ବକେୟା ବୋଝ : ଅର୍ଥନୀତିଜ୍ଞଙ୍କୁ ସରକାର ବିଶ୍ବାସକୁ ନିଅନ୍ତୁ

ସ୍ୱାସ୍ଥ୍ୟନୀତି ପାଇଁ ଅର୍ଥନୀତିକୁ ଆଉ ବେଶି ବଳିଦାନ ଦିଆଯାଇପାରିବ ନାହିଁ। ଯଦି ଅର୍ଥନୀତିର ଚକକୁ ଅଧିକ ସମୟ ଧରି ବନ୍ଦ ରଖାଯାଏ ତେବେ ହୁଏତ ଜୀବିକାର ମୂଲ୍ୟ ଜୀବନ ଉପରେ ଭାରି ପଡ଼ିପାରେ। ତେଣୁ ଯଥାଶୀଘ୍ର ସମ୍ଭବ ଅତି ସନ୍ତର୍ପଣର ସହିତ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ଉତ୍କଣ୍ଠା ଗତ କିଛି ଦିନର କାର୍ଯ୍ୟକ୍ରମ ଓ ନିଷ୍ପତ୍ତିରୁ କ୍ରମଶଃ ସ୍ପଷ୍ଟ ହେଉଛି।
ଏବେ କେନ୍ଦ୍ର ସରକାରଙ୍କ ସାମ୍ନାରେ ଥିବା ଦୁଇଟିଯାକ ବିକଳ୍ପ (ସ୍ୱାସ୍ଥ୍ୟ ଓ ଅର୍ଥନୀତି) ଆଗରେ ଆହ୍ୱାନ ଯେତିକି, ଚିନ୍ତା ସେତିକି। ଯଦି ମେ’ ୧୭ ତାରିଖ ବେଳକୁ ସଂକ୍ରମଣ ହାର ପୁଣି ତ୍ୱରାନ୍ୱିତ ହୁଏ ତେବେ କେନ୍ଦ୍ର ସରକାର ପୂର୍ବ ଯୋଜନାକୁ ବାତିଲ୍ କରି ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ବାଧ୍ୟ ହେବେ। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ରିଲିଫ୍ ପ୍ୟାକେଜ୍(ଆର୍ଥିକ ସହାୟତା) ବାବଦରେ ରାଜକୋଷରୁ ବିପୁଳ ଅର୍ଥରାଶି ବ୍ୟୟ କରିବାକୁ ପଡ଼ିବ। ଯଦି ସଂକ୍ରମଣ ହାର ନିୟନ୍ତ୍ରଣ ମଧ୍ୟରେ ରହେ ତେବେ ଅର୍ଥନୀତି ଚକର ବେଗ ବଢ଼ାଇବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବେ। ଏହି ପ୍ରକ୍ରିୟାରେ ଋଣ ଓ ଟିକସ ସହାୟତା ପାଇଁ ଶିଳ୍ପ ଜଗତରୁ ଚାପ ପଡ଼ିବା ଏକପ୍ରକାର ନିଶ୍ଚିତ। ଆର୍ଥିକ ସହାୟତା ଚାପ ସରକାରଙ୍କ ପାଇଁ ଯେତିକି ଆହ୍ୱାନ ସୃଷ୍ଟି କରିନାହିଁ, ବିଭିନ୍ନ ରାଜ୍ୟ ଓ ସଂସ୍ଥା ଉପରେ ଥିବା ବକେୟା ବୋଝ ସେତିକି ଚିନ୍ତା ସୃଷ୍ଟି କରିଛି। ଆସୋଚାମ୍ ସଭାପତି ନିରଞ୍ଜନ ହିରାନନ୍ଦନୀଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ସରକାର, ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ଓ କେନ୍ଦ୍ରୀୟ ବିଭାଗ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ବିଭିନ୍ନ ରାଜ୍ୟ ସରକାର ଓ ଶିଳ୍ପସଂସ୍ଥାଙ୍କୁ ଦେବାକୁ ଅଛି। ଆୟକର ରିଟର୍ଣ୍ଣ, ଜିଏସଟି ରିଟର୍ଣ୍ଣ, ଭାଟ୍ ରିଟର୍ଣ୍ଣ, କ୍ଷତିଭରଣା ବାବଦ ଦେୟ, ବିଦ୍ୟୁତ ବିତରଣ କମ୍ପାନୀଙ୍କ ଦେୟ, ସାର ସବ୍ସିଡି ଆଦି ବାବଦରେ ଉପରୋକ୍ତ ବିଶାଳ ଅର୍ଥରାଶି ବାକି ପଡ଼ିଛି।
