ଭାରତ-ଭାବନା, ରାଷ୍ଟ୍ରପତିଙ୍କ ବିଚାର ସ୍ବାଗତଯୋଗ୍ୟ

ଚଉସ୍ତରିତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଜାତି ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଛନ୍ତି ସେଥିରେ କରୋନା ମହାମାରୀ ଏବଂ ଏହାର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିଶେଷ ଉଲ୍ଲେଖ ରହିଛି। ପ୍ରଥମଥର ପାଇଁ ଏକ ଘୋର ବୈଶ୍ବିକ ମହାମାରୀ ସମୟରେ ଭାରତରେ ସ୍ବାଧୀନତା ଦିବସ ପାଳନ ହେଉଥିବାରୁ ରାଷ୍ଟ୍ରପତିଙ୍କ ଭାଷଣରେ ଏ ବିଷୟରେ ଉଲ୍ଳେଖ ରହିବା ସ୍ବାଭାବିକ। ଯଥାର୍ଥରେ ଏହି ସମୟ ଉତ୍ସବ ପାଳନ ପାଇଁ ନୁହେଁ; କେବଳ ବିଧିରକ୍ଷା ପୂର୍ବକ ଆମର ଜାତୀୟ ଦିବସକୁ ମନେପକାଇ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଓ ଆତ୍ମସମର୍ପଣ କରିବାର ଏହା ଏକ ଅବକାଶ।

ସବୁଥର ରାଷ୍ଟ୍ରପତିଙ୍କ ଭାଷଣରେ ସରକାରୀ କାର୍ୟ୍ୟକ୍ରମର ସଫଳତା ଓ ପ୍ରଶଂସା ସ୍ଥାନପାଏ ଏବଂ ଏଥର ମଧ୍ୟ ତାହା ହୋଇଛି। ତେବେ ସେ ସବୁ କଥାରେ ବାସ୍ତବତା ରହିଛି ଓ ତାହାକୁ ସ୍ବୀକାର କରିବାକୁ ହେବ। ତା’ସତ୍ତ୍ବେ ଏହି ଭାଷଣରେ ରାଷ୍ଟ୍ରପତି କେତେଗୁଡ଼ିଏ କଥା କହିଛନ୍ତି ଯାହା ଉଭୟ ଭାରତ ଓ ସମଗ୍ର ବିଶ୍ବ ପାଇଁ ମହତ୍ତ୍ବ ରଖେ। ସେ ବିଶେଷତଃ କରୋନା ମହାମାରୀରୁ ମିଳିଥିବା ଶିକ୍ଷାଗୁଡ଼ିକ ସମ୍ପର୍କରେ ଅବତାରଣା କରିବା ସହ ସଂକଟକ୍ଷଣରେ ମାନବୀୟ ମୂଲ୍ୟବୋଧର ପରିପ୍ରକାଶ ଓ ବିଶ୍ବଚେତନା, ଦାୟିତ୍ବବୋଧ ଓ ମୂଲ୍ୟବୋଧ ଆଦି ବିଷୟଗୁଡ଼ିକ ଉପରେ ଅଗ୍ରାଧିକାର ଦେବା ଉଲ୍ଲେଖନୀୟ।

