ଅର୍ଥନୀତିର ସ୍ଥିତି ଶୋଚନୀୟ

- ତଥାପି ଆମକୁ ଲଢ଼େଇ କରିବାକୁ ହେବ

କରୋନା ମହାମାରୀ କାଳରେ ଆପଣଙ୍କ ଆୟ କେତେ କମିଛି ଏବଂ ଆପଣ ଆର୍ଥିକ ତଥା ଅନ୍ୟାନ୍ୟ ଦୃଷ୍ଟିରୁ କେତେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ଅନ୍ୟମାନେ ଜାଣିବା ସହଜ ନୁହେଁ; ତଥାପି ଏହା ଯେ ସାମୂହିକ ଭାବେ ଦେଶର ଆର୍ଥିକ ଦୁର୍ଗତିକୁ ବୁଝାଉଛି ଏହା ଉଲ୍ଲେଖ କରିବା ନିଷ୍ପ୍ରୟୋଜନ। ମହାମାରୀ ଓ ବଡ଼ବଡ଼ ପ୍ରାକୃତିକ ବିପତ୍ତିକାଳରେ ଏଭଳି ଆର୍ଥିକ ଦୁର୍ଗତି ଦେଖାଦିଏ। ସମୟକ୍ରମେ ଏ ଦୁଃଖ ଦୂର ହୁଏ ଏବଂ ଲୋକେ ପୁଣି ଅଣ୍ଟାସଳଖ କରି ନିଜନିଜର କାମଧନ୍ଦା ଆରମ୍ଭ କରନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସେ।

ସାଂପ୍ରତିକ କରୋନା ମହାମାରୀର ରୂପ ଓ ପ୍ରଭାବ କିନ୍ତୁ ଅତୀବ ଭୟଙ୍କର। ଏହା ସମଗ୍ର ବିଶ୍ବକୁ କରାୟତ୍ତ କରିବା ସହ ସବୁ ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛି। ଗତବର୍ଷ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ମହାମାରୀ ଅବିଶ୍ରାନ୍ତ ଗତିରେ ତାହାର ସଂକ୍ରମଣ ଜାରି ରଖିଛି ଏବଂ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନଥିବାରୁ ଏହା କେବେ ବିଶ୍ରାମ ନେବ ତାହା ବିଶେଷଜ୍ଞମାନେ ଅନୁମାନ କରିପାରୁ ନାହାନ୍ତି। ତେଣୁ ଧରି ନିଆଗଲାଣି ଯେ କରୋନା ମହାମାରୀ ୨୦୨୧ ଯାଏ ତାହାର କରାମତି ଜାରି ରଖିବ। ଏମିତି ଦେଖିଲେ ଅତୀତରେ ଯେତେ ବୈଶ୍ବିକ ମହାମାରୀ ବ୍ୟାପିଛି, ସେଥିମଧ୍ୟରୁ ଅଧିକାଂଶ ଏକରୁ ଦୁଇବର୍ଷ ଯାଏ ତାହାର ନରସଂହାର ଲୀଳା ଚଳାଇଛି। ତେଣୁ ପ୍ରତିକାର ବ୍ୟବସ୍ଥା ନଥିବା କରୋନା ମହାମାରୀର ଭୂତାଣୁ ଭାରତରେ ପ୍ରାୟ ସମସ୍ତଙ୍କୁ ସଂକ୍ରମିତ କରିବ ଏବଂ ଯାହାର ପ୍ରାକୃତିକ ରୋଗ ପ୍ରତିରୋଧଶକ୍ତି ଯେତେ ଭଲ ଥିବ ସେ ଏଥିରୁ ବର୍ତ୍ତିବ ଏହି ଧାରଣାଟି କ୍ରମଶଃ ବଳବତ୍ତର ହେଉଛି।
ଆମେରିକା ଭଳି ବିଶ୍ବର ଧନାଢ଼୍ୟ ଏବଂ ବିକଶିତ ରାଷ୍ଟ୍ରରେ କରୋନାର ସଂହାର ଲୀଳା ଆମେ ଦେଖୁଛୁ। ଶ୍ରେଷ୍ଠ ଚିକିତ୍ସା ବ୍ୟବସ୍ଥା, ଔଷଧପତ୍ର ଏବଂ ଅତ୍ୟାଧୁନିକ ନିଦାନ ପ୍ରକ୍ରିୟା ସବୁ ବିଫଳ ହୋଇଛି। ଏବେ ସମସ୍ତେ ଗୋଟିଏ ଆଶା ‘ଟିକା’ ଉପରେ ରଖିଛନ୍ତି। ଏହା ଯେତେଶୀଘ୍ର ବାହାରିବ କରୋନାର ମୁକାବିଲା ସେତେ ସଫଳ ହୋଇପାରିବ। ଯୁଗେଯୁଗେ ମଣିଷର ସାମୂହିକ ଉଦ୍ୟମ ଓ ବୈଜ୍ଞାନିକ ଉପଲବ୍ଧି ମହାମାରୀ, ବ୍ୟାଧିକୁ କାବୁ କରିବାରେ ସଫଳ ହୋଇଛି। ଯୁଗପତ୍‌ ଏହି ପରୀକ୍ଷା ନିରୀକ୍ଷା କାଳରେ ମାନବ ସମାଜ ମଧ୍ୟ ଅଶେଷ କ୍ଷତିର ସମ୍ମୁଖୀନ ହୋଇଛି। ଅତଏବ କରୋନା ପୁନର୍ବାର ସେହିପରି ଏକ ଚରମ ପରୀକ୍ଷାର ସମୟ ଆଣିଛି। ଆମେ ଏବେ ହସପିଟାଲମାନ ରାତାରାତି ତିଆରି କରୁଛୁ। ଯଥାସମ୍ଭବ ରୋଗୀଙ୍କ ପାଇଁ ଶଯ୍ୟା ବିଛାଉଛୁ; ହେଲେ କରୋନା ଆକ୍ରାନ୍ତ ଚିକିତ୍ସା ଆବଶ୍ୟକ ଡାକ୍ତର, ଚିକିତ୍ସାକର୍ମୀ ଏବଂ ଉପଯୁକ୍ତ ଔଷଧ ବିନା ସମ୍ଭବ ନୁହେଁ। ଆବଶ୍ୟକ ଉପଯୁକ୍ତ ଲୋକଶକ୍ତି ଓ ସାଧନର ଅଭାବ କେବଳ ଭାରତ ନୁହେଁ; ସମଗ୍ର ବିଶ୍ବ ପାଇଁ ସମସ୍ୟା ସୃଷ୍ଟି କରିଛି।

