ଜଗନ୍‌ମୋହନ ତତ୍ତ୍ବ, ସମୟର ଆବଶ୍ୟକତା ନା ବାଧ୍ୟବାଧକତା?

ଭାରତର ଭୌଗୋଳିକ ବିଶାଳତା, ସାଂସ୍କୃତିକ ବିବିଧତା ଆଦି ପ୍ରସଙ୍ଗକୁ ନେଇ ଯଦି ଦେଶରେ ପାଞ୍ଚଟି ଉପରାଷ୍ଟ୍ରପତି, ପାଞ୍ଚଟି ବିଭିନ୍ନ ବିଷୟକ ରାଜଧାନୀ, ପାଞ୍ଚଜଣ ଉପପ୍ରଧାନମନ୍ତ୍ରୀ ଭଳି ପଦ ସୃଷ୍ଟି କରାଯାଏ ଏବଂ ଶାସକଦଳ/ମେଣ୍ଟ ସଂଖ୍ୟାଗରିଷ୍ଠତା ଭିତ୍ତିରେ ଏହା କରିବାପାଇଁ ରାଜନୈତିକ ନିଷ୍ପତ୍ତି ନିଏ, ଏ କ୍ଷେତ୍ରରେ ଆପଣଙ୍କର ମତାମତ କ’ଣ ହେବ? ଏ ପ୍ରସଙ୍ଗରେ ଆପଣ ଏକମତ, ଦ୍ବିମତ ହୋଇପାରନ୍ତି; କିମ୍ବା ପ୍ରଶ୍ନ କରିପାରନ୍ତି ଏହାର ଯଥାର୍ଥତା କ’ଣ ବୋଲି। ଏଭଳି ବ୍ୟବସ୍ଥା ବା ପଦ ସୃ​‌ଷ୍ଟିରେ କିଛି ସାମ୍ବିଧାନିକ ବାରଣ ବା କଟକଣା ଅଛି କି? ସମ୍ବିଧାନକୁ ଦରାଣ୍ଡିଲେ କିଛି କଟକଣା ନଜରକୁ ଆସିପାରେ ବା କେଉଁଠି ସାମ୍ବିଧାନିକ ଅସ୍ପଷ୍ଟତା ଦୃଷ୍ଟିଗୋଚର ହୋଇପାରେ। ଆମେ ଯଦି ବିପୁଳ ବହୁମତ ପାଇଁ ସରକାରକୁ ଆସିଛୁ ଏବଂ କିଛି କରିବାକୁ ଚାହୁଁଛୁ; ତେବେ ଆମେ ଯାହା କରିବାକୁ ଚାହୁଁଛୁ; ଶାସନର ସୁବିଧା ଓ ଲୋକଙ୍କ କଲ୍ୟାଣ ପାଇଁ କରିପାରିବୁ। ଆଇନଗତ ବ୍ୟବସ୍ଥା ନଥିଲେ ଆମେ ନୂଆ ଆଇନ କରିପାରିବୁ ବା ଦରକାର ପଡ଼ିଲେ ସମ୍ବିଧାନକୁ ବଦଳାଇ ପାରିବୁ। କାରଣ ରାଜନୈତିକ ଆବଶ୍ୟକତା ପୂରଣ ପାଇଁ ଅନେକ କିଛି କରିବାକୁ ପଡ଼ିଥାଏ ଏବଂ ସେଥିପାଇଁ ଯାହା ସମ୍ବିଧାନର ମୌଳିକ ଢ଼ାଞ୍ଚାର ପରିସର ନୁହେଁ ତାହା ଆମେ କରିପାରିବୁର ଏ ବ୍ୟବସ୍ଥା ଆମକୁ ଭାରତୀୟ ଗଣତନ୍ତ୍ର ଦେଇଛି। ଆମେ ଯେଉଁ ପ୍ରସଙ୍ଗଟି ଉତ୍‌ଥାପନ କରିଛୁ ତାହାର ବିଶେଷତ୍ବକୁ ଟିକେ ହୃଦୟଙ୍ଗମ କରନ୍ତୁୁ। ସମ୍ବିଧାନରେ ଅଛି ଦେଶର ଜଣେ ଉପରାଷ୍ଟ୍ରପତି ରହିବେ ଏବଂ ରାଷ୍ଟ୍ରପତିଙ୍କୁ ସାହାଯ୍ୟ କରିବା ସହିତ ରାଜ୍ୟସଭାର ଅଧ୍ୟକ୍ଷ ଭାବେ ସେ ନିର୍ଦ୍ଧାରିତ ଦାୟିତ୍ବ ତୁଲାଇବେ।

