ବାଜନୀତିରେ ବିଶ୍ବନିୟନ୍ତା

ଜଣଙ୍କର ପରିଚିତି ବା କିସମ ପ୍ରମାଣ ପାଇଁ ‘ଦାଏ ବା ଦାୟୀ’ ଗୋଟେ ଚରମ ଓ ମରମ ଅସ୍ତ୍ର ଭାବେ ପ୍ରୟୋଗ ହୋଇଆସୁଛି। ଗଜପତି ଲାଙ୍ଗୁଳା ନରସିଂହ କହିଲେ, ‘‘ରାଜ୍ୟର ବିଶିଷ୍ଟ କାରିଗରଙ୍କୁ ନେଇ ସୂର୍ୟ୍ୟମନ୍ଦିର କୋଣାର୍କ ନିର୍ମାଣ ହେଉଛି। ଜୀବଜଗତ ଓ ସୃଷ୍ଟିର ଆଧାର ଓ କାରଣ ସୂର୍ୟ୍ୟଦେବଙ୍କ ଏଇ ମନ୍ଦିର ତିଆରି ବାରବର୍ଷ ହେବ ଲାଗିଛି। ସବୁ ସରିବା ପରେ, ଦଧିନଉତି ପ୍ରତିଷ୍ଠା ହୋଇପାରୁନାହିଁ। ଏହା ଏ କାରିଗର ଜାତିର ଅଯୋଗ୍ୟତା କେବଳ ନୁହଁ; ଅସାଧୁତା, ଶିଳ୍ପୀ କୁଳରେ କଳଙ୍କ। ଯଦି ପନ୍ଦର ଦିନ ମଧ୍ୟରେ ଦଧିନଉତି ପ୍ରତିଷ୍ଠା ନ ହୁଏ ବାରଶହ ଅଯୋଗ୍ୟ ବଢ଼େଇଙ୍କ ମୁଣ୍ଡକାଟ ହେବ।’’ ଆରେ ବାପରେ, କି ଭୀଷଣ ଘୋଷଣା ! ପ୍ରଭୁର ଉପାସନା, ପ୍ରଭୁର ଆସ୍ଥାନ ପ୍ରତିଷ୍ଠାରେ ଦାଏ ନା ବାରଶ’ ବଢ଼େଇରେ ଦାଏର ପ୍ରଶ୍ନରେ ଗଜପତି ସୃଷ୍ଟିକର୍ତ୍ତା ପ୍ରଭୁ​ରେ ଦାଏ ବୋଲି ଜଣାଇ ଦେଲେ। ତାଙ୍କ ପ୍ରଜାପ୍ରାଣତା ଅପେକ୍ଷା ପ୍ରଭୁପ୍ରାଣତାର ପ୍ରମାଣ ଦେଲେ। କୋଉ ଭୋଅଟ ଥିଲା ଯେ ସେ ଲୋକଙ୍କୁ ଡରନ୍ତେ! ଭାଳେଣି ପଡ଼ିଲା ବଢ଼େଇ ଜାତି ମଧ୍ୟରେ। କାଲି ସକାଳୁ ରକ୍ତନଦୀ ବୋହିବ ଏ ନିରୀହ ବଢ଼େଇ, କାରିଗର ବିଶ୍ବକର୍ମା କୁଳର। ମୁଖ୍ୟ କାରିଗର ବିଶୁ ମହାରଣାଙ୍କ ପୁଅ ଧରମା କାଲିଠୁ ପହଞ୍ଚିଛି। ବାପ, ପୁଅଙ୍କର ପ୍ରଥମ ଦେଖା ସାକ୍ଷାତ। ଗୋପବନ୍ଧୁ ଲେଖିଲେ, ‘‘ବାର ବରଷର ବାଳୁତ ପୁଅ ସେ ବୁଦ୍ଧିମନ୍ତ ସୁକୁମାର, ଦେଖି ନାହିଁ କେବେ ଶୁଣିନାହିଁ କେବେ କିଏ ସେ ବାପା ତାହାର’’। ସ୍ତବ୍ଧ, କାତର ବିମର୍ଷ ମହାନ୍‌ ପିତା ବିଶୁ ମହାରଣାଙ୍କଠାରୁ ମନ୍ଦିର ଅସମ୍ପୂର୍ଣ୍ଣ ଓ ଗଜପତିଙ୍କ ମୁଣ୍ଡକାଟ ଘୋଷଣା ଶୁଣି, ବାଳୁତ ଧରମା ଟିକିଏ ଗମ୍ଭୀର ହୋଇଗଲା। ସେ ତ ଜାଣିଛି ମୁଣ୍ଡିମରା ଦଧିନଉତି ବସେଇ। ମନେ ପଡ଼ିଗଲା ମହାଭାରତର ଅଭିମନ୍ୟୁ କଥା ତା’ର। ତା’ରି ଭଳି ପିଲାଟେ ସେ, କୌରବଙ୍କ ‘ଚକ୍ରବ୍ୟୂହ’ ରଚନା ଓ ସେଥିରେ ପଶିବା ସୂତ୍ର ମା’ ଗର୍ଭରେ ଥାଇ ଶୁଣିଥିଲା। ହତାଶ ଓ ହତୋତ୍ସାହ ପାଣ୍ଡବ ଶିବିର ତା’ ପାଇଁ ଅସହ୍ୟ ହେଲା। ମେଞ୍ଚଡ଼ ଟୋକାଟା ସେଦିନ ତାଳିମାରି କହିଲା, ‘‘ଚିନ୍ତା କ’ଣ ମୁଁ ଯିବି। ଜନନୀ ଗର୍ଭରେ ଥିବାବେଳେ ପିତା ମୋର ‘ଚକ୍ରବ୍ୟୂହ’ ଭେଦ ସୂତ୍ର କହୁଥିଲେ।’’ ସମସ୍ତେ ସ୍ତବ୍ଧ ହୋଇଗଲେ। ମାତ୍ର ଚକ୍ରବ୍ୟୂହରୁ ମୁକୁଳିବା ସୂତ୍ର ଜନନୀ ସେତେବେଳେ ଘୁମାଇ ପଡ଼ିଥିବାରୁ ଶୁଣିପାରି ନ ଥିଲେ। ତା’ ପରେ ତ ସେ ସହିଦ ହୋଇଗଲେ। ତାଙ୍କ ପାଇଁ ତାଙ୍କ ଜୀବନ ଅପେକ୍ଷା ପାଣ୍ଡବ ଓ ଧର୍ମଯୁଦ୍ଧ ‘ଦାୟ’ ଥିଲା। ପୁଲକିତ ହୋଇଗଲା ଧରମା ପ୍ରାଣ, ଉତ୍ସାହିତ ହୋଇଗଲେ କାରିଗର କୁଳ। ବାରବର୍ଷ ପରେ ସାକ୍ଷାତ ହେଉଥିବା ଏ କୁଳଚନ୍ଦ୍ରମାକୁ ବିସର୍ଜନ କୋଉ ବାପ ଦେବ? ଏତେ ଦିନ ଧରି ବଢ଼େଇ କୁଳର, ବିଶ୍ବକର୍ମା ମର୍ୟ୍ୟାଦାର ମୁକୁଟ ଧରି, ଆଜି ପୁତ୍ର ସ୍ନେହରେ ଏଙ୍କୁ ତେଜିବା ‘‘କୋଉ ପୁରୁଷତା, କୋଉ ନେତୃତ୍ବ, ନେତାପଣିଆ? କୁହ ବିଶ୍ବକର୍ମା କୁହ, ବାରଶ’ ବଢ଼େଇରେ ଦାୟ ନା ପୁଅରେ ଦାୟ।’’ କୋଣାର୍କର ଅକର୍ମା ଶିଳାକୁ ଜୀବନ୍ତ କରିଦେଉଥିବା, ଜୀବନ, ପ୍ରେରଣା ଭରି ଦେଉଥିବା ଏ ରକ୍ତ ମାଂସର କାରିଗର ଆଜି ସତରେ ଅକର୍ମା ଶିଳା ବନିଗଲା। ହଲାଇ ଦେଲା ପୁଅ ତାକୁ ଥରେ। କହିଲା, ଗୋପବନ୍ଧୁଙ୍କ ଭାଷାରେ, ‘‘ତମର ମୋହର ଦେଖା ଦିନକର, କିମ୍ପା ଏତେ ମାୟାମୋହ? ତେଜ ମୋ ମମତା ଦେଖାଅ ବୀରତା କର ନାହିଁ ଜାତି ଦ୍ରୋହ। କହ ମନ ସୁଖେ, ‘ନାହିଁ ପୁଏ ଦାୟେ ବାରଶ’ ବଢ଼େଇ ଦାୟ’ ଜଗତେ ଏ କଥା ରହୁ କାଳେ କାଳେ ନେଉଛି ଏବେ ବିଦାୟ।’’ ୟେ ହେଲା ‘ଦାୟ’ର ଭାବ ଓ ପରିଚିତି।

