ମୁଁ ସିନା ନ କହିଲି…..

କଥା ଅଛି, ‘‘ସତ ପାତାଳରୁ ଫୁଟି ବାହାରେ’’। ପାତାଳ ଯାଏ ସେ ଗମେ ବା ଦବେ କାହିଁକି ଯେ ଫୁଟି ଉଠିବା ଯାଏ କଥା ଯାଏ? କଥାଟା ହେଲା ନିଛକ ସତ ସବୁବେଳେ କଟୁ, ତୀବ୍ର ବା ଅରୁଚିକର। ତେଣୁ ଏକୁ ଲୁଚାଯାଏ, ଛପାଯାଏ। ଯେମିତି ବଡ଼ ଘର ବଡ଼ ଗୁମର କଥା। ତା’ପରେ, ସ୍ବାର୍ଥ ଓ ଅଳିଆ ଯେଉଁ କାମରେ, ଯେଉଁ ଭାବରେ ଯେତେ ବେଶି ସେ ସେତେ ଗୋପନୀୟ। ଯାହାର ଗୋପନୀୟତା ଯେତେ କମ୍‌, ସେ ସେତେ ସ୍ବଚ୍ଛ ହୋଇଥାଏ। ଗାନ୍ଧୀ ସେଇଥିପାଇଁ ନିଜ ଶୋଇବା ଘର କବାଟ କେବେ ବି ବନ୍ଦ ରଖନ୍ତିନି। ନିଦ୍ରା ସମୟର ଅଚେତନତାର ସୁବିଧା ନେଇ ଅବଚେତନତା ଲୋକର ଗୁହ୍ୟ ବା ଗୋପନ ଭାବକୁ ପ୍ରକାଶ କରିଦେଇଥାଏ। ଶୟନ ମୁଦ୍ରାରେ ପ୍ରାୟ ଫିଟିପଡ଼େ ଲୋକର ଭିତିରିଭାବ। ସେମିତି କିଛି କାମ ଆଦାୟ ପାଇଁ ଯାଉଥିବା ଲୋକଟିଏ ଅନ୍ୟ ଲୋକଟି ପ୍ରତିଥିବା ତା’ ଘୃଣାକୁ ସେ କେତେ ଚାପିଚୁପି ଲୁଚଉଥାଏ, ତା’ ଆଗରେ ପ୍ରଶଂସା, ଭକ୍ତିରେ ତାକୁ ଜୁଡ଼ୁବୁଡ଼ୁ କରିଦିଏ। ମାତ୍ର ଏ ବାହ୍ୟ ଆଚରଣ ଅପେକ୍ଷା ଭିତର ଗୋପନ ଭାବ ହିଁ ତାକୁ ଛୁଏଁ। ସେ ଆଉ ଏ ପ୍ରଶଂସା ବା ଭକ୍ତିରେ ଭଳି ଯାଏନି। ତା’ ଭକ୍ତିକୁ ପ୍ରତ୍ୟାଖ୍ୟାନ କଲାବେଳେ କହେ, ‘‘ଅତି ଭକ୍ତି ଚୋରର ଲକ୍ଷଣ’’। ଜଣେ ସ୍ବଚ୍ଛ ଓ ପବିତ୍ର ଭାବର ଲୋକ ଏମିତି ଛଳନାରେ ପ୍ରାୟତଃ ଭଳି ଯାଏନି। ବାକି ଦଳିଆ, ମୁତୁରୀମାନଙ୍କ କଥା ନିଆରା। ତୁଳସୀ ସ୍ତବକରେ କବିବର ରାଧାନାଥ ଲେଖିଛନ୍ତି, ‘‘ଉପୁଡ଼ି ପଡ଼େ ତୀର-ବିଟପୀ ନୀରେ। ବିଟପୀ-ମନ ଯଥା ଲମ୍ପଟ-ଗିରେ।। ମାତ୍ର ଶଇଳ, ଦେଖ ଉଭା ଅଟଳେ। କାମୀଚାଟୁରେ ସତୀ-ମନ କି ଟଳେ।।’’ ସେମିତି ବି ‘‘ନ ଉଠେ ନୀର-ସତ୍ତ୍ବେ ତୃଣ ଉଷରେ, ବିକାରେ କାମ ପ୍ରାୟେ ସନ୍ଥ-ଅନ୍ତରେ।’’

