ରାଜାର ନନ୍ଦିନୀ ପ୍ୟାରୀ…….

ନିଜକୁ ସୁରକ୍ଷିତ କରିବା ବା ରଖିବାର ଭାବ କି ମାନସିକତା ନ ଥିବା ‘ଜଣ’ ବା ‘ଗଣ’, ସବୁ ସୁରକ୍ଷା ବଳୟ ସତ୍ତ୍ବେ ବି ଦୟନୀୟ, ଅସୁରକ୍ଷିତର ଆଶଙ୍କା ଜର୍ଜରିତ। ଆଗେ ବି କୁହାଯାଉଥିଲା, ‘‘ବିନା ଆଶ୍ରୟଂ ନ ବର୍ତ୍ତନ୍ତେ କବିତାବନିତାଲତାଃ’’। କବିତା ଓ ଲତା ଠେଇ ସେଇ ଭାବ ଓ ଦଶା ଅପରିବର୍ତ୍ତିତ ଥିବାବେଳେ ‘ବନିତା’ ଏ ‘ଚିରଦୁର୍ବଳତା’ ଭାବରୁ ଏବେ ଏ ସଶକ୍ତୀକରଣ ଯୁଗରେ କେତେ ବର୍ତ୍ତିଛନ୍ତି ତା’ର ଆଲୋଚନା ଭିନ୍ନ ଏକ ପ୍ରସଙ୍ଗ। ସେଇଥିପାଇଁ ତ କୁହାଯାଉଥିଲା ‘‘ଆଲୋ ସଖି, ଆପଣା ମହତ ଆପେ ରଖି’’। ଏସବୁ ସତ୍ତ୍ବେ ସୁରକ୍ଷା, ନିରାପତ୍ତାର ଏକ ବଳୟ, ଏକ ଛାତ ସଭିଏଁ ଲୋଡ଼ନ୍ତି, ଆରେଇ ଥା’ନ୍ତି। ସେଇଥିରୁ ତ ସୃଷ୍ଟି ରଜା, ପ୍ରଜା, ନେତା, ଜନତା। ରାଜାମାନେ ପ୍ରଜାର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଉଥିଲେ। ଏଡ଼େ ଝଲମଲିଆ, ସୁଖ ସମ୍ଭୋଗର ଜୀବନକୁ ଯେ ସେମାନେ ମୁହୂର୍ତ୍ତକରେ ବିପନ୍ନ କରିଦେଉଥିଲେ ପ୍ରଜାର ସୁରକ୍ଷା ପାଇଁ ତା’ର ପ୍ରାଣଛୁଆଁ ଭୂରି ଭୂରି ଉଦାହରଣ ତ ‘ରାଜ’ ପଦବୀକୁ ଦେବତ୍ବକୁ ଉଠେଇ ନେଇଥିଲା। ଦେବତାମାନଙ୍କର ସୁରକ୍ଷା ପାଇଁ ରାଜା ଦଶରଥଙ୍କ ରଥ ଦଶଦିଗ ଭ୍ରମିଥିବାରୁ ‘ଦଶରଥ’ ନାମ ଓ ଖ୍ୟାତି ଲଭିଥିଲେ। ଋଷିମାନଙ୍କୁ ରାକ୍ଷସମାନଙ୍କ କବଳରୁ ରକ୍ଷା ପାଇଁ, ଋଷି ବିଶ୍ବାମିତ୍ରଙ୍କ ଅନୁରୋଧରେ, ବହୁ କୁଣ୍ଠା ସ​ତ୍ତ୍ବେ ନିଜର ବାଳୁତ ସନ୍ତାନ ରାମ ଓ ଲକ୍ଷ୍ମଣଙ୍କୁ, ଏ କୋମଳ ବୟସରେ ବି ବଣକୁ ପଠାଇଥିଲେ। ସେଇ ରାମ ପରବର୍ତ୍ତୀ ସମୟରେ ମହାପ୍ରତାପୀ ଓ ଦୁର୍ଦ୍ଧର୍ଷ ରାବଣର ଅନାଚାର ବିରୁଦ୍ଧରେ ଲଢ଼େଇ କରି ‘ସୀତା’ ଉଦ୍ଧାର କରିଥିଲେ ଓ ପ୍ରଜାଙ୍କ ମଧ୍ୟରେ ନୀତି ଓ ନୈତିକତାର ଭାବ ଅନାହତ ରଖିବାକୁ ନିଜ ଜୀବନ​‌େ​‌ର ଚରମ ତ୍ୟାଗ ବରଣ କରି ସେଇ ସତୀ ସୀତାଙ୍କୁ ବନବାସକୁ ପଠେଇ ରାମାୟଣ ରଚିଥିଲେ। ରାଜାରାମଙ୍କ ସାରା ଜୀବନରେ ରାଜକୀୟ ଛଟା, ସୁଖ ସମ୍ଭୋଗ କାଇଁ? ସେଇଥିପାଇଁ ତ କୁହାଯାଉଥିଲା, ‘‘ଦୁଃଖ ସମ୍ବେଦନାର୍ଥାୟ ରାମେ ଚୈତନ୍ୟମାହିତମ୍‌’’ ଦୁଃଖ କ’ଣ ବୁଝିବା, ଅନୁଭବ କରିବାକୁ ରାମ ଜନ୍ମ ହୋଇଥିଲେ। ପ୍ରଜା ପାଇଁ ଜୀବନ ଦେବା ରାଜାର ଧର୍ମ ଓ କର୍ମ ଥିଲା। ସେଇଥିପାଇଁ ତ କୁହାଯାଉଥିଲା, ‘‘ମୁକୁଟ ମଣ୍ଡିତ ରାଜଶିର, ନୁହଁଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ, ନିରନ୍ତର ରାଜ ମନ କରଇ ଅସ୍ଥିର। ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’’। ୟେ ତ ପ୍ରଜାର ଜନତାର ପ୍ରାଣରକ୍ଷା ପାଇଁ ରାଜାର କର୍ତ୍ତବ୍ୟ କଥା। ପ୍ରଜାର ବଞ୍ଚିବାପାଇଁ ଦୁର୍ଭିକ୍ଷରୁ, ଅନାବୃଷ୍ଟିରୁ ରାଜ୍ୟକୁ ରକ୍ଷା ପାଇଁ ରାଜା ଦଶରଥ, ନୈତିକତାର ଆହ୍ବାନକୁ ଅଣଦେଖା କରି ଜରତା ବେଶ୍ୟାଙ୍କ ଶରଣାଗତ ହୋଇଥିଲେ, ଋଷି ଋଷ୍ୟଶୃଙ୍ଗଙ୍କୁ ଅଯୋଧ୍ୟା ଅଣାଇ ବୃଷ୍ଟି କରିବାକୁ। ସଫଳ ବି ହୋଇଥିଲେ। ଏତଦ୍ଦ୍ବାରା ଜଣେ ବ୍ରହ୍ମଚାରୀ ଋଷିଙ୍କୁ ସେ ସ୍ଖଳିତ କରାଇବାର ପାପରେ କେତେ ଭାଗୀ ହେଲେ ତା’ ଭିନ୍ନ ଏକ ପ୍ରସଙ୍ଗ। ମୋହାନ୍ଧ ଜୀବକୁ ଚେତନା ଓ ପ୍ରଜ୍ଞାର ଆଲୋକରେ ଝଲସିବାକୁ ରାଜପୁତ୍ର ବୁଦ୍ଧଦେବ ରାଜ୍ୟର ସୀମା ସୁରକ୍ଷାରେ ‘ରାଜଗାଦି’କୁ ସୀମିତ ରଖି ପାରିଲେନି। ଏମିତି ରାଜଗାଦିକୁ ସେ ତୁଚ୍ଛ ମଣିଲେ। ରୁଟି, କପଡ଼ା ଓ ମକାନ ଜୀବର ଜୀବନ ରକ୍ଷା ପାଇଁ ଆବଶ୍ୟକ। ଏଥିରେ ଜୀବତ୍ବ ସଂରକ୍ଷିତ ହେବ, ମାତ୍ର ମଣିଷତ୍ବ? ଏ ରୁଟି କପଡ଼ା ମକାନ ମୋହରେ କାଇଁ? ଜୀବ ସଂଖ୍ୟା ଘାଉ ଘାଉ ବଢ଼ିବାର ଉପାଦାନ, ସଞ୍ଜୀବନୀ ଏଥିରେ ଅଛି। ମାତ୍ର ପ୍ରଜାରଞ୍ଜନ ପାଇଁ ପ୍ରାଣ ପ୍ରଣୟିନୀ ସୀତାଙ୍କୁ ତ୍ୟାଗ କରିବାର ଭୟଙ୍କର ତ୍ୟାଗ ଓ ସେଇ ଭାବ ଏଥିରେ କାଇଁ? ଇନ୍ଦିରା ଆବାସ ହେଉ, କି ନେତାମାନଙ୍କ ଫାର୍ମ ହାଉସ ହେଉ କି ପାଞ୍ଚ ତାରକା ହୋଟେଲ ହେଉ କାଇଁ ଏ ଭାବରୁ ଲେଶ ମାତ୍ର ଏଥିରେ? ଗୌତମଙ୍କୁ କପିଳବାସ୍ତୁର ରାଜପ୍ରାସାଦ, ସୁନ୍ଦରୀ ସ୍ତ୍ରୀ ଯଶୋଧାରା ଓ ନବପ୍ରସୂତ କୁନିପୁଅ ରାହୁଳର ମୋହ ବାନ୍ଧି ପାରିଲାନି। କାମନା ବାସନାର ମଣିଷ ଗୋଟେ ଦି’ଗୋଡ଼ିଆ ଜୀବ ଆଦୌ ନୁହଁ। ଇତର ଜୀବ ଭିନ୍ନ ଚେତନା ଓ ନୈତିକତାର ଏକ ସ୍ବତନ୍ତ୍ର ବିଭାବ ମଣ୍ଡିତ ୟେ। ମାତ୍ର ହଉଚି କ’ଣ? କେତେବେଳେ ମାରଣା ମଇଁଷି କି ରକ୍ତମୁଖା ବାଘ ପରି ତ କେତେବେଳେ ଡଙ୍କଭଙ୍ଗା ଝାଉଁଳା ଲଟା କି ନିଷାଦ ଦ୍ବାରା ହତ ପୁତ୍ର ଶୋକରେ ମ୍ରିୟମାଣା, ଅବସନ୍ନା କୁରଙ୍ଗୀ ପରି ହେଉଛି। ଚେତନା, ନୈତିକତା ଓ ବୌଦ୍ଧିକତାହଜା ହତ ମଣିଷ, ବିଲୁଆ, କୁକୁର କି ବାଘଠାରୁ କୋଉ ଭିନ୍ନ କି ଉନ୍ନତ! ସେଇଥିପାଇଁ ଏ ରାଜପୁତ୍ର ରାଜା ନୋହି ରଙ୍କ ବନିଗଲେ। ଦୁଃଖପୂର୍ଣ୍ଣ ଏ ଜୀବନକୁ ପରମ ସୁଖ ମଣି ସୁଖର ମରୀଚିକା ଓ ମୋହାନ୍ଧତାରେ କି କଷ୍ଟ ନ ପାଉଛି ସେ! ଜୀବନ ଆଶାରେ କେତେଥର ନ ମରୁଛି ସିଏ। କବିବର ତ ଲେଖିଲେ, ‘‘ମନୁଷ୍ୟ ତୋଷିବା ପାଇଁ ସହି କଷ୍ଟ, ମନୁଷ୍ୟପଣରୁ ହେଉଛନ୍ତି ଭ୍ରଷ୍ଟ। ପଦ ପାଇଁ ଲୋକେ ହୋଇ ଲାଳାୟିତ। ତୋଷିବାକୁ ବ୍ୟସ୍ତ ମନୁଷ୍ୟର ଚିତ୍ତ। ଭ୍ରମନ୍ତି ମନୁଷ୍ୟ-ପାଦ ଅନୁସରି, ସେହି ମନୁଷ୍ୟର ପୋଷା ଶ୍ବାନ ପରି।’’ xxx ‘‘ଘୋଟିବାରୁ ଘୋର ରଜୋରୂପୀ ବ୍ୟାଧି, ଉପାଧିରେ ବୁଡ଼ି ଲୋଡ଼ନ୍ତି ଉପାଧି। ମୁଁ ଭାବେ ଜଡ଼ିତ ଅମର ଚିତ୍‌କଣା, ଦେଖାଉଛି ଭବେ ଅସଂଖ୍ୟ ପେଖନା।’’ ଗୌତମ-ବୁଦ୍ଧ କହିଲେ, ‘‘ଏ ଜୀବନ ଦୁଃଖପୂର୍ଣ୍ଣ ଆଉ କାମନା ହିଁ ଏ ଦୁଃଖର କାରଣ। କାମନାର ବିନାଶରେ ଦୁଃଖର ବିନାଶ। ନୈତିକତା, ମହାଚେତନା ଓ ବୌଦ୍ଧିକତାର ଏକ ବାତ୍ୟା ସେ ସାରା ଜଗତରେ ବୁହାଇଦେଲେ। ଏ ରାଜା, ଏ ନେତା, ଏ ଗୁରୁ, ଜଗତରେ ‘ବୌଦ୍ଧ’ ରାଜ୍ୟ ପ୍ରତିଷ୍ଠା କରିଗଲେ। ଆଜି ଅବିସ୍ମୃତ, ଆଜି ଭଗବାନ ବନିଛନ୍ତି ସେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ମୂଲ ମଜୁରି ଦେଇ ବା ଇନ୍ଦିରା ଆବାସ ଯୋଜନା ଦେଇ କି କାଳିଆ ନେଳିଆ ଯୋଜନା କରି ନୁହଁ, ଏ ସବୁ ବିନା ବଞ୍ଚିବା, ବଢ଼ିବା ହସିବାର ସୂତ୍ର ବନେଇ ଦେଇ। ନୈତିକତା, ଚେତନା ଓ ବୌଦ୍ଧିକତା ଏ ମଣିଷ ସମାଜର ପରିଚିତି ଓ ସାର୍ଥକତା। ସନାତନ ସଂସ୍କୃତି ତ ସେଇଆ ଥିଲା। ବିଶ୍ବ ବିଖ୍ୟାତ ଦାର୍ଶନିକ ପ୍ଲାଟୋଙ୍କ ଶିଷ୍ୟ ଆରିଷ୍ଟୋଟଲ ତାଙ୍କ ପ୍ରିୟ ଶିଷ୍ୟ ବିଶ୍ବବିଜୟୀ ଆଲେକ୍‌ଜାଣ୍ଡାରଙ୍କୁ କହିଥିଲେ, ଯେବେ ସୁଯୋଗ ମିଳିବ, ଭାରତବର୍ଷ ବୁଲିଦେଖିବୁ। ୟେ ଋଷି, ମୁନି ଓ ଦେବତାର ଦେଶ। ଆଲେକ୍‌ଜାଣ୍ଡାରଙ୍କ ଭାରତ ବିଜୟ ଓ ପୁରୁଙ୍କ ସହ ଲଢ଼େଇ କଥାରେ ଭାରତୀୟ ସାଧୁ ଓ ପଣ୍ଡିତମାନଙ୍କ ବିଷୟରେ ବହୁ କଥା କୁହାଯାଇଛି। ଛାଡ଼ନ୍ତୁ ସେ ସବୁ କଥା। ଏଠି ପ୍ରସଙ୍ଗ ହେଲା ରାଜତ୍ବ, ନେତୃତ୍ବ କ’ଣ? ରାଜା ବା ନେତା କିଏ? ଜନତାର ଓ ପ୍ରଜାର ଦୁଃଖରେ ବିଗଳିତ ନେତା ଓ ଗୁରୁ ନିଜେ ଜଣେ ଜଣେ ଆଚରଣସିଦ୍ଧ ଉଦାହରଣ ଥିଲେ। ତେଣୁ ତାଙ୍କ କଥା ଓ ବାଣୀ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲା। ଏଡ଼ିକି ଥନ୍ତଲି ପେଟରେ ଚକାମାଲି ପକେଇବେ କ’ଣ ଗୋଡ଼ଭାଙ୍ଗି ବସିପାରୁ ନ ଥିବା ଜଣେ, ପଦ୍ମାସନରେ ପ୍ରାଣାୟାମ ପ୍ରବଚନ କରିଲେ ଯା’ ଫଳ ହେବା କଥା ହେଉଛି। ଯୋଗ ଯୋଗାସନ କଥା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଥିବାବେଳେ ନିଜେ କେମିତି ସୂର୍ଯ୍ୟ ନମସ୍କାର କରୁଛନ୍ତି ଓ ବିଭିନ୍ନ ଆସନ ଅନାୟାସରେ କରୁଛନ୍ତି, ତା’ ଏ ଜନତାଙ୍କୁ ପ୍ରଭାବିତ, ବିମୋହିତ କରୁଛି। ଭୀମଭୋଇଙ୍କ କଥା, ‘‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’’ ଏ କଥା ଜନତାଙ୍କୁ ଛୁଇଁଲା, ବିମୋହିତ କଲା, ବିସ୍ମୃତିର ବାଡ଼ ଡେଇଁ ଆସିଲା, ତା’ ଏ କଥା କହୁଥିବା ମହାତ୍ମାଙ୍କ ଫାଙ୍କହୀନ ଜୀବନଶୈଳୀରୁ ଭାରତକୁ ଦୁର୍ଦ୍ଧର୍ଷ ଫିରିଙ୍ଗି ଶାସନରୁ ମୁକ୍ତ କରିଥିବା ମହାତ୍ମା ଗାନ୍ଧୀ ତ ଯୁଗ ପୁରୁଷ ବନିଗଲେ। ସେ କୋଉ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ବନିଲେ! ବରଂ ବିଭାଜିତ ଭାରତର ସ୍ବାଧୀନତାକୁ ସେ ପ୍ରତ୍ୟାଖ୍ୟାନ କଲେ। ଏ ସ୍ବାଧୀନତା ଦୂରନ୍ତ ହେଉ, ମାତ୍ର ମଣିଷପଣିଆରେ ବାଡ଼ ନ ପଡ଼ୁ, ଦାଗ ନ ଲାଗୁ। ସ୍ନେହପ୍ରୀତି ଓ ସମ୍ବନ୍ଧର ବ୍ୟାବସାୟିକ ବା ରାଜନୈତିକ ନବୀକରଣ ନ ହେଉ, ଏ ଥିଲା ତାଙ୍କର ଦାବି, ଯୁକ୍ତି। ଲାଲକିଲାର ସେଦିନ ତ୍ରିରଙ୍ଗାକୁ ସେ ସ୍ବାଗତ କରିପାରୁ ନ ଥିଲେ। ଯେତେବେଳେ ସାମ୍ପ୍ରଦାୟିକତା ବିଷରେ, ଖଣ୍ଡାରେ ଜର୍ଜରିତ ରକ୍ତ ନଦୀ ବୋହୁଥିଲା ଦୁଇ ଦେଶ ସୀମାରେ। ଗୁଳି ବି ଖାଇ ସେ ଟଳି ପଡ଼ିଲେ। ମାତ୍ର କାଇଁ କୁ ନେହେରୁ, କୁ ପଟେଲ କି କୁ ନେତା ତାଙ୍କ ସରି ହେଲେ! ସେ ମହାତ୍ମା ଦେବତା, ଯୁଗ ପୁରୁଷ ବନିଗଲେ। ଆଉ ସବୁ ମୁଗ୍ଧକର ଋତୁଚକ୍ରର ଫୁଲ କି ଫଳ। ଏ ଋତୁ ସଇଲେ ତାଙ୍କ ସମ୍ଭାର ସଇଲା। ଯେନତେନ ବଞ୍ଚିବାର କଳା ଓ ମୂଲ୍ୟବୋଧକ ସ୍ବାଭିମାନରେ ବଞ୍ଚିବାର ସାଧନା ଦୁଇ ସମ୍ପୂର୍ଣ୍ଣ ଭିନ୍ନ କଥା। ପ୍ରାଣ ଓ ସମ୍ପତ୍ତି ପାଇଁ ସବୁ ସମର୍ପିଦେବା, ମଣିଷର ଏକ ରୁଗ୍ଣ ଓ ଦୁର୍ବଳ ପ୍ରବୃତ୍ତି କି ପ୍ରକୃତି। ବଜାବାଡ଼ିଆ ମଣିଷ ଏମାନେ ନୁହନ୍ତି। ମଣିଷପଣିଆ ଥାଏ ତ୍ୟାଗରେ, ଦେବାରେ। ଆହରଣ ଓ ଗ୍ରହଣର କିସମ ପୂରା ଭିନ୍ନ। ଗୁରୁଗୋବିନ୍ଦ ସିଂ, ଛତ୍ରପତି ଶିବାଜି, ଜୟୀ ରାଜଗୁରୁ, ରାଣାପ୍ରତାପ ଆଦି ଜାତୀୟ କିସମତାର ଭିନ୍ନତା, ଶ୍ରେଷ୍ଠତା ପ୍ରମାଣିତ କରିଦେଇଗଲେ। ଘରବାହୁଡ଼ା ଗୋରୁ ଗୋଠରେ ଦୁଧଦିଆ କାଳିଗାଈ ଓ ଷଣ୍ଢ ମହାରାଜ ବାରି ହୋଇପଡ଼ିବା ପରି, ଜାତୀୟ କାହାଣୀ, ସ୍ବାଭିମାନ ତାଙ୍କୁ ଭିନ୍ନ ଓ ସ୍ବତନ୍ତ୍ର କରିଦିଏ। କବି ତ ଲେଖିଲେ, ‘ବିପଦ ଦଳି ଚଳି କୀରତି ବାଟେ ଖ୍ୟାତିଲାଭ ନ ଥିଲା ତାଙ୍କ ଲଲାଟେ’’। ଏସବୁ ଭାବ ଓ କଥା ମନରେ ଭେଦେଇବାକୁ ଭିଜେଇବାକୁ ଶ୍ରମ ଅନାବଶ୍ୟକ। ସଚେତନ ମନ ଏକୁ ବେଶ୍‌ ଠଉରେଇଦେବ। ଶୁଆ ତୁଣ୍ଡରେ ଶୁଆ ମୂଲ।
କରୋନା ଗୋଟେ ରୋଗ ବ୍ୟାପିଛି। ଏଥିକୁ ସାରା ପୃଥିବୀ ଥରହର। ମରିଯିବେ ବିଶ୍ବସାରା ଲୋକେ ସତିକା! ପୁଲିସ ଲଗାଇ କବାଟ ଝରକା କିଳି, କାମ ଦାମ ସବୁ ବନ୍ଦ କରାଇ ଏକ ଅଭୂତପୂର୍ବ ଅବସ୍ଥା ହୋଇଛି। ରୋଗ ନ ମରିଥିଲେ ବି ରୋଗ ଡଙ୍କ ନାହୁଡ଼ କୁଆଡ଼େ ମୋଡ଼ି ଦିଆଯାଇଛି ଏ ବ୍ୟବସ୍ଥା ଦ୍ବାରା, ହେଇଥିବ। ଲୋକେ ତ ପଞ୍ଜୁରି ପୋଷା ଜୀବ ନୁହଁ, କି ଘୁମ ଭିତରେ ପଶି ରହୁଥିବା ଗ୍ରୀକ୍‌ ଦାର୍ଶନିକ ଡାଇଜିନିସ୍‌ ନୁହନ୍ତି। କେତେଦିନ ଆଉ ସମ୍ଭେଇବ? ଟିକିଏ ହୁଗୁଳା କଲେ କେମିତି ଏମାନେ ବାଡ଼ ଭାଙ୍ଗୁଛନ୍ତି, ସେଇଥିରୁ ଏ ଜନତାର ଭାବ, ପ୍ରକୃତି, ପ୍ରବୃତ୍ତି କଷାଯାଉ। ଲୋକେ ସରକାରଙ୍କ ଉପରେ ଖପା ଧଇଲେଣି। କିରେ ଶୁଖି ଶୁଖି ମରିବୁ କିଆଁ? ତେବେ ଏ ଲୋକଙ୍କ ନାଡ଼ି ତ ଏ ନେତାଏ ବୁଝିଛନ୍ତି ପିଠିକି ବିଧା ମାର, ମାତ୍ର ପେଟକୁ ମାଲ ଦିଅ ପରୱା ନାହିଁ। ନେତାଙ୍କର ଚରିତ୍ର ନୈତିକତା