ଖିର ଉତୁରିଲେ ଚୁଲିକି…

ଖିର ଉତୁରିଲେ ଚୁଲିରେ ପଶେ, ମଣିଷ ଉତୁରିଲେ ଗାତରେ ପଶେ।’’ ‘‘ଉତୁରା’’ ଖିର ଓ ମଣିଷର ପରିଣତି ନିର୍ଦିଷ୍ଟ। ତେବେ ଉତୁରିଥିବା ଖିରରୁ ଆଉ କେତେ ରହିଲା, ଚୁଲି ଲିଭିଗଲା କି ନାହିଁ ଓ ଏଥିପାଇଁ ବୋହୂ ଦାୟୀ କି ଶାଶୂ ଦାୟୀ, ତା’ ଗୋଳାଘାଣ୍ଟ, କଥା କଟାକଟି ସେଦିନ ପରିବାରର ଶାନ୍ତି ବ୍ୟାହତ କରିଥାଏ। ଝିମିଟି ଖେଳରୁ ମହାଭାରତ ପରି ଏଇ ଛୋଟ କଥା ବି ଭୟଙ୍କର ଅବସ୍ଥା ସୃଷ୍ଟି କରେ। ସେମିତି କାଣ୍ଡଟେ ବି ଗତ ସପ୍ତାହରେ ମକୁ ମିଶ୍ରଙ୍କ ଘରେ ଘଟିଗଲା। ଦି’ସେର ହେବ ଖିର ଗ୍ୟାସଚୁଲିରେ ବସିଥିଲା। ଉତୁରି ପଡ଼ିଲା ଯେ ଆଉ ପାଏ ଖଣ୍ଡେ ଥିବ କି କ’ଣ! ଶାଶୂ ଗର୍ଜିଲେ ଯେ ଗର୍ଜିଲେ। ଜମିଦାର ଘର ଝିଅ। ମକୁ ମିଶ୍ରଙ୍କ ଚାଳ ଘରକୁ କୋଠା କରିଛନ୍ତି ବାପ ଘର ଦୌଲତରେ। ମକୁ ମିଶ୍ରେ ଗେରସ୍ତ ସିନା, ବାସ୍ତବରେ ଭାର୍ଯ୍ୟା, ମୂଷାଟେ ଜାଣ। ଖାଲି କହିଦେଲେ, ‘‘ହଉ ଯାହା ତ ହବାର ହେଲା, ଆଉ ପାଟି କରୁଚ କିଆଁ?’’ “Don’t cry over spilt milk.” ଏତିକିରେ ନିଆଁ ଲାଗିଗଲା ଭାର୍ଯ୍ୟାଙ୍କଠି। ଗର୍ଜିଉଠିଲେ ଦି’ଗୁଣା। ‘‘କ’ଣ ହେଲା, ପାଟି କରୁଛି କିଆଁ? ସେ ବୋହୂ ସୁଆଗ ରଖିଥା’। ଶାଗ ଖୁଣ୍ଟିଆଣୀ ଘରର ପିଲା। ଖାଲି ଗୋରା ଚମଡ଼ା ଦେଖି ଘରକୁ ଆଣିଲ। ମୁଁ ମୂଳରୁ ମନା କରୁଥିଲି। ବାସି ତୋରାଣି ପିଇ ବଢ଼ିଛି ସେ। ଦୁଧ କୋଉ ଦେଖିଥିଲା ଯେ ଆଉଟା ଶିଖିଥା’ନ୍ତା? ଦିନା ଚାକରକୁ ମନା କରିଦେବି ସେ ଆଉ ଗାଈମାନଙ୍କ ପାଇଁ କୁଳୁଚି ସିଝାଇବନି। ତମ ଏ ସୁନାନାକୀ ବୋହୂ କୁଳୁଚି ସିଝାଉ, ଦିନା ଖିର ଆଉଟୁ।’’ ଏମିତି କେତେ କ’ଣ କହିଗଲେ ଶାଶୂ ସାଆନ୍ତାଣୀ। ବଡ଼ ଅସହ୍ୟ ବି ହୋଇଥିଲା ଏ ନୂଆ ବୋହୂକୁ। ବଡ଼ ଲୋକ ଘର ସିନା, ଶଶୁର ପରି ତା’ ବର ବି ମୂଷା। ସେ ବି ବେକାର। ବୋଉକୁ ଢେର ଡର। ଘରେ ଦୀପ ଲଗେଇଦେଇ, ଠାକୁରଙ୍କୁ ମୁଣ୍ଡିଆ ମାରିଲା ବେଳେ ଆଖି ଲୁହ ଚଟାଣ ଓଦା କରିଦେଇଥିଲା। ତା’ ବଖରାକୁ ଫେରି କବାଟ କିଳି ଟାଙ୍ଗି ହୋଇପଡ଼ିଲା। ସାମାନ୍ୟ ଖିର ସିନା ଇଡ଼ିଯାଇଥିଲା, ଏବେ ଇଡ଼ି ହୋଇଗଲା, ବୋହିଗଲା ଅମୃତ ପାତ୍ରଟେ। ତା’ ପରେ ପୁଲିସ ଆସିଲା। ସାରା ଜୀବନର ଏ ସୀମାଟପା ଶାଣଦିଆ ଜିଭ ଏତେ ଦିନେ କାମୁଡ଼ି ହେଲା, ଖନି ମାଇଲା। ପୁଲିସ, ଶାଶୂଙ୍କ ସହ ବରକୁ, ପୁଅକୁ ଥାନାକୁ ଘୋଷାରିଲେ। ସେ ବହୁତ ଓ ଭିନ୍ନ କଥା। ମାତ୍ର ଜୀବନ ସାରା ଉତୁରୁଥିବା ଶାଶୂବୁଢ଼ୀଙ୍କ ଏ ଜମିଦାର ଘର ଝିଅ ଏବେ ଗାତରେ ପଶିଲେ। ୟେ ତ ବ୍ୟକ୍ତିଗତ ଜୀବନର କରୁଣ କଥା। ମାତ୍ର ସାମାଜିକ ଜୀବନରେ ବି ପରିଣତି ଅଧିକ ଭୟଙ୍କର। ରକ୍ଷକ ଭକ୍ଷକର କ୍ଷୁଧାରେ ଆକ୍ରାନ୍ତ ହେଲେ, ବାଡ଼ ଖେତ ଖାଇଲେ ଖେତ ତ ଉଜୁଡ଼ିଯିବ, ଯାଏ, ଯାଉଚି ତ। ତଥାପି କିଏ କୋଉ ଶିଖୁଛି? ହିଂସା, ପ୍ରତିହିଂସା ଓ ଅହଂକାର ଜୀବକୁ ଚିମୁଟୁଥାଏ। ତା’ ଚଳନୀୟ। ମାତ୍ର ୟେ ଯଦି ତାକୁ କାମୁଡ଼ା ରାମ୍ପୁଡ଼ା କରନ୍ତି, ତେବେ ତ ‘ଉତୁରା’ ଅବସ୍ଥା ସୃଷ୍ଟିହୁଏ। ମହାଭାରତ ଯୁଦ୍ଧ-କଥନରେ ଯେଉଁ କେତେଟା ଦାଗଲଗା ଅକଥା, ‘ଉତୁରା’ କଥା ରହିଛି, ସେ ମଧ୍ୟରୁ ଅଶ୍ବତ୍‌ଥାମାଙ୍କ ପାଣ୍ଡବଙ୍କ ନିରୀହ ପାଞ୍ଚ ଶିଶୁପୁତ୍ରଙ୍କ ହତ୍ୟା ଏକ ଲଜ୍ଜାକର, ଅମଣିଷପଣିଆର ଉଦାହରଣ। ଦ୍ରୋଣାଚାର୍ଯ୍ୟଙ୍କ ଏ ପୁତ୍ର, ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ବିଜୟକୁ ସହିପାରିଲେନି। ଅନ୍ଧାର ଘରେ ଲୁଚିଲୁଚି ଶୋଇଥିବା ଏ ପାଞ୍ଚ ପୁତ୍ରଙ୍କୁ ପାଣ୍ଡବ ଭାଇ ଭାବି ହତ୍ୟା କରିଦେଲେ। ଛିଃ, କି କାପୁରୁଷ, ଭୀରୁତା! ତାକୁ ଅବଶ୍ୟ କ୍ଷମା ଦେଇଦେଲେ ମାତୃପ୍ରାଣା ଦ୍ରୌପଦୀ। କଳ୍ପାନ୍ତଜୀବୀ ଅଶ୍ବତ୍‌ଥାମା କି ପରିଣତି ଲଭିଲେ କେଜାଣି! ତେବେ ଅକୀର୍ତ୍ତି ତ ମରଣ ତୁଲ୍ୟ। ଗୀତାରେ କୃଷ୍ଣ କହିଲେ, ‘‘ଅକୀର୍ତ୍ତିଂ ଚାପିଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍‌। ସମ୍ଭାବିତସ୍ୟ ଚାକୀର୍ତ୍ତିର୍ମରଣାଦତିରିଚ୍ୟତେ।’’ ସମସ୍ତେ ଦୀର୍ଘକାଳ ଧରି ତମର ଅପକୀର୍ତ୍ତି କହୁଥିବେ ଆଉ ୟେ ହେଉଛି ଯଶସ୍ବୀମାନଙ୍କ ନିମନ୍ତେ ମରଣରୁ ବଳି ଦୁଃଖ ଦାୟକ। ଜଗତ୍‌କର୍ତ୍ତା ସପ୍ତାଶ୍ବବାହନ ସୂର୍ଯ୍ୟ ବି ସେଦିନ ଉତୁରିଥିଲେ। ସୁମନ୍ୟୁ ଋଷିଙ୍କ ବେଳାଭୂମିରେ କ୍ରୀଡ଼ାରତ କନ୍ୟାର ରୂପରେ ବିମୋହିତ ହୋଇଗଲେ। ତାକୁ ଭୋଗେଚ୍ଛା ଏ ଜଗତ୍‌ପତିଙ୍କୁ ପାଗଳ କରିଦେଲା। ଶ୍ଳୋକ ତ କହିଲା, ଯେତେ ରଜ୍ଜୁ ବା ବନ୍ଧନ ଅଛି ସବୁଠୁ ଟାଣ ହେଲା ପ୍ରେମ ଓ ତା’ର ଆକର୍ଷଣ। ‘‘ବନ୍ଧନାନି ଖଳୁ ସନ୍ତି ବହୁନି ପ୍ରେମରଜ୍ଜୁ ଦୃଢ଼ବନ୍ଧନ ମୁକ୍ତମ୍‌। ଦାରୁଭେଦୋନିପୁଣୋଽପି ଷଡ଼ଘ୍ରିଂର୍ନିଷ୍କ୍ରିୟୋ ଭବତି ପଙ୍କଜକୋଷେ।’’ ତା’ର ଭାବାନୁବାଦରେ କବିବର ‘ଚନ୍ଦ୍ରଭାଗା’ରେ ଲେଖିଲେ, ‘‘ଦାରୁଭେଦ କ୍ଷମ ଭ୍ରମର ପଶି କମଳ କୋଳେ, ପାସୋରେ ଆପଣା ବିକ୍ରମ ପ୍ରେମ ମୋହନ ଭୋଳେ’’। ବିଚାରି ସୁମନ୍ୟୁ କନ୍ୟା, ପ୍ରାଣ ବିକଳରେ ଧାଉଁଥିବା ବେଳେ ବ୍ରାହ୍ମଣରୂପୀ ଏ ତ୍ବିଷାମ୍ପତି ତାକୁ ମନାଇବାକୁ ସତରେ କେତେ ନିଊନ ହୋଇଯାଇଥିଲେ! ତା’ ପଛରେ ଧାଉଁଧାଉଁ କହୁଥିଲେ, ‘‘କାହୁଁ ପଳାଉଛୁ ସୁନ୍ଦରୀ, ହୋଇ ଏଡ଼େ କାତର, ଚରଣ କିଙ୍କର ଜନକୁ କିମ୍ପା ଏଡ଼େ ତୋ ଡର? ଚଞ୍ଚଳାକ୍ଷି! ତୁ କି ପାଞ୍ଚିଲୁ ମୋତେ ବ୍ରାହ୍ମଣ କରି? ବଞ୍ଚାଇ ରଖିଛି ବିଶ୍ବକୁ ସିନା ତେଜ ମୋହରି।’’ ଏ ସବୁ ବରଂ ବାଳାଠି ଅଧିକ ଭୀତି ସୃଷ୍ଟି କଲା ଓ ସେ ସିନ୍ଧୁ ତରଙ୍ଗକୁ ଡେଇଁପଡ଼ିଲା। ତା’ ବର୍ଣ୍ଣନାରେ କବିବର ଲେଖିଛନ୍ତି, ‘‘ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ, ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ, ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ, ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ।’’ ଧ୍ୟାନ ବଳରେ ସୁମନ୍ୟୁ ଏ କଥା ଜାଣି ସୂର୍ଯ୍ୟଙ୍କୁ ଅଭିଶାପ ଦେଲେ। ଫଳରେ ଏ କୀର୍ତ୍ତିମୟ ମନ୍ଦିର ଭୁଶୁଡ଼ି ପଡ଼ିଲା। ‘‘ଭୂମିସାତ୍‌ ଦେବ ଦେଖିଲେ ନିଜ ପ୍ରିୟ ଦେଉଳ, ଉତ୍କଳ ଭୁବନେ ଦେଉଳେ ଯାହା ଥିଲା ଅତୁଳ।’’ ୟେ ତ ପୁରାଣର ଅନୈତିକ ଏକ ‘ଉତୁରା’ର ପରିଣାମ ଓ ପରବର୍ତ୍ତୀ ପରିଣତି। ଇତିହାସ ବି ଭରପୂର ଏମିତି ଉତୁରାଙ୍କ ବିଷୟରେ ଓ ତା’ ପରିଣତିରେ। ରୁଷ ସମ୍ରାଟ ଜାର୍‌ଙ୍କ କଥା କି ହୃଦୟ ବିଦାରକ! ଦୀର୍ଘ ସ୍ବେଚ୍ଛାଚାରୀ ଶାସନରେ ସେ ଉଛୁଳି ପଡ଼ିଥିଲେ। ବିପ୍ଳବ ହେଲା। ବନ୍ଦୀ ହେଲେ। ଛୋଟିଆ ଲୋକଟେ ସେ ନ ଥିଲେ। ପୃଥିବୀର ଏକ-ଷଷ୍ଠାଂଶ ସେ ରାଜୁତି କାଲିଯାଏ କରୁଥିଲେ। ତାଙ୍କୁ କୁକୁର ବିଲୁଆ ପରି କି ମରାଯାଏ? ବିଚାରର ସମ୍ମୁଖୀନ ତାଙ୍କୁ କରାଯିବା ଥିଲା। ମାତ୍ର ଉଚ୍ଛୃଙ୍ଖଳ, ଅସଂସ୍କୃତ ସୈନ୍ୟମାନେ ତାଙ୍କୁ ତେଣ୍ଟା ଭୁସି ଯେମିତି ମାରୁଥିଲେ, ତାଙ୍କ ସ୍ତ୍ରୀ ସମ୍ରାଜ୍ଞୀଙ୍କ ଆଗେ ଉଲଗ୍ନ ହୋଇ ଯେପରି ଅଶ୍ଳୀଳ ଆଚରଣ କରୁଥିଲେ ତା’ କୋଉ ଯୋଦ୍ଧା ବା ସୈନିକର ନୈତିକ ବଳକୁ ସମର୍ଥନ କରୁଛି? ସେତିକି ନୁହଁ, ତାଙ୍କର ଏକମାତ୍ର ରୋଗାକ୍ରାନ୍ତ ବାଳୁତ ପୁତ୍ରକୁ ରକ୍ଷା କରିବାର ନିବେଦନ ରକ୍ତମୁଖା, ବିବେକ ଓ ସଂସ୍କାର ବିବର୍ଜିତ ଏ ବିପ୍ଳବୀ ସୈନିକଙ୍କୁ ଛୁଇଁ ପାରି ନ ଥିଲା। ପ୍ରାଣରକ୍ଷା ପାଇଁ ବନ୍ଦ ବଖରାର ଏ କଣରୁ ସେ କ’ଣ ତ୍ରସ୍ତ ବାଳକକୁ ଧରି ବିକଳରେ ଧାଉଁଥିବା ଜାରିନାଙ୍କୁ ଏମାନେ ଗୁଳି ବର୍ଷଣରେ ଛିନ୍‌ଛତ୍ର କରିଦେଇଥିଲେ। କମ୍ୟୁନିଷ୍ଟ ପାର୍ଟିର ଉଚ୍ଚ କର୍ମକର୍ତ୍ତା ଜାର୍‌ଙ୍କ ପ୍ରାଣରକ୍ଷା ପାଇଁ ନିର୍ଦେଶ ଦେବାବେଳକୁ ସବୁ ସରିଯାଇଥିଲା। ନିଜେ ସେକ୍‌ସପିୟରଙ୍କ ଜଣେ ବିଦଗ୍ଧ ପାଠକ ଜାର୍‌ ତ ପଢ଼ିଥିବେ, ‘‘They who stand high, have many winds to sake them, if they fall they dash themselves to pieces”. ସେମିତି ଫରାସୀ ରାଷ୍ଟ୍ରବିପ୍ଳବ ନୃଶଂସ ଉତୁରା ରାଜତନ୍ତ୍ରରୁ ହିଁ ସୃଷ୍ଟି। ମାତ୍ର ଅପେକ୍ଷାକୃତ ଭଲ ଷୋଡ଼ଶ ଲୁଇ ପୂର୍ବଜଙ୍କ ଅପକର୍ମର ଫଳ ଭୋଗିଲେ। ତାଙ୍କ କୃତକର୍ମ ଫଳର ବିଚାର ବା କୈଫିୟତର ମଉକା ଏ ବିପ୍ଳବୀମାନେ ତାଙ୍କୁ ଦେଲେନି। ଗିଲୋଟିନ ଯନ୍ତ୍ରରେ ମୁଣ୍ଡକୁ ପୂରାଇ ଦି’ ଗଡ଼ କରିଦେଲେ। ‘ଉତୁରା’ଙ୍କ କଥା ଯେମିତି ଦାରୁଣ, ତା’ ପରବର୍ତ୍ତୀ ପରିଣାମ ବି କିଛି କମ୍‌ ଭୟଙ୍କର ହୁଏନି।
ଏବେ ସେମିତି ଉତ୍ତରପ୍ରଦେଶର କାନପୁରରେ ଜଣେ କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କୁ ପୁଲିସର ହତ୍ୟା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟିକରିଛି। କାନପୁରରେ ପୁଲିସର ତା’ ଘର ଉପରେ ଚଢ଼ଉ ବେଳେ ସେ ଆଠଜଣ ପୁଲିସଙ୍କୁ ଗୁଳିକରି ମାରିଥିବା ବେଳେ ଦୁବେକୁ ମିଶାଇ ପୁଲିସ ଏବେ ଛ’ଜଣଙ୍କୁ ଗୁଳି କରିଛି। ଦି’ଦଳ, ଦିଦଳଙ୍କ ପ୍ରାଣରକ୍ଷା ପାଇଁ ଏ କାଣ୍ଡ ଭିଆଇଥିଲେ ବୋଲି କହୁଛନ୍ତି। ଅଦାଲତ ଗାଧୋଇଗଲା ଏ ସମସ୍ତଙ୍କ ପାଇଁ। ଇଏ ଯେ ନୂଆ କଥା ହେଲା ତା’ ନୁହଁ। ଜଣେ ପଶୁଚିକିତ୍ସକ ମହିଳା ଡାକ୍ତରଙ୍କୁ ଧର୍ଷଣ କରି ହତ୍ୟା କରିଥିବା ଅଭିଯୋଗରେ ଚାରିଜଣ ଆସାମୀଙ୍କୁ ତେଲଙ୍ଗାନା ପୁଲିସ ସେମିତି ‘ମୁକାବିଲା’ (encounter)ରେ ‘ଆତ୍ମରକ୍ଷା’ ପାଇଁ ଗୁଳି କରି ହତ୍ୟା କରିଥିଲେ। ଏ ଜଘନ୍ୟ ଅପରାଧୀମାନେ ବିଚାର ପଦ୍ଧତିରେ ଦଣ୍ଡ ପାଇବାକୁ ଯୁଗେ ବିତିଯାଇଥା’ନ୍ତା। ତେଣୁ ଏମିତି ମାରି ପୁଲିସ ‘ହିରୋ’ ବନିଗଲା କେତେକଙ୍କ ପାଇଁ। ତେବେ ସୁପ୍ରିମକୋର୍ଟ ଏ ହତ୍ୟାର ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି। କ’ଣ ହେଲା ବିଚାର କେଜାଣି? ଯେଉଁମାନଙ୍କ ପାଇଁ ୟେ ଘା’ଥିଲା, ତା’ ଏବେ ଶୁଖିଗଲାଣି। ଯେଉଁମାନଙ୍କ ପାଇଁ ‘ମେଡାଲ’ ଥିଲା ସେଟା କଳା ପଡ଼ିଗଲାଣି, ସମୟ ଗଡ଼ି ଚାଲିଛି। ଆଉ ଆମ ବେପାରପତ୍ର ଭାଇମାନଙ୍କ ଉଷୁମ ଭାଙ୍ଗିଯାଇଛି। ଆଉ ଖୋଳତାଡ଼ ନାହିଁ।
ଏ ହୋହଲ୍ଲା ବି ସେମିତି ଶିଥିଳ ହୋଇଯିବ। ବିକାଶ ଦୁବେ ଦିନକର ତିଆରି ନୁହଁ। ଷାଠିଏ ଗୁରୁତର ମାମଲା ତା’ ନାଁରେ ଅଛି। ସେ ବି ଉତ୍ତର ପ୍ରଦେଶ ରାଜନୀତିରେ ବେଶ୍‌ ଭାବେ ଜଡ଼ିତ ଥିବା କୁହାଯାଉଛି। ଆଜି ରାଜନୀତିରେ ତ ‘‘ମସଲ ଓ ମନି’’ (ଗୁଣ୍ଡା ଓ ଟଙ୍କା)ର ଗୁରୁତ୍ବ କାହାକୁ ଅଜଣା? ଦୁ​‌େ​‌ବ ଗିରଫ ହେଲେ ତା’ ପେଡ଼ି ଖୋଲୁଖୋଲୁ ଆଉ ସଭିଙ୍କ ପେଡ଼ି ଖୋଲିଯିବ, ସେଇ ଭୟ କୁଆଡ଼େ ତାକୁ ରାସ୍ତାରୁ ସବୁଦିନ ପାଇଁ ହଟେଇ ଦେବାର ରାଜନୈତିକ ଆବଶ୍ୟକତାରୁ ହୋଇଛି ବୋଲି ଏବେ ସ୍ପଷ୍ଟ ଗୋଳ ହେଲାଣି। ଏଡ଼େ ବଡ଼ ଦୁର୍ଦାନ୍ତ ଅପରାଧୀକୁ ହାତକଡ଼ା ନ ପକାଇ ଏ ପୁଲିସ ଆଣୁଥିଲେ କେମିତି ଓ କାହିଁକି? ଉତ୍ତର ତା’ର ଥିବ। ମାତ୍ର ତା’ ଗାଲୁକୁ ଫାବିବ। ପୁଲିସଙ୍କି ଗପସୃଷ୍ଟି କୋଉ ଅଜଣା? କବିବର ତ ଲେଖିଲେ, ‘‘କେହୁ ବୋଲେ ମୁହିଁ ଅଟଇ ପୁଲିସ, ବିନା ମେଘେ ସୃଜି ପାରଇ କୁଳିଶ।’’ ମଧ୍ୟପ୍ରଦେଶର ଉଜ୍ଜୟିନୀର ମହାକାଳ ମନ୍ଦିରରୁ ତାକୁ ଗିରଫ କରାଯାଇଥିବା ବେଳେ କାନପୁର ନିକଟରେ ଗୁଳିମାରି ହତ୍ୟା କରାଯାଇଥିଲା। ଗତ ୧୭ ବର୍ଷରେ ଦଶଟି ବିବାଦୀୟ ହତ୍ୟା (encounter) ଘଟିଛି। ୟେ ଦେଶ ଓ ଗଣତନ୍ତ୍ର ପାଇଁ ଶୁଭ ସୂଚକ ନୁହଁ। ମାନ୍ୟବର ଅଦାଲତ ନିଜ ପଟୁ ଏ ଘଟଣାରେ ହସ୍ତକ୍ଷେପ କରନ୍ତୁ ନ କରନ୍ତୁ, ଅଦାଲତକୁ ଏହା ଗଲାଣି। ପୁଲିସକୁ ଦିଆଯାଇଥିବା ଏ ‘ସ୍ବାଧୀନତା’ ଯଦି ଏମିତି ବ୍ୟବହୃତ ହୁଏ ତେବେ ‘ଅଦାଲତ’ର କି କାମ? ମରାମରିରେ ସବୁ ଫଇସଲା ହେଉ!
ଏମିତି କୋଉ ଅକଥା ବା ଅପରାଧ ନାହିଁ ଯାହାକୁ ସମର୍ଥନ କରିବାକୁ ଲୋକ ନ ମିଳିବେ, ସେମିତି ଏମିତି କିଛି ଭଲ ଲୋକ ବା ଭଲ କଥା ନାହିଁ ଯାହାକୁ ସମାଲୋଚନା କରିବାକୁ ବି ଲୋକ ନ ମିଳିବେ। ଦଳେ ଏବେ ଦୁବେ ସପକ୍ଷରେ ତ ଦଳେ ପୁଲିସ ସପକ୍ଷରେ ଓ ଦଳେ ଅନ୍ତରାଳରେ ଥିବା ଏ ରାଜନୀତିଆଙ୍କ ସପକ୍ଷରେ। କିଏ ଠିକ୍‌? ବାଆଜିରୁ ମନ୍ତ୍ରୀ ବନିଥିବା ଯୋଗୀ ଏବେ ଦର୍ପଣରେ ମୁହଁ ଦେଖନ୍ତୁ। ଗେରୁଆ ବସ୍ତ୍ରର ଭାବ ଠିକ୍‌ ଝଟକୁଛି ତ?
ସବୁ ଉତୁରାଙ୍କ ଭିତରେ, ଆମେ ଉତୁରିଲୁଣି କି ନାହିଁ ଯଦି ଜାଣି ପାରୁନେ ତେବେ ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି, ମେଘ ଦୁଲୁକୁଥିବା କହୁଥିବା କଣା ଆମେ। ସବୁ ଫିକର, ବକ୍‌ବାଜ କାରଧାନି ଦୁବେର ଉଭେଇଗଲା, ଆମର ବି ଯିବ। ‘‘ଭାବିଛ କି ଏହି ଦୀପ ନ ଲିଭିବ, ବିସ୍ମୃତି ଗରଭେ ସଦା ଜଳୁଥିବ?’’ ‘‘ସର୍ବେ ଯିବା ଭାଇ ଉଭେଇ ଅଚିରେ, ବୁଦ୍‌ବୁଦ୍‌ ପରାଏ କାଳ ସିନ୍ଧୁ ନୀରେ।’’ ଜୟ ଜଗନ୍ନାଥ।

Comments are closed.