ବ୍ୟଭିଚାର – ବିଚାର

0

ବ୍ୟଭିଚାର ଆମ ସମାଜର ଏକ ପୁରୁଣା କଥା ଯେଉଁଠି ପତିପତ୍ନୀ ଦାମ୍ପତ୍ୟଜୀବନ ବାହାରେ ଅନ୍ୟ ମହିଳା ବା ପୁରୁଷ ସହ ସମ୍ମତି ଭିତ୍ତିରେ ଯୌନ ସମ୍ପର୍କ ରଖିଥାନ୍ତି । ଏହା ମୁଖ୍ୟତଃ ଲୁଚାଛପାରେ ଚାଲୁଥିଲେ ହେଁ ଘଟଣା ଲୁଚି ରହେନାହିଁ ଏବଂ ଏହାକୁ କେନ୍ଦ୍ରକରି ପାରିବାରିକ ବିବାଦ, ଦାମ୍ପତ୍ୟକଳହ ଓ ସାମାଜିକ ଅସନ୍ତୋଷ ସୃଷ୍ଟି ହୋଇଥାଏ। ବ୍ୟଭିଚାର ଆଇନତଃ ଦଣ୍ଡନୀୟ ଏବଂ ଏଥିପାଇଁ ୧୫୮ ବର୍ଷ ତଳେ ବ୍ରିଟିଶ ସରକାର ଭାରତରେ ଏକ ଆଇନ ପ୍ରଣୟନ କରିଥିଲେ। ଏହି ପୁରୁଣା ଆଇନ ଅନୁସାରେ ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଯଦି ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ବିନା ଅନୁମୋଦନରେ ରଖନ୍ତି ତା’ହେଲେ ତାଙ୍କ ବିରୋଧରେ ଦଣ୍ଡବିଧାନ ହୋଇପାରିବ। ଏହି ଆଇନ ଅନୁସାରେ ସଂପୃକ୍ତ ମହିଳାଙ୍କ ବିରୋଧରେ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ। ଏହି ପୁରୁଣା ଆଇନକୁ ନେଇ ଏବେ ଦେଶର ସର୍ବୋଚ୍ଚ ଅଦାଲତ ବିଚାରବିମର୍ଶ ଚଳାଇଛନ୍ତି ଏବଂ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବରେ ଗଠିତ ପୀଠ ଏହାର ଶୁଣାଣି ଅବସରରେ ଯେଉଁସବୁ ମତ ଦେଇଛନ୍ତି ତାହାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ସଂକେତ ମିଳୁଛି ଯେ ଧାରା ୪୯୭​‌େ​‌ର ବ୍ୟଭିଚାର ଆଉ ଅପରାଧଭାବେ ବିବେଚିତ ହେବନାହିଁ। ଆହୁରି ମଧ୍ୟ ସ୍ପଷ୍ଟତର ହେଉଛି ଯେ ଏଥିରେ ମହିଳାଙ୍କୁ ପୁରୁଷଙ୍କର ଏକ ଅସ୍ଥାବର ସମ୍ପତ୍ତି ଭାବେ ବିଚାର କରି ଯେଭଳି ସେମାନଙ୍କର ମର୍ଯ୍ୟାଦା ଓ ଜୀବନଧାରଣର ଅଧିକାରକୁ ଉଲ୍ଲଙ୍ଘନ କରାଯାଉଥିଲା ତାହାର ମଧ୍ୟ ଅବସାନ ଘଟିବାକୁ ଯାଉଛି।
