‘ତୋ ତହୁଁ ଆନ ଗତି ନାହିଁ’

ଆସ ପ୍ରସ୍ତୁତ ରହିବା ଓ ଈଶ୍ବରଙ୍କୁ ସ୍ମରଣ କରିବା

ସର୍ଜନା ଓ ସଂହାର ସୃଷ୍ଟିର ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ଧାରାରେ ସଂସାର ଚାଲିଛି। ଏହାର ଆଦି ଅନ୍ତ ଖୋଜି ପାଇବା ମଣିଷ ପକ୍ଷେ ଦୁରୂହ। ସଭ୍ୟତା ପରେ ସଭ୍ୟତା ଆସିଛି ଓ ଲୋପ ପାଇଛି। ପ୍ରାକୃତିକ ପ୍ରକ୍ରିୟାରେ ଅନେକ ଲୋପ ହୋଇଛି ଓ ସେଇ ଧାରାରେ ନୂଆ ସର୍ଜନା ଗଢ଼ିଉଠିଛି। ତା’ ଭିତରେ ସମୟର ପ୍ରବାହରେ ଜୀବଜଗତ ତା’ର ନିରନ୍ତର ଉପସ୍ଥିତି ବଜାୟ ରଖିଛି। ବେଳେବେଳେ କେତେକ ସଭ୍ୟତାର ବିଲୋପ ପାଇଁ ପୃଥିବୀର ଶ୍ରେଷ୍ଠ ଜୀବ ମଣିଷକୁ ଇତିହାସ ଦାୟୀ କରିଛି। ସେଥିପାଇଁ ମଣିଷକୁ ଦାୟିତ୍ବସମ୍ପନ୍ନ, ସଂଯମ ଓ ସଦାଚାରୀ ହେବାକୁ ଯୁଗେଯୁଗେ ବିଭିନ୍ନ ସଭ୍ୟତାର ଶାସ୍ତ୍ର ପୁରାଣ ଓ ନୀତିକଥାରେ ପରାମର୍ଶ ଦିଆଯାଇଛି। ସେ ସବୁର ପାଳନକୁ ଏକ ପ୍ରକାର ବାଧ୍ୟତାମୂଳକ କରିବା ପାଇଁ ଧର୍ମସହିତ ତାହାକୁ ଯୋଡ଼ି ଦିଆଯାଇଛି। ଏସବୁ ସତ୍ତ୍ବେ ପ୍ରକୃତି ମଝିରେମଝିରେ ତାହାର କରାଳ ରୂପ ଦେଖାଇ ଥାଏ। ଜଣାଅଜଣା ଅନେକ ବିପତ୍ତି ଜୀବଜଗତ ପାଇଁ ଆଣେ ଏବଂ ମଣିଷ ସେ ସବୁ ପାଖରେ ତୁଚ୍ଛ ହୋଇଯାଏ।
ପ୍ରକୃତି ତ ସବୁବେଳେ ଭୟଙ୍କର ଓ କରାଳ। ତା’ର ଦୟାରେ ଜୀବଜଗତ, ବିଶେଷକରି ମଣିଷ ସମାଜ ବଞ୍ଚିବାକୁ ଚେଷ୍ଟାକରେ। ଶାନ୍ତ ପ୍ରକୃତିର ସୁଯୋଗ ନେଇ ବିକାଶର ପର୍ବ ଆରମ୍ଭ କରେ। ସଂହାରଲୀଳା ଆସିଲେ ମୁଣ୍ଡପାତି ସହିନେଇ ପୁଣି ଅଣ୍ଟା ସଳଖି ଛିଡ଼ା ହୁଏ। ସେଇ ପରୀକ୍ଷାନିରୀକ୍ଷାରୁ ସଭ୍ୟତା ଗଢ଼ିଉଠେ। ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ବ୍ୟାଧି ବିରୋଧରେ ପ୍ରତିକାର ବ୍ୟବସ୍ଥା କରି ଶିଖେ। ନିଜେ ବଞ୍ଚେ ଅନ୍ୟକୁ ବଞ୍ଚାଇବାର ବାଟ ଦେଖାଏ। ମଣିଷ ଯେତେବେଳେ ପ୍ରଥମେ ବ୍ୟବସ୍ଥିତ ଓ ଗୋଷ୍ଠୀଗତ ଜୀବନ ଆରମ୍ଭ କଲା ତାହାର ପ୍ରଥମ ସହଜୀବୀ ଥିଲେ ପଶୁପକ୍ଷୀ ଓ ବୃକ୍ଷଲତା। ସେ ଚାଷବାସ କରି ଫସଲ ଓ ଫଳମୂଳ ଖାଇଲା। ଗୋସଂପଦ ତାଙ୍କୁ ଖାଦ୍ୟ ଓ ପୁଷ୍ଟିକର ଆହାର ଯୋଗାଇଲା। ଏହି ପ୍ରକ୍ରିୟାରେ ସେ ସମୟର ମଣିଷ ପ୍ରଥମଥର ପାଇଁ କିଛି ଅଦୃଶ୍ୟ ବିପତ୍ତିର ସମ୍ମୁଖୀନ ହେଲା। ପଶୁପକ୍ଷୀ ଓ ବୃକ୍ଷଲତା ଲବ୍ଧ କିଛି ଖାଦ୍ୟ ଯୋଗୁଁ ଜୀବାଣୁ ଓ ଭୂତାଣୁ ସଂକ୍ରମଣଜନିତ ବ୍ୟାଧି ବ୍ୟାପୀ ମଣିଷ ସମାଜ ପ୍ରତି ବିପଦ ସୃଷ୍ଟି କଲା। ଗଭୀର ଅନୁସନ୍ଧିତ୍ସା, ପରୀକ୍ଷାନିରୀକ୍ଷାରୁ ମଣିଷ ଜାଣିପାରିଲା ଯେ କିଛି ବ୍ୟାଧି ଖାଦ୍ୟପାନୀୟ ଦ୍ବାରା ବ୍ୟାପୁଛି। ତେଣୁ ସେ ପରିଚ୍ଛନ୍ନ ପରିବେଶରେ ରହି ଖାଦ୍ୟକୁ ଭଲ ଭାବେ ସିଝାଇ ଖାଇଲା। ଦୁଧକୁ ସିଝାଇ ପିଇଲା। ପରିଷ୍କାର ପାଣି ବ୍ୟବହାର କଲା ଓ ନିଜ ପରିବେଶକୁ ସଫାସୁତୁରା ରଖିଲା। ଜୀବନ ପ୍ରତି ଗଭୀର ମମତ୍ବବୋଧ ଓ ଜିଜ୍ଞାସାରୁ ମଣିଷ କ୍ରମେ ଔଷଧ ବାହାର କଲା ରୋଗର ପ୍ରତିଷେଧକ ଓ ଚିକିତ୍ସା ପାଇଁ। ସେଇ ପ୍ରକ୍ରିୟା ଥିଲା ସୁଦୀର୍ଘ ଓ ଧାରାବାହିକ। ପ୍ଲେଗ୍‌, ବସନ୍ତ, ହଇଜା, କାଲାଜର ଆଦି ଅନେକ ମହାମାରୀକୁ କାବୁ କରିବାର ଉପାୟ ମଣିଷ ବାହାର କଲା ଏବଂ ତା’କୁ କୁହାଗଲା ବୈଜ୍ଞାନିକ ଉପଲବ୍ଧି ଓ ସଭ୍ୟତାର ଉଦ୍‌ବର୍ତ୍ତନ।
ଏସବୁ ସତ୍ତ୍ବେ ପ୍ରକୃତି ତା’ର ସ୍ବାଭାବିକ ପ୍ରକ୍ରିୟାରେ ମଝିରେମଝିରେ ଅନେକ ଅଦୃଶ୍ୟ ବ୍ୟାଧିକୁ ପ୍ରୟୋଗ କରୁଛି ମଣିଷ ସମାଜ ପ୍ରତି। କିଏ ଭୂତାଣୁ ଆକାରରେ ତ କିଏ ଜୀବାଣୁ ବା ଅନ୍ୟ ରୂପରେ ଆସୁଛି ଯାହାକୁ ଦେଖିବା ଓ ତା’ର ସ୍ବଭାବ ନିର୍ଣ୍ଣୟ କରିବା ତଥାକଥିତ ଆଧୁନିକ ବିଜ୍ଞାନ ଓ ମଣିଷ ପକ୍ଷେ ସମ୍ଭବ ହେଉନାହିଁ। କରୋନା ସେଭଳି ଏକ ରହସ୍ୟମୟ ବ୍ୟାଧି ଯାହା ଏବେ ବିଶ୍ବରେ ମହାମାରୀ ରୂପ ନେଇ ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ନାହିଁ। ଏହି ଭୂତାଣୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପୁଥିବାରୁ ସେମାନଙ୍କଠାରୁ ଦୂରେଇ ରହିବା ଓ ବ୍ୟବଧାନରକ୍ଷା କରିବା ଏକମାତ୍ର ଉପାୟ। ସମଗ୍ର ପୃଥିବୀ ସହିତ ଭାରତ ମଧ୍ୟ ଏଇ ଅଦୃଶ୍ୟ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି। ଜଣା ଇତିହାସରେ ଏଭଳି ବ୍ୟାଧି କେବେ ଦେଖା ଦେଇନଥିଲା।
ଏହାସତ୍ତ୍ବେ ବୈଜ୍ଞାନିକମାନେ ଏହି ଭୂତାଣୁକୁ ଚିହ୍ନଟ କରି ତାହାର ଜନ୍ମକୁଣ୍ଡଳୀ ନିର୍ଦ୍ଧାରଣ କରିସାରିଲେଣି। ଏହାର ନିୟନ୍ତ୍ରଣ ଓ ବିଲୋପ ପାଇଁ ଖୁବ୍‌ କମ୍‌ଦିନରେ ଆମେରିକାରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇ ମଣିଷ ଦେହରେ ପରୀକ୍ଷାମୂଳକ ପ୍ରୟୋଗ ହେଲାଣି। ଜୀବନଶୈଳୀ ପରିବର୍ତ୍ତନ ପାଇଁ ଏବେ ସମଗ୍ର ବିଶ୍ବର ଜନତା ଘରମଧ୍ୟରେ ଆବଦ୍ଧ ହୋଇ ପ୍ରୟାସ ଆରମ୍ଭ କଲେଣି। ଧୈର୍ଯ୍ୟ, ସଂଯମ ଓ ସାହସର ସହିତ ପରିସ୍ଥିତିର ମୁକାବିଲା ପାଇଁ ସଂକଳ୍ପ ନେଲେଣି। ଏହା ଏକ ବଡ଼ ଉପଲବ୍ଧି। କରୋନା ବ୍ୟାପିନଥିଲେ ଏ କାମଟି ସହଜରେ ହୋଇନ’ଥାନ୍ତା। ସଭ୍ୟ ଓ ସଚେତନ ମଣିଷ କରୋନାକୁ ମୃତ୍ୟୁ ପୁରୁଷଭାବେ ନ’ଦେଖି ଏହାକୁ ଜୟ କରିବାକୁ ସବୁ ବୁଦ୍ଧିବଳ ପ୍ରୟୋଗ କରୁଛି। ଭାଗବତକାର ଜଗନ୍ନାଥ ଦାସେ ତ’ ଲେଖିଛନ୍ତି,- ପ୍ରାଣୀ ଜୀବନେ ଆଶା ଯେତେ, ଅଧିକ କିବା ଏ ଜଗତେ।’ ତେଣୁ ତାଙ୍କରି ଭାଷାରେ ଆମକୁ ମନେ ରଖିବାକୁ ପଡ଼ିବ, ‘କୁଶଳ କର୍ମ ଯେ କରନ୍ତି, ସେ ଫଳ ଏ ଦେହେ ଭୁଂଜନ୍ତି।’
କରୋନା ଭଳି ଅଜ୍ଞାତ ମହାମାରୀ ଅନେକ ମାନବୀୟ ସଂକଟ ତ ନିଶ୍ଚୟ ସୃଷ୍ଟି କରିବ। ଦୁଃଖ, କଷଣ, ମୃତ୍ୟୁ ଓ ଅବସାଦ ଆସିବ। ଏହି ବିପତ୍ତିର କଷଣ ଅନେକଙ୍କୁ ଅଶେଷ ଯାତନା ଦେବ। ସାରା ଭାରତ ଲକ୍‌ ଡାଉନ ହୋଇଥିବାବେଳେ କୋଟିକୋଟି ଶ୍ରମିକ, ଦିନ ମଜୁରିଆ, ଭିକାରି, ନିରାଶ୍ରୟ, ଅନାଥ ନାହିଁ ନଥିବା କକର୍ଥନା ମଧ୍ୟରେ କାଳ କାଟୁଛନ୍ତି। ସେମାନଙ୍କ ଦୁଃଖ ପାଇଁ ପ୍ରଧାନମନ୍ତ୍ରୀ ନିଜେ କ୍ଷମା ପ୍ରାର୍ଥନା କରିବା ସହ ସେମାନଙ୍କୁ ଉପଯୁକ୍ତଭାବେ ଥଇଥାନ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏଭଳି ଏକ ଘଡ଼ିସନ୍ଧି କାଳରେ ଆମମାନଙ୍କ ମଧ୍ୟରୁ ଅନେକ ନିଜନିଜର ପ୍ରିୟଜନଙ୍କଠାରୁ ଦୂରରେ ରହିବାକୁ ବାଧ୍ୟ ହୋଇଛନ୍ତି। ଦୁଃଖର ଏହି ଘଡ଼ିରେ ସରକାର ସବୁମନ୍ତେ ନିଜର ପ୍ରୟାସ ଜାରି ରଖିଛନ୍ତି। ଏହି ପ୍ରକ୍ରିୟାରେ ତ୍ରୁଟିବିଚ୍ୟୁତି ରହିବ ଏବଂ ତାହାକୁ ବର୍ତ୍ତମାନ ସମାଲୋଚନା ନ’କରି ସମାଧାନର ବାଟ ଦେଖାଇବା ଓ ଏଥିରେ ସହଯୋଗ କରିବା ଆମ ସମସ୍ତଙ୍କର ନୈତିକ ଓ ଜାତୀୟ କର୍ତ୍ତବ୍ୟ। ଏ ମହାମାରୀ କେତେକାଳ ଚାଲିବ ତା’ର କିଛି ଇୟତ୍ତା ନଥିବାରୁ ଏକ ଲମ୍ବା ଲଢ଼େଇ ଓ ଦୀର୍ଘ ଦୁର୍ଦିନକୁ ସହ୍ୟ କରିବାକୁ ଆମକୁ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡ଼ିବ। ଏଇ ଲଢ଼େଇରେ ଯେଉଁମାନେ ସମ୍ମୁଖରେ ରହି ଲଢ଼ୁଛନ୍ତି ସେମାନେ ଅସଲ ନାୟକ। ସେମାନଙ୍କ ପ୍ରତି ଆମର ଭାବଗତ ସମ୍ପର୍କ ବଜାୟ ରଖିବାର ସମୟ ଆସିଛି।
କୁହାଯାଏ ବିଜ୍ଞାନ ଯେତେବେଳେ ବିଫଳ ହୁଏ, ସେତେବେଳେ ଆଧ୍ୟାତ୍ମିକତା ସହାୟକ ହୋଇଥାଏ। ହେଲେ ବିଜ୍ଞାନ ଏଯାଏ ଏ କ୍ଷେତ୍ରରେ ହାତ ଟେକିଦେଇ ନାହିଁ। କରୋନାର ମୁକାବିଲା ପାଇଁ ପ୍ରୟାସ ଜାରି ରହିଛି। ମାନବିକ ପ୍ରୟାସ ମଧ୍ୟ ଚାଲିଛି। ତଥାପି ଅଧ୍ୟାତ୍ମ ଭାରତ ଏବଂ ଓଡ଼ିଶାର ଏକ ପ୍ରଚଣ୍ଡ ଶକ୍ତି କୋମଳ ବା ସଫ୍ଟ ପାୱାର। ଆମେ ମହା ସଂକଟର ଏହି କ୍ଷଣରେ ଆମର ସମସ୍ତ ଉଦ୍ୟମ ଜାରି ରଖି ସେଇ ବିଶ୍ବ ନିୟନ୍ତାଙ୍କୁ ପ୍ରାର୍ଥନା କରିବା, ଆମ ପ୍ରିୟ ଭାଗବତର ବାଣୀରୁ, ‘‘ଆମ ଜୀବନ ଅଟୁ ତୁହି, ତୋ ତହୁଁ ଆନ ଗତି ନାହିଁ।’’

Comments are closed.