ଆମେ ଯଦି ସେହି ମୌଳିକ ଢ଼ାଞ୍ଚାକୁ ବଦଳାଇ ଅଞ୍ଚଳ ଭିତ୍ତିରେ ପାଞ୍ଚ ଉପରାଷ୍ଟ୍ରପତି ପଦ ସୃ​‌ଷ୍ଟିକରି ସେମାନଙ୍କ ପାଇଁ କ୍ଷମତା ଓ କାର୍ୟ୍ୟପରିସର ସୃଷ୍ଟି କରିବୁ ତାହା କ’ଣ ଅସାମ୍ବିଧାନିକ ହେବ? ଅବଶ୍ୟ ଅଦାଲତ ଏ କ୍ଷେତ୍ରରେ ଶେଷ ରାୟ ଶୁଣାଇପାରିବେ। ଆମ ଦେଶର ରାଜଧାନୀ ଦିଲ୍ଲୀ ହୋଇଥିବା ବେଳେ ଆର୍ଥିକ ରାଜଧାନୀ ମୁମ୍ବଇ। ସେଠାରେ ରିଜର୍ଭବ୍ୟାଙ୍କର ସଦର କାର୍ୟ୍ୟାଳୟ ରହିଛି। କେନ୍ଦ୍ର ସରକାର ଯଦି ସ୍ଥିର କରିବେ ଯେ ଦେଶର କେନ୍ଦ୍ରାଞ୍ଚଳରେ ବା ଅନ୍ୟ କେଉଁଠି ସୁପ୍ରିମକୋର୍ଟର ସଦର କାର୍ୟ୍ୟାଳୟ ସ୍ଥାପନ କରି ତାହାକୁ ନ୍ୟାୟିକ ରାଜଧାନୀର ମର୍ୟ୍ୟାଦା ଦେବାକୁ ସେ ନିଷ୍ପତ୍ତିକୁ କ’ଣ ସର୍ବୋଚ୍ଚ ଅଦାଲତ ଖାରଜ କରିପାରିବ?

ସେହିଭଳି ଭାରତରେ ଏକକାଳୀନ ଦୁଇଜଣ ଉପପ୍ରଧାନମନ୍ତ୍ରୀ କାର୍ୟ୍ୟ କରିବାର ନଜିର ରହିଛି। ସରକାର ଯଦି ରାଜନୈତିକ ଆବଶ୍ୟକତାରୁ ଏହାକୁ ପାଞ୍ଚ ବା ତତୋଽଧିକ କରିବାକୁ ନିଷ୍ପତ୍ତି ନିଅନ୍ତି ତାଙ୍କୁ କେହି ଅଟକାଇ ପାରିବ କି? ଏସବୁ କହିବାର ଉଦ୍ଦେଶ୍ୟ ହେଲା ଭାରତରେ ବୋଧହୁଏ ଏସବୁ ସମ୍ଭବ। ପ୍ରଶାସନିକ ଦକ୍ଷତାବୃଦ୍ଧି, ଆଞ୍ଚଳିକ ବୈଷମ୍ୟର ଅବସାନ, ଲୋକଙ୍କୁ ସୁଶାସନ ପ୍ରଦାନ ଆଦି କଥା କହି ଏସବୁ କରିହେବ। କରିହେବ କେବଳ ନୁହେଁ ସେ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆନ୍ଧ୍ରପ୍ରଦେଶରେ ଏକାଥରକେ ତିନିଟି ରାଜଧାନୀ ଓ ପାଞ୍ଚଜଣ ଉପମୁଖ୍ୟମନ୍ତ୍ରୀ ରହିବାର ଆଇନକୁ ସେଠା ରାଜ୍ୟପାଳ ସ୍ବୀକୃତି ଦେଇ ସାରି​‌େ​‌ଲଣି। ଏହା ବିରୋଧରେ ଏବେ ମାମଲା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରାଧୀନ ରହିଛି। ହେଲେ ତା’ପୂର୍ବରୁ ସେଠା ସରକାର ତାଙ୍କ ନୂଆ ବିଚାରକୁ କାର୍ୟ୍ୟକାରୀ କରିବାକୁ ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି।