ଏକ କ୍ଷୟିଷ୍ଣୁ, ସଂକୋଚନଶୀଳ ଅର୍ଥନୀତି ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବା ସ୍ବାଭାବିକ। ତେଣୁ ଜୀବନ ଓ ଜୀବିକାର ସୁରକ୍ଷା ଏକ ସମୟରେ ଅସମ୍ଭବ ପ୍ରାୟ ମନେ ହେଉଛି। ଏଭଳି ସ୍ଥିତିକୁ ଦେଖି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପକ୍ଷରୁ ସତର୍କ କରାଇ ଦିଆଯାଇଛି ଯେ ବିଶ୍ବ ଅର୍ଥନୀତି ନିକଟ ଅତୀତରେ ବାଟକୁ ଆସିବାର ସମ୍ଭାବନା କ୍ଷୀଣ। କରୋନା ମୁକାବିଲା ଜନିତ ବିପୁଳ ଖର୍ଚ୍ଚ ଏବଂ ଅର୍ଥନୈତିକ କ୍ଷେତ୍ରର ସଂକୋଚନ ଯୋଗୁଁ ଭାରତ ସମେତ ଅଧିକାଂଶ ଦେଶର ଅର୍ଥନୀତି ଏବେ ସଂକୁୁଚିତ। ତେଣୁ ସରକାରଙ୍କ ଖର୍ଚ୍ଚ ଓ ଋଣଭାର ବଢ଼ୁଛି ଏବଂ ଆୟ କମୁଛି। କରୋନା ସଂପୂର୍ଣ୍ଣ ନିୟନ୍ତ୍ରିତ ନ’ହେବା ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଜାରି ରହିବାକୁ ଥିବାରୁ କୌଣସି ଦେଶର ଅର୍ଥନୀତି ସୁଧୁରିବା ସମ୍ଭାବନା କ୍ଷୀଣ। ବିଶ୍ବର ୨୦ ଧନିକ ଦେଶ ନିଜନିଜର ଅର୍ଥନୀତିକୁ ସୁଧାରିବାପାଇଁ ୧୧ ଟ୍ରିଲିୟନ ଡଲାର ନିଜନିଜ ଅର୍ଥନୀତିରେ ପ୍ରବେଶ କରାଇଛନ୍ତି। ଭାରତ ମଧ୍ୟ ୨୦ଲକ୍ଷ କୋଟି ଟଙ୍କାର କରୋନା ପ୍ୟାକେଜ ଘୋଷଣା କରି ଅର୍ଥନୀତିକୁ ସୁଧାରିବାକୁ ଉଦ୍ୟମ ଚଳାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଶ୍ବର ପ୍ରମୁଖ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସମୂହ ମଧ୍ୟ ନାନାବିଧ ପ୍ୟାକେଜ, ଋଣ ଓ ନଗଦ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏ ସବୁ ସତ୍ତ୍ବେ ବିଶ୍ବ ଅର୍ଥନୀତି ଏଥର ଅତି ମାନ୍ଦା ରହିବ ବୋଲି ମୁଦ୍ରାପାଣ୍ଠି ପକ୍ଷରୁ କୁହାଯାଇଛି। କାରଣ ଅତି ସ୍ପଷ୍ଟ। କରୋନା ସଂକ୍ରମଣ ନିୟନ୍ତ୍ରିତ ନ’ହେବାଯାଏ ଏସବୁ ପ୍ୟାକେଜର ସଫଳ ପ୍ରୟୋଗ ହୋଇପାରିବ ନାହିଁ ଏବଂ କେତେକ ସ୍ଥଳେ ବିନିଯୋଗ ହେଉଥିବା ପୁଞ୍ଜି ଫଳବତୀ ହେବା ପୂର୍ବରୁ ନଷ୍ଟ ହୋଇଯିବାର ଆଶଙ୍କା ଅଧିକ।

