ଭାରତୀୟ ଗଣତନ୍ତ୍ର ଓ ପ୍ରବାସୀ ଶ୍ରମିକ

 

ସଞ୍ଜୀବ ଚନ୍ଦ୍ର ହୋତା

କରୋନା ମହାମାରୀରୁ ସୁରକ୍ଷା ପାଇଁ ସମଗ୍ର ଭାରତ ଯେତେବେଳେ ଲକଡାଉନରେ ଥିଲା ସେତେବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷାଧିକ ଶ୍ରମିକ ନିଜ ପରିବାର ସହ ଅସୁରକ୍ଷିତ ଅବସ୍ଥାରେ ଅନିଶ୍ଚିତ ଭବିଷ୍ୟତ ନେଇ ନିଜ ଗାଁକୁ ଫେରିଯିବା ପାଇଁ ବ୍ୟାକୁଳ ହେଉଥିଲେ। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରୁ ସେମାନେ କାମଧନ୍ଦା ହରାଇ ଏକପ୍ରକାର ସର୍ବହରା ହୋଇସାରିଥିଲେ। ଏହି ଶ୍ରମିକମାନେ ସାଧାରଣତଃ ଶ୍ରମ ଆଇନର ସୁରକ୍ଷା ବଳୟରୁ ବାଦ୍ ପଡ଼ିଥିବାରୁ ସରକାରୀ ସୁବିଧା ଓ ସହାୟତା ଏମାନଙ୍କ ପାଇଁ ଅପହଞ୍ଚ। ସେମାନେ ଅତି ଦୟନୀୟ ଅବସ୍ଥାରେ ବସ୍ତିରେ ଗୋଟିଏ କୋଠରିରେ ପରିବାର ସହିତ ରହନ୍ତି। ଏପରି ଅବସ୍ଥାରେ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାର ପ୍ରଶ୍ନ ଉଠୁଛି କେଉଁଠୁ? ତେଣୁ ନିଜ ଗାଁକୁ ଫେରିଯିବା ପାଇଁ ସେମାନେ ଅଥୟ ହେବା ସ୍ୱାଭାବିକ।
ଦେଶଗଠନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଏହି ଅର୍ଦ୍ଧ-କୁଶଳୀ ଓ ଅଣ-କୁଶଳୀ ଶ୍ରମିକମାନେ ଅସୁରକ୍ଷିତ କାହିଁକି? ଏମାନଙ୍କ ସୁରକ୍ଷା ପାଇଁ ଦେଶରେ ଆଇନ ବ୍ୟବସ୍ଥା ନାହିଁ?- ଏଭଳି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କୁ ଆନ୍ଦୋଳିତ କରୁଛି। ବାସ୍ତବତା ହେଉଛି ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ଆଇନ ଥିଲେ ମଧ୍ୟ ସଠିକ୍ ରୂପେ କାର୍ଯ୍ୟକାରୀ ହେଉନଥିବାରୁ ସେମାନଙ୍କ ଦୁରବସ୍ଥା ବଢ଼ିଚାଲିଛି। ୧୯୭୯ ମସିହାରେ ଭାରତରେ ଇଣ୍ଟରଷ୍ଟେଟ୍‌ ମାଇଗ୍ରେସନ୍‌ ଆକ୍ଟ(ଆନ୍ତଃରାଜ୍ୟ ଦେଶାନ୍ତରୀ ଆଇନ୍) ପ୍ରଣୟନ ହେଲା । ଆଇନ୍‌ ଅନୁସାରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଉଥିବା ଶ୍ରମିକ (ସଂକ୍ଷେପରେ ପ୍ରବାସୀ ଶ୍ରମିକ)ର ସଂଜ୍ଞା ହେଲା, ‘ଯେକୌଣସି ଲାଇସେନ୍‌ସପ୍ରାପ୍ତ ଠିକାଦାର ଦ୍ୱାରା ଚୁକ୍ତିବଦ୍ଧ ହେବା, ଅନ୍ୟ ପ୍ରକାର ବୁଝାମଣାରେ ଆଉ ଗୋଟିଏ ରାଜ୍ୟକୁ କର୍ମନିଯୁକ୍ତି ପାଇଁ ଯାଉଥିବା ଶ୍ରମିକ’। ଶ୍ରମ ସଂକ୍ରାନ୍ତ ବିଷୟଗୁଡ଼ିକ ସମ୍ବିଧାନରେ କନ୍‌କରେଣ୍ଟ ଲିଷ୍ଟରେ କ୍ରମିକ ସଂଖ୍ୟା ୨୧,୨୨,୨୩,୨୪ରେ ଉଲ୍ଲେଖ ଅଛି। ଅର୍ଥାତ୍‌ ଶ୍ରମ ସଂକ୍ରାନ୍ତ ବିଷୟରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ, କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆଇନ କେବଳ କେନ୍ଦ୍ର ସରକାର ୟୁନିଅନ ଲିଷ୍ଟରେ କ୍ରମାଙ୍କ ୮୧ ଅନୁସାରେ କରିବେ। ୧୯୭୯ ମସିହାରେ ହୋଇଥିବା ଆଇନ୍‌ର ପରବର୍ତ୍ତୀ ସମୟରେ ସଂଶୋଧନ ହୋଇଥିଲା, କିନ୍ତୁ ପ୍ରବାସୀ ଶ୍ରମିକଙ୍କର ସଂଜ୍ଞା ବଦଳି ନାହିଁ।
ଲାଇସେନ୍‌ସ ପ୍ରାପ୍ତ ଠିକାଦାରମାନଙ୍କ ଜରିଆରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କରୁ କେବଳ ଦାଦନ ଶ୍ରମିକମାନେ ଯାଇଥାନ୍ତି। ସେମାନେ ଚୁକ୍ତି ଅନୁସାରେ ମଜୁରି ପାଆନ୍ତି ନାହିଁ। କାରଣ ଠିକାଦାରଠାରୁ ପାଇଥିବା ଅଗ୍ରିମ ବାବଦରେ ସେମାନଙ୍କର ମଜୁରି ପାଉଣା କେତେ କଟୁଛି, ସେ କଥା ସେମାନଙ୍କୁ ଜଣା ନଥାଏ। ଠିକାଦାର ସେମାନଙ୍କୁ ଯେଉଁ ହିସାବ ଦିଏ, ତାହା ସେମାନଙ୍କ ପାଇଁ ଦୁର୍ବୋଧ୍ୟ।
ଏଠାରେ କିନ୍ତୁ ଯେଉଁ ପ୍ରବାସୀ ଶ୍ରମିକମାନଙ୍କ କଥା କୁହାଯାଇଛି, ସେମାନେ ଅଣ-ପଞ୍ଜିକୃତ। ଶ୍ରମ ଆଇନ୍‌ ଅନୁସାରେ ସେମାନେ ମଜୁରି ପାଆନ୍ତି ନାହିଁ କି ଶ୍ରମିକ କଲ୍ୟାଣ ଯୋଜନାର ସୁବିଧା ସେମାନଙ୍କୁ ମିଳେ ନାହିଁ। ଠିକାଦାର ଦ୍ୱାରା ପଞ୍ଜିକୃତ ହୋଇଯାଇଥିଲେ ଯେ ସେମାନଙ୍କର ଅବସ୍ଥାରେ ଉନ୍ନତି ହୋଇଥାନ୍ତା, ତା ବି ନୁହେଁ। ପୂର୍ବରୁ ତ କୁହାଯାଇଛି ଯେ ପଞ୍ଜିକୃତ ହୋଇଯାଇଥିବା ଦାଦନ ଶ୍ରମିକମାନଙ୍କର ଅବସ୍ଥା କିପରି। ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କର ସଂଖ୍ୟା, ସେଠାରେ ସେମାନଙ୍କୁ ଆଇନ ଅନୁଯାୟୀ ପାରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଛି କି ନାହିଁ ସେ ବିଷୟରେ ମୂଳ ରାଜ୍ୟ କିମ୍ବା ପ୍ରବାସୀ ରାଜ୍ୟ ପ୍ରଶାସନ ଆଗ୍ରହ ଦେଖାନ୍ତି ନାହିଁ। ଏମାନଙ୍କ ମଧ୍ୟରୁ ଅନେକ ପ୍ରବାସରେ ହିଁ ରହିଯାଆନ୍ତି।
ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ପରେ କାମଧନ୍ଦା ଓ ରୋଜଗାର ହରାଇଥିବା ଏହି ପ୍ରବାସୀ ଶ୍ରମିକମାନଙ୍କୁ ଘର ଛାଡ଼ି ଯିବା ପାଇଁ ନିଯୁକ୍ତିଦାତା ବା ମାଲିକମାନେ ବାଧ୍ୟ କଲେ। ଭଡ଼ା ଘରେ ରହୁଥିବା ଶ୍ରମିକମାନେ ଭଡ଼ା ଦେଇ ନପାରିବାରୁ ଘର ଛାଡ଼ିବାକୁ ପଡ଼ିଲା। ପ୍ରବାସୀ ରାଜ୍ୟମାନଙ୍କରେ ମହାମାରୀ ସଂକ୍ରମଣ ଭୟଙ୍କର ହେବା ପରେ ଆୟ ଓ ବାସହରା ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିରେ ହୁଏତ ସାମାଜିକ ସୁରକ୍ଷା ମିଳିଯିବ ବୋଲି ଭାବି ହଜାରମାଇଲ୍‌ ଦୂରରେ ଥିବା ନିଜ ଗାଆଁ ଆଡ଼େ ମୁହାଁଇଲେ। ଯେଉଁମାନଙ୍କ ପାଖରେ ବସ ବା ଟ୍ରେନରେ ଯିବାପାଇଁ ସାଧନ ନଥିଲା, ସେମାନେ ସାଇକଲ କିମ୍ବା ପାଦରେ ହଜାରହଜାର କିଲୋମିଟର ଅତିକ୍ରମ କଲେ। ଏହି ଦୃଶ୍ୟ ଭାରତ ବିଭାଜନ ସମୟରେ ଶରଣାର୍ଥୀଙ୍କ ସମସ୍ୟା ଓ ଯନ୍ତ୍ରଣା ଉଜ୍ଜିବୀତ କଲା।
ବିଡ଼ମ୍ବନା ହେଲା ପ୍ରତ୍ୟେକ ରାଜ୍ୟରେ ଶ୍ରମ କଲ୍ୟାଣ ବିଭାଗ ଓ କେନ୍ଦ୍ରରେ ଶ୍ରମ ମନ୍ତ୍ରଣାଳୟ ଅଛି, ଅଥଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ପ୍ରବାସୀ ଶ୍ରମିକଙ୍କ ସବିଶେଷ ତଥ୍ୟ ନାହିଁ। କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବା କଥା, କିନ୍ତୁ ତାହା ହୋଇନାହିଁ। କାରଣ ଏ ଶ୍ରେଣୀର ଶ୍ରମିକମାନେ ଟ୍ରେଡ ୟୁନିୟନ ଶ୍ରମିକମାନଙ୍କ ପରି ସଂଗଠିତ ନୁହନ୍ତି। ସେମାନଙ୍କର ନେତୃତ୍ୱ ପାଇଁ କୌଣସି ଶ୍ରମିକ ନେତା ଆଗ୍ରହ ଦେଖାନ୍ତି ନାହିଁ। ଏମାନଙ୍କ ଭିତରୁ ଅନେକ ଭୋଟ ଦେବା ପାଇଁ ନିଜ ରାଜ୍ୟକୁ ଆସିପାରନ୍ତି ନାହିଁ। ଯେଉଁମାନେ ସ୍ୱରବିହୀନ, ସମ୍ପଦବିହୀନ ଓ ଅର୍ଥନୈତିକ ସୁରକ୍ଷାବିହୀନ, ସେମାନଙ୍କଠାରୁ ରାଷ୍ଟ୍ର ଓ ପ୍ରଶାସନର ଦୂରତା ବଢ଼ିଯାଏ।
