଁ ଚିକିତ୍ସା କାର୍ୟ୍ୟ କରେ, କ’ଣ ଏହି ରୋଗ ପାଇଁ ଭଲ ନୁହେଁ କିମ୍ବା ରୋଗୀମାନଙ୍କୁ କେତେବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯିବ ଏବଂ କେତେବେଳେ ସେମାନଙ୍କୁ ଗୃହ ସଂଗରୋଧରେ ରଖାଯିବା ଇତ୍ୟାଦି ଇତ୍ୟାଦି। ବିଶ୍ୱରେ ଭାରତର ଆୟତନ ଓ ଜନସଂଖ୍ୟାର ଅବସ୍ଥିତି ଦୃଷ୍ଟିରୁ ମହାମାରୀ ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ହେଲେ ହେଁ ଯେଉଁ ଢଙ୍ଗରେ ଦେଶବାସୀ ଏହାର ମୁକାବିଲା କରୁଛନ୍ତି ତାହା ଅନ୍ୟ ଉନ୍ନତ ରାଷ୍ଟ୍ରମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ମହାମାରୀ ମୁକାବିଲାରେ ଓଡ଼ିଶାର ଉଦ୍ୟମ ପ୍ରଶଂସନୀୟ ଓ ଉଦାହରଣୀୟ ହୋଇପାରିଛି। ପ୍ରଥମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ମହାରାଷ୍ଟ୍ରର ଧରାବୀ ବସ୍ତି ସହିତ ଓଡ଼ିଶାର ଗଞ୍ଜାମ ଜିଲାରେ କୋଭିଡ୍‌ ପରିଚାଳନାକୁ ପ୍ରଶଂସା କରି ଅନ୍ୟମାନେ ଏହି ଧାରାକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକାଂଶ ଦେଶରେ ପ୍ରଥମ ସୋପାନ ଠାରୁ ଦ୍ୱିତୀୟ ସୋପାନ୍‌ରେ ଏହି ଭୂତାଣୁ ସଂକ୍ରମଣ ଅଧିକ ଶକ୍ତିଶାଳୀ ଓ ଭୟଙ୍କର ହେଇଛି।

ଏହି ସଫଳତାରେ ଆମେ ଉତ୍‌ଫୁଲ୍ଲିତ ନ ହୋଇ ଆହୁରି ସତର୍କ ରହିବାକୁ ପଡ଼ିବ। କାରଣ ଏବେ ବିଶ୍ରାମ ଓ ଆତ୍ମୋପଲବ୍ଧିର ସମୟ ନୁହେଁ। ଆଗକୁ ପାର୍ବଣ ଋତୁ ଆସୁଛି, ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଭାରତରେ ପାର୍ବଣ ଋତୁ ପରେ ଆସୁଥିବା ଶୀତ ଋତୁ ଭୂତାଣୁ ଅଧିକ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ତେଣୁ ଅଧିକ ସତର୍କ ନ ହେଲେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବ। ଆସନ୍ତା ଦେଢ଼ ମାସ ଭିତରେ ଦୁର୍ଗାପୂଜା, ଦୀପାବଳି ଓ ଇଦ୍‌ ଆଦି ଗଣପର୍ବ ଆସିବ। ଏହା ପରେ ବଡ଼ଦିନ ଓ ନୂଆବର୍ଷ। ସେତେବେଳେ ମାସ୍କ ପରିଧାନ, ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ସଫା ରଖିବା ଆଦି ନିୟମାବଳୀ ଉଲ୍ଲଙ୍ଘନ ହେବା ଆଶଙ୍କା ଅଧିକ। କାରଣ ଜନସାଧାରଣ ସେତେବେଳେ ପୂଜାସ୍ଥଳୀ, ମନ୍ଦିର, ସମ୍ପର୍କୀୟଙ୍କୁ ଭେଟିବେ। ଏହି ସମୟରେ ବିଶ୍ୱ ସହିତ ଭାରତ ପାଇଁ ମଧ୍ୟ ଏହି ରୋଗ ମୁକାବିଲା ଏକ ଆହ୍ୱାନ ସୃଷ୍ଟି କରିଛି।

ତେଣୁ ପାର୍ବଣ ସମୟରେ କରୋନା ମୁକାବିଲା ପାଇଁ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଜନଆନ୍ଦୋଳନ ଅଭିଯାନ ସ୍ୱାଗତଯୋଗ୍ୟ। କରୋନା ଟିକା ନ ଆସିବା ପର୍ୟ୍ୟନ୍ତ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଏହି ସମୟରେ ସଂକ୍ରମଣ ବୃଦ୍ଧି ରୋକିବା ପାଇଁ ଡାକ୍ତର ଏବଂ ବୈଜ୍ଞାନିକମାନେ ସଦା ପ୍ରସ୍ତୁତ ଅଛନ୍ତି। ହୁଏତ ଏହି ସମୟରେ କିଛି ପ୍ରତିରୋଧକ ଔଷଧ ବଜାରକୁ ଆସିପାରେ; କିନ୍ତୁ ଆଗକୁ ଅସଲ ପରୀକ୍ଷା- ଆମକୁ ସତର୍କ ରହିବାକୁ ପଡ଼ିବ। ପରିସଂଖ୍ୟାନରେ ଭୟଭୀତ କିମ୍ବା ଆଶ୍ୱସ୍ତ ନ ହୋଇ ଦୃଢ଼ ମନୋବଳ ଓ ସତର୍କତାର ସହିତ ଆମକୁ ସଂକ୍ରମଣର ମୁକାବିଲା କରିବାକୁ ପଡ଼ିବ।

Comments
Loading...