ଅସହାୟ ଶ୍ରମିକଙ୍କ ଦୁଃଖ

ସେମାନଙ୍କୁ ସରକାର ଉଦ୍ଧାର କରନ୍ତୁ

ମହାତ୍ମା ଗାନ୍ଧୀ ତାଙ୍କର ଜୀବନୀ ‘ସତ୍ୟର ପ୍ରୟୋଗ’ରେ ଲେଖିଛନ୍ତି ହଠାତ୍‌ ଏକ ସଂକଟ ସୃଷ୍ଟି ହେଲେ ଓ ବଡ଼ଧରଣର ଆହ୍ବାନ ଆସିଲେ ସରକାର ଓ ସମଗ୍ର ଶାସନତନ୍ତ୍ର ହଡ଼ବଡ଼େଇ ଯାଏ। ପରିସ୍ଥିତିର ମୁକାବିଲା କରିବାର ସାମର୍ଥ୍ୟର ଅଭାବ ଏବଂ ସମ୍ଭାବ୍ୟ ବିଫଳତାର ଭୟ ଯୋଗୁଁ ଏଭଳି ହୋଇଥାଏ। ସେ ତତ୍କାଳୀନ ବ୍ରିଟିଶ ଶାସିତ ଭାରତର ସ୍ଥିତିକୁ ଲକ୍ଷ୍ୟ କରି ଯାହା କହିଥିଲେ ଏବେ ସ୍ବାଧୀନ ଭାରତରେ ଦେଶୀ ଶାସନ ବ୍ୟବସ୍ଥା ଓ ସରକାର ସେ ଦୁର୍ବଳତାରୁ ସଂପୂର୍ଣ୍ଣ ମୁକ୍ତ ହୋଇନାହିଁ। ଏବେ ଭାରତରେ କୋଭିଡ଼୍‌ ସଂକ୍ରମଣର ମୁକାବିଲାଠାରୁ ଦେଶବିଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ଏକ ବିରାଟ ଆହ୍ବାନମୂଳକ କାର୍ଯ୍ୟ ହୋଇଛି। ସେମାନଙ୍କୁ ଠାବ କରି କେବଳ ଦେଶକୁ ଆଣିଲେ କାମ ଶେଷ ହେଉନାହିଁ; ସେମାନଙ୍କ ନିରାପଦ ଅପସାରଣ ଏବଂ କ୍ବା​‌େ​‌ରଣ୍ଟାଇନ, ସ୍ବାସ୍ଥ୍ୟପରୀକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଅତ୍ୟନ୍ତ ଆହ୍ବାନମୂଳକ ହୋଇଛି। ଏହି ଫେରନ୍ତାଙ୍କ ମଧ୍ୟରେ ଅନେକ କରୋନାଭୂତାଣୁ ବାହକ ଥିବାରୁ ସେମାନଙ୍କୁ ଠାବ କରି ଚିକିତ୍ସାର ସୁବିଧା କରାଇବା ଏବଂ ସଂକ୍ରମଣକୁ ରୋକିବା ସହଜ କାମ ନୁହେଁ।
ସରକାର ନିଜର ସୀମିତ ସମ୍ବଳ ଓ ଲୋକବଳ ମଧ୍ୟରେ ଏହି କାମ କରୁଥିବାବେଳେ ଯୋଗାଇ ଦିଆଯାଉଥିବା ସେବା ବ୍ୟବସ୍ଥାକୁ ଚାହିଦା ବୁକେଇ ପଡ଼ୁଛି। କୋଟିକୋଟି ପ୍ରବାସୀ ଭିଟାମାଟିକୁ ଫେରିବାକୁ ବ୍ୟଗ୍ର। ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ସମର୍ଥ ହେଉନାହାନ୍ତି। ସେଥିପାଇଁ ତ ଲକ୍‌ଡାଉନ କାଳରେ ଅଗଣିତ ପ୍ରବାସୀ ଶ୍ରମିକ ପ୍ରଚଣ୍ଡ ଗ୍ରୀଷ୍ମରେ ଅଖିଆଅପିଆ ନିଜର ପିଲାକବିଲା ଓ ଜିନିଷପତ୍ର ଧରି ରେଳଲାଇନ ଉପରେ, ସଡ଼କ ଓ ରାସ୍ତାରେ ଚାଲିଚାଲି ଗାଁକୁ ଫେରୁଛନ୍ତି ହଜାରହଜାର ମାଇଲ ପଥ ଅତିକ୍ରମ କରି। ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ପ୍ରସାରିତ ଏସବୁ ଚିତ୍ର ଦେଖିଲେ ମଣିଷର ହୃଦୟ ଫାଟି ପଡ଼ୁଛି। ଟ୍ରକ, ଟ୍ରାକ୍ଟର ଓ ଅନ୍ୟାନ୍ୟ ଯାନରେ ଏସବୁ ଶ୍ରମିକ ପଶୁପରି ମଧ୍ୟ ବୁହା ହେଉଛନ୍ତି। ଅନେକ ମଧ୍ୟ ଏମାନଙ୍କୁ ଭୂତାଣୁ ବାହକ କହି ନାକ ଟେକୁଛନ୍ତି।