ଏକ ଅଜଣା ମହାମାରୀ ବିଶ୍ବର ସ୍ବାଭାବିକତା ଓ ଜୀବନଧାରାକୁ କିପରି ବଦଳାଇ ଦେଇଛି ଏବଂ ଏହା ପରେ ମଣିଷ କିପରି ନୂଆ ବାସ୍ତବତା ମଧ୍ୟରେ ବଞ୍ଚିବାକୁ ଶିଖିବ ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ମହାମାରୀ ଆସିବ ଓ ଯିବ। ତା’ମଧ୍ୟରେ ମଣିଷକୁ ନିଜର ଜୀବନ ଓ ଜୀବିକା ଉଭୟକୁ ସୁରକ୍ଷିତ କରିବାକୁ ପଡ଼ିବ। ଏଥିପାଇଁ ପ୍ରକୃତି ସହିତ ଉତ୍ତମ ସମ୍ପର୍କ ଓ ସମନ୍ବୟ ରକ୍ଷା, ସମଜୀବୀମାନଙ୍କ ସହ ପ୍ରତିବନ୍ଧକ ରହିତ ଭେଦଭାବମୁକ୍ତ ସମ୍ପର୍କ ସ୍ଥାପନ କଥା ସେ ଯାହା କହିଛନ୍ତି ତାହା ଯଥାର୍ଥ। ରୋଗ ସାନବଡ଼, ଉଚ୍ଚନୀଚ ପାର୍ଥକ୍ୟ ଦେଖେନାହିଁ। ତେଣୁ ମହାମାରୀ ସମୟରେ ମଣିଷ-ମଣିଷ ଭିତରେ କୃତ୍ରିମ ବିଭାଜନର ଅନ୍ତଘଟାଇ ସମସ୍ତେ ମିଳିତ ଭାବେ ଏହାର ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କଥାକୁ ଭଲଭାବେ ହୃଦୟଙ୍ଗମ କରିପାରିଲେ ଓ ଆଚରଣରେ ମଣିଷପଣିଆ ପ୍ରକଟିତ ହେଲେ ମନୁଷ୍ୟକୃତ ବିଭେଦ, ଧାରଣା, ପକ୍ଷପାତୀ ବିଚାର ଓ ସଂକୀର୍ଣ୍ଣତା ଦୂର ହୋଇପାରିବ। କରୁଣାଭାବ ଓ ପାରସ୍ପରିକ ସହଯୋଗ- ସାହାଯ୍ୟ ଭାରତୀୟମାନଙ୍କର ଏକ ମୌଳିକ ମୂଲ୍ୟବୋଧ। ତାହାର ପରିପ୍ରକାଶରେ ଆମେ ଏକ ଉତ୍ତମ ଭାରତ ନିର୍ମାଣ କରିପାରିବା ବୋଲି ସେ ଯେଉଁ ଆଶା ପ୍ରକଟ କରିଛନ୍ତି ତାହା ସାଂପ୍ରତିକକାଳରେ ବେଶ ପ୍ରାସଙ୍ଗିକ ମନେହୁଏ।

