ଲିଭିଗଲା ଆଶା ସଳିତା, ଓଡ଼ିଆ ଚଳଚ୍ଚିତ୍ର ଜଗତର ଯୁଗାବସାନ

ଆୟୁଷ ସରି ଆସୁଥିଲା; ରୋଗାକ୍ରାନ୍ତ ଶରୀର ଅବଶ ହୋଇଯାଉଥିଲା; ନିଃଶ୍ୱାସ-ପ୍ରଶ୍ୱାସର ପ୍ରଖରତା ମନ୍ଥର ହୋଇସାରିଥିଲା; ଅହରହ ଚାଲିଥିଲା ଜୀବନ-ମୃତ୍ୟୁର ଖେଳ। ତଥାପି ମନରେ ଥିଲା ଅଦମ୍ୟ ଆଶା-ପୁଣି ଫେରିବେ ଅଭିନୟ ଜଗତକୁ, ପୁଣି ଏକାକାର ହୋଇଯିବେ ଚରିତ୍ର ଓ ଦର୍ଶକଙ୍କ ସହିତ; କିନ୍ତୁ ସମୟର ଇଚ୍ଛା କିଛି ଅଲଗା ଥିଲା। ସେ କହୁଥିଲା ବେଳ ଥାଉଥାଉ ମୋହ ତୁଟାଇ ଶୀଘ୍ର ଲେଉଟିବାକୁ ହେବ। ନ ହେଲେ ଆହୁରି ଡେରି ହୋଇଯିବ, କାଳେ ତୋଫା ଜହ୍ନକୁ କଳାମେଘ ଢାଙ୍କି ଦେବ, କୁହୁଡ଼ି ଛାଇଯିବ। ଆଉ ବାଟ ଦିଶିବନି। ଶେଷରେ ଆଶା-ହତାଶାର ଦ୍ୱନ୍ଦ୍ୱ ଭରା ଜୀବନ ଯୁଦ୍ଧରେ ସମୟ ଜିତିଗଲା। ସାଙ୍ଗରେ ନେଇଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ କଳାକାର ବିଜୟ ମହାନ୍ତିଙ୍କୁ। ପୁଣି ଥରେ ପ୍ରମାଣିତ ହେଲା ସମୟ ସବୁଠାରୁ ବଳବାନ।
‘ଚିଲିକା ତୀରେ’ରୁ ନାୟକ ଭାବେ ଅଭିନୟ ଜୀବନ ଆରମ୍ଭ କରିଥିବା ବିଜୟଙ୍କୁ କିନ୍ତୁ ‘ନାଗଫାଶ’ର ବଳିଷ୍ଠ ଓ ଜୀବନ୍ତ ଖଳନାୟକ ଭୂମିକା ହିଁ ଲୋକପ୍ରିୟ କରାଇଥିଲା। ଖଳନାୟକ ଭାବେ ତାଙ୍କର ଅଭିନୟ ପରବର୍ତ୍ତୀ ପିଢ଼ି ପାଇଁ ଏକ ପୁସ୍ତକ ହୋଇଯାଇଛି। ଖଳନାୟକ ଭୂମିକାରୁ ସେ ପୁଣି ଥରେ କେବଳ ନାୟକ ଚରିତ୍ରକୁ ଫେରି ନଥିଲେ, ବରଂ ନିଜକୁ ଓଡ଼ିଆ ଚଳଚ୍ଚିତ୍ରର ମହାନାୟକ ଭାବେ ପ୍ରମାଣିତ କରିପାରିଥିଲେ। ନାୟକ, ଖଳନାୟକ, ଚରିତ୍ର, ହାସ୍ୟାଭିନୟ ଓ ନିର୍ଦେଶନା ଭଳି ସବୁ କ୍ଷେତ୍ରରେ ସେ ନିଜର ବଳିଷ୍ଠ ଓ ପରିପକ୍ୱ ପ୍ରତିଭାର ପରିଚୟ ଦେଇଯାଇଛନ୍ତି। ମୁଖର ଭାବଭଙ୍ଗୀ, ଚରିତ୍ର ସହିତ ଏକାକାର ହେବାର କୌଶଳ ହିଁ ତାଙ୍କ ମୁଖନିଃସୃତ ଅନେକ ସଂଳାପକୁ କାଳଜୟୀ କରିପାରିଛି। ଅନେକେ କହନ୍ତି ବିଜୟ ଦିଲ୍ଲୀକୁ ଆପଣେଇ ନେଇଥିଲେ ଆଜି ତାଙ୍କର