ପାଣ୍ଠି ବିବାଦ : ବିପତ୍ତିସମୟରେ ଏକତା ଜରୁରୀ

ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ(କୋଭିଡ୍‍-୧୯)ରେ ସଂକ୍ରମିତ ଓ ପ୍ରଭାବିତଙ୍କୁ ଆର୍ଥିକ ସହାୟତା ନିମନ୍ତେ ଭାରତ ସରକାର ପ୍ରାଇମ୍‍ମିନିଷ୍ଟର ସିଟିଜେନ୍‍ସ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‍ ଇନ୍‍ ଏମର୍ଜେନ୍ସି ସିଚ୍ୟୁଏସନ୍‍(ପିଏମ୍‍କେୟାର) ପାଣ୍ଠି ଘୋଷଣା କରିବା ପରେ ଏହାର ଯଥାର୍ଥତା ଓ ଆବଶ୍ୟକତା ଉପରେ ପ୍ରଶ୍ନ ଉଠିଛି। ଜାତୀୟ ବିପତ୍ତି ଓ ଦୈବୀ ଦୁର୍ବିପାକ ଜନିତ କ୍ଷୟକ୍ଷତିର ଭରଣା ପାଇଁ ଜାତୀୟ ରିଲିଫ୍‍ ପାଣ୍ଠି ଥିବା ସତ୍ତ୍ବେ ପୁଣି ଏକ ନୂଆ ପାଣ୍ଠି ଗଠନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ ଆସିଛି। ଅପରପକ୍ଷରେ କରୋନା ଭଳି ଏକ ମହାସଙ୍କଟ ସମୟରେ ଏଭଳି ଅଭିଯୋଗ ଓ ବିତର୍କକୁ କିଛି ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

ସ୍ଥୂଳ ବିଚାରରେ ସ୍ୱତନ୍ତ୍ର ପାଣ୍ଠି ଗଠନର ଆବଶ୍ୟକତା ଉପରେ ପ୍ରଶ୍ନ ଉଠୁଛି। ତେଣୁ ଏ ସଂକ୍ରାନ୍ତୀୟ କେତେକ ଆପତ୍ତି ଅଭିଯୋଗ ଠିକ୍‍ ବୋଲି ଜନସାଧାରଣଙ୍କ ମନରେ ଧାରଣା ସୃଷ୍ଟି ହେଉଛି। ଅପରପକ୍ଷରେ ସାମ୍ପ୍ରତିକ ସ୍ଥିତି ଓ ଜାତୀୟ ରିଲିଫ୍‍ ଫଣ୍ଡର କାର୍ଯ୍ୟଧାରା ଓ ପ୍ରଦର୍ଶନର ପୃଷ୍ଠଭୂମିରେ ସ୍ୱତନ୍ତ୍ର ପାଣ୍ଠି ଗଠନ ନିଷ୍ପତ୍ତି ଯଥାର୍ଥ ବୋଲି ମନେ ହେଉଛି। ଜାତୀୟ ରିଲିଫ୍‍ ଫଣ୍ଡର ଇତିହାସ ସମ୍ପର୍କରେ ଚୁମ୍ବକରେ ଦୃଷ୍ଟିପାତ କଲେ ଏହି ଆଲୋଚନା ଅଧିକ ସ୍ପଷ୍ଟ ହେବ।