ସେହିଭଳି ବ୍ୟାଧିମୁକ୍ତ ଭାରତ ଗଠନ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ,ଉନ୍ନୟନ ପ୍ରକ୍ରିୟାରେ ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ ସମ୍ପର୍କରେ ସେ ଯେଉଁ ବିଚାର ରଖିଛନ୍ତି ତାହାକୁ ସରକାର ନିଜର ନୀତି ଓ କାର୍ୟ୍ୟକ୍ରମର ଅଂଶ ବିଶେଷ କରିବା ଆବଶ୍ୟକ। ଅବଶ୍ୟ ଏ କ୍ଷେତ୍ରରେ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି; ତେବେ ଏହା ଆହୁରି ଆଗରୁ ଆରମ୍ଭ ହେବାର ଥିଲା। ଭାରତର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଜନସଂଖ୍ୟା ଦୃଷ୍ଟିରୁ ପର୍ୟ୍ୟାପ୍ତ ଏବଂ ସନ୍ତୋଷଜନକ ନୁହେଁ। ତେଣୁ ଏହା ସରକାରୀ ଯୋଜନାରେ ଅଗ୍ରାଧିକାର ପାଇବା ଆବଶ୍ୟକ। ଆମେ ଏବେ ବିକାଶର ଯେଉଁ ସ୍ତରରେ ପହଞ୍ଚିଛୁ ତା’ପଛରେ ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତିର ଅବଦାନ ଅନସ୍ବୀକାର୍ୟ୍ୟ। ତେଣୁ ଏହାର ଅଧିକରୁ ଅଧିକ ପ୍ରୟୋଗ ସମୟର ଆହ୍ବାନ। କୋଭିଡ଼ ପରବର୍ତ୍ତୀ ଯେଉଁ ଭାରତ ଓ ବିଶ୍ବ ଆସିବ ସେଥିରେ ବିଜ୍ଞାନ, ପ୍ରଯୁକ୍ତି ଓ ଜ୍ଞାନର ଚାହିଦା ଅଧିକ ହେବ। ତେଣୁ କରୋନା ମହାମାରୀ ଏଥିପାଇଁ ଆମକୁ ଏକ ବଡ଼ଶିକ୍ଷା ଓ ସୁଯୋଗ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଆଗକୁ ବୃତ୍ତି, ଶିକ୍ଷା, ଶାସନ, ସାମାଜିକ-ଆର୍ଥିକ ସମ୍ପର୍କ ଆଦି ସବୁଥିରେ ବିଜ୍ଞାନ ଓ ପ୍ରଯୁକ୍ତି ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରକୃତି ସହିତ ସମନ୍ବୟ ରକ୍ଷା କରି ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରୟୋଗଦ୍ବାରା ଆମେ ନୂଆ ଭାରତ ନିର୍ମାଣ କରିପାରିବା ବୋଲି ରାଷ୍ଟ୍ରପତି ଯାହା କହିଛନ୍ତି ତାହା ଯଥାର୍ଥ।
ସେ ଯଥାର୍ଥରେ କହିଛନ୍ତି ଯେ ବିକାଶ ଅର୍ଥକୈନ୍ଦ୍ରିକ ପରିବର୍ତ୍ତେ ମାନବ କୈନ୍ଦ୍ରିକ ହେବା ଉଚିତ। ଏହା ହେଲେ ମାନବିକତାର ବିକାଶ ଘଟିବ ଓ ସମାବେଶୀ ପ୍ରକ୍ରିୟାରେ ସମସ୍ତଙ୍କର ଉନ୍ନତି ଘଟିବ। ଏଥିରେ କରୁଣା, ଅନୁକମ୍ପା, ସତ୍‌ବିଚାର, ନ୍ୟାୟ, ତ୍ୟାଗ ଓ ତିତିକ୍ଷା ପ୍ରଭୃତି ଏବଂ ପରିବେଶ ପ୍ରତି ସଚେତନତା ଓ ସମ୍ବେଦନା ବଢ଼ିବ। ସମଗ୍ର ବିଶ୍ବ ଏବେ ଧନଲୋଭରେ ପ୍ରକୃତି ଉପରେ ଯେଉଁ ଦାଉ ସାଧୁଛି ତାହାର ପରିଣାମ ପ୍ରାକୃତିକ ବିପର୍ୟ୍ୟୟ ଡାକି ଆଣୁଛି ଏବଂ ମହାମାରୀ ବ୍ୟାପୁଛି! ତେଣୁ ଏ କ୍ଷେତ୍ରରେ ସଂଯମ ସବୁଠୁ ବଡ଼ ଆବଶ୍ୟକତା। ଏକ ବୈଶ୍ବିକ ମହାମାରୀ ସମୟରେ ଚୀନଭଳି କେତେକ ରାଷ୍ଟ୍ର ବିସ୍ତାରବାଦୀ ନୀତି ଆପଣେଇ ଭାରତୀୟ ଅଞ୍ଚଳ ଉପରେ ଆକ୍ରମଣ କରିବା ଘଟଣା କ୍ଷମତାଲିପ୍‌ସୁ ଲୋଭୀ ମଣିଷର ମୂର୍ଖାମିକୁ ଦର୍ଶାଉଛି। ସାରାବିଶ୍ବ ଓ ମଣିଷ ସମାଜ ଯେତେବେଳେ ବିପନ୍ନ ସେତେବେଳେ ରାଜ୍ୟ ଜୟ ଓ ଯୁଦ୍ଧ ଆୟୋଜନ ନିଚ୍ଛକ ଅମଣିଷ ପଣିଆର ପରିଚାୟକ- ଏକଥା ସେ ପରୋକ୍ଷରେ କହିଛନ୍ତି।

ବୌଦ୍ଧିକ, ଆଧ୍ୟାତ୍ମିକ ଓ ବିଶ୍ବଶାନ୍ତି କ୍ଷେତ୍ରରେ ଭାରତ ସର୍ବଦା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ‘ବସୁଧୈବ କୁଟୁମ୍ବକମ୍‌’ ଭାବନା ସମଗ୍ର ପୃଥିବୀକୁ ଭାରତର ଦାନ। ଆଜି ସ୍ବାଧୀନତା ଦିବସ ଅବସରରେ ଆମେ ସବୁ ଭାରତୀୟ ଆମ ପୂର୍ବସୂରୀଙ୍କ ପ୍ରଦର୍ଶିତ ମାର୍ଗରେ କାମ କରି ଏକ ସମୃଦ୍ଧ ଓ ବିକଶିତ ଭାରତ, ଏକ ନ୍ୟାୟୋଚିତ ସମାଜ ଓ ବିଶ୍ବଗଠନ ପାଇଁ ଆସନ୍ତୁ ଆଉ ଥରେ ଶପଥ ନେବା।

Comments are closed.