ଶିଳ୍ପ ସଂସ୍ଥା ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଜାତୀୟ ରାଜପଥ ପ୍ରାଧିକରଣ ଠିକାଦାର ଓ ବିଭିନ୍ନ ସଂସ୍ଥାଙ୍କୁ ପ୍ରାୟ ୧୮ ହଜାରରୁ ୨୦ ହଜାର ଟଙ୍କା ଦେବାକୁ ଥିବା ବେଳେ ଟେଲିକମ୍ ଶିଳ୍ପ କେନ୍ଦ୍ର ସରକାରଙ୍କଠାରୁ ୩୫ ହଜାର କୋଟି ଟଙ୍କା ପାଇବାର ଅଛି। କେନ୍ଦ୍ର ସରକାରଙ୍କ ଉପରେ ସବୁଠାରୁ ବଡ଼ ବୋଝ ରହିଛି ରାଜ୍ୟ ସରକାରମାନଙ୍କ ଜିଏସଟି ଓ ରାଜ୍ୟ ଭାଗ ବାବଦ ପ୍ରାପ୍ୟ। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟମାନଙ୍କୁ ନଭେମ୍ବର ୨୦୧୯ ସୁଦ୍ଧା ୧.୨ ଟ୍ରିଲିୟନ ଟଙ୍କା ଦେଇସାରିଛନ୍ତି; ତଥାପି ଆହୁରି ବାକି ଅଛି।
ବିଭିନ୍ନ ଉତ୍ସରୁ ଗତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ରାଜକୋଷକୁ ୯୮ ହଜାର କୋଟି ଟଙ୍କା ଆସିବ ବୋଲି ଆକଳନ କରାଯାଇଥିବା ବେଳେ ଆସିଛି ୯୫ ହଜାର କୋଟି ଟଙ୍କା। ଅର୍ଥାତ୍ କେନ୍ଦ୍ର ସରକାର ଧାର୍ଯ୍ୟ ଲକ୍ଷ୍ୟଠାରୁ ଆହୁରି ୩ ହଜାର କୋଟି ଟଙ୍କା ପଛରେ ରହିଛନ୍ତି। ଅପରପକ୍ଷରେ ପଶ୍ଚିମବଙ୍ଗ, କେରଳ ଭଳି କେତେକ ରାଜ୍ୟ ଏଭଳି ସଙ୍କଟ ସମୟରେ ବକେୟା ଅସୁଲ ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିଚାଲିଛନ୍ତି।
ରାଜ୍ୟ ସରକାରଙ୍କ ଅଭିଯୋଗ ହେଲା ଯେ ସେମାନେ କେନ୍ଦ୍ରରୁ ବକେୟା ପାଉନଥିବାରୁ ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ବାକି ପରିମାଣ ବଢ଼ିଚାଲିଛି। ସାମଗ୍ରିକ ଭାବେ ରାଜ୍ୟମାନଙ୍କର ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଉପରେ ମୋଟ ୯୨,୮୯୧ କୋଟି ଟଙ୍କା ବକେୟା ରାଶି ଖାତାରେ ଗଡ଼ୁଥିବାବେଳେ ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରସ ଆସୋସିଏସନ୍ ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟ ସରକାରଙ୍କ ବକେୟା ୭,୫୦୦ କୋଟି ଟଙ୍କା। ସେହିପରି କୋଲ ଇଣ୍ଡିଆ ଉପରେ ୨୨,୭୭୦ କୋଟି ଟଙ୍କା ଓ ଅକ୍ଷୟ ଶକ୍ତି ପ୍ରକଳ୍ପରେ ୯୦୦୦ କୋଟି ଟଙ୍କା ବାକି ପଡ଼ିଛି।