ଏମିତି କେତେ କଥା, କେତେ ଉଦାହରଣ। ଅହରହ ଏ ବ୍ୟସ୍ତମୁଖର ମଣିଷ ଜୀବନର ତିନିପା’ କିନ୍ତୁ ଛଳନାରେ, ଭଣ୍ଡାମିରେ। ଆଉ ଏ କାଳକୁ ଇୟେ ଆହୁରି ବଢ଼ି ଯାଇଛି। ତେଣୁ ଅସାରତା, ଛନ୍ଦକପଟ ମିଥ୍ୟାଚାର, ସ୍ବତଃ ସ୍ବଚ୍ଛ ଜୀବଜଗତର ଜୀବନ ଏ ପ୍ରକୃତିକୁ ବହୁଭାବେ କଳୁଷିତ, କର୍ଦମାକ୍ତ କରି ଦିଅନ୍ତି। ପରିଣତି ତ ଧ୍ବଂସ, କରେନା ଇତ୍ୟାଦି। ସମସ୍ତେ ତ ସ୍ବଚ୍ଛ ଧୋବ ଫରଫର ଦିଶନ୍ତି, ମାତ୍ର ଗନ୍ଧ, ଗନ୍ଧିଆ ଜହର ଯେ ଭିତର ସାରା ଭରି ରହିଛି, ଏ କଥା ସବୁ ସାବଧାନତା ସତ୍ତ୍ବେ ଫିଟି ପଡ଼େ। କବି ତ ଲେଖିଲେ, ‘‘ଚିତ୍ରପ୍ରତିମା ପ୍ରାୟେ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର। ଚର୍ମବେଢ଼ିଛି ସିନା ଚଉରାଶୀକି ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି।’’ କିଏ କେତେବେଳେ କେମିତି ଚିହ୍ନାପଡ଼ିଯାଏ, ଧରାପଡ଼ିଯାଏ, ସେ ବିଷୟରେ ସଂସ୍କୃତରେ ଶ୍ଳୋକ ଅଛି, ‘‘ଯାନିୟାତ୍‌ ପ୍ରେଷଣେ ଭୃତ୍ୟାନ୍‌, ବାନ୍ଧବାନ୍‌ ବ୍ୟସନାଗମେ, ମିତ୍ରଂ ଚାପଦିକାଳେ ଚ ଭାର୍ୟ୍ୟାଂ ଚ ବିଭବକ୍ଷୟେ’’। କୌଣସି ଗୁରୁତର ଓ ବିପଦାପନ୍ନ କାମରେ ଦରକାର ପଡ଼ିଲେ ସେତେବେଳେ ହିଁ ଜଣାପଡ଼ିବ ଏ ଚାକରର ଆନୁଗତ୍ୟ, ପ୍ରଭୁଭକ୍ତି କେତେ। ନ ହେଲେ ତ ନାନା ବାହାନାରେ ସେ ଯିବନି ହିଁ ଯିବନି।

ବନ୍ଧୁମାନଙ୍କୁ କୌଣସି କାମ କାର୍ୟ୍ୟ ସମୟରେ ମାପି ହୋଇଯାଏ ତ, ମିତ୍ରକୁ ବିପଦ ସମୟରେ ଜାଣିହୁଏ। ଡଙ୍ଗା ବୁଡ଼ିଲା ବେଳକୁ ଡେଇଁ ପଳଉଥିବାଗୁଡ଼ା ମୂଷା କେବଳ। ସେମିତି ପ୍ରିୟତମା ସ୍ତ୍ରୀର ଆନୁଗତ୍ୟ, ପ୍ରୀତିପ୍ରେମ ସବୁ ଧରାପଡ଼ିଯିବ, ତଉଲି ହୋଇଯିବ, ସ୍ବାମୀ ଯେତେବେଳେ ଦରିଦ୍ର ଓ ଧନହୀନ ହୋଇପଡ଼ିବ। ଏ ବେଳରେ ତା’ର ଚିଡ଼ିଚିଡ଼ି ଭାବ, ଅବହେଳନ ବଡ଼ ଅସହ୍ୟ ହୋଇଥାଏ। ଏମିତି ସବୁ କଥା। ମାତ୍ର ଅସଲି ଯିଏ ଅସଲି, ନିଆଁରେ ପଡ଼ିଲେ, ଘଷିମାଜି ହେଲେ ସେ ଦାଉ ଦାଉ କରୁଥିବ, ସୁନା ପରା ସିଏ। ଲଲିପପ୍‌ ଲୋଭ ଦେଖାଇ ଏମାନଙ୍କୁ କୋଉ ଟାଣିହୁଏ ନା ଭୟ ଦେଖାଇ ତାଙ୍କ ଭଲପଣିଆରେ କୋଉ ଖାଦ ମିଶେଇ ହୁଏ। ସହିଦମାନଙ୍କୁ ଦେଖୁ ନାହାନ୍ତି!! ଘର, ଦ୍ବାର, ଜୀବନ କିଛି ବି ତାଙ୍କ ନିଷ୍ଠା ଭଲପଣିଆକୁ ଚହଲେଇଦେଇ ପାରେନି। ଶିର ଦିଆ ପର ଶିଶ୍‌ ନ ଦିଆ। ଶିର ଦେଙ୍ଗେ ସାର୍‌ ନେହିଁ ଦେଙ୍ଗେ। ନ ଜୀର୍ଣ୍ଣଂ ତୃଣମତ୍ତିମାନମହତାମଗ୍ରେସର କେଶରୀ’’। ଅନ୍ୟଗୁଡ଼ାଙ୍କ ବାରବରଷିଆ ତପସ୍ୟା ଶୁଖୁଆ ପୋଡ଼ାରେ ଯାଏ। ଇୟେ କୁ ସାଧନା କି ତପସ୍ୟା ଥିଲା? ମୁଣ୍ଡପୋତା କେଳାର ବେପାର ୟେ ଯାହା। ମାଟି ଭିତରେ ମୁଣ୍ଡ ପୋତି, ଗୋଡ଼କୁ ଉପରକୁ ଟେକିରଖି ଦର୍ଶକଙ୍କୁ ଚମତ୍କୃତ, ବିଗଳିତ କରିଦେଉଥିବା ମୁଣ୍ଡପୋତା କେଳା କି ସାଧକ, କି ତପସ୍ବୀ? ସେମିତି ସବୁକଥା। ମାତ୍ର ଆଜିକାଲି ତ ନକଲିମାନ ଏମିତି ଅବିକଳ ତିଆରି ହଉଛି ଯେ ଭଲ ଭେଲ ଜାଣିବା ମୁସ୍କିଲ। ସମସ୍ତେ କୋଉ ବା ଭଲ ଭେଲ ଜାଣିପାରିବେ। ଏଥିକୁ ସାଧନା, ଜ୍ଞାନ ଓ ଶୁଦ୍ଧତା ଲୋଡ଼ା। ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ। ପାଣିରୁ ଦୁଧ ଅଲଗା ଚିଲ କୋଉ କରିପାରିବ? ୟେ ତ ହଂସର ଗୁଣ। ଏବେଳେ ଦୈବୀ ଗୁଣ ଶକ୍ତି ଓ ପ୍ରାରବ୍ଧ କଥା ମନକୁ ଆସେ। ଅଶୋକ ବଣରେ ବନ୍ଦୀ ସୀତା ମା’ଙ୍କୁ ଦୁର୍ଦାନ୍ତ ରାକ୍ଷସ ଓ ରାକ୍ଷସୀ ସବୁ ବେଢ଼ି ବସିଥିଲେ। କି ଭୟ ସୃଷ୍ଟି କରୁ ନ ଥିଲେ। ମାତ୍ର ଏମାନଙ୍କ ମଧ୍ୟରେ ଜଣେ ସୀତାଙ୍କ ପ୍ରତି ବେଶ୍‌ ସ୍ନେହଶୀଳା ଥିଲା। ସଦା ଅଶ୍ରୁମୁଖୀ ସୀତାଙ୍କୁ ସର୍ବଦା ସାନା ଦେଉଥିଲା। ‘‘ଲଙ୍କାରୁ ଯେତେକ ବାହାର ସେତକ ଅସୁରିଆ ଘର’’ ବୋଲି ଢଗ ପ୍ରଚଳିତ। ମାତ୍ର ୟେ କେମିତି ଭିନ୍ନ କିସମର ହେଲା? ସୀତା ଉଦ୍ଧାର ବେଳେ, ଲଙ୍କା ଛାଡ଼ିବା ବେଳେ ସେ ଜଣଙ୍କୁ କୁଣ୍ଢେଇ ପକେଇଥିଲେ, ତାକୁ ଜାକିଧରି ଢେର କାନ୍ଦିଥିଲେ। ଏଇ ଭାଗ୍ୟବତୀ କିଏଲୋ ମା’! କିଏ ଜାଣିଥିଲା ମହାପ୍ରତାପୀ ରାବଣ ମରିବ ଓ ସୀତା ଉଦ୍ଧାର ହେବେ? ମାତ୍ର କିଛି ସ୍ବାର୍ଥ, ପୁରସ୍କାର, ତିରସ୍କାରକୁ ଖାତିର ନ କରି ଏ ସତୀ ସାଧ୍ବୀ ପ୍ରତି ତା’ର ସମବେଦନା ଅନନ୍ୟ ଥିଲା। ସେ ପରା ବିଭୀଷଣଙ୍କ କନ୍ୟା ତ୍ରିଜଟା। ବୀର୍ୟ୍ୟ ଗୁଣେ ମିରିଗ ଫୁଟୁଫୁଟିକା। ଯେ କୌଣସି ପରିସ୍ଥିତିରେ ମଧ୍ୟ ଏମାନେ ଏମାନଙ୍କ ଗୁଣ କି ଦୋଷ ଛାଡ଼ି ନ ଥା’ନ୍ତି। ସାପ ପ୍ରଭୁଙ୍କୁ କହିଲା, ‘‘ଗରଳେ କଲୁ ଅଧିକାରୀ, ସ୍ବଭାବ ଛାଡ଼ିବି କିପରି?’’

ଆଜି ସେମିତି ସବୁ ଘଟୁଛି, ଜାଣିଲେ କେତେ ନ ଜାଣିଲେ କେତେ? ମଣିଷପଣିଆ ହେଲା, ତଳଉପର ଓ ଫେଣ୍ଟା ହେବାର ଗୋଟେ ଭୟାନକ ବେଳ ଆସି ପହଞ୍ଚିଛି। ବାରି ହୋଇପଡ଼ୁଛନ୍ତି ସଭିଏଁ ଏଇଲେ, ଉପରେ ପଡ଼ିଲେ କିଏ କେତେ ସମ୍ଭାଳିବ? ବନ୍ଧୁ ଅବନ୍ଧୁ ବେଶ୍‌ ବାରି ହୋଇପଡ଼ୁଛନ୍ତି। ‘କରୋନା’ ରୋଗ ପ୍ରଥମେ ଚୀନ୍‌ରୁ ବାହାରିଲା। ମାତ୍ର ଏ ରୋଗ ପ୍ରତି ତା’ର ଭିନ୍ନ ଭାବ, ତା’ର ଅସାବଧାନତା ସାରା ବିଶ୍ବରେ ଏ ରୋଗ ବ୍ୟାପ୍ତ କରାଇଦେଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ଭୂମିକା ଏ ସମ୍ବନ୍ଧରେ ମଧ୍ୟ ସମାଲୋଚନା ପରିସରକୁ ଆସିଲା। ଆମେରିକା, ବିଲାତ ଓ ଇଟାଲୀ ଭଳି ଦେଶରେ ମୃତ୍ୟୁ ଆତଙ୍କ ହାହାକାର ଖେଳାଇ ଦେଇଛି। ମହାଧନୀ, ମହାମାନୀ, ମହାଜ୍ଞାନୀ ଓ ବିଜ୍ଞାନୀ ଆମେରିକାର ଅସହାୟତା ବାସ୍ତବିକ୍‌ ପ୍ରଭୁକୂଟ ବା ମାୟା ବ୍ୟତୀତ ଆଉ କ’ଣ କୁହାଯାଇ ପାରିବ? ଛାର ଏକ ରୋଗର ଜୀବାଣୁ, କୀଟାଣୁ ବିଷୟରେ ନିଜର ଅସହାୟତାରୁ ଜଣେ ପରମେଶ୍ବର ଯେ ଅଛନ୍ତି ତା’ ମାନିବାକୁ ଆଜି ପ୍ରାୟ ସମସ୍ତେ ପ୍ରସ୍ତୁତ। ମାତ୍ର ଆମେରିକା ରାଷ୍ଟ୍ରପତି ଏଇବେଳେ ପରଖୁଛନ୍ତି ଏ ବିଶ୍ବ ସଂସ୍ଥାର, ବିଶ୍ବସନୀୟତା ଓ ନିଷ୍ଠା କଥା। କରୋନା ରୋଗ ବ୍ୟାପିବାରେ ଚୀନର ଯେ ମୁଖ୍ୟ ଭୂମିକା ଥିଲା ତା’ ଅନସ୍ବୀକାର୍ୟ୍ୟ।

ମାତ୍ର ଏ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କର୍ମକର୍ତ୍ତାମାନେ କାହିଁକି ଓ କେମିତି ଚୀନର ଏ ଭୂମିକାକୁ ଲୁଚେଇଲେ ନାହିଁ କେବଳ, କରୋନା ସମ୍ପର୍କିତ ତଥ୍ୟମାନ ଭ୍ରମାତ୍ମକ ଥିବାରୁ ଏହା ବିଶ୍ବବ୍ୟାପ୍ତ ହୋଇଗଲା ବୋଲି ଏବେ ମତ ପ୍ରକାଶ ପାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତା’ର ନ୍ୟାୟିକ ଓ ନୈତିକ ଦାୟିତ୍ବ ସମ୍ପାଦନରେ ଅସଫଳ ଓ ଅକୃତକାର୍ୟ୍ୟ ହୋଇଥିବାର ମତ ପ୍ରକାଶ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଆମେରିକା ପ୍ରତିବର୍ଷ ସର୍ବାଧିକ ୪୦୦ ରୁ ୫୦୦ ନିୟୁତ ଡଲାର ଅନୁଦାନ ଦେଉଥିବା ବେଳେ, ଏଭଳି ଉଦ୍ଦେଶ୍ୟମୂଳକ, ନୀତିହୀନ କାର୍ୟ୍ୟରେ ବ୍ୟାପୃତ ଥିବା ଏ ସଂଗଠନକୁ ଆଉ ଏ ଅନୁଦାନ ଦିଆଯିବନି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରି ସାରା ବିଶ୍ବରେ ଚମକ ସୃଷ୍ଟି କରିଛନ୍ତି। କେତେକ ଏପରି କାର୍ୟ୍ୟାନୁଷ୍ଠାନକୁ ନାପସନ୍ଦ କରୁଥିବାବେଳେ ଆଉମାନେ ଏ ଦୃଢ଼ ପଦକ୍ଷେପର ପ୍ରଶଂସା କରିଛନ୍ତି। ବିଶ୍ବର ବିଶ୍ବସନୀୟ ଏ ସ୍ବାସ୍ଥ୍ୟ ସଂସ୍ଥା ଯଦି ଚୀନର କ୍ରୀଡ଼ନକ ସାଜିବ, ଭ୍ରମାତ୍ମକ ତଥ୍ୟ ଦେବ ଓ ତା’ ପତିଆରାକୁ ଏଭଳି ଭୂଲୁଣ୍ଠିତ କରିବ ତେବେ ସେ ଅନୁଦାନ ଆଶା କରିବ କେମିତି, ଜଣେ ବି ଦେବ ବା କାହିଁକି? ଧରାପଡ଼ିଗଲେ ଶେଷକୁ ଚୀନ ଓ ଏ ସ୍ବାର୍ଥାନ୍ଧ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଚୀନ ମାତ୍ର ୪୦ ନିୟୁତ ଡଲାର ଅନୁଦାନ ଦେଉଥିବା ବେଳେ ୟା ପ୍ରତି ଏ ପ୍ରୀତି କୋଉ ନୈତିକତାର ଆଧାର ଅନୁଗତ ବୋଲି ପ୍ରଶ୍ନ ଉଠୁଛି। ଆମେରିକା ତ ଲାଣ୍ଡୀ ଗାଈ ନୁହଁ, ଦେଖେଇ ଦେଲା ଶିଙ୍ଗ। ଯିଏ ବନ୍ଧୁନୁହଁ, ଯିଏ ସୁନା ମିରିଗ ନୁହଁ ମାରୀଚ ରାକ୍ଷସ, ସେ ତ ମରିବ ହିଁ ମରିବ। ତା’ ପ୍ରତି ଦୟା ମାୟା ଅନୁକମ୍ପା କୋଉ ଫାବିବ? ତା’ ପରେ ଦି’ ଦେଶ ଚୀନ ଓ ଆମେରିକା ତ ‘ଯେସାକୁ ତେସା’ ନୀତିରେ ବିଶ୍ବାସୀ, ଅନୁଗତ। ଏମାନେ କ’ଣ ଉଦାର ଭାରତବର୍ଷ କି? ଆମେ ସିନା ଚୀନ ଆଗରେ ତୁନି ପଡ଼ିଯାଉଛେ, ବୃହତ୍ତର ବିଶ୍ବଶାନ୍ତି ପାଇଁ, ଜାତୀୟ ସ୍ବାର୍ଥ ପାଇଁ ସାଲିସ ଏ ପଡ଼ୋଶୀ ସହ କରୁଚେ, ଆମେରିକା କିଆଁ ମାନନ୍ତା? ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଏ ବୃହତ୍‌ ପାଣ୍ଠି ଅଭାବରେ ଚାଲିପାରିବ ତ? ଚାଲିଲେ ବି କୁ ଆକର୍ଷଣ ଓ ସମ୍ମାନ ଏଥିକୁ ରହିବ? ଆମେରିକାର ଏ ଦୃଢ଼ ପଦକ୍ଷେପରେ ମନକୁ ଆସେ ଆମ ଗାଁ ଗହଳିର ଢଗ,

‘‘ମୁଁ ସିନା ନ କହିଲି ମାଡ଼ର ଡରେ
ଦିଅଁ ଏବେ ଗାଳି ଦେଲେ ପୂଜାର ବେଳେ।’’

Comments are closed.