ରାମ ମନ୍ଦିର ଓ ରାମ ରାଜ୍ୟ

(ନିତ୍ୟାନନ୍ଦ ମିଶ୍ର) ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସାରା ଭାରତବର୍ଷ, ଏପରି କି କେତେକ ବିଦେଶୀ ରାଷ୍ଟ୍ରରେ ଆଜି ଚର୍ଚ୍ଚାର ବିଷୟ। କାରଣ ସେହି ସ୍ଥାନଟି ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମଭୂମି ବୋଲି ବିଦିତ; କିନ୍ତୁ ୧୫୨୮ରେ ସେହି ସ୍ଥାନରେ ବାବ୍ରୀ ମସଜିଦ ନିର୍ମିତ ହୋଇଥିଲା। ଏହାକୁ ଭାରତ ବର୍ଷର ଲୋକ ଗ୍ରହଣ କରି ପାରିଲେ ନାହିଁ। ତେଣୁ ସେମାନେ ଏଠାରେ ରାମ ଲାଲାଙ୍କର ମନ୍ଦିର ନିର୍ମାଣ ନିମନ୍ତେ ଆନ୍ଦୋଳନ କଲେ। ୧୯୯୨ରେ ଆନ୍ଦୋଳନକାରୀମାନେ ବାବ୍ରୀ ମସଜିଦକୁ ଭାଙ୍ଗିଦେଲେ। ଏହା କ୍ରମଶଃ ହିନ୍ଦୁ-ମୁସଲିମ ବିଦ୍ବେଷର ରୂପ ଧାରଣ କଲା। ମାମଲା କୋର୍ଟକୁ ଗଲା। ସୁପ୍ରିମ କୋର୍ଟ ୨୦୧୯ ଶେଷ ଆଡ଼କୁ ଏହି ସ୍ଥାନ ରାମ ଲାଲାଙ୍କର ଜନ୍ମଭୂମି ଭାବେ ଗ୍ରହଣ କରି ଏଠାକାର ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଅର୍ପଣ କଲେ ଏବଂ ପ୍ରତିବାଦୀ ସୁନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୬୭ ଏକର ଜମି ଅଯୋଧ୍ୟାରେ ଦେବା ପାଇଁ ରାୟ ଦେଲେ। ତଦନୁଯାୟୀ ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜା ଉତ୍ସବ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କଲେ ବୋଲି କେତେକ ପ୍ରଶ୍ନ ଉଠାଇ ହିନ୍ଦୁ ରାଷ୍ଟ୍ର ଗଠନର ମୂଳଦୁଆ ପଡ଼ିଲା ବୋଲି କହିଛନ୍ତି।

ଭାରତ ହିନ୍ଦୁ ରାଷ୍ଟ୍ର ହେବା ଆଉ ସମ୍ଭବ ନୁହେଁ। ‘ବସୁଧୈବ କୁଟୁମ୍ବକମ୍’ ଭାରତର ପରମ୍ପରା। ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ ମନ୍ଦିର କଥା ଆଲୋଚନାକୁ ନେବା। ୧୯୫୦-୫୧ରେ ଆରବ ସାଗର କୂଳରେ ଗୁଜୁରାଟରେ ଚାଲୁକ୍ୟ ଶୈଳୀର ସୋମନାଥ ଜ୍ୟୋତିର୍ଲିଙ୍ଗ ଶିବ ମନ୍ଦିର ନିର୍ମିତ ହୋଇଥିଲା। ଏହି ମନ୍ଦିରକୁ ମୁସଲମାନ ଆକ୍ରମଣକାରୀମାନେ ବାରମ୍ବାର ଧ୍ବଂସ କରିଥିଲେ। ଭାରତ ସ୍ବାଧୀନ ହେଲା ପରେ ୧୯୪୭ରେ ଦେଶର ଉପ- ପ୍ରଧାନମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ ଏବଂ ଖାଦ୍ୟ ମନ୍ତ୍ରୀ କେ.ଏମ. ମୁନ୍‌ସି ଏହି ମନ୍ଦିର ନିର୍ମାଣ ନିମନ୍ତେ ଗାନ୍ଧୀଙ୍କର ଆଶୀର୍ବାଦ ଲୋଡି ଥିଲେ। ଗାନ୍ଧୀ ଖୁସି ପ୍ରକଟ କରି କହିଥିଲେ, ‘ଗୋଟିଏ କଥା ମନେ ରଖିବ। ମନ୍ଦିର ହେଉ; ମାତ୍ର ରାଷ୍ଟ୍ରର ରାଜକୋଷରୁ ଏହି ମନ୍ଦିର ନିର୍ମାଣ ନିମନ୍ତେ ଗୋଟିଏ ପଇସା ବି ଖର୍ଚ୍ଚ ହେବ ନାହିଁ।’ ମନ୍ଦିର ନିର୍ମାଣ ଶେଷ ହେଲା ବେଳକୁ ଜୀବିତ ନଥିଲେ ସର୍ଦାର ପଟେଲ। କେ.ଏମ. ମୁନ୍‌ସିଙ୍କ ତତ୍ତ୍ବାବଧାନରେ ମନ୍ଦିରର ଶିଳାନ୍ୟାସ କରିଥିଲେ ଭାରତର ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ। ଏବେ ରାମ ମନ୍ଦିର ନିର୍ମାଣ ଜନସାଧାରଣଙ୍କ ପଇସାରେ ହେଉଛି। ନିର୍ମାଣ ପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠିତ ହୋଇଛି। ସୋମନାଥ ମନ୍ଦିର ପ୍ରତିଷ୍ଠା ଯେଉଁ ଧାରାରେ ହୋଇଥିଲା, ଠିକ୍‌ ସେହି ଧାରାରେ ରାମ ମନ୍ଦିର ନିର୍ମିତ ହେଉଛି। ବରଂ ସୁପ୍ରିମ କୋର୍ଟ ହେପାଜତରେ ନିରପେକ୍ଷ ଭାବରେ ଏହା ହୋଇଛି। ଭାରତ ହିନ୍ଦୁ ରାଷ୍ଟ୍ର ହୋଇଯିବ ବୋଲି ମିଛୁଟାରେ ମୁଷ୍ଟିମେୟ ଲୋକ କହୁଛନ୍ତି। ଏହା ଏକ ଅପପ୍ରଚାର।

ସୋମନାଥ ମନ୍ଦିରର ୬୯ ବର୍ଷ ପରେ ଅଯୋଧ୍ୟାରେ ନାଗର ଶୈଳୀର ଶ୍ରୀରାମ ମନ୍ଦିରର ଭୂମି ପୂଜନ ଉତ୍ସବ ସାରା ଦେଶରେ ଆନନ୍ଦ ଉଲ୍ଲାସ ସୃଷ୍ଟି କରିଛି। ଏହି ମନ୍ଦିରର ନିର୍ମାଣ ଜାତୀୟ ଐକ୍ୟ ଓ ସାମ୍ପ୍ରଦାୟିକ ସଦ୍‌ଭାବର ପ୍ରତୀକ ଭାବେ ବର୍ଣ୍ଣିତ ହୋଇଛି। ମୁଖ୍ୟ ବରୋଧୀ ଦଳ କଂଗ୍ରେସ ଏହି ମନ୍ଦିରକୁ ସାମ୍ପ୍ରଦାୟିକ ସଂପ୍ରୀତି ଓ ଜାତୀୟ ଐକ୍ୟର ପ୍ରତୀକ ଭାବେ ଗ୍ରହଣ କରିଛି।