ଏ ସମ୍ପର୍କରେ ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର ଏବେ ସର୍ବୋଚ୍ଚ ଅଦାଲତ କରୁଛନ୍ତି। ସଂପୃକ୍ତ ମହିଳା ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୭ର ବୈଧତାକୁ ଚାଲେଞ୍ଜ କରି ଦର୍ଶାଇଛନ୍ତି ଯେ ବ୍ୟଭିଚାର ଭଳି ଅପରାଧରେ ଜଣେ ବିବାହିତ ପୁରୁଷ ଅନ୍ୟଜଣେ ବିବାହିତା ମହିଳାଙ୍କ ସମ୍ମତିକ୍ରମେ ଦୈହିକ ସମ୍ପର୍କ ରଖୁଥିବାରୁ ଉଭୟ ଦୋଷୀ। ଏହା ସତ୍ତ୍ବେ ପ୍ରଚଳିତ ଆଇନରେ କେବଳ ସଂପୃକ୍ତ ପୁରୁଷ ଦୋଷୀ ଏବଂ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ଗୋଟିଏ ଦୋଷରେ ଅଭିଯୁକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଦଣ୍ଡ ଭୋଗିବ ଓ ଅନ୍ୟଜଣେ ନିର୍ଦୋଷ ହେବ-ଏହା ଅସାମ୍ବିଧାନିକ ଓ ପାତରଅନ୍ତରମୂଳକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପ୍ରଚଳିତ ନିୟମ କହୁଛି ବ୍ୟଭିଚାର ପାଇଁ ପୁରୁଷକୁ ପାଞ୍ଚବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ବ୍ୟଭିଚାରିଣୀ ନାମରେ କୌଣସି ଅଭିଯୋଗ କିମ୍ବା ମାମଲା ହୋଇପାରିବ ନାହିଁ।
ମାମଲାଟିର ଗୁରୁତ୍ବ ବେଶ୍ ଅସାଧାରଣ ନିଶ୍ଚୟ। ସମ୍ମତି ପ୍ରଦାନସହ ବ୍ୟଭିଚାର ପାଇଁ ଅନ୍ୟଜଣେ ପୁରୁଷକୁ ପ୍ରୋତ୍ସାହିତ କରି ସଂପୃକ୍ତ ମହିଳା ଆଇନତଃ ନିରପରାଧ ଗଣ୍ୟ ହେବା ପଛରେ ଯେଉଁ କାରଣ ରହିଛି ତାହା ଏବେ ବିଚାରର କେନ୍ଦ୍ରବିନ୍ଦୁ ପାଲଟିଛି। ନ୍ୟାୟମୂର୍ତ୍ତି ମିଶ୍ରଙ୍କ ସମେତ ପୀଠର ଅନ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଆର୍‌ଏଫ୍‌ ନରିମାନ, ଏ.ଏନ. ଖାଁନୱିଲକର, ଡି.ୱାଏ.ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲହୋତ୍ରାଙ୍କ ଆପାତତଃ ନିଷ୍ପତ୍ତି ହେଲା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହବିଚ୍ଛେଦ ପାଇଁ ‘ବ୍ୟଭିଚାର’କୁ ବର୍ତ୍ତମାନଭଳି ଏକ ପ୍ରମୁଖ କାରଣ ଭାବେ ଗ୍ରହଣ କରାଯାଇପାରିବ। ତେବେ ଅନ୍ୟ ପ୍ରସଙ୍ଗଟି ହେଲା ବ୍ୟଭିଚାର ଆଇନରେ ସଂପୃକ୍ତ ମହିଳାଙ୍କ ପ୍ରତି ଥିବା ବୈଚାରିକ ଦୃଷ୍ଟିକୋଣ ଓ ହୀନମନ୍ୟତା। ଅଦାଲତ ତ ସ୍ପଷ୍ଟଭାବେ କହିଛନ୍ତି ଯେ ପ୍ରଚଳିତ ଆଇନରେ ଏହି ପ୍ରସଙ୍ଗରେ ମହିଳାଙ୍କ ପ୍ରତି ଅବିଚାର ହେଉଛି। ଏ ଅବିଚାର ସେମାନଙ୍କୁ ଦୋଷ ବା ଦଣ୍ଡରୁ ଅବ୍ୟାହତି ପାଇଁ ନୁହେଁ, ବରଂ ନ୍ୟୂନ ଦୃଷ୍ଟିରେ ବିଚାରକରି; କାରଣ ଏଥିରେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କର ଏକ ଅସ୍ଥାବର ସମ୍ପତ୍ତି ଭାବେ ବିବେଚନା କରାଯାଉଛି। ସ୍ବାମୀଙ୍କ ନିର୍ଦେଶ ବା ଅନୁମତି କ୍ରମେ ତାଙ୍କୁ ବ୍ୟଭିଚାର ପାଇଁ ସୁଯୋଗ ପ୍ରଦାନ କରାଯିବାର ଆଇନଗତ ବ୍ୟବସ୍ଥା ବାସ୍ତବିକ ଏକ ବିଡ଼ମ୍ବିତ ପ୍ରସଙ୍ଗ। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ପତ୍ତିଭାବେ ବିବେଚନା କରିବା ଅର୍ଥ ତାଙ୍କୁ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବା; ତେଣୁ ଏହା ସମ୍ବିଧାନ ବିରୋଧୀ। ପ୍ରଧାନ ବିଚାରପତି ଯଥାର୍ଥରେ କହିଛନ୍ତି ଯେ ଜଣେ ମହିଳାଙ୍କୁ ଦଣ୍ଡରୁ ରକ୍ଷା କରିବାପାଇଁ ଉଦ୍ଦିଷ୍ଟ ପୁରୁଣା ଆଇନ ବାସ୍ତବରେ ନାରୀବିରୋଧୀ।
ଆମ ଆଇନ ବ୍ୟବସ୍ଥାରେ ଅନେକ ଛିଦ୍ର ଓ ତ୍ରୁଟି ରହିଛି। ଏଇ ପ୍ରସଙ୍ଗଟିକୁ ଅଧିକ ଟିକିଏ ତର୍ଜମା କଲେ ତାହା ସ୍ପଷ୍ଟ ହୋଇଯିବ। ଜଣେ ବିବାହିତ ପୁରୁଷ ଜଣେ ଅବିବାହିତା ଓ ବିଧବାଙ୍କ ସମ୍ମତି କ୍ରମେ ଦୈହିକ ସମ୍ପର୍କ ରକ୍ଷାକଲେ ତାହା ଦଣ୍ଡନୀୟ ନୁହେଁ; ଅଥଚ ବିବାହିତ ମହିଳାଙ୍କସହ ସେହିଭଳି ସମ୍ପର୍କ ଦଣ୍ଡନୀୟ। ଏ କ୍ଷେତ୍ରରେ ଆଇନର ଭିନ୍ନତା କାହିଁକି? ଏ ପ୍ରସଙ୍ଗଟି ବିଶେଷ ଗୁରୁତ୍ବ ବହନ କରୁଥିବାରୁ ସ​‌େ​‌ର୍ବାଚ୍ଚ ଅଦାଲତଙ୍କ ବିଜ୍ଞ ବିଚାରବୁଦ୍ଧି ଓ ବିବେକ ଉପରେ ବହୁତ କିଛି ନିର୍ଭର କରେ। ବ୍ୟଭିଚାର ପ୍ରସଙ୍ଗ ୧୯୮୫ରେ ମଧ୍ୟ ସର୍ବୋଚ୍ଚ ଅଦାଲତରେ ଉଠିଥିଲା ଓ ସେତେବେଳର ପ୍ରଧାନ ବିଚାରପତି ୱାଏ.