ଯାହା ଜଣାଯାଉଛି ଆନ୍ଧ୍ରର ଜଗନମୋହନ ରେଡ୍ଡୀ ସରକାର ଏ କ୍ଷେତ୍ରରେ ଏକ ନୂଆ ରେକର୍ଡ ଓ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ତାଙ୍କର ଯୁକ୍ତି ଯେ ଆନ୍ଧ୍ରଭଳି ଭୌଗୋଳିକ ଦୃଷ୍ଟିରୁ ଏକ ବିସ୍ତୃତ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ତଥା ଆଞ୍ଚଳିକ ବୈଷମ୍ୟ ଦୂରପାଇଁ ତିନିରାଜଧାନୀ ପରିକଳ୍ପନା ଏକାନ୍ତ ବାସ୍ତବବାଦୀ। ଏହା ଯେତେବେଳେ ଏକ ରାଜନୈତିକ ନିଷ୍ପତ୍ତି ସେଥିପାଇଁ ସପକ୍ଷ ଓ ବିପକ୍ଷରେ ଜନମତ ପ୍ରକାଶ ପାଇବା ସ୍ବାଭାବିକ।

ଆହୁରି ମଧ୍ୟ ଯେଉଁ ଅଞ୍ଚଳ ଏହି ଯୋଜନାରେ ଉପକୃତ ହେବେ ସେଠାରେ ମଧ୍ୟ ନିଷ୍ପତ୍ତି ସପକ୍ଷରେ ଜନମତ ଦୃଢ଼ ହେବ। ନୂଆ ଆଇନ ଅନୁସାରେ ଅମରାବତୀ ରାଜ୍ୟର କାର୍ୟ୍ୟପାଳିକା ରାଜଧାନୀ, ବିଶାଖାପାଟଣା ବିଧାନପାଳିକା ରାଜଧାନୀ ଏବଂ କୁର୍ଣ୍ଣୁଲ ନ୍ୟାୟପାଳିକା ରାଜଧାନୀର ମର୍ୟ୍ୟାଦା ପାଇବେ। ସରଳଭାଷାରେ ଅମରାବତୀରେ ରାଜ୍ୟର ଶାସନକେନ୍ଦ୍ର ଓ ସଚିବାଳୟ ରହିବ ଏବଂ ବିଶାଖାପାଟଣାରେ ବିଧାନସଭା ତଥା ବିଧାନ ଭବନ କାର୍ୟ୍ୟ କରିବ। ସେହିଭଳି କୁର୍ଣ୍ଣୁଲରେ ରାଜ୍ୟର ହାଇକୋର୍ଟ ପ୍ରତିଷ୍ଠା ହେବ। ଅବଶ୍ୟ ଏବେ ବିଭିନ୍ନ ରାଜ୍ୟରେ ରାଜଧାନୀ ଓ ହାଇକୋର୍ଟ ବିଭିନ୍ନ ସ୍ଥାନରେ ରହିଛି; କିନ୍ତୁ ପ୍ରଥମଥର ପାଇଁ ବିଧାନସଭା ପ୍ରଶାସନିକ ରାଜଧାନୀଠାରୁ ଦୂରରେ ଅନ୍ୟ ସହରରେ କାର୍ୟ୍ୟକରିବ। ଏହା ଦ୍ବାରା ଆଞ୍ଚଳିକ ବୈଷମ୍ୟ କେମିତି କେତେ ମାତ୍ରାରେ ଦୂରହେବ ଏବଂ ଲୋକେ ଉପକାର ପାଇବେ ସେ କଥା ବୁଝିବା ସହଜ ହେଉନାହିଁ। ତେବେ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯାଉଛି ଯେ ସରକାରୀ ଓ ସ୍ଥାପନା ଜନିତ ବ୍ୟୟ ଯଥେଷ୍ଟ ବଢ଼ିବ।

ମହାରାଷ୍ଟ୍ର ଓ ଜାମ୍ମୁ-କାଶ୍ମୀରର ଦୁଇ ରାଜଧାନୀ ଅନୁଭୂତି କହୁଛି ଏହା ଏକ ବିଶାଳ ନିରର୍ଥକ ପ୍ରକ୍ରିୟା ଏବଂ ଏଥିରେ ସରକାରୀ ଅର୍ଥ ଶ୍ରାଦ୍ଧ ହିଁ ପରିଣତି। ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ପ୍ରଶାସକମାନେ ବିଧାନସଭା ଅଧିବେଶନ କାଳରେ ଦିଲ୍ଲୀରୁ ଦୌଲତାବାଦ ଧାଇଁବା ଭଳି ଅବସ୍ଥାରେ ପଡ଼ିବେ। ଆହୁରି ମଧ୍ୟ ରାଜ୍ୟର ଗୋଟିଏ କୋଣରେ ହାଇକୋର୍ଟ ରହିଲେ ଅନ୍ୟ ଭାଗରେ ଏକାଧିକ ସର୍କିଟକୋର୍ଟ ସ୍ଥାପନ କରିବାକୁ ପଡ଼ିବ। ବାସ୍ତବତା ଦୃଷ୍ଟିରୁ ଦେଖିଲେ ଚନ୍ଦ୍ରବାବୁ ନାଇଡୁ ସରକାରଙ୍କ ଏ ସଂକ୍ରାନ୍ତ ନିଷ୍ପତ୍ତି ଅପେକ୍ଷାକୃତ ଭଲ ଥିଲା। ଏବେ ନୂଆ ବ୍ୟବସ୍ଥାରେ ଅଫିସର, କର୍ମଚାରୀ, ମନ୍ତ୍ରୀ-ତନ୍ତ୍ରୀ ବର୍ଷକୁ ତିନିଥର ଛୁଆଲଗା ବିରାଡ଼ିଭଳି ଏପଟସେପଟ ହେବାକୁ ବାଧ୍ୟ ହେବେ।
ଉପମୁଖ୍ୟମନ୍ତ୍ରୀ ପଦ ଏକ ରାଜନୈତିକ ବ୍ୟବସ୍ଥା ଯେଉଁଠି ଜାତି, ଧର୍ମ, ବର୍ଣ୍ଣ, ଆଞ୍ଚଳିକତା ଭଳି କେତେକ ଅସମାହିତ ପ୍ରଶ୍ନକୁ ଚାପି ରଖିବା ପାଇଁ ପଦ ଦେଇ ନେତାଙ୍କୁ ଥଇଥାନ କରାଯାଏ। ଏହା କେବଳ ଏକ ତୁଚ୍ଛା ଅହଂକାର ଓ ମିଛ ସ୍ବାଭିମାନର ପ୍ରୟାସ ସିନା ଏଥିରେ ଲୋକଙ୍କର କିଛି ଉନ୍ନତି ଘଟେ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାମ ହାଲ୍‌କା ହୁଏନା। ବାସ୍ତବରେ କୌଣସି ଉପମୁଖ୍ୟମନ୍ତ୍ରୀ ସେହି ପଦରେ ଶପଥ ନିଅନ୍ତି ନାହିଁ ଏବଂ ଏହା କେବଳ ଗୋଟେ ରାଜନୀତିକ ଆଡମ୍ବର। ତଥାପି ଏକ ନୂଆ ଧାରା ସୃଷ୍ଟିକରି ଅଞ୍ଚଳ, ଜାତି, ସଂପ୍ରଦାୟ ଓ ବର୍ଗ ଭିତ୍ତିରେ ପାଞ୍ଚ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇ ଜଗନମୋହନ ରେଡ୍ଡୀ ସୁଶାସନ ଦେବାକୁ ସମର୍ଥ ହେବେ କାହାର କିଛି କହିବାର ନାହିଁ। ଶାସନର ବିକେନ୍ଦ୍ରୀକରଣ ଓ ସୁଶାସନ ଏକାଧିକ ରାଜଧାନୀ ବା ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିରେ ହୁଏନା। ଏହା ଶାସନର ବିସ୍ତାର ଓ ଲୋକଙ୍କୁ ଉପଯୁକ୍ତ ସମୟରେ ସେବା ପ୍ରଦାନ କରି ସେମାନଙ୍କ ଅଭାବ ଅସୁବିଧା ଦୂର କରିବାରେ ସଫଳ ହୋଇଥାଏ। ଯୁଗ ବଦଳିବା ସହ ରାଜନୈତିକ ପ୍ରୟୋଗ ଓ ପ୍ରଶାସନିକ ଦର୍ଶନ ବଦଳୁଛି। ଏହାକୁ ଏକ ନୂଆ ପ୍ରୟୋଗଭାବେ ଗ୍ରହଣ କରି ଆନ୍ଧ୍ରମୁଖ୍ୟମନ୍ତ୍ରୀ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା କେତେଦୂର ଫଳବତୀ ହେବ ତାହା କେବଳ ସମୟ କହିବ?

Comments are closed.