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‍ ପାଣ୍ଠି (ପିଏମ୍‍ଏନ୍‍ଆରଏଫ୍‍) ଭାରତର ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ ୧୯୪୮ ମସିହାରେ ଗଠିତ ହୋଇଥିଲା। ୧୯୪୭ରେ ଦେଶ ବିଭାଜନ ସମୟର ଭୟାବହତା ଓ ସଙ୍କଟଜନକ ସ୍ଥିତିରେ ପ୍ରପୀଡ଼ିତଙ୍କୁ ଆର୍ଥିକ ସହାୟତା ଦେବା ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହେରୁଙ୍କ ଦ୍ୱାରା ଗଠିତ ଏହି ପାଣ୍ଠିର ପରିଚାଳନାରେ ୧୯୮୫ ମସିହା ପର୍ଯ୍ୟନ୍ତ ରାଜନେତା, ମନ୍ତ୍ରୀ ଓ ଘରୋଇ ଶିଳ୍ପପତିଙ୍କ ସଦସ୍ୟତା ଓ ସକ୍ରିୟତା ରହିଥିଲା। ୧୯୮୫ରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ପରିଚାଳନା କମିଟିକୁ ଭଙ୍ଗ କରି ପାଣ୍ଠି ପରିଚାଳନା ଓ ସମସ୍ତ ନୀତିଗତ ନିଷ୍ପତ୍ତିର ଏକଚାଟିଆ ଅଧିକାର ପ୍ରଧାନମନ୍ତ୍ରୀଙ୍କ ହାତରେ ନ୍ୟସ୍ତ କରାଗଲା। ଅବଶ୍ୟ ପାଣ୍ଠି ପରିଚାଳନାର ଔପଚାରିକତା ଓ କାର୍ଯ୍ୟକାରିତା ତଦାରଖ ପାଇଁ ଜଣେ ସଚିବ ସ୍ତରୀୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଗଲା। ପାଣ୍ଠିର ହିସାବକିତାବ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍‍(ସିଏଜି)ଙ୍କ ଦ୍ୱାରା ନ ହୋଇ ଜଣେ ତୃତୀୟ ପକ୍ଷଙ୍କ ଦ୍ୱାରା ହେବାର ବ୍ୟବସ୍ଥା ରଖାଗଲା, ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି।

ଅପରପକ୍ଷରେ ପିଏମ୍‍ କେୟାରରେ ନୀତିଗତ ଓ ଆବଣ୍ଟନ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାରିଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଏବେ ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଛନ୍ତି। ତେଣୁ ଗଣତାନ୍ତ୍ରିକ ଦୃଷ୍ଟିକୋଣରୁ ପିଏମ୍‍ କେୟାର ଅଧିକ ନମନୀୟ, ସ୍ୱଚ୍ଛ ଓ କ୍ରିୟାଶୀଳ ବୋଲି ବୁଝାପଡ଼ୁଛି।

ଏକ ଟ୍ରଷ୍ଟ ଭାବେ ଜନ୍ମ ଲାଭ କରିଥିବା ପିଏମ୍‍ କେୟାର ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ଓ କାର୍ଯ୍ୟଧାରା ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ, କିନ୍ତୁ ପ୍ରାଥମିକ ଭାବରେ ଏହା ପ୍ରତୀୟମାନ ହେଉଛି ଯେ ପ୍ରଥମତଃ, ଜାତୀୟ ରିଲିଫ୍‍ ପାଣ୍ଠିକୁ କରାଯାଉଥିବା ଦାନ କରୋନା ବ୍ୟତୀତ ଅନ୍ୟ ବିପତ୍ତି ବା ଅନ୍ୟ ଅର୍ଥରେ ଖର୍ଚ୍ଚ ବା ବିନିଯୋଗ କରାଯାଇପାରେ, କିନ୍ତୁ ପିଏମ୍‍କେୟାର ଘୋଷଣା ହେବା ପରେ ଦାତାଙ୍କୁ ଏହା ହୃଦ୍‍ବୋଧ ହେବ ଯେ ଏହି ପାଣ୍ଠି କେବଳ କରୋନା ବିପତ୍ତି ପରିଚାଳନା ଓ ପ୍ରଭାବିତଙ୍କ ସହାୟତାରେ ଖର୍ଚ୍ଚ ହେବ। ଏହାଦ୍ୱାରା ପାଣ୍ଠିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରତି ବିଶ୍ୱସନୀୟତା ଏବଂ ସୁଅ ବୃଦ୍ଧି ପାଇବ।
ଜାତୀୟ ରିଲିଫ୍‍ ପାଣ୍ଠିରେ ଏବେ ୩,୮୦୦(ଡିସେମ୍ବର ୨୦୧୯ ସୁଦ୍ଧା) କୋଟି ଟଙ୍କା ଅଛି, କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା ଏକ ଜମା ଓ ସୁଧ ଆୟକାରୀ ମେସିନ୍‍ରେ ପରିଣତ ହୋଇଛି। ୨୦୦୯ ରୁ ୨୦୧୩ ମଧ୍ୟରେ ପାଣ୍ଠିକୁ ୧୦୬ କୋଟି ଟଙ୍କା ଦାନ ଆକାରରେ ମିଳିଥିବା ବେଳେ ସୁଧ ବାବଦ ଆୟ ଥିଲା ୬୨୦ କୋଟି ଟଙ୍କା।