ଭି.ଚନ୍ଦ୍ରଚୂଡ଼ ତାଙ୍କ ରାୟରେ ଯାହା ଉଲ୍ଲେଖ କରିଥିଲେ ତାହା ଅବଶ୍ୟ ପ୍ରଣିଧାନଯୋଗ୍ୟ। ସେ ଲେଖିଥିଲେ, ‘‘ସାଧାରଣତଃ ଏହା ଧରିନଆଯାଏ ଯେ ବ୍ୟଭିଚାରରେ ମହିଳା ଅପେକ୍ଷା ପୁରୁଷ ଅଧିକ ଦାୟୀ, କାରଣ ନାରୀଙ୍କୁ ଆକର୍ଷିତ ଓ ପ୍ରଲୋଭିତ କରିବାକୁ ପୁରୁଷହିଁ ପ୍ରମୁଖ ଭୂମିକା ନେଇଥାଏ। ତେବେ ସେ ସ୍ଥିତି କିଛି ବଦଳି ଗଲାଣି। ଅତଏବ ସାମାଜିକସ୍ତରରେ ଘଟିଥିବା ପରିବର୍ତ୍ତନକୁ ବିଚାରକୁ ନେଇ ଧାରା ୪୯୭ରେ ଆବଶ୍ୟକ ସଂଶୋଧନ ଆଣିବା ଦାୟିତ୍ବ ପାର୍ଲାମେଣ୍ଟ ଉପରେ ନିର୍ଭର କରେ। ଏହି ଧାରାର ଉଚ୍ଛେଦ ଉଚିତ ମନେ ହେଉଥିଲେ ହେଁ ଆମେ ସେହି ଭିତ୍ତିରେ ଏହାର ବିଲୋପ ଘଟାଇ ପାରିବୁ ନାହିଁ।’’ ଆଇନ କମିସନ ମଧ୍ୟ ୧୯୭୧ରେ ବ୍ୟଭିଚାର ମାମଲାରେ ସଂପୃକ୍ତ ଉଭୟ ପୁରୁଷ ଓ ମହିଳାଙ୍କୁ ଦଣ୍ଡିତ କରିବାକୁ ଆଇନରେ ସଂଶୋଧନ କରିବାକୁ ସୁପାରିସ କରିଥିଲେ ଯାହାକୁ ସଂସଦ ଓ ସରକାର ଗ୍ରହଣ କରିନଥିଲେ।
ଇତି ମଧ୍ୟରେ ସମାଜ ଓ ନାରୀପୁରୁଷଙ୍କ ସମ୍ପର୍କରେ ବେଶ୍‌ କିଛି ପରିବର୍ତ୍ତନ ଘଟିଛି। କର୍ମଜୀବୀ ମହିଳା-ପୁରୁଷ ସଂସ୍କୃତି ଏକ ନୂଆ ପ୍ରତିମାନ ସୃଷ୍ଟି କରିଛି। ପ୍ରସଙ୍ଗକ୍ରମେ ତତ୍‌କାଳୀନ ପ୍ରଧାନ ବିଚାରପତିଙ୍କ ସୁଯୋଗ୍ୟ ସନ୍ତାନ ଡି.ୱାଏ ଚନ୍ଦ୍ରଚୂଡ଼ ମଧ୍ୟ ସେଇ ଆଇନର ବିଚାର ଓ ସମୀକ୍ଷା ପୀଠର ସଦସ୍ୟ ଅଛନ୍ତି। ଏବେ ଦେଖିବାକୁ ଅପେକ୍ଷା ଯେ ପରିବର୍ତ୍ତିତ ସ୍ଥିତିରେ ଆମ ସ​‌େ​‌ର୍ବାଚ୍ଚ ବିଚାର ବ୍ୟବସ୍ଥା କେଉଁଆଡ଼େ ମୁହାଁଉଛି ଏବଂ ଆମ ବ୍ୟବସ୍ଥାପିକା କିପରି ଆଚରଣ ପ୍ରଦର୍ଶନ କରୁଛି। ଏ ସବୁ ସତ୍ତ୍ବେ ଆମ ସମାଜରେ ପ୍ରଚଳିତ କଥାଟିଏ ମନେ ପଡ଼ୁଛି ଯାହା ନୀତିନିୟମ, ଆଇନକାନୁନ୍‌କୁ ଗୌଣ କରିଦିଏ, ସେଇଟି ହେଲା- ‘‘ମିଆଁ ବିବି ରାଜି, ତୋ କ୍ୟା କରେଗା କାଜି?’’

Leave A Reply