ଭଗବାନ କିଏ ଓ କେଉଁଠି ଥାଆନ୍ତି ? ଭଗବାନ ଶ୍ରୀକୃଷ୍ଣ ଗୀତାରେ ସପ୍ତମ ଅଧ୍ୟାୟର ଚତୁର୍ଥ ଶ୍ଳୋକରେ ଭଗବାନ କିଏ ସେ ବିଷୟରେ ଅର୍ଜୁନଙ୍କୁ (ମଣିଷକୁ )କହିଛନ୍ତି… ‘ଭୂମିରାପଃ ଅନଳୋ ବାୟୁଃ ଖଂ ମନୋ ବୁଦ୍ଧିଃ ଏବ ଚ’। ଅର୍ଥାତ୍ ଭୂମି, ଜଳ, ଅଗ୍ନି, ବାୟୁ ଆକାଶ ଆଦି ମୋର ଭୌତିକ ପ୍ରକୃତି ବା ଶକ୍ତି ଅଟନ୍ତି। ପୁରାଣ ଯୁଗରେ ତେତିଶ କୋଟି ଦେବତାଙ୍କର କଳ୍ପନା। ଏହି କଳ୍ପିତ ଦେବତାଙ୍କ ନିମନ୍ତେ ମନ୍ଦିର ନିର୍ମାଣ ହେଲା। ଏମାନେ ବିଶ୍ବାସ ଓ ଆସ୍ଥା ଆଧାରରେ ପୂଜା ପାଉଛନ୍ତି। ସେହି ବୈଦିକ ସାହିତ୍ୟରେ ମାନବ ଶରୀରକୁ ରଥ ବୋଲି କୁହା ଯାଇଛି, ଯଥା – ‘ଆତ୍ମାନଂ ରଥିନଂ ବିଦ୍ଧି ଶରୀରଂ ରଥମ୍ ଏବ ଚ। ବୁଦ୍ଧିଂ ତୁ ସାରଥିଂ ବିଦ୍ଧି ମନଃ ପ୍ରଗ୍ରହଂ(ଲଗାମ) ଏବ ଚ’। ଅର୍ଥାତ୍ ମଣିଷ ହେଉଛି ରଥୀ, ତାର ଶରୀର ରଥ, ବୁଦ୍ଧି ସାରଥି, ମନ ହେଉଛି ଲଗାମ ଓ ଇନ୍ଦ୍ରିୟଗଣ ଅଶ୍ବ। ହିନ୍ଦୁ ମନ୍ଦିରକୁ ମଧ୍ୟ ରଥ ଭାବେ କଳ୍ପନା କରାଯାଇ ତିଆରି କରାଯାଏ। ତେଣୁ ଭଗବାନ ମନ୍ଦିରରେ ଅଛନ୍ତି ଏବଂ ବୃକ୍ଷଲତା, ମନୁଷ୍ୟ, ପଶୁପକ୍ଷୀ ସବୁଠାରେ ବିଦ୍ୟମାନ। ମଣିଷ ଭିତରେ ଭଗବାନଙ୍କୁ କେବଳ ରାମ ରାଜ୍ୟର ଲୋକେ ଦେଖିବା ସମ୍ଭବ। ସବୁ ମଣିଷକୁ ସମାନ ଅଧିକାର ରାମ ତାଙ୍କ ରାଜ୍ୟରେ ଦେଇଥିଲେ। ସାଧାରଣ ଗରିବ ଧୋବା-ଧୋବଣୀଙ୍କ କଥା ତାଙ୍କ କାନରେ ପଡ଼ିବାରୁ ସେ ପ୍ରାଣପ୍ରିୟା ପତ୍ନୀ ସତୀ ଶିରୋମଣି ସୀତାଙ୍କୁ ବନକୁ ପଠେଇ ଦେଇଥିଲେ। ରାମ ମନ୍ଦିର ଓ ରାମ ରାଜ୍ୟ ଗୋଟିଏ ସୂତାର ଦୁଇଟି ପାର୍ଶ୍ବ। ସେମାନଙ୍କ ମଧ୍ୟରେ କିଛି ବିରୋଧାଭାଷ ନାହିଁ। ରାମ ମନ୍ଦିର ରାମ-ଭାବର ପ୍ରସାର କରିବ। ରାମ-ଭାବ ସାରା ଭାରତରେ ପ୍ରସାରିତ। ରାମ ଭାବ ଅର୍ଥ – ନ୍ୟାୟ, ଦୟା, କ୍ଷମା ଓ ଜୀବେ ଦୟା। ଏହି ରାମ ଭାବ ସାରା ଦେଶରେ ବିଦ୍ୟମାନ। ଆପଣମାନଙ୍କର ମନେ ଥାଇପାରେ ଯେ ୨୦୧୧ରେ ରାମରାଜ୍ୟମ୍ ନାମକ ଏକ ତେଲୁଗୁ ଫିଲ୍ମ ମୁକ୍ତି ଲାଭ କରିଥିଲା। ଦକ୍ଷିଣ ଭାରତରେ ଶ୍ରୀରାମ ଏତେ ପ୍ରିୟ ଯେ ଏହି ଚଳଚ୍ଚିତ୍ରଟି ମାଲାୟାଲମ, ତାମିଲ ଓ ହିନ୍ଦୀ ଭାଷାରେ ମୁକ୍ତି ଲାଭ କରିଥିଲା। ରାମାୟଣ ଓ ମହାଭାରତ ଦୁଇ ମହାକାବ୍ୟ ଭାରତର ସବୁ ଲୋକଙ୍କର ମାନସ ପଟରେ ସଂଚିତ। ଭାରତୀୟ ସଂସ୍କୃତିର ମୂଳାଧାର।

ରାମମନ୍ଦିର ଭୂମିପୂଜା ଉତ୍ସବ ପରେ ଅଙ୍ଗୁଳିମେୟ ବିଦ୍ବାନ ବ୍ୟକ୍ତି ନାନା ରକମର ଆଶଙ୍କା ପ୍ରକାଶ କରିଛନ୍ତି। ଏହାଦ୍ବାରା ଦେଶ ତା’ର ଧର୍ମନିରପେକ୍ଷ ନୀତିରୁ ବିଚ୍ୟୁତ ହେଉଛି ବୋଲି କହିଛନ୍ତି। ଏହା ଫଳରେ ରାମ ରାଜ୍ୟ ପ୍ରତିଷ୍ଠା ହେବା ବାଧିତ ହେବ – ତାହା ଠିକ୍‌ ନୁହେଁ। ଏ ମଣିଷ ଭଲ, ମନ୍ଦ ସମସ୍ତ କର୍ମର ନାୟକ। ୧୯୬୦ ମସିହା ଅଗଷ୍ଟ ମାସ ୫ ତାରିଖରେ ‘ମୋଗଲ-ଏ ଆଜାମ’ ନାମକ ପ୍ରସିଦ୍ଧ ଚଳଚ୍ଚିତ୍ର ଅସିଫ ଅଲ୍ଲୀଙ୍କ ଦ୍ବାରା ନିର୍ମିତ ହୋଇଥିଲା। ଫିଲ୍ମଟିର ବିଷୟବସ୍ତୁ ହେଲା ‘ସମ୍ରାଟ୍ ଆକବରଙ୍କ ଜ୍ୟେଷ୍ଠ ପୁତ୍ର ସଲିମ (ଜାହାଙ୍ଗିର) ଅନାରକଲୀ ନାମ୍ନୀ ଜଣେ ସୁନ୍ଦରୀ ନର୍ତ୍ତକୀଙ୍କୁ ପ୍ରେମ ବିବାହ କରିବାକୁ ଚାହୁଁଥିଲେ। ବାଦଶାହା ଆକବର ଏହା କରାଇ ଦେଲେ ନାହିଁ। ଚଳଚ୍ଚିତ୍ରର ବିଶେଷତ୍ବ ହେଲା- ମହାରାଣୀ ଯୋଧାବାଈ ଓ ମାନସିଂହ ହିନ୍ଦୁ ହେଲେ ବି ସେମାଙ୍କର ଆକବରଙ୍କ ଦରବାରରେ ଅତି ପ୍ରମୁଖ ଭୂମିକା ରହିଛି। ଏହି ଚଳଚ୍ଚିତ୍ରରେ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ ଉପସ୍ଥାପିତ ହୋଇଛି। ଆକବର ନିଜେ ବାଳକ କୃଷ୍ଣଙ୍କୁ ଖୁସିରେ ଦୋଳିରେ ଝୁଲାଇଛନ୍ତି। ସର ଲବଣୀ ତାଙ୍କୁ ଖୁଆଇଛନ୍ତି। ଚଳଚ୍ଚିତ୍ରରେ ଅନାରକଲୀ କଥକ ନୃତ୍ୟ କରିଛନ୍ତି ଓ ବନାରସୀ ଠୁମୁରୀ ଗୀତ ବୋଲିଛନ୍ତି। ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ପୂର୍ବରୁ ଓ ପରେ ଡି.