ପ୍ରକୃତି,ବିକୃତି ଓ ସ୍ବୀକୃତି

0

ଶ୍ୟାମସୁନ୍ଦର ଅଗ୍ରୱାଲା

ଜୁଲାଇ ୨୬ରେ ହରିୟାଣା ପ୍ରଦେଶର ମେୱାଡ ଜିଲାରେ ଏକ ଗର୍ଭବତୀ ଛେଳିକୁ ଧର୍ଷଣ କରି ଆଠଜଣ ବ୍ୟକ୍ତି ଫେରାର ଥିବା ଖବର ପ୍ରକାଶ ପାଇଥିଲା। ଅସହ୍ୟ ଯନ୍ତ୍ରଣାରୁ ଛେଳିଟିର ମୃତ୍ୟୁ ଘଟିଛି। ଭାରତୀୟ ପିଙ୍ଗଳକୋଡ୍‌ ଧାରା ୩୭୭ର ଅନୁଯାୟୀ ଏହା ଏକ ଅପ୍ରାକୃତିକ ଯୌନକ୍ରିୟା ଓ ଦଶବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଏକ ଦଣ୍ଡନୀୟ ଅପରାଧ। ଏହି ଧାରା କହୁଛି ଯେ ଇଚ୍ଛାକୃତ ଭାବରେ କୌଣସି ପୁରୁଷ, ନାରୀ କିମ୍ବା ପଶୁମାନଙ୍କ ସହିତ ଅପ୍ରାକୃତିକ ଯୌନକ୍ରିୟା ଏକ ସାଂଘାତିକ ଅପରାଧ, ତେଣୁ ଦଣ୍ଡନୀୟ। ଛେଳିମାନେ ତ ଏହି ଧାରା ସପକ୍ଷରେ ସୁପ୍ରିମକୋର୍ଟ ଯାଇପାରିବେ ନାହିଁ, କିନ୍ତୁ କିଛି ପୁରୁଷ ଓ ନାରୀ ଏହି ଧାରା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହାର ଉଚ୍ଛେଦ ସପକ୍ଷ ଓ ବିପକ୍ଷରେ ଶୁଣାଣି ସରିଛି ଓ ରାୟ ସ୍ଥଗିତ ରହିଛି। ସୁପ୍ରିମକୋର୍ଟର ମାନ୍ୟବର ବିଚାରପତିମାନଙ୍କ ଶୁଣାଣି ସମୟର କଥୋପକଥନରୁ ପ୍ରାୟ ସମସ୍ତଙ୍କ ମତାମତ ଏହି ଧାରା ଉଚ୍ଛେଦ ସପକ୍ଷରେ ଗଲାଭଳି ମନେ ହେଉଛି। ଏହି ବେଞ୍ଚରେ ଥିବା ଏକମାତ୍ର ମହିଳା ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ମତରେ ବିକୃତି ହେଉଛି ପ୍ରକୃତିର ଏକ ଅଙ୍ଗ। ଯେଉଁଠି ପ୍ରକୃତି ଅଛି ସେଠି ବିକୃତି ମଧ୍ୟ ରହିଛି। ଅପ୍ରାକୃତିକ ଯୌନକ୍ରିୟା ଏକ ଭିନ୍ନଧରଣର ଯୌନକ୍ରିୟା ହୋଇପାରେ, କିନ୍ତୁ ଏହା ଅସମୀଚୀନ ନୁହେଁ।
ମାନ୍ୟବର ବିଚାରପତିଙ୍କ ଏହି ମତାମତ ସତ୍ୟ ଓ ସ୍ବୀକାର୍ଯ୍ୟ। ଏଥିରେ ଦ୍ବିମତ ନାହିଁ ଯେ ପ୍ରକୃତି ଭିତରେ ହିଁ ବିକୃତି ରହିଛି, କିନ୍ତୁ ପ୍ରଶ୍ନ ଏଠି ଏହାର ସ୍ଥିତି ଉପରେ ଉଠୁନାହିଁ। ପ୍ରଶ୍ନ ଉଠୁଛି ଏହି ସ୍ଥିତିକୁ ଗ୍ରହଣ କରିନେଇ ଏହାକୁ ନ୍ୟାୟିକ ସ୍ବୀକୃତି ଦେଇଦେବା ଉଚିତ କି? ଯେଉଁଠି ସତ୍ୟ ଅଛି, ସେଠି ଅସତ୍ୟ ଅଛି। ଯେଉଁଠି ନ୍ୟାୟ ଅଛି, ସେଠି ଅନ୍ୟାୟ ଅଛି। ଯେଉଁଠି ଅହଂିସା ଅଛି, ସେଠି ହିଂସା ମଧ୍ୟ ରହିଛି। ଏହି କଥାଗୁଡ଼ିକୁ ଗ୍ରହଣ କରିନେବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ଏହାକୁ ଗ୍ରହଣ କରିନେବା ଓ ହିଂସା, ଅନ୍ୟାୟ ଓ ଅସତ୍ୟ ଆଦିକୁ ନ୍ୟାୟିକ ସ୍ବୀକୃତି ଦେଇଦେବା ଭିତରେ ଆକାଶପାତାଳ ପ୍ରଭେଦ ରହିଛି।
ଏହା ସତ ଯେ ଯୁଗ ବଦଳୁଛି। ସମାଜରେ ଜୀବନର ଧାରା ମଧ୍ୟ ବଦଳୁଛି। ବଦଳୁ, ବଦଳିବା ଉଚିତ ମଧ୍ୟ, କିନ୍ତୁ ଏହି ଔଚିତ୍ୟର ଏକ ସୀମାରେଖା ମଧ୍ୟ ଅଛି। ପ୍ରତ୍ୟେକ ବ୍ୟକ୍ତିର ଅଖଣ୍ଡ ସ୍ବାଧୀନତା ଅଛି, କିନ୍ତୁ ଏହା ଅସୀମ ନୁହେଁ। ଯଦି ଏହାକୁ ଅସୀମ କରିଦିଆଯାଏ ତେବେ କଥାଟା ଯାଇ କେଉଁଠି ନା କେଉଁଠି ପହଞ୍ଚିଯିବ ତାହା ଚିନ୍ତା କରିହେବନି ଏବଂ ଚିନ୍ତା କଲାବେଳକୁ ନେଡ଼ିଗୁଡ଼ ଯାଇ କହୁଣିଠି ପହଞ୍ଚି ସାରିବଣି। ହୁଏତ ଏହି ଯୌନ ସ୍ବାଧୀନତାର ଦ୍ବାହି ଦେଇ ସ୍ବାମୀ ସ୍ତ୍ରୀ ଅଦଳବଦଳ, ସମୂହ ଯୌନକ୍ରିୟା ଓ ଶେଷକୁ ପଶୁପକ୍ଷୀମାନଙ୍କ ସହିତ ଯୌନ ସମ୍ପର୍କ ପର୍ଯ୍ୟନ୍ତ କଥାଗୁଡ଼ିକ ପହଞ୍ଚିଯିବ। ପ୍ରଶ୍ନ ଉଠେ ଏ ସବୁକୁ ନ୍ୟାୟିକ ସ୍ବୀକୃତି ଦେଇଦେବା ଉଚିତ ହେବ କି?
ମନେ ପକାନ୍ତୁ ଧାରା କେମିତି ବଦଳିବଦଳି ଯାଉଛି। ଧାରା ସହିତ ଆମେମାନେ ମଧ୍ୟ ବଦଳି ଯାଉଛେ, କିନ୍ତୁ ଏହି ବଦଳିବା ଆଜି ପର୍ଯ୍ୟନ୍ତ ଏକ ସୀମାରେଖା ମଧ୍ୟରେ ରହିଛି। ଆଜିକୁ ତିରିଶ ବର୍ଷ ତଳେ ବାପା ପୁଅକୁ କହୁଛି ‘ଦେଖ ପୁଅ, ତୁ ଯାହା କରୁଛୁ କର, କିନ୍ତୁ ଆମ ଜାତିର ଝିଅଟେକୁ ବାହାହେବୁ। ନହେଲେ ଆମ ଜାତିର ଇଜ୍ଜତ ମାଟିରେ ମିଶିଯିବ।’ ୟା’ର ଦଶବର୍ଷ ପରେ ସେହି ବାପାଟି ତା’ ପୁଅକୁ କହୁଛି ‘ପୁଅରେ, ଜାତି ନ ହେଲା ନାହିଁ, ତୁ ଆମ ଧର୍ମର ଝିଅଟେକୁ ବାହା ହେବୁ; ନ ହେଲେ ଆମ ଧର୍ମ ବୁଡ଼ିଯିବ।’ ଯୁଗ ବଦଳୁଛି। ପୁଣି ଦଶବର୍ଷ ପରେ ବାପା କହୁଛି ‘ ପୁଅରେ, ଧର୍ମ ନ ହେଲା ନାହିଁ, ତୁ ଆମ ଦେଶର ଝିଅଟେକୁ ବାହାହେବୁ, ନ ହେଲେ ଆମ ସଂସ୍କୃତି ନଷ୍ଟ ହୋଇଯିବ।’ ଏବେ ଦିଲ୍ଲୀ ହାଇକୋର୍ଟର ରାୟ ସୁପ୍ରିମକୋର୍ଟରେ ତର୍ଜମା ଚାଲିଥିବାବେଳେ ବାପାଟିଏ ତା’ର ପୁଅକୁ କହୁଛି ‘ପୁଅରେ, ମୋର ଜାତି ଦରକାର ନାହିଁ, ଧର୍ମ ଦରକାର ନାହିଁ, ମୋ ଦେଶ ପଛେ ଚୁଲିକି ଯାଉ, ମୋର ଗୋଟେ କଥା ମାନିବୁ, ମୋ’ ରାଣ ପକେଇ କୁହ ଯେ ତୁ ଗୋଟେ ଝିଅକୁ ବାହା ହେବୁ।’
ବନ୍ଧୁଗଣ! ଉପରୋକ୍ତ ବାପାଙ୍କର ପ୍ରଥମ ତିନିଟି ଡର ଉପରେ ଭ୍ରୂକ୍ଷେପ କରିବାର ବି​‌େ​‌ଶଷ ଆବଶ୍ୟକତା ନାହିଁ। ଜାତି, ଧର୍ମ ଓ ସଂସ୍କୃତି ହେଉଛି ମନୁଷ୍ୟକୃତ। ପ୍ରତ୍ୟେକ ଯୁଗରେ ମନୁଷ୍ୟ ହିଁ ଏହାକୁୁ ସୃଷ୍ଟି କରିଥାଏ ଓ ଯୁଗ ବଦଳିବା ସହିତ ମନୁଷ୍ୟ ହିଁ ଏହାକୁ ଧ୍ବଂସ କରିଥାଏ। ତେଣୁ ଏହାର ପରିବର୍ତ୍ତନ ବା ଧ୍ବଂସ ପାଇଁ ଅନୁଶୋଚନା ଅନାବଶ୍ୟକ। ବାପାଙ୍କର କିନ୍ତୁ ଯେଉଁ ଶେଷ ଡରଟି ତାହା ହେଉଛି ବିକୃତି ଯାହା ଆମର ଅସ୍ତିତ୍ବ ବଜାୟ ରଖିବାରେ ଅନ୍ତରାୟ ସୃଷ୍ଟି କରିବ। ପୁରୁଷ ଓ ସ୍ତ୍ରୀର ମିଳନ ହିଁ ପ୍ରକୃତି ଯାହା ଆପଣଙ୍କର ଅସ୍ତିତ୍ବ ସୃଷ୍ଟି କରିଛି ଓ ଭବିଷ୍ୟତରେ କରିବ ମଧ୍ୟ।
ବର୍ତ୍ତମାନ ବ୍ୟକ୍ତି ସ୍ବାଧୀନତାର ଦ୍ବାହି ଦେଇ ଏହି ପ୍ରକୃତି ବିରୋଧରେ ଏକ ବିକୃତିକୁ ସ୍ବୀକୃତିଦେବା ନିମନ୍ତେ ଅନେକ ବିଜ୍ଞ ବ୍ୟକ୍ତି ମତ ପ୍ରକାଶ କରୁଛନ୍ତି। ଡର ମାଡ଼ୁଛି ଯେ ଏମିତି ଯଦି ଗୋଟିଏଗୋଟିଏ ବିକୃତିକୁ ସ୍ବୀକୃତି ଦିଆଯାଏ ତେବେ ହୁଏତ ଆଜକୁ ଦଶପନ୍ଦର ବର୍ଷ ପରେ ବାପାଟିଏ ତା’ର ପୁଅକୁ ଡାକିକି କହିବ ‘ପୁଅରେ, ତୁ ମୋ’ କଥା ରଖିବୁ। ତୁ ଗୋଟିଏ ପୁଅକୁ ପଛେ ବାହାହୋଇଯା’, କିନ୍ତୁ ଗୋଟେ ଛେଳି କି କୁକୁରକୁ ବାହାହୋଇ ଆମ ଘରକୁ ଆଣିବୁ ନାହିଁ।
୯୭, ଜନପଥ, ଭୁବନେଶ୍ବର

Leave A Reply