କରୋନା ବିପଦ ଟଳିନାହିଁ ; ମହାମାରୀ ପ୍ରତି ଅଧିକ ସତର୍କ ରହିବାକୁ ପଡ଼ିବ

‘‘ତୁମେ ମୋତେ ଭଲ ପାଅ କି ନ ପାଅ, ମୁଁ ତୁମ ସହିତ ଅଛି।’’ ସତେ ଯେପରି କରୋନା ମହାମାରୀ ଏକଥା କହି ଆମକୁ ତାଚ୍ଛଲ୍ୟ କରୁଛି ଏବଂ ତା’ର ପ୍ରତ୍ୟାବର୍ତ୍ତନର ସଂକେତ ଦେଉନାହିଁ। ବୈଶ୍ବିକ ମହାମାରୀ କରୋନା ଏବେ ଭାରତରେ ତାହାର ସଂକ୍ରମଣର ଭୟଙ୍କର ରୂପ ଦେଖାଇଛି। ଦେଶର ଜୋରଦାର୍‌ ଲଢ଼େଇ ସତ୍ତ୍ବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁହାର ବଢ଼ୁଛି ଏବଂ ଆକ୍ରାନ୍ତ ମଧ୍ୟ ଆରୋଗ୍ୟ ଲାଭ କରୁଛନ୍ତି। ଏହାସତ୍ତ୍ବେ ଏଇ ପ୍ରୟାସରେ ମାଙ୍କଡ଼ର ତୈଳାକ୍ତ ଖମ୍ବ ଆରୋହଣ ଭଳି ଫଳାଫଳ ଦେଖାଯାଉଛି। ଯେତିକି ଉପରକୁ ଉଠୁଛି ତା’ର ଦୁଇଗୁଣ ତଳକୁ ଖସିବାକୁ ପରିସ୍ଥିତି ବାଧ୍ୟ କରୁଛି। ତେଣୁ କରୋନା ବିରୋଧୀ ଲଢ଼େଇରେ ଭାରତ କେବେ ବିଜୟୀ ହେବ, ସେ ସମ୍ଭାବନାଟି ସୁଦୂରପରାହତ ମନେ ହେଉଛି। ଗତ ମାର୍ଚ୍ଚ ମାସରୁ ଏଯାଏ ତାଲାପକା ଓ ତାଲାଖୋଲା ପ୍ରକ୍ରିୟା ମଧ୍ୟରେ ଶାସନ, ପ୍ରଶାସନ, ଚିକିତ୍ସକ, ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଜନତା ସମସ୍ତେ କର୍ମକ୍ଳାନ୍ତ। କରୋନା କିନ୍ତୁ ଥକି ନାହିଁ କି ଅଟକି ନାହିଁ। ଜୁନ୍‌କୁ ସବୁଠୁ ଅଧିକ ସଂକ୍ରମଣର ମାସଭାବେ ବିଚାର କରାଯାଉଥିବାବେଳେ କରୋନା ଯୋଦ୍ଧା ଚିକିତ୍ସକ, ଚିକିତ୍ସାକର୍ମୀ ଓ ଅନ୍ୟମାନେ ଏବେ ଏହି ବ୍ୟାଧିରେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇ ଏକ ନୂଆ ଅସୁବିଧା ଦେଖାଦେଇଛି।
ଓଡ଼ିଶା ସମେତ ସମଗ୍ର ଦେଶରେ କ୍ରମାଗତ ଭାବେ ଅଷ୍ଟମ ଦିନ ପାଇଁ କରୋନା ସଂକ୍ରମଣ ହାର ବଢ଼ୁଛି। ସଂକ୍ରମିତଙ୍କ ସଂଖ୍ୟା ଗତ ବୁଧବାର ସୁଦ୍ଧା ଦେଶରେ ୨ଲକ୍ଷ ୬୦ହଜାର ଟପିଛି। ପ୍ରତିଦିନ ହାରାହାରି ୧୦ହଜାର ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି ଏବଂ ଏହା ଭିତରେ ଦୀର୍ଘ ୭୫ ଦିନର ଲକ୍‌ଡାଉନ ପରେ ଦେବାଳୟ, ମଲ୍‌, ଦପ୍ତର ଓ ସ୍ବାଭାବିକ ଭାବେ ଅଧିକ ଜନସମାଗମ ହେଉଥିବା ସ୍ଥାନକୁ ଆବଶ୍ୟକ ସର୍ତ୍ତ ଭିତ୍ତିରେ ଉନ୍ମୁକ୍ତ କରାଯାଇଛି। ଗାଡ଼ିମଟର ଚଳାଚଳ ଓ ସାର୍ବଜନିକ ପରିବହନ ବ୍ୟବସ୍ଥା ମଧ୍ୟ ସମାନ ସର୍ତ୍ତରେ ଆରମ୍ଭ ହୋଇଛି। ଅବଶ୍ୟ ଓଡ଼ିଶାରେ ଧାର୍ମିକ ସ୍ଥଳ ଉପରେ କଟକଣା ବଳବତ୍ତର