ଭକ୍ତ ଭଗବାନର କଥା ବି ସେମିତି। କୋଟିକରେ ଗୋଟିଏ କୌଣସି ଭକ୍ତର ଅଲୌକିକ ଭାବ ଓ କ୍ରିୟା, ନଜିର, ପରମ୍ପରା ଭାବେ ସମାଜରେ ସାଇତା ରହେ, ପୂଜ୍ୟ ରହେ। ‘‘ପ୍ରବଣତା, ପୁରୁଣା’’ କହି ଏକୁ ତେଢ଼ିଦେଲେ, ଏଡ଼ିଦେଲେ ପରମ୍ପରା ସଂସ୍କୃତି ଭୁଶୁଡ଼ି ପଡ଼େ। ଯେଣୁ ପରମ୍ପରା ହିଁ ସଂସ୍କୃତିର ପରିଚିତି ଦିଏ, ନିଜ ଅସୁବିଧା, ନିଜ ଜୀବନ ଡରରୁ ପ୍ରଭୁଙ୍କୁ ଏଡ଼େଇବା ନଜିର କୋଉ ଭକ୍ତ ପକ୍ଷେ ଘଟିନି। ସେଗୁଡ଼ା ଅଭକ୍ତିଆ, ଗାଢ଼ ସଂସାରିଆ। ଏମିତି ହେଉଥିଲେ ଏକଲବ୍ୟ, ଭୀଷ୍ମ, କର୍ଣ୍ଣ, ରାଧାରାଣୀ, ବାଜିରାଉତ, ଲକ୍ଷ୍ମଣ ନାଏକ, ଜୟୀ ରାଜଗୁରୁ ସୃଷ୍ଟି ହୋଇ ନ ଥାନ୍ତେ। ଜୀବନ ତାଙ୍କ ଆଗେ କେଶ ପ୍ରାୟ ତୁଚ୍ଛ। ଦେଶ, ଜାତି ସଂସ୍କାର ସଂସ୍କୃତି ଯାହାକି ଭଗବତ ଲୀଳା ଭାବେ ପ୍ରତିଷ୍ଠିତ ସେଥିପାଇଁ ବାଜି ଲଗେଇ ଦିଅନ୍ତି, ସେଥିପାଇଁ ଦାୟ। କାହାନ୍ତି ସେମାନେ, କାଇଁ ସେ ଦିନ? ‘‘ଯଦୁପତେଃ କ୍ବା ଗତା ମଥୁରାପୁରୀ, ରଘୁପତେ କ୍ବ ଗତୋତ୍ତର କୋଶଳଃ, ଇତି ବିଚିନ୍ତ୍ୟ କରୁ ସ୍ବମନଃ ସ୍ଥିରଂ ନ ସଦିଦଂ ଜଗତିତ୍ୟବଧାରୟ।’’ ଏବେ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଏ ରାଜନୀତିଆଙ୍କ ଖେଳ ଚାଲିଛି। ପିଲା କଣ୍ଢେଇ ଖେଳ କରିବା ପରି ଏମାନେ ଜଗନ୍ନାଥଙ୍କୁ ଖେଳନା କଣ୍ଢେଇ ବନେଇ ଦେଲେଣି। ‘ହଲପି’ଗୁଡ଼ା ପ୍ରଭୁ ନାଁରେ ଯାବତ୍‌ ମିଛକୁ ପାର କଲାପରି ‘ଜଗନ୍ନାଥ’ଙ୍କ ପ୍ରତି ଏ ଜନତାର, ସଂସ୍କୃତିର ଥିବା ଆବେଗକୁ ଏମାନେ ପାଣ୍ଠି କରୁଛନ୍ତି। ‘ରଥଯାତ୍ରା’ କଥା ଦେଖୁନା। ଚାରିମାସ ହେବ ତ ଦର୍ଶନ ବନ୍ଦ। ଯାତ୍ରା ସବୁ ମନ୍ଦିର ଭିତରେ କରୁଛନ୍ତି। କିନ୍ତୁ କାହିଁକି? କାହାକୁ ନେଇ? ପିଲାଙ୍କ କଣ୍ଢେଇ ଖେଳ। ଥୋଡ଼େଙ୍କ ରୋଜଗାର ମୂଳ ଓ ସୂତ୍ର ୟେ ବନିଛି। ‘ରଥଯାତ୍ରା’ ହେଲେ ଲୋକ ଗହଳି ହେବ, ଲକ୍ଷଲକ୍ଷ ଲୋକଙ୍କ ଗହଳି ଓ ଠେଲା ପେଲାରେ କରୋନା ମାଡ଼ି ବସିବ ସଭିଙ୍କୁ। ରଥ ଭିଡ଼ା ସଇଲା ବେଳକୁ ମଡ଼ାମୟ ହୋଇଯିବ ରାଜ୍ୟ।’’ ଏକୁ ପକ୍କା ସମାଜସେବୀ ସହନ୍ତେ କେତେକେ? ସିଧା ସର୍ବୋଚ୍ଚ ନ୍ୟାୟାଧୀଶଙ୍କ ପାଖୁ ଧାଇଁଲେ। ‘ରଥଯାତ୍ରା’ ବନ୍ଦ ହେଉ। ମହାମାନ୍ୟ ଧର୍ମାବତାରମାନେ ସିନା ଆମ ଭଳି ରକ୍ତ ମାଂସର ଦିହ ଧରିଛନ୍ତି, ମାତ୍ର ସେମାନେ ତ ଧର୍ମର ଅବତାର ବୋଲି ଏ ଦେଶବାସୀଙ୍କ ବିଚାର। କାଳ ସୁଅରେ ଏ ଭାବ କେତେ ବଦଳିଛି ତା’ ଭିନ୍ନ ଏକ ପ୍ରସଙ୍ଗ। ଏଠି ବିଚାର ଏବେ ତଳ ଅଦାଲତରୁ ଉପର ଯାଏ ବାରମାସୀ ଚଢ଼େଇ ପରି ବାର ରଙ୍ଗର ହେଉଛି। କୋଉ ଅଦାଲତରେ ନିର୍ଦୋଷ ତ କୋଉଠି ଦୋଷୀ। କୋଉଠି ଫାଶୀ ତ କୋଉଠି ମୁକ୍ତି। ୟେ ପୁଣି ଯୁଗ ଯୁଗ ଲାଗିଯାଉଛି। ଏବେ ରଥଯାତ୍ରା ହେବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶ ଦେଲେ। ବହୁତ ଲୋକଗହଳି ହେବ, କରୋନା ଆଶଙ୍କା ଫଳିଯିବ ଏଇ ଭୟ ବି ଧର୍ମାବତାରମାନେ ପ୍ରକଟ କଲେ। ଏପରି କି ଜଣେ ମାନ୍ୟବର ବିଚାରପତି କହିଲେ, ‘‘ଏ ଯାତ୍ରା ପାଇଁ ଅନୁମତି ଦିଆଗଲେ, ଜଗନ୍ନାଥ ଆମକୁ କ୍ଷମା ଦେବେନି’’। ୟେ ଏକ ଯୁଗାନ୍ତକାରୀ ବୟାନ। ମାନ୍ୟବର ଧର୍ମାବତାରମାନେ ଜଗନ୍ନାଥଙ୍କୁ ତାଙ୍କ ମନ୍ଦିରକୁ ଦର୍ଶନ କରିଛନ୍ତି କି ନାହିଁ ଜଣା ନାହିଁ, ତେବେ ‘‘ଜଗା ଭାବ’’ ଶୁଷ୍କ ଓ କଠୋର ଆଇନକୁ ପାଣିଆ କରିଦେଲା, ତା’ ତାଙ୍କର ଏ ଭାବରୁ ଜଣାଯାଏ। କୌଣସି ଆଇନଗତ ବୟାନରେ ଜଗନ୍ନାଥ, ଯିଶୁ କି ମହମ୍ମଦଙ୍କ ଭୟ ଓ କ୍ଷମା କଥା ମନରେ ଥିଲେ ବି ଉଚ୍ଚାରିତ ହୁଏନି। ମାତ୍ର ଏଠି ତା’ ଉଚ୍ଚାରିତ ହୋଇଯାଇଛି। ବାପରେ, କି କଠୋର ସତ୍ୟ! ଭାବ ରାଜ୍ୟରେ ମାନ୍ୟବର ବିଚାରପତି ଯେ ଜଗାଙ୍କ ସହ ଏକ ଅନ୍ତରଙ୍ଗ ଫେଣ୍ଟାଫେଣ୍ଟି ଭାବରେ ତଲ୍ଲୀନ ତା’ ଅନୁମିତ ହୁଏ। ତେବେ ଏ ରଥଯାତ୍ରା ପ୍ରସ୍ତୁତି ତ ମାସାଧିକ କାଳ ଲାଗିଲାଣି। ସାବିତ୍ରୀ ଯମଙ୍କଠୁ ଗୋଟିକ ପରେ ଗୋଟିଏ ବର ଆଦାୟ ପରି ସ୍ନାନ ଯାତ୍ରା, ଅଣସର ଘର ବିଜେ, ରଥ ନିର୍ମାଣ ଚାଲିଛି। ରଥଯାତ୍ରା ନ ହେବ ତ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଏ ରଥ ନିର୍ମାଣ ପ୍ରହସନ କାହିଁକି? ଅଣପୁରୁଷା ପୁଅକୁ ବିଭା ଦେଇ ବାସର ରାତି ପାଇଁ ବୋହୂକୁ ଆକଟ କୋଉ ବୋପାପଣିଆ? ଏବେ କିଛିଦିନ ତଳେ ଏକ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଏହା ରାଜ୍ୟ ସରକାରଙ୍କ ବ୍ୟାପାର କହି ତା’ର ଶୁଣାଣି ପ୍ରତ୍ୟାଖ୍ୟାନ କରିିଦେଲେ। ‘ରଥଯାତ୍ରା’ କ’ଣ ଭାରତ ସରକାରଙ୍କ ବ୍ୟାପାର? ଯଦି ଥିଲା, ରଥ ନିର୍ମାଣଠୁ ଏକୁ ରୋକା ଗଲାନି କିଆଁ? ଏଥିପାଇଁ ନିରୀହ ଭକ୍ତଙ୍କ ଅର୍ଥର ବିନର୍ବ୍ୟୟ ପାଇଁ ଦାୟୀ କିଏ? ରଥର ଏ ଅପୂଜା-ପରିଣତି ପାଇଁ ଜଗନ୍ନାଥ କ’ଣ ମାନ୍ୟବର ବିଚାରପତିଙ୍କୁ କ୍ଷମା ଦେବେ? ସେ ଅବଶ୍ୟ ଜାଣିଥିବେ। ନିଜ ପକ୍ଷରୁ ସେ ମାମଲା କରି ଏହାର ଉଚିତ ବିଧାନ କରୁ ନାହାନ୍ତି କାହିଁକି? ଆଉ ଶ୍ରୀଶଙ୍କରାଚାର୍ୟ୍ୟ ଓ ଗଜପତିଙ୍କ ବୟାନରେ ବାରୁଦ କାଇଁ? ଗଜପତି ତ ବିଚରା ଜଗାଙ୍କ ପରି କଣ୍ଢେଇ ବନିଯାଇଛନ୍ତି। କେତେବେଳେ ହଁ ତ କେତେବେଳେ ନାଇଁ। ସେ ‘‘ଦେଖାଯାଉ କୋଉ ପାଣି କୁଆଡ଼େ ଯାଉଛି’’ ମହତ-ଜଗାଙ୍କ ଦଳର। ଜଗତଗୁରୁ ଏ ନିର୍ଦେଶର ପୁନର୍ବିଚାର ହେବ ବୋଲି କହିଛନ୍ତି। ଏ ବିଚାର ଠିକ୍‌ ନୁହେଁ ତା’ ରୋକ୍‌ଠୋକ୍‌ ବି କିଆଁ କହନ୍ତେ? ‘‘ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ’’ ମନ୍ତ୍ର ଏବେ ତମାଦି। ଲୋକେ ଯେତେବେଳେ ମରିବାକୁ ଚାହୁଁନାହାନ୍ତି, ଯେନ ତେନ ପ୍ରକାରେଣ ବଞ୍ଚିବାକୁ ଚାହୁଁଛନ୍ତି, ସେତେବେଳେ ପୁନର୍ଜନ୍ମ କଥା ଉଠୁଛି କିଆଁ ଯେ ରଥରେ ଜଗା ଦର୍ଶନ ଲୋଡ଼ା ପଡ଼ିବ।