କେବଳ ୨୦୦୪-୦୫ ଆର୍ଥିକ ବର୍ଷକୁ ବାଦ୍‍ଦେଲେ ଜାତୀୟ ରିଲିଫ୍‍ ଫଣ୍ଡକୁ ଦାନ ପରିମାଣ ମଧ୍ୟ ସେତେ ଉତ୍ସାହଜନକ ନୁହେଁ। ୨୦୦୪ରେ ସୁନାମୀ ପରେ ଯେଉଁ ଦେଶାତ୍ମବୋଧ ଭାବନା ସୃଷ୍ଟି ହୋଇଥିଲା ତାହାର ପ୍ରଭାବରେ ସେହି ବର୍ଷ ଜାତୀୟ ରିଲିଫ୍‍ ପାଣ୍ଠିକୁ ରେକର୍ଡ ୯୨୬ କୋଟି ଟଙ୍କା ମିଳିଥିଲା। ଅପରପକ୍ଷରେ ଏ ପର୍ଯ୍ୟନ୍ତ ପିଏମ୍‍ କେୟାରକୁ ବଦାନ୍ୟ ବ୍ୟକ୍ତି, ଶିଳ୍ପପତି ଓ ତାରକାଙ୍କ ଦାନ ପରିମାଣ ୨ ହଜାର କୋଟି ଟଙ୍କା ଟପିସାରିଛି। ଜାତୀୟ ରିଲିଫ୍‍ ପାଣ୍ଠିରେ ସର୍ବନିମ୍ନ ଦାନ ପରିମାଣ ୧୦୦ ଟଙ୍କା ଥିବା ବେଳେ ପିଏମ୍‍ କେୟାରରେ ତାହା ୧୦ ଟଙ୍କା ରଖାଯାଇଛି। ଏହିସବୁ ଦୃଷ୍ଟିରୁ ପିଏମ୍‍ କେୟାର ଅଧିକ ସରଳ ଓ ଗତିଶୀଳ ବୋଲି ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇଛି।

ଜାତୀୟ ରିଲିଫ୍‍ ପାଣ୍ଠି ସ୍ୱାସ୍ଥ୍ୟଗତ ବା ଚିକିତ୍ସା ସହାୟତା, ହିଂସା କିମ୍ବା ଦୁର୍ଘଟଣା ଜନିତ ଅନୁକମ୍ପାମୂଳକ ସହାୟତା ଘୋଷଣାରେ ଅଧିକରୁ ଅଧିକ ବିନିଯୋଗ ହୋଇ ଆସୁଥିବାରୁ ତୁଳନାତ୍ମକ ଭାବେ ପିଏମ୍‍ କେୟାର ଅଧିକ ଲକ୍ଷ୍ୟଭିତ୍ତିକ ଓ ନିର୍ଦିଷ୍ଟ ବୋଲି ହୃଦ୍‍ବୋଧ ହେଉଛି। ପିଏମ୍‍ କେୟାରରେ ଦୋଷତ୍ରୁଟିମୁକ୍ତ ହୋଇ ନପାରେ, କିନ୍ତୁ କରୋନା ସଂକ୍ରମଣ ଭଳି ଏକ ବିଶ୍ୱବିପତ୍ତି ସମୟରେ ଏହାକୁ ବିବାଦ ମଧ୍ୟକୁ ଟାଣିବା ଉଚିତ ହେବ ନାହିଁ।

Comments are closed.