ବିବେକ ଓ ଆଇନ ; ଶ୍ରମ ନିୟମ ସଂଶୋଧନ ବନ୍ଦ ହେଉ

ରୋନା ମହାମାରୀ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରମିକ ଶ୍ରେଣୀ। ବିଶେଷକରି ଉଦ୍ୟୋଗ ଜଗତ ସହିତ ସମ୍ପୃକ୍ତ ଶ୍ରମିକ, କର୍ମଚାରୀଙ୍କ ସ୍ଥିତି ଅତି ଗୁରୁତର ହୋଇଛି। ଶ୍ରମ ଓ ଶ୍ରମିକ ବିନା ଉତ୍ପାଦନ କଥା ଚିନ୍ତା କରାଯାଇ ନ’ପାରେ। ଯେଉଁସବୁ ଉଦ୍ୟୋଗ ନିଯୁକ୍ତି ଓ ରୋଜଗାର ଯୋଗାଉଥିଲା ତାହା ମହାମାରୀଜନିତ ଲକ୍‌ଡାଉନ୍‌ ଚାପରେ ବନ୍ଦ ହେବା ପରେ ଶ୍ରମିକ କର୍ମଚାରୀଙ୍କ ଅବସ୍ଥା କହିଲେ ନ’ସରେ। ଭାରତୀୟ ଶିଳ୍ପ ବଣିଜ ଉଦ୍ୟୋଗ ଶ୍ରମବହୁଳ। କରୋନା ଯୋଗୁଁ ଏହା ଅଧିକ ପ୍ରଭାବିତ ହୋଇଛି ଶ୍ରମିକ/କର୍ମଚାରୀଙ୍କ ସ୍ବଗୃହ ପଳାୟନ କାରଣରୁ।

କରୋନା ମହାମାରୀ ଭଳି ଏକ ବିଚିତ୍ର ପରିସ୍ଥିତିରେ ଭାରତ ସରକାର ଲୋକଙ୍କ ଜୀବନରକ୍ଷା ପାଇଁ ଦୁଇମାସରୁ ଅଧିକ କାଳ ଲକ୍‌ଡାଉନ୍‌ ଜାରି କରିବା ପରେ ଏବେ ଏହାକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଏହି ନିଷ୍ପତ୍ତି ଏଇଥିପାଇଁ ଯେ କରୋନା ବିରୋଧୀ ଲଢ଼େଇରେ ମଣିଷର ବିଜୟ ଆଶା କମ୍‌ ଏବଂ ଜୀବିକା ତଥା ଅର୍ଥନୀତିର ବାଧ୍ୟବାଧକତା ଅଧିକ। ସେଥିପାଇଁ କରୋନା ସହ ବଂଚିବା ଏବଂ ଜୀବିକା ଓ ଅର୍ଥନୀତିକୁ ବଂଚାଇବାର ପ୍ରୟାସ ଆରମ୍ଭ ହୋଇଛି। ଏହାଫଳରେ ଉଦ୍ୟୋଗଜଗତରେ ଯେଉଁ ଆଶାର କିରଣ ସୃଷ୍ଟି ହୋଇଛି ସେଥିରେ ବିବାଦୀୟ ରୂପ ନେଇଛି ନୂଆ ଶ୍ରମ ଆଇନ ଓ ନିଯୁକ୍ତି ବ୍ୟବସ୍ଥା।
ଭାରତରେ ଶ୍ରମ ବ୍ୟାପାରଟି ଯୁଗ୍ମ ତାଲିକାର ବିଷୟବସ୍ତୁ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିଥାନ୍ତି। ରାଜ୍ୟମାନେ ନିଜର ସୁବିଧା ଓ ଆବଶ୍ୟକତା ଅନୁସାରେ ଆଇନ କଲେ ମଧ୍ୟ ତାହା କେନ୍ଦ୍ରୀୟ ଅନୁମୋଦନ ବିନା କାର୍ଯ୍ୟକାରୀ ହୁଏ ନାହିଁ। ଭାରତୀୟ ଶ୍ରମ ଆଇନ ମଧ୍ୟ ଆନ୍ତର୍ଜାତିକ ଶ୍ରମ ସଂଗଠନ ଓ ଶ୍ରମ ନୀତିନିୟମ ସହିତ ସହବନ୍ଧିତ। ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏପରି କୌଣସି ନୂଆ ଶ୍ରମ ଆଇନ ପ୍ରବର୍ତ୍ତନ କରିପାରିବେ ନାହିଁ ଯାହା ଆନ୍ତର୍ଜାତିକ ଶ୍ରମନୀତି ଓ ନିର୍ଦେଶାବଳୀର ବିରୋଧାଚରଣ କରୁଥିବ।
ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ଏହି ମହାମାରୀ ଓ ଲକ୍‌ଡାଉନ୍‌ର ସୁଯୋଗ ନେଇ ଶ୍ରମ ଆଇନରେ କେତେକ ପରିବର୍ତ୍ତନ କରିଛନ୍ତି। ଏସବୁ ରାଜ୍ୟ ସରକାରଙ୍କର ଯୁକ୍ତି ହେଲା ଯେ ପରିବର୍ତ୍ତିତ ଆଇନ ଶ୍ରମ ଓ ଉଦ୍ୟୋଗଜଗତ ପାଇଁ ଲାଭଦାୟକ ହେବ ଏବଂ ଏହାଦ୍ବାରା ଶ୍ରମିକ/କର୍ମଚାରୀ ଉପକୃତ ହେବା ସହ ଅର୍ଥନୀତିର ଅବସ୍ଥା ଶୀଘ୍ର ବଦଳିବ। ଶ୍ରମ ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ। ଏହା ସହିତ ପୁଞ୍ଜି, ଲାଭ, ଉତ୍ପାଦନ, ଶ୍ରମିକ ଓ ମାଲିକ ଆଦି ସମ୍ପୃକ୍ତ ଥିବାରୁ ଶୋଷଣର ଆଶଙ୍କା ଅଧିକ। ସେଥିପାଇଁ ଶ୍ରମିକ/କର୍ମଚାରୀଙ୍କ ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ ଆଇନଗତ ବ୍ୟବସ୍ଥା ସହିତ କିଛି ସାମ୍ବିଧାନିକ ବିଧିବିଧାନ ମଧ୍ୟ ରହିଛି।
ଏବେ ଭାରତୀୟ ଶ୍ରମ ବଜାରରେ ଶ୍ରମିକ/କର୍ମଚାରୀଙ୍କ ଅଭାବ ଅଧିକ ଅନୁଭୂତ ହେଉଛି। କ୍ଲାନ୍ତଶ୍ରାନ୍ତ ଶ୍ରମିକ/କର୍ମଚାରୀ ଏବେ ରୋଗ ଭୟରେ ନିଜନିଜର ନିରାପଦ ସ୍ଥାନରେ ବିଶ୍ରାମ ନେଉଛନ୍ତି। ମହାମାରୀ ନ’ହଟିବା ଯାଏ ସେମାନେ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଅମଙ୍ଗ। ତେଣୁ ଶ୍ରମ ଆଇନ ସଂଶୋଧନ ସହ ଅଧିକ ଓଭରଟାଇମ୍‌ର ଲୋଭ ଦେଖାଇ ଉଦ୍ୟୋଗସମୂହରେ ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦେବାକୁ ବିଭିନ୍ନ ରାଜ୍ୟ ସରକାର ଚେଷ୍ଟିତ। ଶ୍ରମିକ/କର୍ମଚାରୀ ସର୍ବନିମ୍ନ ବୃତ୍ତିଗତ ନିରାପତ୍ତା ଓ ନିଯୁକ୍ତିଗତ ସୁରକ୍ଷା ଲୋଡ଼ନ୍ତି। ଏହା ପାଇବାକୁ ସେମାନେ ମଧ୍ୟ ହକ୍‌ଦାର। ଆହୁରି ମଧ୍ୟ ଏକ ଗୁରୁତର ସଂକଟକାଳରେ ପରିସ୍ଥିତିରୁ ଫାଇଦା ଉଠାଇ ଶ୍ରମିକଙ୍କୁ ଅଧିକ ସମୟ ଖଟାଇବା ଏବଂ ମନଇଚ୍ଛା ନିଯୁକ୍ତି ଓ ଛଟେଇ କରିବା ଆଇନ ବିରୋଧ। କେନ୍ଦ୍ର ସରକାର ମଧ୍ୟ ଏହି ସଂକଟକାଳରେ ଶ୍ରମ ଆଇନର ପରିବର୍ତ୍ତନକୁ ଦୃଢ଼ ବିରୋଧ କରୁଛନ୍ତି। ଏହା ସତ୍ତ୍ବେ କେତେକ ବିଜେପି ଶାସିତ ରାଜ୍ୟ ସମେତ ବିଭିନ୍ନ ରାଜ୍ୟ ସରକାର ଶ୍ରମ ଆଇନର ସଂଶୋଧନ କରି ଏହାକୁ ଅଧିକ କୋହଳ ଏବଂ ମାଲିକସର୍ବସ୍ବ କରିଦେଇଛନ୍ତି।
ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟ ଭାରତରେ ଚାଲିଥିବା ଏହି ନୂଆ ଶ୍ରମ ଆଇନକୁ ନା’ପସନ୍ଦ କରି ଏହାକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନର ସଦସ୍ୟ ହୋଇଥିବାରୁ ଏହି ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ। ଏହା ସତ୍ତ୍ବେ ଯାହା ଦେଖାଯାଉଛି ଭାରତ ସରକାର ଉଦ୍ୟୋଗଜଗତର ଚାପ ଅଥବା ଶ୍ରମିକଙ୍କୁ ତୁରନ୍ତ ନିଯୁକ୍ତି ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ଏ କ୍ଷେତ୍ରରେ ବିଶେଷ ତତ୍ପରତା ପ୍ରକାଶ କରୁନାହାନ୍ତି। ରାଜ୍ୟମାନଙ୍କ ଉପରକୁ ଦାୟିତ୍ବ ଖସାଇ ଦୋଷଛଡ଼ା ହେବାକୁ ଉଦ୍ୟମ କରୁଥିବା ମନେହେଉଛି। ଭାରତର ମୋଟ ଜନସଂଖ୍ୟାର ଏକ-ପଞ୍ଚମାଂଶ ଉଦ୍ୟୋଗ ଓ ଅନ୍ୟାନ୍ୟ ଅଣ-କୃଷିଭିତ୍ତିକ କ୍ଷେତ୍ର​‌ରେ ନିଯୁକ୍ତ। ସେମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ର ସରକାରଙ୍କ ଦାୟିତ୍ବ ଅଧିକ। ରାଜ୍ୟ ସରକାରମାନଙ୍କ କାନ୍ଧକୁ ଏଇ ଦାୟିତ୍ବ ଖସାଇ ଦେଇ ବସିଗଲେ ଚଳିବ ନାହିଁ। ଯେଉଁସବୁ ରାଜ୍ୟରେ ଶ୍ରମ ଆଇନ ସଂଶୋଧିତ ହୋଇଛି ତାହାକୁ ନିଲମ୍ବିତ କରିବା ସହ ଏକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସମ୍ପୃକ୍ତ ସରକାର ଓ ଉଦ୍ୟୋଗଜଗତ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ। ତା’ନହେଲେ ଦେଶରେ ଶ୍ରମିକ ଶୋଷଣ ଓ ନିର୍ଯାତନା ବଢ଼ିବ ଏବଂ ଏହା ଉଦ୍ୟୋଗଜଗତ ପାଇଁ ଭବିଷ୍ୟତରେ ଅଧିକ ଅସୁବିଧା ସୃଷ୍ଟି କରିବ। ଏବେ ଏକ ଗୁରୁତର ସଂକଟଜନକ ସମୟ ଚାଲିଛି। ଏହି ସମୟରେ ବିବେକର ଆଲୋକ ପ୍ରଳିତ ନ’ହେଲେ ଶ୍ରମିକ ସମୁଦାୟଙ୍କର ନାହିଁ ନଥିବା କ୍ଷତି ଘଟିବ। ସାଧୁ ସାବଧାନ।

Comments
Loading...