ଭାରତୀୟ ଅର୍ଥନୀତିରେ ସମ୍ବଳର ସୁବିନିଯୋଗ

ସଞ୍ଜୀବ ଚନ୍ଦ୍ର ହୋତା

ବିଭିନ୍ନ ସମସ୍ୟା ଭିତରେ ଗତି କରୁଥିବା ଦେଶର ଅର୍ଥନୀତିର ଏକ ଆହ୍ୱାନ ହେଉଛି ଦେଶରେ ଉପଲବ୍ଧ ଉତ୍ପାଦକ ସମ୍ବଳର ଉତ୍ପାଦିକା ଶକ୍ତି ବା ପ୍ରଡକ୍‌ଟିଭିଟିର କ୍ରମଅଭିବୃଦ୍ଧି। ବିକାଶୋନ୍ମୁଖୀ ଦେଶମାନଙ୍କର ଅର୍ଥନୀତିର ଉତ୍ପାଦିକା ଶକ୍ତି ସହ ଆମ ଦେଶର ସମ୍ବଳର ଉତ୍ପାଦନକ୍ଷମତାର ତୁଳନାତ୍ମକ ବିଚାର କରିବାର ସମୟ ଆସିଛି। ଦେଶର ସାମୂହିକ ଉତ୍ପାଦନ ବା ଜିଡିପିର ବୃଦ୍ଧିହାର ଦୁଇଟି ନିୟାମକ ଉପରେ ନିର୍ଭର କରେ। ପ୍ରଥମଟି ହେଲା ବର୍ଦ୍ଧିତ ନିବେଶର ପରିମାଣ; ଦ୍ୱିତୀୟ ନିୟାମକ ହେଲା ନିବେଶିତ ସମ୍ବଳର ବର୍ଦ୍ଧିତ ଉତ୍ପାଦିକା ଶକ୍ତି। କୌଣସି ଏକ ନିର୍ଦିଷ୍ଟ ସମୟସୀମା ଭିତରେ (ଏଠାରେ ଏକ ବର୍ଷ ଧରଯାଉ) ବ୍ୟବହୃତ ସମ୍ବଳରୁ ଉତ୍ପାଦିତ ଦ୍ରବ୍ୟର ଅନୁପାତରୁ ଉତ୍ପାଦକ ସମ୍ବଳର ଉତ୍ପାଦକ କ୍ଷମତା ସ୍ଥିର ହୁଏ। ନିବେଶିତ ସମ୍ବଳର ଅନୁପାତ ସେଥିରୁ ଉତ୍ପାଦନ (ସେବା କ୍ଷେତ୍ରକୁ ମିଶେଇ) ହୋଇଥିବା ଦ୍ରବ୍ୟ ସହିତ ଯେତେ କମ୍‌ ହୁଏ, ସମ୍ବଳର ଉତ୍ପାଦିକା ଖର୍ଚ୍ଚ ସେତେ ଅଧିକ ହୁଏ। ଅର୍ଥନୀତିରେ ଏ ପ୍ରକାର ଅନୁପାତକୁ ଇନ୍‌ପୁଟ୍‌-ଆଉଟ୍‌ପୁଟ୍‌ ରେସିଓ କୁହାଯାଏ। ଏ ପ୍ରକାର ଅନୁପାତ ବିଭିନ୍ନ ଦେଶମାନଙ୍କ ଭିତରେ ଥିବା ମୁଣ୍ଡପିଛା ଆୟର ତାରତମ୍ୟର ଅନ୍ୟତମ କାରଣ ହୋଇଥାଏ। ଅର୍ଥନୈତିକ ଅନୁଶୀଳନରୁ ଜଣାଯାଏ ଯେ କୌଣସି ଦେଶରେ ଊର୍ଜାର ଉତ୍ପାଦନ ଓ ବ୍ୟାବହାରିକ ଦକ୍ଷତା ସହ ଉତ୍ପାଦକ ସମ୍ବଳର ଉତ୍ପାଦିକା ଶକ୍ତିର ସମ୍ବନ୍ଧ ଥାଏ। ଉତ୍ପାଦନ କ୍ଷେତ୍ରରେ ଅଧିକ ଜ୍ଞାନକୌଶଳ ପ୍ରୟୋଗ କଲେ ନିବେଶିତ ନିର୍ଦିଷ୍ଟ ପରିମାଣର ସମ୍ବଳରୁ ଅଧିକ ଉତ୍ପାଦନ କରାଯାଇପାରେ। ଅର୍ଥାତ୍‌ ଉତ୍ପାଦିକା ଶକ୍ତି ବୃଦ୍ଧି ପାଏ। ବର୍ତ୍ତମାନ କ୍ରମବିକଶିତ କମ୍ପ୍ୟୁଟର ଟେକ୍‌ନୋଲଜିରେ କୃତ୍ରିମ ବୌଦ୍ଧିକ କୌଶଳ ଅଧିକରୁ ଅଧିକ ପ୍ରୟୋଗ କରାଯାଉଛି। ଏ ଦିଗରେ ଭାରତ ଅନ୍ୟ କ୍ରମବିକଶିତ ଦେଶମାନଙ୍କ ତୁଳନାରେ ପଛରେ ଅଛି। କାରଣ ମୌଳିକ ଓ ବ୍ୟାବହାରିକ ଜ୍ଞାନକୌଶଳର ଉଦ୍‌ଭାବନ ଓ ପ୍ରୟୋଗ ପ୍ରକ୍ରିୟାରେ ଅନ୍ୟ ବିକାଶୋନ୍ମୁଖୀ ଦେଶମାନେ ଆଗରେ ଅଛନ୍ତି। ଏହି କାରଣରୁ ଆମ ଦେଶରେ କୃଷି, ଶିଳ୍ପ ଓ ସେବା କ୍ଷେତ୍ରରେ ନିୟୋଜିତ ସମ୍ବଳର ଉତ୍ପାଦିକା ଶକ୍ତି ତୁଳନାତ୍ମକଭାବେ କମ୍‌ ରହୁଛି। ଫଳରେ ଆମ ଦେଶରେ ଉତ୍ପାଦିତ ରପ୍ତାନିଯୋଗ୍ୟ ଦ୍ରବ୍ୟଗୁଡ଼ିକର ଆପେକ୍ଷିକ ମୂଲ୍ୟ ଗୁଣବତ୍ତା ଅଧିକ ଓ ଦ୍ରବ୍ୟର ଗୁଣାବତ୍ତା କମ୍‌ ହେବାରୁ ବିଶ୍ୱ ବଜାରରେ ଅନ୍ୟ ଦେଶରୁ ରପ୍ତାନି ହେଉଥିବା ଦ୍ରବ୍ୟସହ ପ୍ରତିଯୋଗିତାରେ ପଛରେ ପଡ଼ୁଛି।
ଦେଶର ଜନସଂଖ୍ୟାର ବୃହତ୍‌ ଶତାଂଶ ହେଉଛି କର୍ମକ୍ଷମ ଜନଶକ୍ତି। ପନ୍ଦର ବର୍ଷରୁ ଅଣଷଠି ବର୍ଷ ବୟସର ଲୋକଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ଶତକଡ଼ା ୬୨.୫। ଏହା କ୍ରମବର୍ଦ୍ଧିତ ହୋଇ ୨୦୩୬ ମସିହାବେଳକୁ ସର୍ବାଧିକ ହେବ। ଏହି ବୟସର ଜନଶକ୍ତି ହେଉଛି ଦେଶର ମାନବସମ୍ବଳ ଓ ସେଇ କାର୍ମିକ ଜନଶକ୍ତିକୁ ଉତ୍ପାଦନ ପ୍ରକ୍ରିୟାରେ ବିନିଯୋଗ କରାଯାଏ। ଯଦି ଏଇମାନଙ୍କ ସମ୍ବଳକୁ ସର୍ବାଧିକ ଉନ୍ନତମାନର ଟେକ୍‌ନୋଲୋଜି ପ୍ରୟୋଗର ପ୍ରଶିକ୍ଷଣ ଦିଆଯାଇ ଉତ୍ପାଦନ କ୍ଷେତ୍ରରେ ପ୍ରୟୋଗ କରାଯାଏ, ତାହାହେଲେ ଉତ୍ପାଦିତ ଦ୍ରବ୍ୟର ଗୁଣବତ୍ତାରେ ଉନ୍ନତି ହେବ ଓ ଦ୍ରବ୍ୟର ମୂଲ୍ୟ ହ୍ରାସପାଇ ବିଶ୍ୱ ବଜାରରେ ପ୍ରତିଯୋଗୀ ହୋଇପାରିବ। ତେଣୁ ଦେଶର ଅର୍ଥନୀତି ପାଇଁ ଏକ ବୃହତ୍‌ ଆହ୍ୱାନ ହେଉଛି ଯେ ଅଧିକ ମୌଳିକ ଓ ପ୍ରୟୋଗାତ୍ମକ ଉନ୍ନତମାନର ଟେକ୍‌ନୋଲଜିର ଉଦ୍‌ଭାବନ ଏବଂ କୃଷି, ଶିଳ୍ପ, ସେବା ଓ ପରିଚାଳନା କ୍ଷେତ୍ରରେ ସେଗୁଡ଼ିକର ବ୍ୟାବହାରିକ ପ୍ରୟୋଗ। ଏ ଦିଗରେ ରାଷ୍ଟ୍ର ଅଗ୍ରଣୀ ଭୂମିକା ନେବା ଉଚିତ। ତାହା ସହିତ ବିଶ୍ୱବିଦ୍ୟାଳୟ, ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଓ ଘରୋଇ କ୍ଷେତ୍ରର ଶିଳ୍ପପତିମାନଙ୍କୁ ମାର୍ଗଦର୍ଶିକା ଜାରି ରଖିବା ସଙ୍ଗେ ନିର୍ଦିଷ୍ଟ ସମୟାନ୍ତରରେ ଏ ଦିଗରେ ପ୍ରଗତିର ଅନୁଶୀଳନ ଓ ଅନୁଧ୍ୟାନ କରିବା ଆବଶ୍ୟକ।
ବିଶ୍ୱରେ ଜ୍ଞାନକୌଶଳ ବା ଟେକ୍‌ନୋଲୋଜି ଅଭିବୃଦ୍ଧି ରେଖା ସଦା ପରିବର୍ତ୍ତନଶୀଳ। ବର୍ତ୍ତମାନର ଟେକ୍‌ନୋଲୋଜି ଆଗାମୀ ଦିନରେ ଅକାମୀ ହେବ ଓ ଆମକୁ ନୂତନ ଉଦ୍‌ଭାବିତ ଜ୍ଞାନକୌଶଳକୁ ଆପଣେଇବାକୁ ହେବ। ତେଣୁ ଆମଦେଶର ଗବେଷକ ଓ ବୈଜ୍ଞାନିକମାନେ ମୌଳିକ ଟେକ୍‌ନୋଲୋଜିର ଉଦ୍‌ଭାବନ ଓ ପ୍ରୟୋଗାତ୍ମକ ସଫଳତାକୁ ଠିକ୍‌ ସମୟରେ ନ କଲେ ଆମର କାର୍ମିକ ଜନଶକ୍ତିର କେବଳ ଗୋଟିଏ ପିଢ଼ିର ପଛୁଆ ଜ୍ଞାନକୌଶଳକୁ ଉତ୍ପାଦକ କ୍ଷେତ୍ରରେ ପ୍ରୟୋଗ କରୁଥିବେ ଯାହା ଫଳରେ ଆମ ଅର୍ଥନୀତିର ଗୁଣବତ୍ତା ଓ ଉତ୍ପାଦିକା ଶକ୍ତି ଗୋଟିଏ ପାଦ ପଛରେ ପଡ଼ିରହିବ। ବିକଶିତ ଦେଶମାନେ ନୂତନ ଟେକ୍‌ନୋଲୋଜିର ଉଦ୍‌ଭାବନରେ ଅଗ୍ରଣୀ ଭୂମିକା ନେଇଥାନ୍ତି। ନୂତନ ଉଦ୍‌ଭାବିତ ଜ୍ଞାନକୌଶଳକୁ ସେମାନେ ହଠାତ୍‌ ବିକାଶନ୍ମୋଖୀ ଦେଶମାନଙ୍କୁ ହସ୍ତାନ୍ତର କରିବେ ନାହିଁ, ସେଥିପାଇଁ ବିଜ୍ଞାନ ଓ ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ଯଥେଷ୍ଟ ପରିବର୍ତ୍ତନ ଆଣି ଶିକ୍ଷାର ମାନଦଣ୍ଡର ଯଥେଷ୍ଟ ବୃଦ୍ଧିକରି ଆମର କାର୍ମିକ ମାନବସମ୍ବଳକୁ ଆନ୍ତର୍ଜାତିକ କ୍ଷେତ୍ରରେ ଅଧିକ କୁଶଳୀ ଓ ଉତ୍ପାଦନକ୍ଷମ ନକଲେ ଦେଶର ନିବେଶ ଯୋଗ୍ୟ ସମ୍ବଳର ଉତ୍ପାଦନକ୍ଷମତା ଅନ୍ୟଦେଶ ତୁଳନାରେ ପଛରେ ପଡ଼ିବ। ନିବେଶର ଲଭ୍ୟାଂଶ(ରିଟର୍ଣ୍ଣ) କମିବ। ଏକ ସୁସ୍ଥ, ଜ୍ଞାନକୁଶଳୀ ଓ କ୍ରମବିବର୍ଦ୍ଧିତ ଦକ୍ଷତାରେ ଦେଶର କାର୍ମିକ ଜନଶକ୍ତିକୁ ନିୟୋଜିତ କଲେ ଯାଇ ସମର୍ଥ ମାନବସମ୍ବଳ ଯୋଗୁଁ ଦେଶ ପ୍ରତି ଜନସଂଖ୍ୟାର ଆଶୀର୍ବାଦ ଉପଲବ୍ଧ ହେବ। ଅନ୍ୟଥା ଜନସଂଖ୍ୟାର କାର୍ମିକ ବୟସର ଜନଶକ୍ତିର ବିଶାଳ ଅନୁପାତ ଆଶୀର୍ବାଦ ନହୋଇ ଅଣକୁଶଳୀ ମାନବ ସମ୍ବଳ ଯୋଗୁ ଜନସଂଖ୍ୟାର ଚାପ ଅର୍ଥନୀତି ଉପରେ ପଡ଼ିବ। ଅଳ୍ପ କେତେବର୍ଷ ପରେ କର୍ମକ୍ଷମ ଜନଶକ୍ତିରୁ ଅନେକ ପଚାଶବର୍ଷ ପାରହୋଇଯିବେ।
କୋଭିଡ-୧୯ ମହାମାରୀ ପରବର୍ତ୍ତୀ ସମୟରେ ଯେତେବେଳେ ଅର୍ଥନୈତିକ କାରବାର ଧୀରେଧୀରେ ଆରମ୍ଭ ହେବ, ସେତେବେଳେ ଉପରୋକ୍ତ କଥା ପ୍ରତି ବିଚାର କରିବାକୁ ହେବ। ଦେଶର ଜିଡିପିକୁ ଏକ ଉଚ୍ଚ ଗତିପଥ ଅର୍ଥାତ ଶତକଡ଼ା ୭ରୁ ୧୦ ଭିତରେ ଉତ୍ପାଦକ ସମ୍ବଳର ଉତ୍ପାଦିକାଶକ୍ତିକୁ କ୍ରମବର୍ଦ୍ଧମାନ କରିବା ପାଇଁ ଧ୍ୟାନ ଦେବାକୁ ହେବ। ତା’ ନହେଲେ ଦେଶର ଜିଡିପିର ଅଭିବୃଦ୍ଧି ଉଚ୍ଚ ପଥରେ ନଯାଇ ନିମ୍ନ ବା ମଧ୍ୟମ ମାର୍ଗରେ ଅର୍ଥାତ୍‌ ୨ ବା ୩ ଭିତରେ ରହିବ।
ବିଶ୍ୱବ୍ୟାଙ୍କର ୨୦୧୮ ମସିହାର ରିପୋର୍ଟ ଅନୁସାରେ ମାନବସମ୍ବଳ ବିକାଶ ମାନରେ ଭାରତର ସ୍ଥାନ ପାକିସ୍ତାନ ଓ ଆଫ୍‌ଗାନିସ୍ତାନକୁ ଛାଡ଼ିଦେଲେ ଦକ୍ଷିଣ ଏସୀୟ ରାଜ୍ୟର ପଛରେ ୧୧୫ ସ୍ଥାନରେ ଥିଲା। ଏହି ରିପୋର୍ଟକୁ ଭାରତ ପକ୍ଷରୁ ତ୍ରୁଟିପୂର୍ଣ୍ଣ ବୋଲି କୁହାଗଲା। ସେହିପରି ଓଇସିଡି(ଅର୍ଗାନାଇଜେସନ ଫର୍‌ ଇକୋନୋମିକ କୋ ଅପରେସନ ଏଣ୍ଡ ଡେଭେଲପମେଣ୍ଟ) ଦ୍ୱାରା ପ୍ରାୟୋଜିତ ଏକ ସଂସ୍ଥା ପିସା (ପ୍ରୋଗ୍ରାମ ଫର ଇଣ୍ଟରନେସନାଲ ଷ୍ଟୁଡେଣ୍ଟ ଆସେସ୍‌ମେଣ୍ଟ)ର ଏକ ଅନୁଶୀଳନ ଯାହାଙ୍କ ୧୫ ବର୍ଷ ବୟସର ଛାତ୍ର-ଛାତ୍ରୀମାନଙ୍କର ଗଣିତ ଓ ବିଜ୍ଞାନରେ ଦକ୍ଷତାକୁ ସ୍କୁଲର ପରୀକ୍ଷାଫଳକୁ ଭିତ୍ତିକରି ପ୍ରସ୍ତୁତ ହେଲେ ସେଥିରେ ଅନୁକୂଳ ଚିତ୍ର ନ ମିଳିବାରୁ ଭାରତ ସରକାର ତାକୁ ବି ଗ୍ରହଣ କଲେ ନାହିଁ। ସରକାରଙ୍କର ଏ ପ୍ରକାର ଆଭିମୁଖ୍ୟ ଅର୍ଥନୀତି ପାଇଁ ସହାୟକ ହେବନାହିଁ। ବରଂ ତ୍ରୁଟିକୁ ସୁଧାରିବାର ପ୍ରୟାସ ବିଜ୍ଞତାର କାର୍ଯ୍ୟ ହେବ।
ମାନବ ସମ୍ବଳ ବିକାଶର ମୂଳ ଭିତ୍ତିହେଲା ସ୍କୁଲ ଓ କଲେଜର ଶିକ୍ଷା। ଆଇଆଇଟି, ଏନଆଇଟି, ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ଆଇଆଇଏମ ପରି ହାତଗଣତି କେତେକ ଅନୁଷ୍ଠାନମାନଙ୍କୁ ଛାଡ଼ିଦେଲେ ବୈଷୟିକ ଶିକ୍ଷାର ମାନଦଣ୍ଡ ବିଶ୍ୱସ୍ତରୀୟ ମାନର ପଛରେ। ତେଣୁ ଅନେକ ସମୟରେ ଦେଖାଯାଏ ଯେ ଦେଶର ଇଞ୍ଜିନିୟରିଂ କଲେଜରୁ ପାସ କରି ଇଞ୍ଜିନିୟରମାନେ ବିଶିଷ୍ଟ ଶିଳ୍ପମାନଙ୍କରେ ନିୟୋଜିତ ହେଲେ ସେମାନଙ୍କୁ ଆଉଥରେ ଇଞ୍ଜିନିୟରିଂ ପ୍ରଶିକ୍ଷଣ ନେବାକୁ ହୋଇଥାଏ। ଗ୍ଲୋବାଲ୍‌ ଇକୋନୋମିକ ଆଉଟଲୁକ୍‌ ୨୦୧୯ ବର୍ଷରେ ଭାରତର ପ୍ରତିଯୋଗିତାର ମାନକୁ (ଗ୍ଲୋବାଲ୍‌ କମ୍ପିଟେଟିଭ ଇଣ୍ଡେକ୍ସ) ଦଶ ପଏଣ୍ଟ ଖସେଇ ଆଣି ୫୮ (୨୦୧୮) ୬୯ରେ ରଖିଲା। ଅର୍ଥାତ୍‌ ୬୮ ଦେଶର ତଳେ। ସେହିପରି ରିଜର୍ଭ ବ୍ୟାଙ୍କର ୨୦୧୮-୧୯ର ବାର୍ଷିକ ରିପୋର୍ଟରେ ଦେଶର ଅର୍ଥନୀତିର ସାମୂହିକ ସମ୍ବଳର ଉତ୍ପାଦିକା ଶକ୍ତି (ଟୋଟାଲ ଫାକ୍ଟର ପ୍ରଡକ୍‌ଟିଭିଟି)୨୦୦୩-୦୭ରୁ ୨୦୦୮-୧୬ ଭିତରେ ୦.୮ ପଏଣ୍ଟ ହ୍ରାସ ପାଇଛି ବୋଲି ଉଲ୍ଲେଖ ଅଛି।
