ଉତ୍ତର ପ୍ରଦେଶର ଗୁଣ୍ଡା ସଂସ୍କୃତି : ଦେଶର ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଜ୍ଜନକ

କୁଖ୍ୟାତ ଅପରାଧୀଙ୍କୁ ପାଳିବା ଏବଂ ସେମାନଙ୍କୁ ସମୟ ସୁଯୋଗ ଦେଖି ବ୍ୟବହାର କରିବା, ଭାରତୀୟ ରାଜନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି। ଅଧିକାଂଶ ଦଳ ଏହି ସଂସ୍କୃତିକୁ ଆଦରି ନେଇଥିବା ବେଳେ ସରକାରୀ ସ୍ତରରେ ମଧ୍ୟ ଗୁଣ୍ଡାପାଳନ ଏକ ସାଧାରଣ ଘଟଣା ପାଲଟିଛି। ଉତ୍ତର ପ୍ରଦେଶ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ ଏବଂ ବିଜେପି ଶାସିତ ଏହି ରାଜ୍ୟରେ କୁଖ୍ୟାତ ଅପରାଧୀ ବିକାଶ ଦୁବେର ସାଂପ୍ରତିକ ନାରକୀୟ କାର୍ଯ୍ୟ ତାହାର ଏକ ବଳିଷ୍ଠ ପ୍ରମାଣ। ତା’କୁ ଗିରଫ କରିବାକୁ ଯାଉଥିବା ପୁଲିସଦଳ ଉପରେ ଅତର୍କିତ ଆକ୍ରମଣ କରି ଏହି ଅପରାଧୀର ସହଯୋଗୀମାନେ ଆଠପୁଲିସ କର୍ମଚାରୀଙ୍କୁ ନିର୍ମମଭାବେ ହତ୍ୟା କରିଥିଲେ। ବିଡ଼ମ୍ବନା ହେଉଛି ସ୍ବୟଂ ପୁଲିସବାହିନୀର କେତେକ ସଦସ୍ୟ ବିକାଶକୁ ତା’ର ଗିରଫଦାରୀ ବିଷୟରେ ଭିତିରି ଆଗୁଆ ସୂଚନା ଦେଇ ନିଜ ଭାଇମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ। ଏହି ସମଗ୍ର ଘଟଣାଟି ପୁଲିସ- ଅପରାଧୀ ସମ୍ପର୍କର ଏକ ଭୟାନକ ଦିଗକୁ ଦେଖାଉଛି। ରାଜନୈତିକ ତଥା ସରକାରୀ ପୃଷ୍ଠପୋଷକତା ବିନା ଏହା କେବେ ସମ୍ଭବ ନୁହେଁ। ସେହି ଭଳି ହତ୍ୟାକାଣ୍ଡ ଭିଆଇବା ପରେ ବିକାଶ ଦୁବେ ସରକାରୀ ଅନୁମତି ପତ୍ର ଯୋଗାଡ଼ କରି କରୋନା କଟକଣା ସତ୍ତ୍ବେ ପଡ଼ୋଶୀ ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଦେଶର ଉଜ୍ଜୟିନୀକୁ ଖସି ପଳାଇବା ଏବଂ ସେଠାରେ ଆତ୍ମସମର୍ପଣ କରିବା ପଛରେ ସରକାରୀ ପ୍ରୋତ୍ସାହନ ଏବଂ ରାଜନୀତିକ ସହାୟତା ଥିବା ଜଳଜଳ ଦିଶୁଥିଲା। ଏକ ନାରକୀୟ ହତ୍ୟାକାଣ୍ଡର ପ୍ରମୁଖ ଅପରାଧୀର ଏସବୁ କାରବାର ଲୋକଲୋଚନକୁ ଆସିବା ପରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପ୍ରଚଣ୍ଡ ଚାପରେ ଥିଲେ। ତେଣୁ ବିକାଶ ଦୁବେ ଧରାପଡ଼ିବା ପରେ ତାଙ୍କୁ ଯେ ମିଥ୍ୟା ଏନକାଉଣ୍ଟର କରି ହତ୍ୟା କରାଯିବ, ଏ ସନ୍ଦେହ ମଧ୍ୟ ଦୃଢ଼ୀଭୂତ ହୋଇଥିଲା। ଶେଷରେ ଯାହା ଅନୁମାନ କରାଯାଉଥିଲା ତାହାହିଁ ହେଲା। ଏନକାଉଣ୍ଟର ନାଟକରେ ତାକୁ ପୁଲିସଗୁଳି କରି ହତ୍ୟା କରିଛି ଶୁକ୍ରବାର ସକାଳୁସକାଳୁ।
ଧରାପଡ଼ିଥିବା ଜଣେ ଦୁର୍ଦାନ୍ତ ଅପରାଧୀକୁ ଗୁଳି କରି ପୁଲିସ ମାରିବା ଏକ୍ଷେତ୍ରରେ ଏକାଧିକ ପ୍ରଶ୍ନ ଉଠାଇବା ସ୍ବାଭାବିକ। ବିକାଶର ରାଜନୈତିକ ସମ୍ପର୍କ, ସରକାରରେ ଥିବା ବ୍ୟକ୍ତିବିଶେଷ ଓ ନେତାଙ୍କ ସହ ଯୋଗସୂତ୍ର ଏବଂ ତାହାର ଆପରାଧିକ ଦୁନିଆରେ ବିଚରଣ କରୁଥିବା ଚରିତ୍ରମାନଙ୍କ ସମ୍ପର୍କରେ ତା’ପାଖରେ ଯଥେଷ୍ଟ ତଥ୍ୟ ପ୍ରମାଣ ଥିଲା। ସେ ପାଟି ଖୋଲିଥିଲେ ସରକାର ଟଳମଳ ହୋଇଥା’ନ୍ତା ଓ ମହା ବିଭ୍ରାଟ ଘଟିଥାନ୍ତା। ତେଣୁ ସବୁଠୁ ସୁରକ୍ଷିତ ଏବଂ ସହଜ ବାଟ ହେଲା, ‘ମୂଳୁ ମାଇଲେ ଯିବ ସରି’। ସବୁ ନାଟକୀୟ ପୁଲିସ ଏନକାଉଣ୍ଟର ପଛରେ ରାଜନୈତିକ/ ସରକାରୀ ସ୍ବୀକୃତି ଥାଏ। ସରକାରଙ୍କ ପ୍ରଚ୍ଛନ୍ନ ଅନୁମତି ବିନା ପୁଲିସ ଏହା କରିନଥାଏ। ଆମକୁ କାହିଁକି ଲାଗୁ ନାହିଁ; ଯେ ଉତ୍ତର ପ୍ରଦେଶ ପୁଲିସ ଆପଣାଛାଏଁ ପ୍ରତିଶୋଧ ପରାୟଣ ହୋଇ ବା ନିଜକୁ ବଞ୍ଚାଇବାକୁ ଯାଇ ଏ କାମଟି କରିଛି। ସରକାରଙ୍କୁ ବଞ୍ଚାଇବା ପାଇଁ ସରକାରୀ ଅନୁମୋଦନରେ ଏହି କାମଟି ହୋଇଥିବା ମନେ ହେଉଛି।
ଏ କେବଳ ଉତ୍ତରପ୍ରଦେଶର ସଂସ୍କୃତି ନୁହେଁ, ସାରାଦେଶରେ ରାଜନେତା-ପୁଲିସ ସମ୍ପର୍କର ସ୍ଥୂଳ ଚିତ୍ରରୁ ଗୋଟିଏ ଉଦାହରଣ। ଅପରାଧୀର ସୁରକ୍ଷା, ତା’ଠାରୁ ସତ ବାହାର କରିବାର ବାଟ ଏବଂ ତା’ସହ ସଂପୃକ୍ତ ଲୋକଙ୍କୁ ଲୋକଲୋଚନକୁ ଆଣି ଆଇନ ଅନୁସାରେ ଦଣ୍ଡବିଧାନ କରିବାକୁ ଆଇନ ନୁହେଁ। ଆମେ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଆଇନର ଶାସନ, ନୀତି ନିୟମକୁ ସବୁ କ୍ଷମତା ବଳରେ ଯଦି ମାଡ଼ି ମକଚି ଦେବା ଗଣତନ୍ତ୍ର ତିଷ୍ଠିବ ତ? ଏଭଳି ଘଟଣାକୁ ରୋକି ଆଇନକୁ ତା’ବାଟରେ ଯିବାକୁ ଦେବାକୁ ଅଦାଲତଙ୍କର କ’ଣ କିଛି ଭୂମିକା ନାହିଁ? ଉତ୍ତର ପ୍ରଦେଶରେ ରାଜନେତା-ଅପରାଧୀ ସମ୍ପର୍କ ଏକ ପୁରୁଣା ସଂସ୍କୃତି। ସରକାର ପରିବର୍ତ୍ତନରେ ଏହାର କୌଣସି ଫରକ ପଡ଼ୁନାହିଁ। ନିଜକୁ ଏକ ଭିନ୍ନ ସଂସ୍କୃତିର ଦଳଭାବେ ଡିଣ୍ଡିମ ପିଟୁଥିବା ବିଜେପି ମଧ୍ୟ ଏକା ଲାଉର ମଞ୍ଜି। ଜଣେ ସାଧୁ ବା ଯୋଗୀ ଶାସନଗାଦିରେ ବସିଗଲେ ସରକାରୀ ସଂସ୍କୃତି ଆପଣାଛାଏଁ ବଦଳେ ନାହିଁ। ଏଥିପାଇଁ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଓ ଉଦାହରଣ ସୃ​‌ଷ୍ଟି କରାଯିବା ଦରକାର।

Comments are closed.