ଭାରତ ସରକାରଙ୍କର ୨୦୧୭ ମସିହା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରବାସୀ ଶ୍ରମିକମାନେ ଦେଶର ଶ୍ରମ ଶକ୍ତିର କୋଡ଼ିଏ ଶତାଂଶ ଓ ସେମାନଙ୍କ ସଂଖ୍ୟା ଦଶକୋଟି ବୋଲି ଦର୍ଶାଯାଇଛି। ‘ଜନ ସାହସ’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ନିକଟରେ ପ୍ରବାସୀ ଶ୍ରମିକଙ୍କ ଉପରେ କରୋନାଜନିତ ଲକ୍‌ଡାଉନ୍‌ର ପ୍ରଭାବ ସମ୍ପର୍କରେ ଏକ ସର୍ଭେ କରିଥିଲା। ଏହି ସଂସ୍ଥା ୩୧୯୬ଜଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ ପ୍ରବାସୀ ଶ୍ରମିକଙ୍କୁ ସାକ୍ଷାତ କରି ଜାଣିବାକୁ ପାଇଲା ଯେ ପ୍ରାୟ ୬୨ ଶତାଂଶ ସରକାରଙ୍କର ଜରୁରୀକାଳୀନ କଲ୍ୟାଣ ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ। ଏ ଶ୍ରମିକମାନଙ୍କ ପାଇଁ କୌଣସି ପ୍ରୋଭିଡେଣ୍ଟ ଫଣ୍ଡ୍‌ ଅଥବା କୌଣସି ଶ୍ରମିକ କଲ୍ୟାଣ ପାଣ୍ଠିର ବ୍ୟବସ୍ଥା ନଥାଏ।
କ୍ରମାଗତ ରାଷ୍ଟ୍ରୀୟ ଉଦାସୀନତାର ଫଳ ଆଜି ଦେଶବାସୀ ଅନୁଭବ କରୁଛନ୍ତି। ବିଭିନ୍ନ ଅର୍ଥନୈତିକ ଆକଳନରୁ ଜଣାଯାଏ ଯେ ସଂଗଠିତ କ୍ଷେତ୍ରରେ ଉତ୍ପାଦନ ଶିଳ୍ପରେ ପୁଞ୍ଜିପତିମାନଙ୍କର ଲାଭାଂଶ ନିଟ୍‌ ଲାଭଯୁକ୍ତ ଉତ୍ପାଦିତ ଦ୍ରବ୍ୟର ୨୦ ଶତାଂଶରୁ ପ୍ରାୟ ୬୦ ଶତାଂଶକୁ ବୃଦ୍ଧି ପାଇଛି ଗତ ଦୁଇ ଦଶନ୍ଧି ଭିତରେ। ସେଇ ଅନୁପାତରେ ଶ୍ରମିକମାନଙ୍କର ଭାଗ କମିବାରେ ଲାଗିଛି। ଠିକା ନିଯୁକ୍ତି ମାଧ୍ୟମରେ ଠିକା ଶ୍ରମିକମାନଙ୍କର ସଂଖ୍ୟା ଶିଳ୍ପ କାରଖାନାମାନଙ୍କରେ (ଉଭୟ ସଂଗଠିତ ଓ ଅସଂଗଠିତ) ବଢ଼ିବାରେ ଲାଗିଛି। ଏହା ସ୍ୱତଃସିଦ୍ଧ ଯେ ଜଣେ ଶ୍ରମିକ ନିଜର ଉତ୍ପାଦିକା ଅଂଶ ତୁଳନାରେ କମ୍‌ ମଜୁରି ପାଏ। ଉତ୍ପାଦନରେ ଶ୍ରମ ଉତ୍ପାଦିକା ମୂଲ୍ୟ ତୁଳନାରେ ଜଣେ ଶ୍ରମିକ ପାଉଥିବା ମଜୁରି ଉପରେ ଯେଉଁ ବଳକା ମୂଲ୍ୟ ଥାଏ, ତାହା ପୁଞ୍ଜିପତି ଭାଗକୁ ଯାଏ। ଏକଥା ଆଜିକୁ ଦେଢ଼ଶହ ବର୍ଷ ତଳେ କାର୍ଲମାର୍କ୍ସ ତାଙ୍କର ‘ଦାସ୍‌ କ୍ୟାପିଟାଲ’ ଗ୍ରନ୍ଥରେ ଲେଖିଥିଲେ। ସେଇ ସିଦ୍ଧାନ୍ତ ଯେ ସତ୍ୟ ଏହା ସବୁ ସମୟରେ ପ୍ରମାଣିତ ହୋଇଛି।
