ସଞ୍ଜୀବନୀ ଅପେକ୍ଷାରେ ଏମ୍‍ଏସ୍‍ଏମ୍‍ଇ : ଜିଏସ୍‍ଟି ସାମୟିକ କୋହଳ ହେଉ

କୋଭିଡ୍‍-୧୯ ମହାମାରୀ ଓ ତତ୍‍ସଂଲଗ୍ନ ଲକ୍‍ଡାଉନ୍‍ ଯୋଗୁଁ ଅର୍ଥନୀତିର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ(ଏମ୍‍ଏସ୍‍ଏମ୍‍ଇ) କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏମ୍‍ଏସ୍‍ଏମ୍‍ଇକୁ ଚଳଚଞ୍ଚଳ କରିବା ପାଇଁ ଆତ୍ମନିର୍ଭର ଭାରତ ଯୋଜନାରେ କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍‍ ଘୋଷଣା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନାହିଁ। ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚରୁ ଜୁନ୍‍ ମାସ ମଧ୍ୟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରରେ ପ୍ରାୟ ୩ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ଯଦି ଏହି ସ୍ଥିତି ଜାରି ରହେ ତେବେ ଅଗଷ୍ଟ ଶେଷ ସୁଦ୍ଧା ଆଉ ଦେଢ଼ କୋଟି ଲୋକ ରୋଜଗାର ହରାଇବେ। ଭାରତୀୟ ଏମ୍‍ଏସ୍‍ଏମ୍‍ଇ ସଂଘ, ଭାରତୀୟ ବିତ୍ତ ପରାମର୍ଶଦାତା ସମିତି, ଟାକ୍ସ ଲ ଏଡୁକେୟାର ସୋସାଇଟି ଆନୁକୂଲ୍ୟରେ ସ୍କଚ୍‍ ଗ୍ରୁପ୍‍ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଭାରତୀୟ ଅର୍ଥନୀତିରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି। ଲକ୍‍ଡାଉନ୍‍ ପୂର୍ବବର୍ତ୍ତୀ ସମୟ ପର୍ଯ୍ୟନ୍ତ ଭାରତରେ ୬ କୋଟି ୩୦ ଲକ୍ଷ ଏମ୍‍ଏସ୍‍ଏମ୍‍ଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ। ଦେଶର ଜିଡିପିରେ ଏମ୍‍ଏସ୍‍ଏମ୍‍ଇର ଅବଦାନ ୨୯% ଥିବା ବେଳେ ରପ୍ତାନୀରେ ୪୮% ଭାଗ ଥିଲା। ଲକ୍‍ଡାଉନ୍‍ ଯୋଗୁଁ ଏଥିମଧ୍ୟରୁ ଅଧିକାଂଶ ଶିଳ୍ପସଂସ୍ଥା ବନ୍ଦ ହୋଇଯାଇଥିବାରୁ ଏହାର ଗୁରୁତର ପ୍ରଭାବ ନିଯୁକ୍ତି ବଜାର ଓ ଅର୍ଥନୀତି ଉପରେ ପଡ଼ିଛି।
ଦେଶର ୪୫ ଲକ୍ଷ ଏମ୍‍ଏସ୍‍ଏମ୍‍ଇଙ୍କୁ ବିନା ବନ୍ଧକରେ ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଗତ ମେ’ ମାସରେ ଘୋଷଣା କରିଥିଲେ। ଏଥିସହିତ ଆଗାମୀ ଦିନରେ ଯେଉଁ ଏମ୍‍ଏସ୍‍ଏମ୍‍ଇ ଷ୍ଟକ୍‍ବଜାର ତାଲିକାଭୁକ୍ତ ହେବାକୁ ଇଚ୍ଛା କରିବେ ସେହିସବୁ ସଂସ୍ଥାର ୧୫% ଅଂଶଧନ ସରକାର କିଣିବାକୁ ଏକ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଏସବୁ ସତ୍ତ୍ବେ ଏମ୍‍ଏସ୍‍ଏମ୍‍ଇର ଅଧୋଗତି ବଢ଼ିବାରେ ଲାଗିଛି। ଏହାପଛରେ ଥିବା ଅନେକ କାରଣ ମଧ୍ୟରୁ ଦୁଇଟି ପ୍ରମୁଖ କାରଣ ବିଷୟରେ ଆଲୋଚନା କରାଯାଇପାରେ। ପ୍ରଥମତଃ ଭାରତୀୟ ବିଧି ବ୍ୟବସ୍ଥା ମଧ୍ୟରେ ସାଧାରଣ ଉଦ୍ୟୋଗୀଟିଏ ଋଣ ପାଇବା ସହଜ ନୁହେଁ। ଏହାଛଡ଼ା ଋଣ ନେଉଥିବା ଉଦ୍ୟୋଗୀଙ୍କ ମଧ୍ୟରୁ ସମସ୍ତେ ସଚ୍ଚୋଟ ନୁହନ୍ତି। ସରକାରୀ ଗ୍ୟାରେଣ୍ଟିରେ ମିଳୁଥିବା ଋଣକୁ ସେମାନେ ସରକାରୀ ସହାୟତା ଭାବେ ଧରି ନେଇ ପରିଶୋଧ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି। ତେଣୁ ବ୍ୟାଙ୍କମାନେ ସରକାରୀ ଗ୍ୟାରେଣ୍ଟି ସତ୍ତ୍ବେ ଋଣ ମଞ୍ଜୁର କରିବା ପୂର୍ବରୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ଚାହୁଁଛନ୍ତି। ବର୍ତ୍ତମାନର ପରିସ୍ଥିତି ଏହି ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ବ୍ୟାବସାୟିକ କାରବାର ସ୍ଥାଣୁ ହୋଇଯାଇଥିବାରୁ ଅନେକ ଛୋଟବଡ଼ ଶିଳ୍ପ ସଂସ୍ଥା ଦରମା, ବିଦ୍ୟୁତ ଦେୟ, ଘର ଭଡ଼ା, ପୂର୍ବ ଋଣର କିସ୍ତି ଓ ସୁଧ ପରିଶୋଧ ସମେତ ଅନ୍ୟାନ୍ୟ ଅପରିହାର୍ଯ୍ୟ ଖର୍ଚ୍ଚ ପାଇଁ ପୁଞ୍ଜି ଅର୍ଥକୁ ବିନିଯୋଗ କରୁଛନ୍ତି। ତେଣୁ ସ୍ୱାଭାବିକ ଭାବରେ ଶିଳ୍ପସଂସ୍ଥାଗୁଡ଼ିକର ଋଣ ପରିଶୋଧ କ୍ଷମତା ହ୍ରାସ ପାଇଥିବାରୁ ବ୍ୟାଙ୍କମାନେ ଋଣ ଦେବାକୁ ଅମଙ୍ଗ ହେଉଛନ୍ତି କିମ୍ବା ବୀମା ଚାହୁଁଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ୟାକେଜ୍‍ର ବିଫଳତାର ଆଉ ଏକ କାରଣ ହେଲା ସେଥିରେ ଥିବା ଜଟିଳ ବ୍ୟବସ୍ଥା। ଘୋଷିତ ୩ ଲକ୍ଷ କୋଟି ଟଙ୍କାର ସହାୟତା ଯୋଜନାର ବାସ୍ତବତା ହେଉଛି ଯେଉଁ ଏମ୍‍ଏସ୍‍ଏମ୍‍ଇ ସଂସ୍ଥା ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ କରିଥିବେ ଏବଂ ଯେଉଁମାନଙ୍କର ବାର୍ଷିକ କାରବାର ୧୦୦ କୋଟିଟଙ୍କା ପର୍ଯ୍ୟନ୍ତ ହୋଇଥିବ କେବଳ ସେମାନଙ୍କୁ ହିଁ ଅତିରିକ୍ତ ଋଣ ସୁବିଧା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଅତିରିକ୍ତ କାର୍ଯ୍ୟକାରୀ ପୁଞ୍ଜି ଭାବରେ ଉପଲବ୍ଧ ହେବ। ଏହି ସହାୟତା ଋଣର ପରିମାଣ ପ୍ରତି ସଂସ୍ଥାର ଆଉଟଷ୍ଟାଣ୍ଡିଂ(ପୂର୍ବରୁ ନେଇଥିବା) ଋଣର ୨୦%ରୁ ଅଧିକ ହେବ ନାହିଁ। ପୁଣି ଏହି ଆଉଟଷ୍ଟାଣ୍ଡିଂ ଋଣ ବିଗତ ଦୁଇ ମାସ ଭିତରେ ନେଇଥିବା ଆବଶ୍ୟକ। ଏହାପୂର୍ବରୁ ୨ ଲକ୍ଷ ଏମ୍‍ଏସ୍‍ଏମ୍‍ଇ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ୨୦ ହଜାର କୋଟି ଟଙ୍କାର ଋଣ ସହାୟତା ଘୋଷଣା କରିଥିଲେ। ସେହି ସୁବିଧା କେବଳ ସେହିମାନଙ୍କୁ ମିଳିବ ଯେଉଁମାନଙ୍କର ଋଣ ଅନାଦେୟ ତାଲିକାଭୁକ୍ତ ହୋଇସାରିଥିବ। ‘କ୍ରେଡିଟ୍‍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ଏମ୍‍ଏସ୍‍ଏମ୍‍ଇ’କୁ ଏହି ପାଣ୍ଠି ପ୍ରଦାନ କରାଯିବ। ତେଣୁ ଘୋଷଣା ଓ ବାସ୍ତବତା ମଧ୍ୟରେ ଫରକ୍‍ ରହୁଥିବାରୁ ତାହାର ସୁଫଳ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ।