ଲକଡାଉନ୍ ଖୋଲିବା ପରେ ଅର୍ଥନୀତି ଚକର ଗତି ବଢ଼ିବା ସହିତ ରାଜ୍ୟ ସରକାରମାନଙ୍କର ସ୍ୱର ଆହୁରି ଜୋରଦାର ହେବ। ଏବେ କେନ୍ଦ୍ର ସରକାରଙ୍କ ରାଜସ୍ୱ ସଂଗ୍ରହ ଅତି ଧିମା ହୋଇପଡ଼ିଛି। ସାମ୍ପ୍ରତିକ ସ୍ଥିତି ଓ ଗତ କିଛିଦିନର ଧାରାକୁ ଅନୁଶୀଳନ କଲେ ଆର୍ଥିକ ବର୍ଷର ବାକି ସମୟରେ ମଧ୍ୟ ସରକାର ରାଜସ୍ୱ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଯିବେ। ତେଣୁ ରାଜ୍ୟ ଓ ବିଭିନ୍ନ ସଂସ୍ଥାର ବକେୟା ଅଡ଼ୁଆ ତୁଟାଇବା ଏତେ ସହଜ ହେବନାହିଁ। ଅପରପକ୍ଷରେ ସଂଘୀୟ ବ୍ୟବସ୍ଥାରେ ଅଧିକ ଦିନ ଧରି ରାଜ୍ୟମାନଙ୍କର ଦାବିକୁ ଉପେକ୍ଷା କରାଯାଇପାରିବ ନାହିଁ। କେନ୍ଦ୍ର ଏମ୍ଏସ୍ଏମ୍ଇ, ଜାତୀୟ ରାଜପଥ ଓ ସଡ଼କ ପରିବହନ, ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସୂଚନା ଅନୁଯାୟୀ ଦେଶର ଅର୍ଥନୀତି ଗୁରୁତର ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ସରକାର ବକେୟା ବୋଝ ଓ ଅଭିବୃଦ୍ଧି ଯୋଜନା ଖର୍ଚ୍ଚ ମଧ୍ୟରେ କିଭଳି ସମନ୍ୱୟ ରକ୍ଷା କରିବେ ତାହା ଉପରେ ଦେଶର ଅର୍ଥନୀତିର ଭାଗ୍ୟ ନିର୍ଭର କରୁଛି।
ଏହି ସମସ୍ୟାରୁ ମୁକୁଳିବା ପାଇଁ ରଘୁରାମ୍ ରାଜନ୍, କୌଶିକ ବସୁ, ଡି ସୁବାରାଓଙ୍କ ଭଳି ଅର୍ଥନୀତିଜ୍ଞମାନେ ଭାରତ ସରକାରଙ୍କୁ ବାଟ ଦେଖାଇଛନ୍ତି। ମୋଦୀ ସରକାରରେ ଅର୍ଥନୀତିଜ୍ଞଙ୍କ ବିଚାର, ମତ ଓ ପରାମର୍ଶ ସେତେଟା ଗୁରୁତ୍ୱ ଲାଭ କରିନଥିବା ଅତୀତରେ ଦେଖାଯାଇଛି। ଆଜି କିନ୍ତୁ ଭାରତ ସମେତ ସମଗ୍ର ବିଶ୍ୱ ଯେଉଁ ବିପତ୍ତିର ସାମ୍ନା କରୁଛି, ତାହା ଅତୀତର ପରିସ୍ଥିତିଠାରୁ ଭିନ୍ନ। ତେଣୁ ବିପଦରୁ ଦେଶକୁ ଓ ଦେଶବାସୀଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ସୁଚିନ୍ତିତ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଭାରତରେ ବିଚକ୍ଷଣ ଅର୍ଥନୀତିଜ୍ଞଙ୍କ ଅଭାବ ନାହିଁ। ସେମାନଙ୍କ ବୁଦ୍ଧିମତ୍ତା, ଅଭିଜ୍ଞତା ଓ ମାର୍ଗଦର୍ଶନକୁ କେନ୍ଦ୍ର ସରକାର ବିଚାରକୁ ନେବେ ବୋଲି ଆଶା କରାଯାଏ।