ଏଭଳି ଏକ ଅସହଜ ପରିସ୍ଥିତିର ମୁକାବିଲା ଅତ୍ୟନ୍ତ କଷ୍ଟ। ମୁଦ୍ରାସ୍ଫୀତି ଭାରତରେ ବଢ଼ିଲାଣି। ଜିନିଷପତ୍ରର ଅଭାବ ଦେଖାଦେଲାଣି। ଶ୍ରମିକଙ୍କ ଅଭାବ ଯୋଗୁ ସାମଗ୍ରୀ ପରିବହନ ଏବଂ ଉତ୍ପାଦନ ଗୁରୁତର ଭାବେ ବ୍ୟାହତ ହେଲାଣି। ତେଣୁ ସରକାରଙ୍କ ପାଇଁ ନୂଆ ସମସ୍ୟା ସୃ​‌ଷ୍ଟି ହୋଇଛି। ଓଡ଼ିଶା ସରକାର ତ ଋଣ କରିବାକୁ ବାଧ୍ୟ ହେଲେଣି। କେନ୍ଦ୍ର ସରକାର ମଧ୍ୟ ଋଣମାର୍ଗ ଆପଣାଇବା ପ୍ରାୟ ନିଶ୍ଚିତ। ରାଜସ୍ବ ଉତ୍ସ ଶୁଖିଗଲେ ଋଣ ଛଡ଼ା ବାଟ ନାହିଁ। ତେଣୁ ବିକଳ୍ପ ରାଜସ୍ବ ସଂଗ୍ରହ ପାଇଁ ଆହୁରି ଅପ୍ରୀତିକର ପଦକ୍ଷେପମାନ ନେବାକୁ ସରକାର ବାଧ୍ୟ ହେବେ। ନୂଆ ଟିକସ ଓ ଅତିରିକ୍ତ ଟିକସ ବଢ଼ିପାରେ। ମଧ୍ୟବିତ୍ତଙ୍କ ପାଇଁ ପରିସ୍ଥିତି ଅଧିକ ସମସ୍ୟା ବହୁଳ ହୋଇପାରେ। ଏ ସବୁ ଭିତରେ ଦେଶର ଅର୍ଥନୀତିର କେତେକ କ୍ଷେତ୍ରରେ ଆଶାର କିଶଳୟ ଦେଖାଦେଲାଣି। କିଛି କିଛି କ୍ଷେତ୍ରରେ ଉତ୍ପାଦନ ବଢ଼ିଲାଣି ଓ କାମଧନ୍ଦା ଆରମ୍ଭହେଲାଣି। ଶିଳ୍ପାଞ୍ଚଳ ଓ ବିଭିନ୍ନ ଉଦ୍ୟୋଗକୁ ଶ୍ରମିକ ଫେରିବାକୁ ଲାଗିଲେଣି। ଯଦି ସେପ୍ଟେମ୍ବର ଶେଷ ସୁଦ୍ଧା କରୋନାର ପ୍ରକୋପ ହ୍ରାସ ପାଏ, ତା’ହେଲେ ଅର୍ଥନୀତି ସମ୍ଭାଳି ହୋଇଯିବ ଏବଂ ଲୋକେ ଅଧିକ ଆର୍ଥିକ କଷଣରୁ ରକ୍ଷା ପାଇଯିବେ। ଏଭଳି ସ୍ଥିତିରେ ଦୁଃଖକଷ୍ଟର ଦୃଢ଼ ମୁକାବିଲା କରି ସୁଦିନ ପାଇଁ ଉଦ୍ୟମରେ ଲାଗି ରହିବା ଛଡ଼ା ଅନ୍ୟ ବାଟ ନାହିଁ। ନୈରାଶ୍ୟ ମଣିଷକୁ ମାରିଦିଏ, ଆଶା ବଞ୍ଚାଏ। ଆସନ୍ତୁ ଏହି ମହାସଂଗ୍ରାମ ବିରୋଧରେ ବିଜୟ ଆଶା ରଖି ଲଢ଼ିବା।

Comments are closed.