ଡି. ସମେତ ବହୁ ଟି.ଭି. ଚାନେଲରେ ମୋଗଲ-ଏ -ଆଜାମ ପ୍ରଦର୍ଶିତ ହେଉଛି। ଏହି ଚଳଚ୍ଚିତ୍ରକୁ କ୍ଲାସିକାଲ୍ ଓ ଏପିକ୍‌ର ମାନ୍ୟତା ଦିଆଯାଇଛି। ଭାରତର ସମ୍ବିଧାନରେ ଥିବା ସର୍ବଧର୍ମ ସମନ୍ବୟ ବିଚାରକୁ ଏହାର ନିର୍ମାତା ଅସିଫ ଅଲ୍ଲୀ ଚଳଚ୍ଚିତ୍ରରେ ପ୍ରତିଫଳିତ କରିଛନ୍ତି।

ରାମ ରାଜ୍ୟର କଲ୍ପନା ମହାତ୍ମା ଗାନ୍ଧୀ କରିଥିଲେ। ସେଇ ବିଚାରରେ ଭାରତର ସମ୍ବିଧାନ ପ୍ରଣୀତ ହୋଇଥିଲା। ତେସ୍ତରି ବର୍ଷ ହେଲା ଆମେ ସ୍ବାଧୀନ ହେଲେଣି। ହିଂସା, ଦ୍ବେଷ, ଦ୍ବନ୍ଦ୍ବ, ଅନ୍ୟାୟ, ଅତ୍ୟାଚାରର ରାଜତ୍ବ ଚାଲିଛି। ରାଜନେତାଙ୍କଠାରୁ ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସର୍ବତ୍ର ମୂଲ୍ୟବୋଧ ହ୍ରାସ ପାଉଛି। ପ୍ରିୟାପ୍ରୀତିତୋଷଣ ଓ ଦୁର୍ନୀତିରେ ଦେଶ ବୁଡ଼ି ରହିଛି। ଜାତିଜାତି ଭିତରେ, ଗୋଷ୍ଠୀଗୋଷ୍ଠୀ ଭିତରେ, ଦଳଦଳ ଭିତରେ ବିଭେଦ, କପଟାଚାର ଲାଗି ରହିଛି। ଏ ସବୁ ଅଶୁଦ୍ଧ କ୍ରିୟାକଳାପ କ’ଣ ଏହିପରି ଚାଲିଥିବ? ଏହାର କ’ଣ କେବେ କିଛି ଅନ୍ତ ନାହିଁ? ଏସବୁ ଅଶୁଦ୍ଧତା ବିରୋଧରେ ସ୍ବର ଉତ୍ତୋଳନ ହେଉ। ତା’ହେଲେ ପରିକଳ୍ପିତ ରାମରାଜ୍ୟ ବାସ୍ତବ ହେବ। ମନ୍ଦିର ଶୁଦ୍ଧ ବିଚାରର ଆଳୟ। ବିଚାର ଓ କର୍ମ ଶୁଦ୍ଧ ହେଲେ ରାମ ରାଜ୍ୟ ପାଇଁ ବାଟ ଫିଟିଯିବ। ମନ୍ଦିର ହେଉଛି ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଶାନ୍ତି ଓ ଅହିଂସାର ଦିବ୍ୟ ଭୂମି ଏବଂ ପ୍ରେରଣା, ସେବା ଓ କରୁଣାର ସ୍ବର୍ଣ୍ଣ ସେତୁ ଓ ବିଭୁ ଆଶୀର୍ବାଦର ସ୍ଥଳ। ଏହି ସବୁ ମାନବୀୟ ମୂଲ୍ୟବୋଧ ସମାଜର ଅଭ୍ୟନ୍ତରକୁ ପ୍ରବେଶ କଲେ ମନ୍ଦିରଠାରୁ ରାମ ରାଜ୍ୟର ଦୂରତା ଆଦୌ କିଛି ରହିବ ନାହିଁ।

(ନିତ୍ୟାନନ୍ଦ ମିଶ୍ର)ଏସ.୧୦, ଟାଟା ସ୍ପଞ୍ଜ ଟାଉନସିପ,
ବିଲେଇପଦା, କେନ୍ଦୁଝର

Comments are closed.