ଏହି ମହାମାରୀଜନିତ ଲକ୍‌ଡାଉନରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାରତର ପ୍ରବାସୀ ଶ୍ରମିକ। ସେମାନଙ୍କର ଭାତହାଣ୍ଡି ଉଜୁଡ଼ି ଯାଇଛି। ଦାରିଦ୍ର୍ୟ, କ୍ଷୁଧା ଓ ଘୃଣା ଭିତରେ ସେମାନେ ଏକ ଅନିଶ୍ଚିତ ଭବିଷ୍ୟତ ଅପେକ୍ଷାରେ ରହିଛନ୍ତି। ଟ୍ରେନ ଲାଇନରେ ଚାଲିଚାଲି ଘରକୁ ଫେରୁଥିବା ଶ୍ରମିକ ଟ୍ରେନରେ କଟି ମରିବା, ରାଜପଥରେ ଗାଡ଼ି ଚକାତଳେ ଚାପିହୋଇ ମରିବାଭଳି ଏକାଧିକ
ଘଟଣା ସାମୂହିକ ବିବେକକୁ ଦୋହଲାଇବ ନିଶ୍ଚିତ। ଆହୁରି ଦୁଃଖଦାୟକ ଘଟଣା ହେଲା ଉଦ୍ଧାରର ଆଶା ନ’ଦେଖି କେଇଜଣ ଓଡ଼ିଆଶ୍ରମିକ ବାହାରେ ଆତ୍ମହତ୍ୟା କଲେଣି। କେତେକ ଚାଲିଚାଲି ବାଟରେ ପଡ଼ି ପ୍ରାଣ ହରାଇଲେଣି। ଏହା ଆମ ଜନମଙ୍ଗଳ ଶାସନର ଯଥାର୍ଥତାକୁ ଅବଶ୍ୟ ପ୍ରଶ୍ନ କରିବ। ନିରାଶ, ହତାଶ ମଣିଷର ଚାରା ବା କ’ଣ ଅଛି?
ଦେଶର ଅର୍ଥନୀତିକୁ ନିଜର ଶ୍ରମଦ୍ବାରା ବହୁଳଭାବେ ପୁଷ୍କଳ କରୁଥିବା ଶ୍ରମିକଙ୍କ ପ୍ରତି ଏଭଳି ଆଚରଣ ଅକ୍ଷମଣୀୟ। ସେମାନେ ବିନା ଦୋଷ​‌େ​‌ର ଦୁର୍ଦଶା ଭୋଗିବାକୁ ବାଧ୍ୟ ହେଉଛନ୍ତି। ଯଥେଷ୍ଟ ଆଗରୁ ସେମାନଙ୍କୁ ନିଜନିଜ ଗାଁକୁ ଫେରିଯିବାକୁ ପରାମର୍ଶ ଦିଆଯାଇଥିଲେ ଏ ଅବସ୍ଥା ଆଜି ସୃଷ୍ଟି ହୋଇନଥାନ୍ତା। ସେମାନଙ୍କୁ ସମୟ ନ’ଦେଇ, ହଠାତ୍‌, ଗାଡ଼ିମଟର, ଟ୍ରେନ, ପ୍ଲେନ୍‌ ସବୁ ବନ୍ଦ କରି ଲକ୍‌ଡାଉନ ଘୋଷଣା କରିବାପରେ ସେମାନେ ଦେଢ଼ମାସ କେଉଁ ଅବସ୍ଥାରେ ରହିଲେ ତାହା କେହି ଦେଖିଲେ ନାହିଁ। ଏବେ ମଧ୍ୟ ସମୟ ଅଛି ରାସ୍ତାଘାଟରେ ଅସହାୟ ଅବସ୍ଥାରେ ଚାଲିଚାଲି ଆସୁଥିବା ଶ୍ରମିକ ଓ ସେମାନଙ୍କ ପରିବାରଙ୍କୁ ରାଜ୍ୟ ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା ଜରିଆରେ ଗାଡ଼ିରେ ଉଦ୍ଧାର କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚାନ୍ତୁ। ଏ ଦାୟିତ୍ବ ଦେଶର, ରାଜ୍ୟର। ତା’ନହେଲେ ଇତିହାସ କ୍ଷମା କରିବ ନାହିଁ।