ରାଜ୍ୟ ଓ ଦେଶରେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିଥିବାର ଦେଖାଯାଉଛି। ନିର୍ଦିଷ୍ଟ ସମୟସୀମା ଭିତରେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ନହେଲେ ସେଥିରେ ନିବେଶିତ ପୁଞ୍ଜିରୁ ଲଭ୍ୟାଂଶ ବା ରିଟର୍ଣ୍ଣ ଉପଲବ୍ଧ ହୁଏ ନାହିଁ। ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଯେତେ ଅଧିକ ସମୟ ଲାଗିବ ବ୍ୟୟ ଅଟକଳ ବଢ଼ିଚାଲିବ। ପ୍ରଶାସନିକ ଓ ବୈଷୟିକ କାରଣରୁ ଏ ପ୍ରକାର ବିଳମ୍ବ ହେଉଥିଲେ ବି ମୂଳକାରଣ ହେଉଛି ପାଣ୍ଠିର ଅଭାବ। ପ୍ରତି ବର୍ଷ ଅଧିକରୁ ଅଧିକ ପ୍ରକଳ୍ପ ଆରମ୍ଭକରି ସୀମିତ ସମ୍ବଳକୁ ସେଇ ପ୍ରକଳ୍ପମାନଙ୍କରେ ଆବଶ୍ୟକ ପାଣ୍ଠିରୁ କମ୍‌ ବ୍ୟୟବରାଦ କରିବା ଫଳରେ ନିର୍ଦ୍ଧାରିତ ସମୟରେ କୌଣସି ପ୍ରକଳ୍ପ ସମାପ୍ତ ହୋଇ ପାରେ ନାହିଁ। ଫଳରେ ଇନ୍‌ପୁଟ୍‌-ଆଉଟପୁଟ୍‌ ରେସିଓ ଉପରେ ନକାରାତ୍ମକ ପ୍ରଭାବ ପଡ଼େ ଓ ନିବେଶିତ ସମ୍ବଳର ଉତ୍ପାଦିକା ଶକ୍ତି କମିଯାଏ। ବରଂ ସମ୍ବଳର ସୀମା ଭିତରେ ନିର୍ଦିଷ୍ଟ ସଂଖ୍ୟକ ପ୍ରକଳ୍ପମାନଙ୍କୁ ସଂପୂର୍ଣ୍ଣ କରିବା ଶ୍ରେୟସ୍କର ଅଟେ। ଦେଶର ଅର୍ଥନୀତି ପାଇଁ ସାମୂହିକ ସମ୍ବଳର ଉତ୍ପାଦନ କ୍ଷମତାର କ୍ରମବର୍ଦ୍ଧନ ରାଷ୍ଟ୍ରନାୟକ, ଘରୋଇ କ୍ଷେତ୍ରର ଶିଳ୍ପପତି, ବୁଦ୍ଧିଜୀବୀ ଓ ବୈଜ୍ଞାନିକମାନଙ୍କ ପାଇଁ ଏକ ଆହ୍ୱାନ। ଏହି ଆହ୍ୱାନକୁ ଗ୍ରହଣକରି ଭାରତୀୟ ଅର୍ଥନୀତିକୁ ବିଶ୍ୱ ସ୍ତରରେ ସୁଦୃଢ଼ ଓ ସମକ୍ଷ ପ୍ରତିଯୋଗୀ କରିବାର ପ୍ରୟାସ ଜାରି ରହୁ।

Comments are closed.