ରହିଛି। ଏହା ସତ୍ତ୍ବେ କରୋନା ମହାମାରୀ ଘେନି ଲୋକଙ୍କ ମଧ୍ୟରେ ଯେଉଁ ସତର୍କତା ଓ ସଚେତନତା ରହିବା କଥା ତାହା ରହୁନାହିଁ। ଲୋକେ ବିରକ୍ତରେ ହେଉ ଅଥବା ସ୍ବଭାବ ​‌େ​‌ହତୁ ସମସ୍ତ କଟକଣା ଓ ବିଷୟକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି। ଭାରତ ଭଳି ଜନବହୁଳ ଓ ସାମାଜିକ ଦୃଷ୍ଟିରୁ ସମାବେଶୀ ଜନତା ଏକାଠି ଚଳପ୍ରଚଳ କରିବାରେ ଅଭ୍ୟସ୍ତ। ସେମାନଙ୍କ ପାଇଁ ଭିଡ଼ ବା ଜନଗହଳି କେବେ ସମସ୍ୟା ସୃଷ୍ଟି କଲାଭଳି ମନେହୁଏନା। ପରିତାପର ବିଷୟ ହେଉଛି କରୋନା ମହାମାରୀ ଭଳି ଏକ ବିପଜ୍ଜନକ କାଳରେ ସେମାନେ ସାମାଜିକ ଓ ଶାରୀରିକ ବ୍ୟବଧାନ ରକ୍ଷା କରିବାକୁ ବିଶେଷ ତତ୍ପରତା ପ୍ରକାଶ କରୁନାହାନ୍ତି।
ଓଡ଼ିଶାରେ ସଂକ୍ରମଣ ବଢ଼ୁଛି ଏବଂ ବୁଧବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଥିବାବେଳେ ୨୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୋଧହୁଏ ଉତ୍ତମ ଆରୋଗ୍ୟହାର ଓ କମ୍‌ ମୃତ୍ୟୁ ଯୋଗୁଁ ଲୋକେ କରୋନାକୁ ବେଶି ଗୁରୁତ୍ବ ଦେଉନାହାନ୍ତି। ଏବେ ଓଡ଼ିଶାରେ ଯେଉଁସବୁ ନୂଆରୋଗୀ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂଗରୋଧ ବା କ୍ବା​‌େ​‌ରଣ୍ଟାଇନରେ ଥିବା ଲୋକ। ଏହା ସତ୍ତ୍ବେ ବାହାରର କେତେକ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି ଯାହା ଚିନ୍ତାର କାରଣ ହୋଇପାରେ। ବର୍ଷାକାଳ ଆଗତ ପ୍ରାୟ। ଏବେ ଥଣ୍ଡା, ସର୍ଦି, କାଶ ଓ ଜ୍ବରର ଋତୁ ଆରମ୍ଭ ହେବ। ଏହା କରୋନା ସଂକ୍ରମଣ ସ୍ଥିତିକୁ ଅଧିକ ବିଗାଡ଼ି ପାରେ। ଏବେ ପୁଣି ଚିକିତ୍ସକ, ଚିକିତ୍ସାବ୍ୟବସ୍ଥା ଓ ପ୍ରଶାସନ କ୍ଲାନ୍ତଶ୍ରାନ୍ତ। ରାଜକୋଷ ପ୍ରବଳ ଚାପର ସମ୍ମୁଖୀନ। ତେଣୁ କରୋନା ଲଢ଼େଇକୁ ଆଗେଇ ନେବାପାଇଁ ଉତ୍ସାହରେ ହ୍ରାସ ପରିଲକ୍ଷିତ ହେବା ସ୍ବାଭାବିକ। କରୋନା ଠିକ୍‌ ଏହି ସମୟର ଅପେକ୍ଷାରେ ଅଛି। ଲଢ଼େଇରେ ଶିଥିଳତା, ଉତ୍ସାହହାନି ଓ ବ୍ୟାଧି ପ୍ରତି ଭୟ ହ୍ରାସ ସଂକ୍ରମଣ ବ୍ୟାପିବାକୁ ସୁଯୋଗ ଦେବ ଏବଂ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ପ୍ରାୟ ନିଶ୍ଚିତ। ଗୋଷ୍ଠୀ ସଂକ୍ରମଣ ଫଳରେ ସାମୂହିକ ପ୍ରତିରୋଧ ଶକ୍ତି ବଢ଼ିବ ଓ କରୋନା ହାରିବ ବୋଲି ଯେଉଁ ଧାରଣା ଏବେ ବଳବତ୍ତର ହୋଇଛି ତାହା ସହଜଲବ୍ଧ ନୁହେଁ। ଏହି ଗୋଷ୍ଠୀ ପ୍ରତିରୋଧ ଶକ୍ତି ବଢ଼ିବାବେଳକୁ ଉଭୟ ଭାରତ ଓ ଓଡ଼ିଶାରେ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା କଳ୍ପନାତୀତ ଭାବେ ବଢ଼ିବ। ସେତେବେଳେ ଯାଇ ଆମେ ମହାମାରୀର ଅସଲ ପରିଚୟ ପାଇବା। ଏବେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ନିରାପତ୍ତାକୁ ଅଗ୍ରପ୍ରାଧାନ୍ୟ ଦେବା ପ୍ରଥମ କର୍ତ୍ତବ୍ୟ। କେବଳ ସରକାର ନୁହନ୍ତି, ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ।
ଇତିମଧ୍ୟରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦ ଜିଲାରେ କରୋନା ସଂକ୍ରମଣ ହାର ଅଧିକ ଥିବାର ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସେଥିରେ ମହାରାଷ୍ଟ୍ର ଓ ତାମିଲନାଡ଼ୁର ସାତଟି ଲେଖାଏଁ ଜିଲା ଥିବାବେଳେ ଆସାମର ଛ’ଟି ଏବଂ ଓଡ଼ିଶା, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପାଞ୍ଚଟି ଲେଖାଏଁ ଜିଲା ରହିଛି। ଏହିସବୁ ଜିଲାଗୁଡ଼ିକ ହେଲା ଗଞ୍ଜାମ, ଯାଜପୁର, ଖୋରଧା, ବାଲେଶ୍ବର ଓ ଭଦ୍ରକ। କେନ୍ଦ୍ରସରକାରଙ୍କ ନିର୍ଦେଶକ୍ରମେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଏସବୁ ଜିଲା ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବାସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବେ। ତେବେ ସଂକ୍ରମଣର ହ୍ରାସ ବୃଦ୍ଧି ସ୍ବାବ୍‌ ପରୀକ୍ଷାର ସଂଖ୍ୟା ଉପରେ ନିର୍ଭର କରୁଛି ଏବଂ ଆଉ ୧୫ ଦିନପରେ ହୁଏତ ଅଧିକ ସଂକ୍ରମଣପ୍ରବଣ ଜିଲାର ତାଲିକା ବଦଳି ଯାଇପାରେ। ତେଣୁ ଏବେ ସବୁଠୁ ବଡ଼ କଥା ହେଉଛି ରାଜ୍ୟ ସରକାରମାନେ ସମ୍ମୁଖୀନ ହେଉଥିବା ବାସ୍ତବସ୍ଥିତି ଓ ଆହ୍ବାନକୁ କେନ୍ଦ୍ରୀୟ ଟିମ୍‌ ଭଲଭାବେ ଅନୁୁଧ୍ୟାନ କରି ସମାଧାନର ବାଟ ବାହାର କରିବା। ଏବେ କୋଭିଡ୍‌ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ସମୂହ ଦକ୍ଷତା, ଭିତ୍ତିଭୂମି ଓ ସାମର୍ଥ୍ୟ ହାନିର ସମ୍ମୁଖୀନ। ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଆଗାମୀ ମାସେ ଦୁଇମାସ କିପରି ଏହାର ସଫଳ ମୁକାବିଲା କରାଯାଇ ପାରିବ କେନ୍ଦ୍ରୀୟ ଟିମ୍‌ ସେଥିପାଇଁ ଯତ୍ନବାନ ହେବା ଜରୁରୀ।

Comments are closed.