ଏଇ ପରିପ୍ରେକ୍ଷୀରେ କେନ୍ଦ୍ର ଓ କେତେକ ରାଜ୍ୟର ସରକାର ଶ୍ରମଆଇନକୁ କୋହଳ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ପୁଞ୍ଜିପତି ଓ କାରଖାନା ମାଲିକମାନଙ୍କୁ ନିଶ୍ଚୟ ସୁହାଇବ, କିନ୍ତୁ ଶ୍ରମିକମାନଙ୍କର ସ୍ୱାର୍ଥ ବିରୋଧରେ ଯିବ। ସମୟ ଆସିଛି କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସରକାରମାନେ ଏଇ ପ୍ରବାସୀ ଶ୍ରମିକମାନଙ୍କର ସବିଶେଷ ତଥ୍ୟ ସଂଗ୍ରହ କରିବାର ପ୍ରୟାସ ଯଥାଶୀଘ୍ର ଆରମ୍ଭ କରନ୍ତୁ। ଶ୍ରମ ଆଇନକୁ କୋହଳ ନ କରି ଯେପରି ଆଇନ ପରିସର ଭିତରେ ଏଇ ଶ୍ରମିକମାନଙ୍କ ପ୍ରତି ନିଯୁକ୍ତି ଦାତାମାନଙ୍କର ଉତ୍ତରଦାୟିତ୍ୱ ରହିବ, ସେମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଓ ଆପଦକାଳୀନ ପାଣ୍ଠି ରହିବ, ତାହାର ବ୍ୟବସ୍ଥା ପାଇଁ ଶ୍ରମ ଆଇନ୍‌ର ସଂଶୋଧନ କରନ୍ତୁ। ପଞ୍ଜୀକରଣ ନ କରାଇ ଅନ୍ୟ ରାଜ୍ୟରେ ମଜୁରିବା ଏକ ଅପରାଧ ନୁହେଁ। ଏହା ଏକ ଅନିବାର୍ଯ୍ୟ ଆବଶ୍ୟକତା। ସାଧାରଣ ଅବସ୍ଥା ଫେରିଆସିଲେ ଏଇ ଶ୍ରମିକମାନେ ପୁଣି କର୍ମସଂସ୍ଥା ପାଇଁ ଅନ୍ୟ ରାଜ୍ୟକୁ ଯିବେ, ଏଥିରେ ସନ୍ଦେହ ନାହିଁ। ଭାରତୀୟ ଅର୍ଥନୀତି (ଉଭୟ କୃଷି ଓ ଶିଳ୍ପ) ଏମାନଙ୍କର ଶ୍ରମଦାନରେ ଅଭିବୃଦ୍ଧି ହେଉଛି। ତେଣୁ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଦେବା ରାଷ୍ଟ୍ରର କର୍ତ୍ତବ୍ୟ। ତା’ ନହେଲେ ଭାରତୀୟ ଗଣତନ୍ତ୍ରରେ ସ୍ୱାଧୀନତାର ୭୩ବର୍ଷ ପରେ ବି ନବନିର୍ମିତ ରାଷ୍ଟ୍ରରେ ଭୋକ ଓ ଶୋଷରେ ଅସୁରକ୍ଷିତ ଭାବେ ଏଇ ଶ୍ରମିକମାନେ ରାଜରାସ୍ତାରେ ଚାଲୁଥିବେ। କରୋନା ମହାମାରୀ ଦ୍ୱାରା ଉତ୍ପୀଡ଼ିତ ପ୍ରବାସୀ ଶ୍ରମିକମାନଙ୍କ ଉତ୍ତରଦାୟିତ୍ୱ ମୁଣ୍ଡାଇବା ପାଇଁ ଅବିଳମ୍ବେ ନୀତି ନିର୍ଦ୍ଧାରକମାନେ ଆଗଭର ହୁଅନ୍ତୁ। କେବଳ ଛାନିଆ ହୋଇ (ଯାହାକୁ ଇଂରେଜୀରେ ନିଜର୍କ ରିଆକ୍‌ସନ୍‌ କୁହାଯାଏ) ସାମୟିକ ପଦକ୍ଷେପ ନେଇ ନିଜର ଦାୟିତ୍ୱ ସରିଗଲା ବୋଲି ନ ଭାବନ୍ତୁ। ପାଞ୍ଚ ଟ୍ରିଲିଅନ୍‌ ଡଲାରର ଅର୍ଥନୀତିର ଚିତ୍ର ରଖିଲାବେଳେ ଏଇ ଶ୍ରେଣୀରେ ଅବହେଳିତ ଶ୍ରମିକମାନଙ୍କ କଥା ବିଚାରକୁ ନେବା ରାଷ୍ଟ୍ରନାୟକମାନଙ୍କର ସାମ୍ବିଧାନିକ କର୍ତ୍ତବ୍ୟ।

Comments
Loading...