ନିକଟରେ ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍‍ ପ୍ରଣବ ସେନ୍‍, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ଭି ଅନନ୍ତ ନାଗେଶ୍ୱରନ୍‍, ନ୍ୟାଶ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପବ୍ଲିକ୍‍ ଫାଇନାନ୍ସ ଆଣ୍ଡ ପଲିସିର ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ରାତିନ୍‍ ରାଏଙ୍କ ସମେତ ପ୍ରମୁଖ ବଜାର ବିଶେଷଜ୍ଞ ଓ ଅର୍ଥନୀତିଜ୍ଞମାନେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟକୁ ନେଇ ଉଦ୍‍ବେଗ ପ୍ରକାଶ କରିଛନ୍ତି। ଭାରତୀୟ ଶିଳ୍ପକୁ ବଞ୍ଚାଇବାକୁ ହେଲେ ଏମ୍‍ଏସ୍‍ଏମ୍‍ଇକୁ ଏହି ସଙ୍କଟରୁ ଯଥାଶୀଘ୍ର ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସେମାନେ ପରାମର୍ଶ ଦେଇଛନ୍ତି। ଅର୍ଥନୀତିରେ ସାମ୍ପ୍ରତିକ ସ୍ଥିତିର ପ୍ରଭାବ ଓ ଘନୀଭୂତ ହେଉଥିବା ସଙ୍କଟର ଭୟାବହତାକୁ ଅନୁଶୀଳନ କଲେ ଅର୍ଥନୀତିଜ୍ଞଙ୍କ ପରାମର୍ଶର ଗୁରୁତ୍ୱ କେତେ ତାହା ଅନୁଭୂତ ହୁଏ। ଅର୍ଥନୀତିର ଯୋଗାଣ ପାର୍ଶ୍ବକୁ ଚଳଚଞ୍ଚଳ କରି ରଖୁଥିବା ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରର କ୍ଷମତା ଲକ୍‍ଡାଉନ୍‍ ଯୋଗୁଁ ସଙ୍କୁଚିତ ହୋଇଯାଇଛି। ଅପରପକ୍ଷରେ ଛଟେଇ ଓ ଦରମା ହ୍ରାସ ଯୋଗୁଁ ଉପଭୋକ୍ତାଙ୍କ ହାତରେ ଖର୍ଚ୍ଚ କ୍ଷମତା ହ୍ରାସ ପାଇଥିବାରୁ ଅର୍ଥନୀତିର ଚାହିଦା ପାର୍ଶ୍ବ ମନ୍ଥର ହୋଇଛି। ତେଣୁ ବଜାର ସ୍ଥିତିରେ ସେତେଟା ଅସ୍ୱାଭାବିକତା ପରିଲକ୍ଷିତ ହୋଇନାହିଁ। ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ଚାହିଦା ବଢ଼ିବ ଏବଂ ଯୋଗାଣ ପାର୍ଶ୍ବ ଉପରେ ଚାପ ଅନୁଭୂତ ହେବ। ଚାହିଦା ଅନୁଯାୟୀ ଯୋଗାଣ ହୋଇ ନ ପାରିଲେ ମୁଦ୍ରାସ୍ଫୀତି ଊର୍ଦ୍ଧ୍ବମୁଖୀ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୈତିକ ସଙ୍କଟ ଆହୁରି ଘନୀଭୂତ ହେବ। ତେଣୁ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ଉଦ୍ଧାର କରିବା ପାଇଁ ସଞ୍ଜୀବନୀ ଖୋଜିବାର ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ।
କେବଳ ନୀତି ଘୋଷଣା କଲେ ହେବ ନାହିଁ, ବରଂ ତାହା ସ୍ପଷ୍ଟ, ନିର୍ଦିଷ୍ଟ ଓ ବାସ୍ତବବାଦୀ ହେବା ଉଚିତ। ପ୍ରତ୍ୟକ୍ଷ କେନ୍ଦ୍ରୀୟ ସହାୟତା ପ୍ରକ୍ରିୟାରେ ବାଟମାରଣା ଆଶଙ୍କା ଅଧିକ ହେଉଥିବାରୁ ରାଜନୈତିକ ସ୍ୱାର୍ଥ ଓ ଦୃଷ୍ଟିକୋଣରୁ ଊର୍ଦ୍ଧ୍ବରେ ରହି ରାଜ୍ୟ ସରକାରଙ୍କ ସହାୟତା ନେବା ବର୍ତ୍ତମାନ ସମୟରେ ଉପାଦେୟ ସାବ୍ୟସ୍ତ ହେବ। ଏଥିସହିତ ଏଭଳି ଏକ ବିଶେଷ ପରିସ୍ଥିତିରେ ଜିଏସ୍‍ଟିକୁ ଅସ୍ଥାୟୀ ଭାବେ କୋହଳ କରାଗଲେ ଏହାର ଉପକାର ଶିଳ୍ପସଂସ୍ଥା ସହିତ ଉପଭୋକ୍ତାମାନେ ପାଇପାରିବେ ଏବଂ ସର୍ବୋପରି ଅର୍ଥନୀତିକୁ ସଙ୍କଟରୁ ଉଦ୍ଧାର କରାଯାଇପାରିବ। ଏହା ହିଁ ହେବ ବର୍ତ୍ତମାନ ସମୟର ସଞ୍ଜୀବନୀ।