ଆଦି ସହ ବି ସମ୍ପର୍କ ନାହିଁ। ଭୋଟ ତ ମୂଳ, ଏ ନ ମିଳିଲେ ସବୁ ଆରେବା, ଥାଟ ଢୋ। ତେଣୁ ଏବେ ଘୋଷଣାମାନ ପ୍ରକାଶ ପାଇଛି। କୋଡ଼ିଏ ଲକ୍ଷ କୋଟି ଟଙ୍କା ଏବେ ମୋଦୀ ସରକାର ଇଡ଼ି ଦେଇଛନ୍ତି। ଲୋକେ ତାଜୁବ। ଜିଭର ଲାଳ ସବୁବେଳେ ବିବେକର ଝାଳକୁ ଗମେଇ ଦିଏ। ବିରୋଧୀ କଂଗ୍ରେସ ଦଳ ନେତା ନିରଞ୍ଜନବାବୁ ବିଳିବିଳେଇଲାପରି ପଚାରିଛନ୍ତି ଏ ଟଙ୍କା କୁଆଡ଼ୁ ଆସିବ? ମୋଦୀ ସରକାରଙ୍କ ପାଖେ କେତେ ପୋତା କେତେ ଉଭା ସେ ଜାଣିଥିବେ ନିଶ୍ଚୟ। ସେତକ ହିସାବ ଜନତା ଆଗେ ଥୋଇ ଏ ପ୍ରଶ୍ନ ପଚାରିଲେ ତା’ ଲୋକଙ୍କୁ ଘେନିବ। ଲୋଭରେ ଲୋକେ ମୋଦୀ ଆଡ଼ିଆ ହୋଇଯିବାର ତାଙ୍କ ଆଶଙ୍କା ଅମୂଳକ ନୁହଁ। ମାତ୍ର ଏକୁ ରୋକିବେ କେମିତି? ଖାଲି କାଦୁଅ ଫିଙ୍ଗାରେ ଫଳ ଓଲଟା ବରଂ ହୋଇପାରେ। ଦେଶ ସ୍ବାଧୀନ ପରଠୁ ଏଭଳି ଟଙ୍କା ଉଜୁଡ଼ା କେବେ ବି ଦେଖା ନଥିଲା। ମାତ୍ର ଏହା ଜନତା ପେଟକୁ ଯିବ ତ? ତା’ ସବୁଠୁ ବଡ଼ କଥା। କାରଣ ବାଟମାରେଣା ଏ ଦେଶର ସବୁ ଯୋଜନାକୁ ଫୁରୁସାଇ ଦେଉଛି। ଏକୁ ବାଡ଼ କାଇଁ, କ’ଣ?
ସେମିତି ଘରବାହୁଡ଼ା କଥା। ୟେ ବି ଅଭୂତପୂର୍ବ ହୋଇଛି। ରାଜ୍ୟ ବାହାରୁ ଯେତେ ଲୋକ ବାହୁଡ଼ୁଛନ୍ତି ସେମାନଙ୍କ ମଧ୍ୟରେ ଶ୍ରମିକ, ଗୋତି ଶ୍ରମିକ, ଠିକା ଶ୍ରମିକଙ୍କ ସଂଖ୍ୟା ଲକ୍ଷ ଲକ୍ଷ। ନିୟମିତ ଚାକେରିଆଙ୍କ କଥା ଛାଡ଼। ଏ ରାଜ୍ୟରେ ଯଦି ଏତେ ପ୍ରଗତି, କଳକାରଖାନା ଓ ମଜୁରି ବ୍ୟବସ୍ଥା ଥିଲା, ଏତେ ଲୋକେ ବାହାରେ ଯାଇ ଖଟୁଥିଲେ କିଆଁ? କ’ଣ ଉତ୍ତର ଏ ପ୍ରଶ୍ନର। ଛାଡ଼ନ୍ତୁ କ’ଣ ମିଳିବ ସେ ସବୁ କଥାରୁ? ସରକାର ବାହାଦୁର କେନ୍ଦ୍ରର ହୁଅନ୍ତୁ କି ରାଜ୍ୟର ହୁଅନ୍ତୁ, ପ୍ରଶ୍ନର କିଛି ମୂଲ୍ୟ ନାହିଁ। ‘‘ରାଜାର ନନ୍ଦିନୀ ପ୍ୟାରୀ ଯା କରେ ତା’ ଭାଲୋ।’’

Comments are closed.