ମରୁଡ଼ି ଆଡ଼କୁ ଓଡ଼ିଶା

ରାଜ୍ୟ କୃଷି ବିଭାଗ ତତ୍ପର ହେଉ

ରକାରୀ ହିସାବ କହୁଛି ଯେ ଏଥର ଓଡ଼ିଶା ସମେତ ସମଗ୍ର ଦେଶରେ ଖରିଫ୍‌ ଚାଷ ସନ୍ତୋଷଜନକ ଭାବେ ଚାଲିଛି। କରୋନା ମହାମାରୀର କୌଣସି ପ୍ରଭାବ ଚାଷବାସ ଉପରେ ପଡ଼ିନାହିଁ। ସାର ଓ କୀଟନାଶକ ବିକ୍ରି ବଢ଼ିଛି ଏବଂ ଗତବର୍ଷଠାରୁ ଏ ବର୍ଷ ଅଧିକ ଜମିରେ ବୁଣାବୁଣି କାର୍ଯ୍ୟ ଶେଷ ହୋଇଛି। ସରକାରୀ ତଥ୍ୟ ସବୁବେଳେ ସର୍କାରୀ ଏବଂ ଏହା କେବଳ ଷ୍ଟାଟିଷ୍ଟିକ୍‌ ବା ପରିସଂଖ୍ୟାନ ପାଇଁ ଉଦ୍ଦିଷ୍ଟ। ଏଥିରେ ବାସ୍ତବତା ସବୁବେଳେ ସନ୍ଦେହାଚ୍ଛନ୍ନ। ଶ୍ରାବଣମାସ ଅଧା ହେଲାଣି; ଅଥଚ ଏ ଯାଏ ଓଡ଼ିଶାରେ ଚାଷକାମ ଯେଉଁଭଳି ଆଗେଇବା କଥା ତାହା ହୋଇନାହିଁ। ଠିକ୍‌ ସମୟରେ ମୌସୁମି ପ୍ରବାହ ଆରମ୍ଭ ହୋଇ ଜୁନ୍‌ ମାସରେ ସ୍ବାଭାବିକତାଠାରୁ ଅଳ୍ପ ଅଧିକ ବର୍ଷା ଓଡ଼ିଶାରେ ହୋଇଛି। ଜୁଲାଇରେ ମଧ୍ୟ ବୃଷ୍ଟିପାତ ହାର ମୋଟାମୋଟି ସ୍ବାଭାବିକ ରହିଛି। ଏହା ସ​‌େ​‌ତ୍ତ୍ବ ଶ୍ରାବଣରେ ଲଗାଣ ବର୍ଷା ଚାଷବାସ ପାଇଁ ସହାୟକ ହୋଇଥାଏ। ଓଡ଼ିଶାରେ ମାତ୍ର ୨୩ ଶତାଂଶ ଜମି ଜଳସେଚିତ। ଅବଶିଷ୍ଟ ବର୍ଷା ଉପରେ ନିର୍ଭରଶୀଳ। ଅଣ ଜଳସେଚିତ ଅଞ୍ଚଳରେ ଏଭଳି କାଣ୍ଟଛାଟିଆ ବର୍ଷା ଚାଷକୁ, ବିଶେଷକରି ଧାନ ଫସଲକୁ ସୁହାଇବ ନାହିଁ।
କୁହାଯାଉଛି ଓଡ଼ିଶାର ସବୁ ଜଳଭଣ୍ଡାରରେ ଆବଶ୍ୟକ ପରିମାଣର ଜଳ ମହଜୁଦ୍‌ ଅଛି ଓ ତାହା ଖରିଫ ଚାଷ ପାଇଁ ଯଥେଷ୍ଟ। ହେଲେ ଏଯାଏ କେନାଲରେ ପାଣି ଛଡ଼ାଯାଇନାହିଁ କିମ୍ବା କେନାଲ ସଫେଇ ଶେଷ ହୋଇନାହିଁ। ଜଳସେଚିତ ଅଞ୍ଚଳରେ କେନାଲ ପାଣି ନଥିବାରୁ ଧାନ ରୁଆରୁଇ କାମ ପ​‌େ​‌ଛଇ ଯାଇଛି। ଯେଉଁ ବର୍ଷା ହେଉଛି ତାହା ଏଥିପାଇଁ ଯଥେଷ୍ଟ ନୁହେଁ। ଉପର ମୁଣ୍ଡରେ ବର୍ଷା ନଥିବାରୁ ନଦୀ ସବୁ ଶୁଖିଲା ପଡ଼ିଛି। ବନ୍ୟା ନାହିଁ, ତେଣୁ ଫିର୍‌ଫିରା ବର୍ଷାରେ ଚାଷ ଜମି ସବୁ ଘାସବାଡ଼ି ହୋଇଗଲାଣି, ଗୋରୁ ସେଥିରେ ଚରିଲେଣି। ଏଭଳି ସମୟରେ ଜଳସେଚନ ବିଭାଗ, କୃଷିବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗ ଚୁପ୍‌ ହୋଇ ବସିଥିବାର ଲକ୍ଷ୍ୟ କରାଯାଉଛି। ଓଡ଼ିଆ ତିନ୍ତିଲେ ଘର ଛପର କରନ୍ତି। ଅବସ୍ଥା ଅଣାୟତ୍ତ ହେଲେ ନିଦ ଭାଙ୍ଗେ। ଚାଷ ତରତରିଆ କାମ। ବେଳହୁଁ ସରକାର କାହିଁକି ଚେତୁ ନାହାନ୍ତି ତାହା ବୁଝି ହେଉନାହିଁ।
କରୋନା ମହାମାରୀ ଯୋଗୁଁ ଚାଷକାମ ପାଇଁ ଲୋକ ମିଳୁନାହାନ୍ତି। ବିହନ ମଧ୍ୟ ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ। ଏଭଳି ସ୍ଥିତିରେ ଖରିଫ ଫସଲର ଭବିଷ୍ୟତ ଘେନି ସନ୍ଦେହ ଉପୁଜିବା ସ୍ବାଭାବିକ। ମୌସୁମି ବର୍ଷାରେ ଅନିୟମିତତା ଥାଏ। ଏଥର ଏହା ସହଳ ଆସିଥିଲେ ମଧ୍ୟ ଯେମିତି ବର୍ଷିବା କଥା ତାହା ନାହିଁ। ହୁଏତ ଜୁଲାଇ ଶେଷ ଓ ଅଗଷ୍ଟ ମାସରେ ବର୍ଷାର ପରିମାଣ ବଢ଼ିପାରେ। ଅଧିକ ବର୍ଷିଲେ ବନ୍ୟା ବିପଦ ଏବଂ କମ୍‌ ହେଲେ ମରୁଡ଼ି ପଡ଼ିବା ପ୍ରାୟ ନିଶ୍ଚିତ। ଏଭଳି ଏକ ଅନିଶ୍ଚିତ ଅବସ୍ଥାରେ କୃଷିବିଭାଗ ଖରିଫ ଚାଷ ପାଇଁ ଆବଶ୍ୟକ ଦିଗ୍‌ଦର୍ଶନ ଏବଂ ଫସଲ ପର୍ଯ୍ୟାୟ ସମ୍ପର୍କରେ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦେବାର ଆବଶ୍ୟକତା ରହିଛି। ସରକାର ମାନନ୍ତୁ ବା ନ’ମାନନ୍ତୁ, କୃଷି ବିଭାଗ ଏହି ଚାଷବାସ କାଳରେ କରୋନା ଆଳରେ ଯେ ଶୋଇପଡ଼ିଛି ସେ କଥା ଅନୁଭୂତ ହେଉଛି। ଏଥର ମରୁଡ଼ି ପଡ଼ିଲେ ରାଜ୍ୟର ପଶ୍ଚିମ ଓ ଅଣଜଳସେଚିତ ଅଞ୍ଚଳର ଚାଷୀ ବିଶେଷ ହଇରାଣ ହେବେ। ଯେଉଁ କୃଷି ଶ୍ରମିକମାନେ ଏବେ କାମଧନ୍ଦା ନ’ପାଇ ବିଲବାଡ଼ିକୁ କାମ କରିବାକୁ ଯାଉଛନ୍ତି ସେମାନେ ମଧ୍ୟ ବର୍ଷା ଅଭାବରୁ କାମ ପାଉନାହାନ୍ତି; କାରଣ ଚାଷୀ ଚାଷକାମ ଆରମ୍ଭ କରିପାରୁନାହାନ୍ତି। ଏହି କୃଷି ଶ୍ରମିକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଏହାଦ୍ବାରା ପ୍ରଭାବିତ ହେଉଛି।
ରାଜ୍ୟସରକାର ଆଉ କାଳବିଳମ୍ବ ନ’କରି ଖରିଫ ଚାଷର ସ୍ଥିତି ସମୀକ୍ଷା କରିବା ସହିତ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି। କିଛି ସରକାରୀ ତତ୍ପରତା ଓ ଆଗୁଆ ପଦକ୍ଷେପ ଦ୍ବାରା ହୁଏତ ଏକ ସମ୍ଭାବ୍ୟ ମରୁଡ଼ି ସ୍ଥିତିକୁ ଏଡ଼ାଇ ଦେଇହେବ।

Comments
Loading...