ପ୍ରତିରକ୍ଷାରେ ଆତ୍ମନିର୍ଭରତା; ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ

କଥାରେ ଅଛି ସାଉଁଟା କାଣ୍ଡରେ ଯୁଦ୍ଧ ଜିଣି ହୁଏନାହିଁ। ଏହି କଥାଟି ସବୁକାଳେ ପ୍ରାସଙ୍ଗିକ। ଭାରତ ପରିପ୍ରେକ୍ଷୀରେ ଦେଖିଲେ ଏହାର ମହତ୍ତ୍ବ ଅତି ଅଧିକ। ଭାରତର ସୈନ୍ୟବାହିନୀ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‍। ଚୀନ୍‍ ଓ ପାକିସ୍ତାନ ଭଳି ଯୁଦ୍ଧଖୋର ଓ ହିଂସୁକ ପଡ଼ୋଶୀଙ୍କ ମୁକାବିଲା ପାଇଁ ଭାରତ ଏକ ବିରାଟ ପ୍ରତିରକ୍ଷା ବ୍ୟବସ୍ଥା କରିଥିଲେ ହେଁ ଏହା ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣରେ ପୃଥିବୀର ଅନ୍ୟାନ୍ୟ ଆଗୁଆ ସାମରିକ ଶକ୍ତି ଭଳି ଏତେ ଅଗ୍ରଣୀ ନୁହେଁ। ଏହା ପଛରେ ଅବଶ୍ୟ ଅନେକ ଐତିହାସିକ ଓ ଆର୍ଥିକ ବାଧ୍ୟବାଧକତା ରହିଛି। ଏକ ବିରାଟ ଜନସଂଖ୍ୟାର ମୌଳିକ ଆବଶ୍ୟକତାକୁ ପୂରଣ କରିବାକୁ ଅଗ୍ରାଧିକାର ଦେଇ ଏହା ସାମରିକ ଖର୍ଚ୍ଚକୁ ବାଧ୍ୟ ହୋଇ କମ୍‍ କରିଛି। ତେବେ ସେ ଯା’ ହେଉ ସମୟକ୍ରମେ ଭାରତ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ ଜାରି ରଖିଛି। ଆମର ପ୍ରତିରକ୍ଷା ନୀତିକୁ ତଦନୁସାରେ ବିଭିନ୍ନ ସମୟରେ ପରିବର୍ତ୍ତନ କରାଯାଉଛି। ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ବା ଡିଆର୍‍ଡିଓ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସହଯୋଗ ଯୋଗାଉଛି। ଦେଶୀ କାରିଗରୀ ଜ୍ଞାନକୌଶଳ ଉପଯୋଗ କରି ଭାରତ ଆତ୍ମରକ୍ଷାର ଅଧିକାର ହାସଲ କରିଛି ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର ଓ ଯୁଦ୍ଧ ଉପକରଣ ତିଆରି କରି। ଆମେ ଶାନ୍ତି ପାଇଁ ଆଣବିକ ଶକ୍ତିର ଉପଯୋଗ କରୁଥିବାବେଳେ ସାମରିକ ଆବଶ୍ୟକତା ପୂରଣ ପାଇଁ ଆଣବିକ ଅସ୍ତ୍ରର ମଧ୍ୟ ଅଧିକାରୀ ହୋଇପାରିଛୁ। ଭାରତ ଯୁଦ୍ଧଖୋର ଓ ବିସ୍ତାରବାଦୀ ନୀତିରେ ବିଶ୍ୱାସ କରୁନଥିବାରୁ ସାମରିକୀକରଣକୁ ଅଗ୍ରାଧିକାର ଦିଏନାହିଁ। ତେଣୁ ରାଜସ୍ୱର ବଡ଼ଭାଗ ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେଉଛି। ଏହି ନୀତିକୁ ସମାଲୋଚନା କରାଯାଇ ନ’ପାରେ। ତେବେ ସମୟ ବଦଳୁଥିବାରୁ ଏବଂ ପଡ଼ୋଶୀମାନେ ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଉଥିବାରୁ ସାମରିକ ଶକ୍ତି ବୃଦ୍ଧି ଏବେ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ସେଥିପାଇଁ ଗତ କିଛିକାଳ ହେଲା ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଏବଂ ସେନାର ଯୁଦ୍ଧ ଦକ୍ଷତା ବୃଦ୍ଧି ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। ବିଡ଼ମ୍ବନା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‍ ସାମରିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପୁରୁଣାକାଳିଆ ଏବଂ ଏହା ମୁଖ୍ୟତଃ ବିଦେଶରୁ ଆମଦାନୀ ହେଉଥିବା ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଉପରେ ନିର୍ଭରଶୀଳ। ଏପରିକି ସାଧାରଣ ରାଇଫଲ, ଗୁଳିଗୋଳା ଓ ତୋପ କମାଣରେ ଏହା ପରମୁଖାପେକ୍ଷୀ। ଏଥିପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ କୋଟି ଟଙ୍କାର ସାମରିକ ସାମଗ୍ରୀ ବିଦେଶରୁ ଆମଦାନୀ ହୁଏ। ସେଥିରେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଦୁର୍ନୀତିର ଅଭିଯୋଗ ଉଠେ। ଏବେ ‘ଆତ୍ମନିର୍ଭରଶୀଳ ଭାରତ’ ଯୋଜନାରେ ଆମ ଦେଶ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ ଆରମ୍ଭ କରିଛି। ବିଳମ୍ବରେ ହେଉ ପଛେ ଏହା ଏକ ଉତ୍ତମ ନିଷ୍ପତ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଐତିହାସିକ ନିଷ୍ପତ୍ତି ନେଇ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ୧୦୧ ପ୍ରକାରର ସାମରିକ ଉପକରଣ ଆମଦାନୀକୁ ନିଷିଦ୍ଧ କରିବାକୁ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ୱାଗତଯୋଗ୍ୟ। ଏଥିରେ ହାଲୁକା ଯୁଦ୍ଧବିମାନ, ପରିବହନ ବିମାନ, ଟ୍ୟାଙ୍କ, ସାଂଜୁଆ ଯାନ, ରେଡାର, ତୋପ, କମାଣ, ଆଧୁନିକ ରାଇଫଲ ଆଦି ଅନ୍ତର୍ଭୁକ୍ତ। ଏସବୁ ଏବେ ଭାରତରେ ତିଆରି ହେବ। ଏହି ୧୦୧ ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ ଉଦ୍ୟୋଗଗୁଡ଼ିକ ୪ଲକ୍ଷ କୋଟି ଟଙ୍କାର ବରାଦ ପାଇବେ। ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ନିୟମ କୋହଳ ହେବା ସହିତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଡର ବା ଶିଳ୍ପାଞ୍ଚଳମାନ ମୁଣ୍ଡ ଟେକିଛି। ଡିଆର୍‍ଡିଓ ମଧ୍ୟ ଏଥିପାଇଁ ଆବଶ୍ୟକ ଜ୍ଞାନକୌଶଳ ଓ ପ୍ରୋତ୍ସାହନ ଯୋଗାଇ ଦେଉଛି। ନିଜସ୍ୱ କାରିଗରୀ ଜ୍ଞାନକୌଶଳ ପ୍ରୟୋଗ କରି ଏସବୁ ସାମଗ୍ରୀ ଉତ୍ପାଦନ କରିବା ପାଇଁ ଭାରତ ପାଖରେ ଆବଶ୍ୟକ ବୈଷୟିକ ଲୋକଶକ୍ତିର ଅଭାବ ନାହିଁ। ଫଳରେ ଉତ୍ପାଦିତ ସାମଗ୍ରୀର ମୂଲ୍ୟ କମ୍‍ ହେବ ଏବଂ ମାନ ମଧ୍ୟ ଉଚ୍ଚ ରହିବ। ଭାରତ ତିଆରି ସାମଗ୍ରୀ କିଣିବା ପାଇଁ ପ୍ରତିରକ୍ଷାବାହିନୀ ମଧ୍ୟ ନିର୍ଦିଷ୍ଟ ଅର୍ଥ ବରାଦ କରି ଏହି ଯୋଜନାର ସଫଳତା ମାର୍ଗକୁ ଅଧିକ ସହଜ କରିଛି।

ଯୁଦ୍ଧରେ ଜିତିବା ଏବଂ ଶତ୍ରୁକୁ ଦୂରେଇ ଦବେଇ ରଖିବା ପାଇଁ କେବଳ ଅସ୍ତ୍ରଶସ୍ତ୍ର ନୁହେଁ, ଉପଯୁକ୍ତ ରଣକୌଶଳ ଓ ଦୂରଦୃଷ୍ଟି ଲୋଡ଼ା। ଚୀନର ବଦ୍‍ମାସି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହି କାମଟିକୁ ସୁସଂହତ ଓ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ପ୍ରୟାସୀ ଥିବା ମନେହୁଏ। ଅତ୍ୟାବଶ୍ୟକ ସାମରିକ ଉପକରଣରେ ଭାରତ କିପରି ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପାଇଁ ସେ ଭିତ୍ତିଭୂମି, ନୀତି ଓ ଲକ୍ଷ୍ୟ ସ୍ପଷ୍ଟ କରିଦେଇଛନ୍ତି। ନିହାତି ଦରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆମଦାନୀ ବାଟ ଏବେ ମଧ୍ୟ ଉନ୍ମୁକ୍ତ ରଖିଛନ୍ତି। ଏହା ଫଳରେ ଦେଶ ଯୁଦ୍ଧ ପାଇଁ ସଦା ପ୍ରସ୍ତୁତ ରହିପାରିବ ଏବଂ ନିଜର ସାମରିକ ସାମର୍ଥ୍ୟକୁ ଅଧିକ ଦୃଢ଼ କରିପାରିବ।

ପ୍ରତିରକ୍ଷାବାହିନୀର ଏହି ଆତ୍ମନିର୍ଭରଶୀଳ ପ୍ରୟାସରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଜଡ଼ିତ। ଦେଶ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ଆମଦାନୀ ଜନିତ ବିପୁଳ ବ୍ୟୟ ବଞ୍ଚାଇବ। ଏହା ‘ମେକ୍‍ ଇନ୍‍ ଇଣ୍ଡିଆ’କୁ ସଫଳ କରିବା ସହ ଆମ ବୈଜ୍ଞାନିକ ଓ ବୈଷୟିକ ବୁଦ୍ଧିବିଦ୍ୟା ପ୍ରୟୋଗ ପାଇଁ ନୂଆ ଅବସର ଆଣିବ। ସର୍ବୋପରି ଏହା ଦେଶରେ ନିଯୁକ୍ତି ପରିସର ବଢ଼ାଇ ଅସ୍ତ୍ରଶସ୍ତ୍ର ରପ୍ତାନିର ସୁଯୋଗ ସୃଷ୍ଟି କରିବ। ଏହା ଏକ ଉତ୍ତମ ଓ ସ୍ୱାଗତଯୋଗ୍ୟ ବିଚାର। ଆମେ ଯେପରି ଉନ୍ନତମାନର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଉତ୍ପାଦନ କରିପାରିବା ଏବଂ ଆମଦାନୀ କଟକଣା ଯୋଗୁଁ ପ୍ରତିରକ୍ଷାବାହିନୀ ଯେପରି ଅସୁବିଧାରେ ନ’ପଡ଼େ ସେଥିପ୍ରତି ଆମକୁ ବିଶେଷ ଦୃଷ୍ଟି ଦେବାକୁ ହେବ। ଏକଦା ତତ୍କାଳୀନ ପାକ୍‍ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲି ଭୁଟ୍ଟୋ କହିଥିଲେ, ‘ପାକିସ୍ତାନ ଘାସ ଖଇବ ପଛେ ପରମାଣୁ ବୋମା ତିଅରି କରିବ।’ ସେ ଏକଥା କହିବା ପଛରେ ତାଙ୍କର ନିଶାଣ ଥିଲା ଭାରତ ଉପରେ। ଆମ ଭାରତ କିନ୍ତୁ ଘାସ ନ’ଖାଇ ପାକିସ୍ତାନ ଭଳି ଦରିଦ୍ର ନ’ହୋଇ ଆଣବିକ ବୋମା ତିଆରି କରିପାରିଛି। ଆମ ଲୋକଙ୍କୁ ଓ ଦେଶକୁ ଅପେକ୍ଷାକୃତ ବେଶ୍‍ ଭଲରେ ରଖି ଏବେ ଯେଉଁ ନୂଆ ଅସ୍ତ୍ରଶସ୍ତ୍ର ଆହରଣ ନୀତି ଆପଣାଇଛି ତାହା ବେଶ୍‍ ସ୍ୱାଗତଯୋଗ୍ୟ ଓ ସମୟୋପଯୋଗୀ।

Comments are closed.