କୋହଳ-କଟକଣାର ଦ୍ବନ୍ଦ୍ବ ; ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମ୍ଭାବନା କମ୍‌

କୋଭିଡ୍ – ୧୯ ମହାସଂଗ୍ରାମର ଚତୁର୍ଥ ପର୍ଯ୍ୟାୟ(ଲକଡାଉନ୍ ୪) ଅବଧିରେ ରାଜ୍ୟ ସରକାର କେତେକ କ୍ଷେତ୍ରରେ କଟକଣା କୋହଳ କରି ଜୀବିକା ଅର୍ଜନ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ଉଦ୍ୟମ କରିଛନ୍ତି। ଜୀବିକା ସହିତ ଜୀବନ ସୁରକ୍ଷା ମଧ୍ୟ ସମ ଗୁରୁତ୍ୱ ବହନ କରୁଥିବାରୁ ଆଉ କେତେକ କ୍ଷେତ୍ରରେ କଟକଣା ବଳବତ୍ତର ରହିଛି। ଏହି ପ୍ରୟାସରେ ଏଭଳି କିଛି ନିଷ୍ପତ୍ତି ରହିଛି ଯାହା ‘କୋହଳ ଓ କଟକଣା’ ବା ‘ଜୀବିକା ଓ ଜୀବନ’ର ଗୁରୁତ୍ୱ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେଣୁ ଜନସାଧାରଣ ବିଭ୍ରାନ୍ତ ହେବା ସ୍ୱାଭାବିକ।

ପ୍ରାୟ ଦୁଇମାସ ଧରି ସ୍ଥାଣୁ ହୋଇପଡ଼ିଥିବା ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ଚଳଚଞ୍ଚଳ କରିବା ପାଇଁ ସରକାରୀ ପରିବହନ ବ୍ୟବସ୍ଥା ସହିତ ଘରୋଇ ବସ୍, ଟ୍ୟାକ୍ସି, ଅଟୋଗୁଡ଼ିକୁ ୨୪ ଘଣ୍ଟିଆ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ବସରେ ସିଟ୍ ସଂଖ୍ୟା ଅନୁଯାୟୀ ଏବଂ ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ସର୍ବାଧିକ ଦୁଇଜଣ ଯାତ୍ରୀଙ୍କୁ ନେବା ଆଣିବା ପାଇଁ ନିର୍ଦେଶ ରହିଛି। ଅପରପକ୍ଷରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲୋକଗହଳି ଉପରେ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକ ନଥିଲେ ବାହାରକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଥିବାବେଳେ ସନ୍ଧ୍ୟା ୭ଟା ପରେ ଦୋକାନ ବଜାର ବନ୍ଦ କରିବାକୁ କଡ଼ା ନିର୍ଦେଶ ଅଛି। ଏଭଳି ପରିସ୍ଥିତିରେ ସନ୍ଧ୍ୟା ୭ଟା ପରେ ଅଟୋ ଚଳାଚଳ କେମିତି କରିବ, ଯାତ୍ରୀ ଆସିବେ କେଉଁଠୁ, ପୁଲିସ୍ ଯାଞ୍ଚ ବେଳେ ସ୍ପଷ୍ଟୀକରଣ ଦେବ କିଏ ଏଭଳି ନାନା ପ୍ରଶ୍ନରେ ଅଟୋଚାଳକ ଓ ଯାତ୍ରୀ ଛନ୍ଦି ହୋଇଯାଇଛନ୍ତି। ତେଣୁ ସରକାର ଏହି ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିବା ଉଚିତ। ଏହି ଦୁଇ ପରସ୍ପର ବିରୋଧୀ ଘୋଷଣା ଭିତରେ ସମନ୍ୱୟ ନ ରହିଲେ ସରକାରଙ୍କ ‘ଜୀବିକା’ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ।

ସେହିପରି ଏବେ ବିମାନ ଓ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମଳିଛି। ଅଥଚ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନିଆ(ସ୍ଥଳ ବିଶେଷରେ ୭ ଦିନିଆ) ସଙ୍ଗରୋଧର ନିର୍ଦେଶ ରହିଛି। ଆଗକୁ ହଜାର ହଜାର ସଂଖ୍ୟାରେ ଆସୁଥିବା ଯାତ୍ରୀଙ୍କୁ ସଙ୍ଗରୋଧ ପାଇଁ ଷ୍ଟେସନ୍/ବିମାନବନ୍ଦରରେ ନା ଅନ୍ୟ କେଉଁଠାରେ ବ୍ୟବସ୍ଥା କରାଯିବ ତାହା ପ୍ରଶାସନ ସ୍ପଷ୍ଟ କରିପାରିନାହିଁ। କୌଣସି ଜରୁରୀ କାମରେ ଆସୁଥିବା ଯାତ୍ରୀ ସଙ୍ଗରୋଧରେ ରହିବାକୁ ଚାହିଁବେ ନାହିଁ। ତେଣୁ ସରକାରୀ କାମ ବା ବ୍ୟାବସାୟିକ ଉଦ୍ଦେଶ୍ୟରେ ଆସୁଥିବା ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାର ଆବଶ୍ୟକ ନାହିଁ ବୋଲି ନିର୍ଦେଶାବଳୀରେ ଉଲ୍ଲେଖ ରହିଛି। ସେହି ଆଳରେ ଅନ୍ୟ ଯାତ୍ରୀ ମଧ୍ୟ ସଙ୍ଗରୋଧକୁ ଏଡ଼ାଇବାର ଚେଷ୍ଟା କରିପାରନ୍ତି। ଏ କ୍ଷେତ୍ରରେ ନିର୍ଦେଶାବଳୀ ସ୍ପଷ୍ଟ ନ ହେଲେ ଯାତ୍ରୀମାନେ ଅଯଥା ହଇରାଣ ହେବେ।

କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏବେ ଗୋଷ୍ଠୀ ପ୍ରତିରୋଧକ ବା ହାର୍ଡ ଇମ୍ୟୁନିଟି ସପକ୍ଷରେ ସରକାରୀ ଭାବେ ମତ ପ୍ରକାଶ ପାଇଛି। ଅର୍ଥାତ୍ ଲୋକମାନେ ଆଉ ନିଜକୁ ଘର ଭିତରେ ବା ସଂକ୍ରମଣ ନିରୋଧୀ ପରିବେଶରେ ଆବଦ୍ଧ ନ ରଖି ସ୍ୱାଭାବିକ ଜୀବନଯାତ୍ରାରେ ସାମିଲ୍ କଲେ ଧୀରେ ଧୀରେ ସମସ୍ତଙ୍କ ଭିତରେ ଯେଉଁ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହେବ ସେଥିରେ କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିହେବ। ଯଦି ଏହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚୂଡ଼ାନ୍ତ ପରାମର୍ଶ ତେବେ ଲକଡାଉନ୍, ସାନିଟାଇଜ୍, କ୍ୱାରେନ୍‌ଣ୍ଟାଇନ୍ ଭଳି କଟକଣା କାହିଁକି? ଏଭଳି ପ୍ରଶ୍ନ ଜନସାଧାରଣଙ୍କ ମନରେ ସୃଷ୍ଟି ହେଉଛି। ହୁଏତ ‘ହାର୍ଡ ଇମ୍ୟୁନିଟି’ ଯୁକ୍ତିଛଳରେ ଘରବାହୁଡ଼ା ପ୍ରବାସୀମାନେ ସଙ୍ଗରୋଧ ନିର୍ଦେଶକୁ ଅବମାନନା କରିପାରନ୍ତି। ଲୋକଙ୍କ ମନରୁ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଓ ବିଶେଷଜ୍ଞମାନେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବା ଉଚିତ ହେବ। ଏଭଳି କେତେକ ଦ୍ୱନ୍ଦ୍ୱ ଯୋଗୁଁ ସରକାରଙ୍କ ସବୁଜ ସଙ୍କେତ ସତ୍ତ୍ୱେ ଅନେକ ଦୋକାନୀ ବେପାର ଆରମ୍ଭ କରିପାରୁନାହାନ୍ତି ଏବଂ ରାସ୍ତାରେ ଯାତ୍ରୀଙ୍କୁ ନେଇ ଅଟୋ ଗଡ଼ୁନାହିଁ। ଅନେକ ସ୍ଥାନରେ ସେଲୁନ୍ ମଧ୍ୟ ଖୋଲୁନାହିଁ।
ସାମ୍ପ୍ରତିକ ପରିସ୍ଥିତିରେ ଲୋକମାନେ ନିଜ ଜୀବିକା ପ୍ରତି ଯେତିକି ବ୍ୟାକୁଳ, ଗଣମାଧ୍ୟମର ପ୍ରଭାବରେ ନିଜ ଜୀବନ ରକ୍ଷା ପାଇଁ ସେତିକି ସଚେତନ(ଏଥିରେ କେତେକ ବ୍ୟତିକ୍ରମ ରହିଥାଇପାରେ)। ତେଣୁ ଜୀବନ ଓ ଜୀବିକା ମଧ୍ୟରେ ଏକ ସମତୁଲତା ରହିବା ଆବଶ୍ୟକ। ଏ ଦିଗରେ ଅସ୍ପଷ୍ଟ ନୀତି ବାଧକ ସାଜୁଥିବା ମନେ ହୁଏ। ମେ’ ୩୧ ତାରିଖ ପରେ ଲକଡାଉନ୍ ଅବଧି ବୃଦ୍ଧି ପାଇବ କି ନାହିଁ, ତାହା ସେତେବେଳର ସଂକ୍ରମଣର ସ୍ଥିତି ଓ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ମେ’ ୩୧ ପରେ ଉପରୋକ୍ତ ଦ୍ୱନ୍ଦ୍ୱ ଦୂର ହେବ ବୋଲି ଆଶା କରାଯାଏ। ହୁଏତ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ଆବଶ୍ୟକ ନ ପଡ଼ିପାରେ।

Comments
Loading...