ନାମ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଥାନ୍ତା; କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା। ସେ ନିଜ ମାତୃଭୂମି ଓଡ଼ିଶା ମାଟିକୁ ଜୀବନର ରଙ୍ଗମଞ୍ଚ ରୂପେ ବାଛି ନେଲେ। ଶେଷରେ ସେହି ଓଡ଼ିଶା ମାଟିରେ ହିଁ ଜୀବନ ମଞ୍ଚରୁ ବିଦାୟ ନେଲେ।
ଓଡ଼ିଶା ଚଳଚ୍ଚିତ୍ର ଜଗତର ଏହି ଗର୍ବ ଓ ଗୌରବଙ୍କ ଉତ୍ତରଜୀବନରେ ଆମେ ତାଙ୍କୁ ଯଥୋଚିତ ଯତ୍ନ ନେବାରେ ଓ ତାଙ୍କ ପ୍ରତି ଥିବା କର୍ତ୍ତବ୍ୟରେ ଅବହେଳା କରିଛୁ – ଏହା ସ୍ୱୀକାର କରିବାକୁ ହେବ। ମୃତ୍ୟୁ ଦୁର୍ବାର, ତଥାପି ତାଙ୍କର ଆଶୁ ଆରୋଗ୍ୟ କାମନାରେ ତାଙ୍କ ପ୍ରତି ଆମର ଥିବା ବାସ୍ତବ ସ୍ନେହ, ଶ୍ରଦ୍ଧା ପ୍ରତିଫଳିତ ହେବାରେ କିଛି ଅଭାବବୋଧ ପରିଲକ୍ଷିତ ହୋଇଛି। ଓଡ଼ିଆ କଳାକାରଙ୍କ ଉତ୍ତରଜୀବନରେ ଆର୍ଥିକ ସାହାଯ୍ୟ, ସହଯୋଗ ଓ ସହାନୁଭୂତି ପାଇଁ ଚିନ୍ତନ ଓ ମନନର ପଥ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଆହୁରି ପ୍ରଶସ୍ତ ହୋଇଛି।
ଅନେକ ସମ୍ମାନ, ପୁରସ୍କାର ଓ ଗୌରବ ଅର୍ଜନ କରିଥିବା ଯଶସ୍ୱୀ ସାଧକ ବିଜୟ ମହାନ୍ତିଙ୍କ ଅବର୍ତ୍ତମାନରେ ଓଡ଼ିଆ ଚଳଚ୍ଚିତ୍ର ଓ ନାଟକ ଜଗତରେ ଗୁଣାତ୍ମକ କାହାଣୀ ଓ ଜୀବନ୍ତ ଅଭିନୟର ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଅପୂରଣୀୟ ହୋଇ ରହିଯିବ। ହୁଏ ତ ବିଜୟ ମହାନ୍ତିଙ୍କ ପରି ଅନେକ ସଫଳ କଳାକାର ସୃଷ୍ଟି ହୋଇପାରନ୍ତି; କିନ୍ତୁ ତାଙ୍କ ପରି ପ୍ରତିଭାଦୀପ୍ତ ଓ ନିଷ୍ଠାବାନ୍‌ କଳାକାର ବିରଳ। ଓଡ଼ିଆ ନାଟକକୁ ଗୁଣାତ୍ମକ ସ୍ତରକୁ ନେବା ପାଇଁ ସେ ମନରେ ଯେଉଁ ଆଶାର ସଳିତା ଜାଳିଥିଲେ ତାହା ତାଙ୍କ ଜୀବନ ଦୀପ ସହିତ ଚିରଦିନ ପାଇଁ ଲିଭିଗଲା। ବିଜୟଙ୍କ ବାହୁଡ଼ା ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ ଘଟିଲା।

Comments are closed.