ଅଦାଲତଙ୍କ ଏ ରାୟ ଠିକ୍‌ ନୁହଁ କି ଭୁଲ ନୁହଁ। ତାଙ୍କ ଉପରେ ଯଦି ଆଉ ଏକ ଅଦାଲତ ଥାନ୍ତା ସେ ଜଗନ୍ନାଥଙ୍କ ସ୍ବପ୍ନାଦେଶ କଥା କହି ଆଉ କି ରାଏ ଦେଇଥାନ୍ତେ, କିଏ କହିବ? ଆଗେ ‘କାଳିଶି’ ଉଭା ହେଉଥିଲେ। ପ୍ରଭୁ ସ୍ବୟଂ ମଣିଷ ଦେହରେ ଆବିଷ୍ଟ ହୋଇଯାଉଥିଲେ ବୋଲି ବିଶ୍ବାସ ଥିଲା। ଗାଁ ପଞ୍ଚୁଆତି ଓ ଭଲଲୋକୀଙ୍କ ରାଏକୁ ୟେ ଓଲଟାଇ ଦେଉଥିଲା। ‘ପ୍ରଭୁ’ ବିଶ୍ବାସରେ ଲୋକେ ଏକୁ ମାନୁଥିଲେ। ଏବେ ‘ଜଗନ୍ନାଥ’ କ୍ଷମା ଦେବେନି ବୋଲି ପ୍ରକଟିତ ଭାବ ପୂର୍ବର ସେଇ ପ୍ରଭୁମୟ କାଳିଶି ଭାବର ପ୍ରତିଫଳନ ଓ ପ୍ରତିଧ୍ବନି ହେଉଛି। ଏକୁ ବିଶ୍ବାସ କରିବାକୁ ହେବ। ଧର୍ମ ପାହାଚର ସର୍ବୋଚ୍ଚ ଏ ପାହାଚକୁ, ମୁରବି ପରି ମାନିବାକୁ ହେବ। ତେବେ ରଥଯାତ୍ରା ନା ରାଜ୍ୟ ସରକାରଙ୍କ ଏ ଭାଣ୍ଡାମି, ସୁପ୍ରିମକୋର୍ଟରେ ସୁଆଲ ବେଳେ ନିରବତାରୁ ଯେଉଁ ଖେଳ ଖେଳିଲେ ତା’ ଏ ଜନତା ବୁଝିପାରୁଛନ୍ତି। ଏବେ ତାଙ୍କୁ ସୁବିଧା ମିଳିଲା, ଯାତ୍ରା ହେଲେ ଭଲ, ନ ହେଲେ ଭଲ। ଦଳେ ପଣସ ଖାଇସାରି ଭଣ୍ଡାରି ମୁଣ୍ଡରେ ଅଠା ବୋଳିବା ପରି ରାଜ୍ୟ ସରକାରଙ୍କ ଜଗା-ବିଶ୍ବାସକୁ ନେଇ ଖେଳ ଜନତା ପ୍ରତି ପ୍ରବଞ୍ଚନା, ଏ ଭାଣ୍ଡାମି ଭାବ ଲୋକେ ବୁଝିଛନ୍ତି। ୟେ ରାଜନୀତି ନୁହଁ, ବାଜନୀତି। ରଥଯାତ୍ରା ହେବା ନ ହେବା, ଗୁରୁତ୍ବପୂର୍ଣ୍ଣ ନୁହଁ, ସେଥିପାଇଁ ଏ ଦୀର୍ଘ ଲୁଚକାଳି ଖେଳ, ରାଜନୀତି ଆଦୌ ନୁହଁ, ବାଜନୀତି।

ତେବେ ଜଗନ୍ନାଥ କାହାକୁ କୋଉଥିପାଇଁ କ୍ଷମା ଦେବେ, ନ ଦେବେ ସେ ସମ୍ପୃକ୍ତ ସମସ୍ତଙ୍କ ଭାବର କଥା। ଫଳ କିନ୍ତୁ ତା’ ବାଟରେ ଫଳିବ ହିଁ ଫଳିବ।

Comments are closed.